ଭାରତ ପାଇଁ ଦକ୍ଷିଣ ଆଫ୍ରିକାର ‘ପ୍ଲାନ୍-ବି’

ସାଉଥମ୍ପଟନ୍: ବିଶ୍ବକପ୍‌ର ଦୁଇଟି ମ୍ୟାଚ୍‌ରେ ପ୍ରଥମ ଯୋଜନା କାମ ନକରିବା ପରେ ଭାରତ ବିପକ୍ଷ ନିଜର ତୃତୀୟ ମ୍ୟାଚ୍ ପାଇଁ ଦକ୍ଷିଣ ଆଫ୍ରିକା ତା’ର ରଣ କୌଶଳ ବଦଳାଇବାର ସଂକେତ ଦେଇଛି। ଭାରତ ପାଇଁ ଏହି ଦଳ ‘ପ୍ଲାନ୍ ବି’କୁ କାମରେ ଲଗାଇବ ବୋଲି ଅଧିନାୟକ ଫାଫ୍‌ ଡୁ’ପ୍ଲେସିସ୍ କହିଛନ୍ତି। ପ୍ରଥମ ଯୋଜନା ବା ପ୍ଲାନ୍-ଏ’ ବିଫଳ ହେବାର କାରଣ ମଧ୍ୟ ସେ ଦର୍ଶାଇଛନ୍ତି। ସେ କହିଛନ୍ତି, ମୁଁ ବହୁତ ନିରାଶ। ଉଭୟ ଇଂଲଣ୍ଡ ଏବଂ ବାଂଲାଦେଶ ବିପକ୍ଷରେ ଆମ ‌ଯୋଜନା ଥିଲା ଆକ୍ରମଣାତ୍ମକ ବୋଲିଂ କରି ସେମାନଙ୍କୁ ଘାଇଲା କରିବା। ହେଲେ ଆମେ ଯେଉଁ ବୋଲରଙ୍କୁ ନେଇ ଏଭଳି ରଣନୀତି ପ୍ରସ୍ତୁତ କରିଥିଲୁ, ସେମାନେ ଏକାଠି ଖେଳି ପାରିଲେ ନାହିଁ।‌ ଅଭିଜ୍ଞ ଡେଲ୍ ଷ୍ଟେନ୍ ଦୁଇଟି ଯାକ ମ୍ୟାଚ୍‌ରେ ପଡ଼ିଆକୁ ଓହ୍ଲାଇ ପାରିଲେ ନାହିଁ। ଯୁବ ବୋଲର ଆନରିଚ ନର୍ଜେଙ୍କୁ ଆମେ ସଂରକ୍ଷିତ ବୋଲର ଭାବେ ରଖିଥିଲୁ। ଦୁର୍ଭାଗ୍ୟଜନକ ଭାବେ ସେ ମଧ୍ୟ ଆହତ ହେଲେ। ଷ୍ଟେନ୍ ଓ ନର୍ଜେଙ୍କ ଛଡ଼ା ବାଂଲା‌ଦେଶ ବିପକ୍ଷ ମୁକାବିଲାରେ ଅଭିଜ୍ଞ ବୋଲର ଲୁଙ୍ଗି ଏନ୍‌ଗିଡ଼ି ମଧ୍ୟ ଆହତ ହୋଇ ମାତ୍ର ଚାରି ଓଭର ବୋଲିଂ କରି ପାରିଥିଲେ। ସେଥପାଇଁ ଆମକୁ ଏବେ ନୂଆ ବିକଳ୍ପ ନେଇ ପଡ଼ିଆକୁ ଓହ୍ଲାଇବାକୁ ପଡ଼ିବ। ତେବେ ଷ୍ଟେନ୍ ଭାରତ ମ୍ୟାଚ୍‌ ବେଳକୁ ସୁସ୍ଥ ହୋଇ ଯାଇଥିବେ। ପ୍ରାରମ୍ଭିକ ଝଟ୍‌କା ସତ୍ତ୍ବେ ଦକ୍ଷିଣ ଆଫ୍ରିକା ବିଶ୍ବକପ୍ ଜିତି ପାରିବ ବ‌ୋଲି ଡୁ’ ପ୍ଲେସିସ୍ ଆଶା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର