ଦ.ଆଫ୍ରିକା ସେମି ଦୌଡ଼ରୁ ବାଦ୍

୪୯ ରନ୍ ବିଜୟ ସହ ପାକିସ୍ତାନର ପ୍ରତ୍ୟାବର୍ତନ

ଲଣ୍ଡନ: ଦକ୍ଷିଣ ଆଫ୍ରିକା ଚଳିତ ଏକଦିବସୀୟ କ୍ରିକେଟ୍ ବିଶ୍ବକପ୍‌ର ସେମିଫାଇନାଲ୍ ଦୌଡ଼ରୁ ବାଦ ପଡ଼ିଛି। ରବିବାର ଏକ ମହତ୍ବପୂର୍ଣ୍ଣ ମୁକାବିଲାରେ ପାକିସ୍ତାନଠାରୁ ୪୯ ରନ୍‌ରେ ହାରିବା ପରେ ଏହି ଦଳର ପ୍ରଥମ ବିଶ୍ବକପ୍ ବିଜୟ ସ୍ବପ୍ନ ମଉଳି ଯାଇଛି। ବିଶ୍ବକପ୍‌ରୁ ଆନୁଷ୍ଠାନିକ ଭାବେ ବିଦାୟ ନେବାରେ ଆଫଗାନିସ୍ତାନ ପରେ ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଦଳ ହୋଇଛି। ପାକିସ୍ତାନ ଆଜି ପ୍ରଥମେ ବ୍ୟାଟିଂ କରି ନିର୍ଧାରିତ ୫୦ ଓଭରରେ ୭ ୱିକେଟ୍ ହରାଇ ୩୦୮ ରନ୍ କରିଥିଲା। ଏହାର ଜବାବରେ ଦକ୍ଷିଣ ଆଫ୍ରିକା ୯ ୱିକେଟ୍ ବିନିମୟରେ ୨୫୯ ରନ୍ କରି ପରାଜିତ ହୋଇଥିଲା। ତା’ ସହ ବଡ଼ ପ୍ରତିଯୋଗିତାରେ ବିଫଳତା ପାଇଁ ୧୯୯୨ରୁ ବହନ କରି ଆସୁଥିବା ‘ଚୋକର’ ଅପଯଶକୁ ପୁଣି ଥରେ ଦୂର କରି ପାରି ନଥିଲା। ପୂର୍ବରୁ ଚାରି ଥର ବିଶ୍ବକପ୍‌ର ସେମିଫାଇନାଲ୍‌ରୁ ବିଦାୟ ନେଇ ସାରିଥିବା ଦକ୍ଷିଣ ଆଫ୍ରିକା ସପ୍ତମ ମୁକାବିଲାରୁ ପଞ୍ଚମ ପରାଜୟ ବରଣ କରି ୧୦ ଦଳିଆ ବିଶ୍ବକପ୍‌ର ନବମ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ଭାରତ ବିପକ୍ଷ ଲଜ୍ଜାଜନକ ପରାଜୟର ଦୁଃଖକୁ ପାକିସ୍ତାନ ଏକତରଫା ବିଜୟରେ ଦୂର କରିଛି। ଷଷ୍ଠ ମ୍ୟାଚ୍‌ରୁ ଦ୍ବିତୀୟ ବିଜୟ ହାସଲ କରି ନିଜ ସେମିଫାଇନାଲ୍ ଆଶା ମଧ୍ୟ ଉଜ୍ଜୀବିତ ରଖିଛି।

୩୦୯ ରନ୍‌ର ବଡ଼ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଦକ୍ଷିଣ ଆଫ୍ରିକା ପୁଣି ଥରେ ପ୍ରାରମ୍ଭିକ ବିଫଳତାର ସମ୍ମୁଖୀନ ହୋଇଥିଲା। ହାସିମ ଆମଲା (୨)ଙ୍କୁ ଦ୍ବିତୀୟ ଓଭରର ପ୍ରଥମ ବଲ୍‌ରେ ମହମ୍ମଦ ଆମିର ଏଲବିଡବ୍ଲ୍ୟୁ କରିଥିଲେ। ଅମ୍ପାୟାର ନଟଆଉଟ୍ ଦେଇଥିଲେ ମଧ୍ୟ ପାକିସ୍ତାନ ରିଭ୍ୟୁ କରି ସଫଳ ହୋଇଥିଲା। ଏହା ପରେ ଅଧିନାୟକ ଫାଫ୍ ଡୁ’ ପ୍ଲେସିସ୍ (୬୩) ଓ କ୍ବିଣ୍ଟନ୍ ଡି’ କକ୍ (୪୭) ୮୭ ରନ୍‌ର ଭାଗୀଦାରି କରି ସ୍ଥିତି ସୁଧାରି ଥି‌ଲେ। ଡି’କକ୍‌ଙ୍କୁ କ୍ୟାଚ୍ କରାଇ ସଦାବ ଖାନ୍ ଯୋଡ଼ି ଭାଙ୍ଗିବା ପରେ ଦକ୍ଷିଣ ଆଫ୍ରିକା ଗୋଟିଏ ପରେ ଗୋଟିଏ ୱିକେଟ୍ ହରାଇ ଚାଲିଥିଲା। ରଶି ଭାନଡର ଦୁସେନ (୩୬) ଓ ଡେଭିଡ୍ ମିଲର କିଛି ସମୟ ଲଢ଼ିଥିଲେ। ତେବେ ବଢ଼ି ଚାଲିଥିବା ରନ୍ ହାର ଚାପରେ ନିଜ ନିଜ ୱିକେଟ୍ ଫିଙ୍ଗି ଦେଇଥିଲେ। ୱାହାବ ରିଆଜଙ୍କ ଗୋଟିଏ ଓଭରରେ ପାକିସ୍ତାନ ଦୁଇଟି କ୍ୟାଚ୍ ହାତଛଡ଼ା କରିବା ସତ୍ତ୍ବେ ଉଭୟ ଏହାର ଫାଇଦା ଉଠାଇ ପାରି ନଥିଲେ। ଶେଷରେ ବିଜୟ ଲକ୍ଷ୍ୟଠାରୁ ବହୁ ଦୂରରେ ରହିଯାଇଥିଲା।

ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତଠାରୁ ଲଜ୍ଜାଜନକ ପରାଜୟ ପରେ ପ୍ରଶଂସକଙ୍କ ରୋଷର ଶିକାର ହୋଇଥିବା ପାକିସ୍ତାନ ଦୁଇଟି ପରିବର୍ତନ ସହ ପଡ଼ିଆକଚୁ ଓହ୍ଲାଇଥିଲା। ପୂର୍ବତନ ଅଧିନାୟକ ସୋଏବ ମଲ୍ଲିକ ଓ ଫର୍ମରେ ନଥିବା ଦ୍ରୁତ ବୋଲର ହାସନ ଅଲ୍ଲୀଙ୍କୁ ବାଦ୍ ଦେଇ ହାରିସ୍ ‌ସୋହେଲ ଏବଂ ସାହିନ ଆଫ୍ରିଦିଙ୍କୁ ଖେଳାଇଥିଲା। ଏହି ନିଷ୍ପତ୍ତି ମଧ୍ୟ ବେଶ୍ ଫଳପ୍ରଦ ହୋଇଥିଲା। ସୋହେଲ କରିଥିବା ୫୯ ବଲ୍‌ ୮୯ ରନ୍ ପାକିସ୍ତାନ ପାଳିର ସର୍ବାଧିକ ବ୍ୟକ୍ତିଗତ ରନ୍ ଥିଲା। ବାବର ଆଜମ (୬୯) ମଧ୍ୟ ଉପଯୋଗୀ ଅର୍ଧଶତକ ଅର୍ଜନ କରିଥିଲେ। ପାକିସ୍ତାନର ଶୀର୍ଷ ୬ ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କ ଛୁଇଁଥିଲେ। ଇମାମ-ଉଲ୍-ହକ୍ ଓ ଫକର ଜମନ ପାକିସ୍ତାନ ପାଇଁ ୮୧ ରନ୍‌ର ଦୃଢ଼ ମୂଳଦୁଆ ପକାଇଥିଲେ। ଉଭୟ ୪୪ ରନ୍ ଲେଖାଏଁ କରିଥିଲେ। ମହମ୍ମଦ ହାଫିଜ ୨୦ ଏବଂ ଇମଦ ୱାସିମ ୨୩ ରନ୍ କରିଥିଲେ। ଫଳରେ ପାକିସ୍ତାନ ନିର୍ଧାରିତ ୫୦ ଓଭରରେ ୭ ୱିକେଟ୍ ହରାଇ ୩୦୮ ରନ୍‌ର ଆହ୍ବାନଭରା ସ୍କୋର କରି ନେଇଥିଲା। ଦକ୍ଷିଣ ଆଫ୍ରିକାର ସଫଳତମ ବୋଲର ଭାବେ ଲୁଙ୍ଗି ଏନଗିଡ଼ି ୩ ୱିକେଟ୍ କରାୟତ କରିଥିଲେ। ହେଲେ ବେଶ୍ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। କେବଳ ସ୍ପିନର ଇମ୍ରାନ ତାହିର ମିତ୍ତବ୍ୟୟୀ ବୋଲିଂ କରି ୧୦ ଓଭରରେ ୪୧ ରନ୍ ବିନିମୟରେ ୨ ୱିକେଟ୍ ଅକ୍ତିଆର କରିଥିଲେ। ହାରିସ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ସମ୍ବନ୍ଧିତ ଖବର