କଲମ୍ବୋ: ପୁଣି ଥରେ ଦକ୍ଷିଣ ଆଫ୍ରିକା ୩ ଦିନ ଭିତରେ ଟେଷ୍ଟ୍‍ ମ୍ୟାଚ୍‌ ହାରିବା ଆଶଙ୍କାରେ ପଡ଼ିଛି। ଗଲ୍‌ ଟେଷ୍ଟରେ ଶୋଚନୀୟ ପରାଜୟ ବରଣ କରିଥିବା ଭ୍ରମଣକାରୀ ଫାପ୍‌ ଡୁ ପ୍ଲେସିସ୍‌ଙ୍କ ଦଳ କଲମ୍ବୋରେ ବି କଷ୍ଟକର ପଥରେ ପଡ଼ିଛି। ସିଂହଳିିଜ୍‌ ସ୍ପୋର୍ଟସ କ୍ଲବ୍‌ ପଡ଼ିଆରେ ଚାଲିଥିବା ଏହି ଟେଷ୍ଟ୍‍ରେ ଦ୍ୱିତୀୟ ଦିନରେ ଦକ୍ଷିଣ ଆଫ୍ରିକା ପ୍ରଥମ ପାଳିରେ ମାତ୍ର ୧୨୪ ରନ୍‌ରେ ସମସ୍ତ ଓ୍ଵିକେଟ୍‌ ହରାଇଛି। ଏଥି ପହ ପ୍ରଥମ ପାଳିରେ ଘରୋଇ ଶ୍ରୀଲଙ୍କା ଠାରୁ ୨୧୪ ରନ୍‌ରେ ପଛରେ ପଡ଼ିଯାଇଛି। ଜବାବରେ ଶ୍ରୀଲଙ୍କା ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ୩ ଓ୍ଵିକେଟ୍‌ରେ ୧୫୧ ରନ୍‌ ସଂଗ୍ରହ କରିବା ସହିତ ମୋଟ ଉପରେ ୩୬୫ ରନ୍‌ ଆଗୁଆ ହୋଇଯାଇଛି। ଶନିବାର ୨୭୭/୯ରୁ ଖେଳିଥିବା ଦକ୍ଷିଣ ଆଫ୍ରିକାର ଶେଷ ଓ୍ଵିକେଟ୍‌ଟିକୁ ମଧ୍ୟ ସ୍ପିନର୍‌ କେଶବ ମହାରାଜ ଦଖଲ କରିଥିଲେ। ଫଳରେ ୧୨୯ ରନ୍‌ ବିନିମୟରେ ୯ ଓ୍ଵିକେଟ୍‌ ଦଖଲ କରି ବ୍ୟକ୍ତିଗତ ଶ୍ରେଷ୍ଠ, ଦକ୍ଷିଣ ଆଫ୍ରିକାର ଶ୍ରେଷ୍ଠ ଏବଂ ଶ୍ରୀଲଙ୍କାରେ ଶ୍ରେଷ୍ଠ ବିଦେଶୀ ବୋଲର ଚିତ୍ର ପାଇଥିଲେ। ଶନିବାର ରଙ୍ଗନା ହେରାଥ ହୋଇଥିଲେ ତାଙ୍କ ନବମ ଶିକାର। ଶ୍ରୀଲଙ୍କାର ୩୩୮ ରନ୍‌ ଜବାବରେ ଦକ୍ଷିଣ ଆଫ୍ରିକା କିନ୍ତୁ ୩୪.୫ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇ ଦେଇଥିଲା। ସିଂହଳିଜ୍‌ ପିଚ୍‌ ଏତେ ସ୍ପିନ୍‌ ଉପଯୋଗୀ ହୋଇପଡ଼ିଛି ଯେ ଶ୍ରୀଲଙ୍କା ଯୁଗଳ ସ୍ପିନ୍‌ରୁ ଆକ୍ରମଣ ଆରମ୍ଭ କରିଥିଲା। ଅଫସ୍ପିନ୍‌ ଯୋଡ଼ି ଦିଲରୁଓ୍ଵାନ ପେରେରା (୪/୪୦) ଏବଂ ଅଖିଳ ଧନଞ୍ଜୟ (୫/୫୨) ମିଳିତ ଭାବେ ୯ ଓ୍ଵିକେଟ୍‌ ବାଣ୍ଟି ନେଇଥିଲେ। ଅନ୍ୟତମ ସ୍ପିନର୍‌ ରଙ୍ଗନା ହେରାଥ୍‌ ଅନ୍ୟ ଓ୍ଵିକେଟ୍‌ଟି ନେଇଥିଲେ। ଅଧିନାୟକ ଫାପ୍‌ ଡୁ ପ୍ଲେସିସ୍‌ (୪୮) ଏବଂ ଓ୍ଵିକେଟ୍‌ ରକ୍ଷକ କ୍ୟୁଣ୍ଟନ ଡି କକ୍‌ (୩୨)ଙ୍କ ଛଡ଼ା ଅନ୍ୟ କେହି ସ୍ପିନ୍‌ରଙ୍କ ଆଗରେ ତିଷ୍ଠି ନ ଥିଲେ। ୧୨୪ ରନ୍‌ରେ ସୀମିତ ହୋଇ ଶ୍ରୀଲଙ୍କା ମାଟିରେ ଦକ୍ଷିଣ ଆଫ୍ରିକା ନିଜର ଦ୍ୱିତୀୟ ସର୍ବନିମ୍ନ ସ୍କୋର ପାଇଥିଲା। ଶ୍ରୀଲଙ୍କା ଦ୍ୱିତୀୟ ପାଳିରେ କିନ୍ତୁ ଧନୁଷ୍କ ଗୁଣତିଳକ (୬୧) ଏବଂ ଦିମୁଥ କରୁଣାରତ୍ନେ (୫୯*) ବଢ଼ିଆ ଆରମ୍ଭ କରିଥିଲେ। ତଥାପି କେଶବ ମହାରାଜ ପୁଣି ୨ ଓ୍ଵିକେଟ୍‌ ଦଖଲ କରି ମ୍ୟାଚ୍‌ରେ ତାଙ୍କ ଓ୍ଵିକେଟ୍‌ ସଂଖ୍ୟାକୁ ୧୧ରେ ପହଞ୍ଚାଇ ସାରିଛନ୍ତି।
ସଂକ୍ଷିପ୍ତ ସ୍କୋର: ଶ୍ରୀଲଙ୍କା ପ୍ରଥମ ପାଳି: ୩୩୮ (ଧନଞ୍ଜୟ ଡି’ସିଲ୍‌ଭା-୬୦, କେଶବ ମହାରାଜ-୯/୧୨୯)। ଦକ୍ଷିଣ ଆଫ୍ରିକା ପ୍ରଥମ ପାଳି: ୧୨୪ (ଫାପ୍‌ ଡୁ ପ୍ଲେସିସ୍‌-୪୮, ଅଖିଳ ଧନଞ୍ଜୟ-୫/୫୨, ଦିଲରୁଓ୍ଵାନ ପେରେରା-୪/୪୦, ରଙ୍ଗନା ହେରାଥ୍‌-୧/୩୨)। ଶ୍ରୀଲଙ୍କା ଦ୍ୱିତୀୟ ପାଳି: ୧୫୧/୩ (ଧନୁଷ୍କ ଗୁଣତିଳକ-୬୧, ଦିମୁଥ କରୁଣାରତ୍ନେ-୫୯*, କେଶବ ମହାରାଜ-୨/୯୦)।

Advertisment

ଆମଲାଙ୍କ ୯,୦୦୦ ରନ୍‌
କଲମ୍ବୋ ଟେଷ୍ଟ୍‍ ଅବସରରେ ଦକ୍ଷିଣ ଆଫ୍ରିକା ବ୍ୟାଟ୍‌ସମ୍ୟାନ୍‌ ହାସିମ୍‌ ଆମଲା ୯,୦୦୦ ଟେଷ୍ଟ୍‍ ରନ୍‌ ମାଇଲଖୁଣ୍ଟ୍‌ ଅତିକ୍ରମ କରିଛନ୍ତି। ମାତ୍ର ୧୯ ରନ୍‌ କରିଥିଲେ ମଧ୍ୟ ସେ ତୃତୀୟ ଦକ୍ଷିଣ ଆଫ୍ରିକୀୟ ଖେଳାଳି ଭାବେ ଏହି ବିରଳ କ୍ଲବ୍‌ରେ ସାମିଲ ହୋଇଥିଲେ। ୧୧୯ ମ୍ୟାଚ୍‌ ଏବଂ ୨୦୪ ପାଳି ଖେଳି ୪୭.୪୫ ହାରରେ ବ୍ୟାଟିଂ କରି ସେ ଏହି ସୀମା ଟପିଛନ୍ତି। ଅଲ୍‌ରାଉଣ୍ଡର୍‌ ଜ୍ୟାକ୍‌ କାଲିସ୍‌ (୧୩,୨୦୬) ଏବଂ ପୂର୍ବତନ ଅଧିନାୟକ ଗ୍ରେମ୍‌ ସ୍ମିଥ୍‌ (୯,୨୫୩) ଏହି କ୍ଲବ୍‌ରେ ଅଛନ୍ତି। ଏହି ମ୍ୟାଚ ଅବସରରେ କେଶବ ମହାରାଜ (୯/୧୨୯)ଙ୍କ ବୋଲିଂ ଚିତ୍ର ମଧ୍ୟ ଦକ୍ଷିଣ ଆଫ୍ରିକା ପାଇଁ ଶ୍ରେଷ୍ଠ ସାବ୍ୟସ୍ତ ହୋଇଥିଲା।