କଟକ: ଐତିହାସିକ ବାରବାଟୀ ଷ୍ଟାଡିୟମ୍‌ରେ ରବିବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମଧ୍ୟରେ ଟି-୨୦ ମ୍ୟାଚ୍‌ ଖେଳାଯାଉଛି। ୫ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାର ୨ୟ ମୁକାବିଲା ପାଇଁ ଟସ୍‌ ପଡ଼ିସାରିଛି। ଟସ୍‌ ଜିଣି ଦକ୍ଷିଣ ଆଫ୍ରିକା ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଋଷଭ ପନ୍ତଙ୍କ ନେତୃତ୍ବରେ ଭାରତ ବ୍ୟାଟିଂ କରୁଛି। ଭାରତ ନିଜର ସ୍କୋର ୩ ରନ୍‌ରେ ଋତୁରାଜ ଗାଏକ୍ବାର୍ଡ (୧ ରନ୍‌)ଙ୍କୁ ହରାଇଥିଲା। ଋତୁରାଜ ୪ଟି ବଲ୍‌ ସାମ୍ନା କରିଥିଲେ ଏବଂ ସେ କାଗିସୋ ରାବଡାଙ୍କ ବଲ କେଶବ ମହାରାଜଙ୍କୁ କ୍ୟାଚ ଦେଇ ଆଉଟ ହୋଇଥିଲେ।

Advertisment

ତେବେ ରିପୋର୍ଟ ଲେଖାଯିବା ବେଳକୁ ଭାରତର ସ୍କୋର ୧୪ ଓଭରର ପରିସମାପ୍ତି ପରେ ୫ ୱିକେଟ ବିନିମୟରେ ୯୯ ରନ୍‌ ସଂଗ୍ରହ ହୋଇଛି। କ୍ରିଜରେ ଅକ୍ଷର ପଟେଲ  ଓ ଦିନେଶ କାର୍ତ୍ତିକ ଅଛନ୍ତି।

ଦୀର୍ଘ ଅଢ଼େଇ ବର୍ଷ ପରେ ବାରବାଟୀକୁ ‌ଫେରିଥିବା ଅନ୍ତର୍ଜାତୀୟ କ୍ରିକେଟ୍‌ ମ୍ୟାଚ୍‌କୁ ନେଇ ପ୍ରବଳ ଉତ୍ସାହ ଓ ଉଦ୍ଦୀପନା। ଐତିହାସିକ ବାରବାଟୀ ଷ୍ଟାଡିୟମ୍‌ ବି ନୂଆ ରୂପରେ ସଜେଇ ହୋଇଛି ଏହି ମ୍ୟାଚ୍‌ ପୂର୍ବରୁ। ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଏହି ଦ୍ବିତୀୟ ଟ୍ବେଣ୍ଟି-୨୦କୁ ନେଇ ବାରବାଟୀ ବାହାରେ ସୁରକ୍ଷା ବ୍ୟବସ୍ଥା ଯେତିକି କଡ଼ା, ଭିତରେ ପିଚ୍‌କୁ ନେଇ ସେତିକି ଦ୍ବନ୍ଦ୍ବ। ଦୁଇ ଦଳ ଶୁକ୍ରବାର ଜୋରଦାର ଅଭ୍ୟାସ କରି ମଧ୍ୟ ନିଜ ନିଜକୁ ଶାଣିତ କରିଛନ୍ତି। ଗତ ଗୁରୁବାର ନୂଆଦିଲ୍ଲୀରେ ଖେଳାଯାଇଥିବା ଏହି ୫ ମ୍ୟାଚ୍‌ ଶୃଙ୍ଖଳାର ପ୍ରଥମ ମୁକାବିଲାରେ ଦକ୍ଷିଣ ଆଫ୍ରିକା ପ୍ରାଧାନ୍ୟ ଭରା ବିଜୟ ହାସଲ କରିଥିବାରୁ ଋଷଭ ପନ୍ତ୍‌ଙ୍କ ଦଳକୁ ତୁରନ୍ତ ପ୍ରତ୍ୟାବର୍ତ୍ତନ କରିବାର ଆବଶ୍ୟକତା ରହିଛି। ପ୍ରମୁଖ ତଥା ବରିଷ୍ଠ ଖେଳାଳିଙ୍କ ବିନା ଏହି ଶୃଙ୍ଖଳା ଖେଳୁଥିବାରୁ ଯୁବ ଖେଳାଳିଙ୍କ ଉପରେ ଭାରତର ଭାଗ୍ୟ ନିର୍ଭର କରୁଛି। ତଥାପି ଅଧିନାୟକ ଋଷଭ ପନ୍ତ୍‌ଙ୍କ ସହ ହାର୍ଦିକ ପାଣ୍ଡ୍ୟା, ଶ୍ରେୟସ ଆୟର, ଈଶାନ କିଶନ, ଦୀନେଶ କାର୍ତ୍ତିକ, ୟୁଝବେନ୍ଦ୍ର ଚହଲଙ୍କ ଭଳି ବରିଷ୍ଠଙ୍କ ଉପରେ ଘରୋଇ ଦଳର ଆଶା ଭରସା ରହିଛି।

publive-image

ଦିଲ୍ଲୀରେ ଭାରତ ୨୧୧ ରନ୍ କରିଥିଲେ ମଧ୍ୟ ଦକ୍ଷିଣ ଆଫ୍ରିକା ଜବରଦସ୍ତ ବ୍ୟାଟିଂ କରି ଅନାୟାସରେ ଏହାକୁ ଅତିକ୍ରମ କରିଥିବାରୁ ଭାରତ ଉପରେ ଚାପ ରହିଛି। ବିଶେଷ କରି ବୋଲିଂ ଓ ଫିଲ୍ଡିଂରେ ଭାରତୀୟ ଖେଳାଳିଙ୍କୁ ଶୃଙ୍ଖଳିତ ପ୍ରଦର୍ଶନ କରିବାର ଆବଶ୍ୟକତା ପଡ଼ିଛି। ଦିଲ୍ଲୀରେ ଜଣଙ୍କୁ ଛାଡ଼ି (ଅଭେସ୍‌ ଖାନ୍‌) ସମସ୍ତ ଭାରତୀୟ ବୋଲର ଓଭର ପିଛା ୧୦ରୁ ଊର୍ଧ୍ବ ହାରରେ ରନ୍ ବ୍ୟୟ କରିଥିଲେ। ରାସି ଭାନ୍ ଡର୍ ‌ଡସେନ୍‌ଙ୍କ କ୍ୟାଚ୍‌କୁ ଶ୍ରେୟସ ଆୟର ହାତଛଡ଼ା କରିବା ମ୍ୟାଚ୍‌କୁ ଏକତରଫା କରିଦେଇଥିଲା।

ଭାରତ ଏକାଦଶ: ଈଶାନ କିଶନ, ଋତୁରାଜ ଗାଏକ୍ବାଡ, ଶ୍ରେୟସ ଆୟର, ଋଷଭ ପନ୍ତ୍‌ (ଅଧିନାୟକ ଓ ୱିକେଟରକ୍ଷକ), ହାର୍ଦିକ ପାଣ୍ଡ୍ୟା, ଦୀନେଶ କାର୍ତିକ, ଅକ୍ଷର ପଟେଲ୍‌, ହର୍ଷଲ ପଟେଲ୍‌, ଅଭେସ୍‌ ଖାନ୍‌, ଭୁବନେଶ୍ବର କୁମାର, ୟୁଝବେନ୍ଦ୍ର ଚହଲ୍‌।

ଦକ୍ଷିଣ ଆଫ୍ରିକା:  ହେନ୍‌ରିଚ କାଲସେନ୍‌ (ୱିକେଟରକ୍ଷକ), ତେମ୍ବା ବଭୂମା, ରାସି ଭାନ୍ ଡର୍‌ ଦସେନ୍‌, ‌ଡେଭିଡ୍ ମିଲର, ତ୍ରିସ୍ତାନ ଷ୍ଟବ୍ସ, ଡ୍ବାଇନ୍ ପ୍ରିଟୋରିୟସ୍‌, ୱେନ ପାର୍ନେଲ, କାଗିସୋ ରବାଦା, କେଶବ ମହାରାଜ, ଅନରିକ୍ ନର୍ଖିୟା, ତାବ୍ରାଇଜ ସାମସୀ।