ଚହଲ-କୁଲଦୀପଙ୍କୁ ଦକ୍ଷିଣ ଆଫ୍ରିକା ଡରିଲାଣି: ସୌରଭ ଗାଙ୍ଗୁଲି

ଦକ୍ଷିଣ ଆଫ୍ରିକାରେ ଭାରତୀୟ କ୍ରିକେଟ୍‌ ଦଳ ଶ୍ରେଷ୍ଠ ପ୍ରଦର୍ଶନ କରିଛି। ଟେଷ୍ଟ ଶୃଙ୍ଖଳା ହାରିବା ପରେ ୬ ଟିକିଆ ଦିନିକିଆ ଶୃଙ୍ଖଳାରେ ୩-୦ରେ ଆଗୁଆ ହେବା କୋହଲି ବାହିନୀର ପରିପକ୍ୱତାକୁ ଦର୍ଶାଉଛି। କୋହଲିଙ୍କ ବିଷୟରେ କ’ଣ କହିବି! ସଚିନ ତେନ୍ଦୁଲକର, ରାହୁଲ ଦ୍ରାବିଡ, ଭିଭିଏସ୍‌ ଲକ୍ଷ୍ମଣ, ବୀରେନ୍ଦ୍ର ସେହବାଗ, ରିକି ପଣ୍ଟିଂ ଏବଂ ବ୍ରାଏନ ଲାରାଙ୍କ ଭଳି ଖେଳାଳିଙ୍କ ସହ ଏବଂ ବିପକ୍ଷରେ ଖେଳିବାର ସୌଭାଗ୍ୟ ମୁଁ ପାଇଛି। କୋହଲି ଏହି ସମସ୍ତ କିମ୍ବଦନ୍ତୀଙ୍କଠାରୁ କୌଣସି ଗୁଣରେ କମ୍‌ ନୁହନ୍ତି ବୋଲି ମୁଁ ଦୃଢ଼ତାର ସହ କହି ପାରିବି। ବ୍ୟାଟିଂ ବେଳେ ତାଙ୍କ ନିୟନ୍ତ୍ରଣ ଏବଂ ପରିସ୍ଥିତି ମୁତାବକ ଖେଳିବାର କଳା ମୋତେ ସବୁଠାରୁ ବେଶୀ ପ୍ରଭାବିତ କରିଛି। ପ୍ରତ୍ୟେକ ପାଳିରେ ତାଙ୍କ ଉତ୍ସାହ ଏବଂ ଶକ୍ତି ଦେଖିଲା ଭଳି। ଏତେ କମ୍‌ ପାଳି ମଧ୍ୟରେ ସେ ୩୪ ଶତକ ହାସଲ କରିବା ଅବିଶ୍ୱସନୀୟ। ଚଳିତ ଶୃଙ୍ଖଳାରେ କୌଣସି ଭାରତୀୟ ବ୍ୟାଟ୍ସମ୍ୟାନ୍‌ ତିନି ଅଙ୍କ ଛୁଇଁ ନାହାନ୍ତି। ଅନ୍ୟପକ୍ଷରେ କେବଳ ଜଣେ ଦକ୍ଷିଣ ଆଫ୍ରିକା ଖେଳାଳି ଏଭଳି ସଫଳତା ପାଇଛନ୍ତି। ହେଲେ କୋହଲି ଏକାକି ଦୁଇଟି ଶତକ ହାସଲ କରି ନେଇଛନ୍ତି। ଯାହା ତାଙ୍କ ବ୍ୟାଟିଂ ଦକ୍ଷତାକୁ ଦର୍ଶାଉଛି। ୟୁଜବେନ୍ଦ୍ର ଚହଲ ଓ କୁଲଦୀପ ଯାଦବ ମଧ୍ୟ ପ୍ରଶଂସନୀୟ ବୋଲିଂ କରୁଛନ୍ତି। ତିନିଟି ମ୍ୟାଚ୍‌ରେ ପ୍ରତିପକ୍ଷର ମୋଟ ୩୦ ଓ୍ଵିକେଟ୍‌ ମଧ୍ୟରୁ ଏହି ଦୁଇ ଜଣ ମିଳିତ ଭାବେ ୨୧ ଅକ୍ତିଆର କରିଛନ୍ତି। କେବଳ ସଂଖ୍ୟା ନହେଁ ଚହଲ ଏବଂ କୁଲଦୀପ ଦକ୍ଷିଣ ଆଫ୍ରିକା ଖେଳାଳିଙ୍କ ମନରେ ଯେଉଁ ଭୟ ସୃଷ୍ଟି କରିଛନ୍ତି ତାହା ମୁଁ ପୂର୍ବରୁ କେବେବି ଦେଖିନି। ପ୍ରତିକୂଳ ପରିସ୍ଥିତିରେ ସେମାନଙ୍କ ସଫଳତା ମୋତେ ଅଧିକ ଆତ୍ମସନ୍ତୋଷ ଦେଇଛି। ଦକ୍ଷିଣ ଆଫ୍ରିକା ଅଧିନାୟକ ଏଦେନ ମର୍କରାମ ଯେଭଳି ଭାବେ ଆଉଟ୍‌ ହେଲେ ତାହା ଚହଲ ଏବଂ କୁଲଦୀପଙ୍କ ବଲ୍‌କୁ ସେମାନେ ଯେ ଆଦୌ ବୁଝି ପାରୁ ନାହାନ୍ତି ତାହା ସ୍ପଷ୍ଟ ହୋଇ ଯାଉଛି। ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌ ଏହି ଦୁଇ ଯୁବ ସ୍ପିନରଙ୍କଠାରୁ ମାନସିକ ଯୁଦ୍ଧରେ ହାରି ଯାଇଛନ୍ତି। ଶୃଙ୍ଖଳାରେ ଆଉ ତିନିଟି ମ୍ୟାଚ୍‌ ଖେଳାଯିବାର ଅଛି। ଭଲ କଥା ହେଲା ଦକ୍ଷିଣ ଆଫ୍ରିକା ଦଳକୁ ଏବେ ଏବି ଡିଭିଲିୟର୍ସ ଫେରିିବେ। ହେଲେ କେବଳ ତାଙ୍କ ଉପସ୍ଥିତି ଘରୋଇ ଦଳର ଭାଗ୍ୟ ବଦଳାଇ ଦେବ ନାହିଁ। ଏବିଙ୍କୁ କୋହଲିଙ୍କ ଭୂମିକା ନେବାକୁ ହେବ। ଶୃଙ୍ଖଳାର ପ୍ରଥମ ପର୍ଯ୍ୟାୟରେ ଦକ୍ଷିଣ ଆଫ୍ରିକା ଦଳ ଚୟନ ଅନେକଙ୍କୁ ବିସ୍ମିତ କରିଛି। ମର୍ନି ମର୍କେଲ ବୁଧବାର ମ୍ୟାଚ୍‌ ଲାଗି ଦଳରେ ନ ରହିବା ମୋତେ ବି ଆଶ୍ଚର୍ଯ୍ୟଚକିତ କରିଥିଲା। ଆସନ୍ତା ତିନିଟି ମୁକାବିଲାରେ ସେ ଦକ୍ଷିଣ ଆଫ୍ରିକାର ଚୂଡ଼ାନ୍ତ ଦଳରେ ସ୍ଥାନ ପାଇବା ଏକାନ୍ତ ଅପରିହାର୍ଯ୍ୟ। ଖୋୟା ଜୋଣ୍ଡୋ ଏବଂ ଆନ୍ଦିଲ ଫେଲୁଖୋଓ୍ଵାଙ୍କୁ ସେମାନଙ୍କ ଖେଳର ସ୍ତର ଉପରକୁ ନେବାକୁ ହେବ। (ଗେମପ୍ଲାନ୍‌)

ସମ୍ବନ୍ଧିତ ଖବର