କେପ୍ ଟାଉନ୍: ପାକିସ୍ତାନ ବିପକ୍ଷ ଦ୍ବିତୀୟ ଟେଷ୍ଟ୍କୁ ଘରୋଇ ଦକ୍ଷିଣ ଆଫ୍ରିକା ୯ ୱିକେଟ୍ରେ ଜିତିନେଇଛି। ଏଥି ସହିତ ଘରୋଇ ଦଳ ମଧ୍ୟ ୩ ମ୍ୟାଚ୍ ଶୃଙ୍ଖଳାକୁ ଆଗୁଆ ୨-୦ରେ କବ୍ଜା କରି ନେଇଛି। କେପ୍ ଟାଉନ୍ ଟେଷ୍ଟ୍ ଶନିବାରର ତୃତୀୟ ଦିନରୁ ଫଏସଲା ହୋଇଯାଇଥିଲା। ପାକିସ୍ତାନ ଦ୍ବିତୀୟ ପାଳିକୁ ଷ୍ଟେନ୍ (୪/୮୫) ଏବଂ ରବାଦା (୪/୬୧) ୨୯୪ ରନ୍ରେ ସୀମିତ ରଖିଦେଇଥିଲେ। ଫଳରେ ପାକିସ୍ତାନ କେବଳ ପାଳି ପରାଜୟ ଏଡ଼ାଇବାରେ ସକ୍ଷମ ହୋଇପାରିଥିଲା। ରବିବାର ସକାଳେ ମାତ୍ର ୯.୫ ଓଭର ଖେଳି ଦକ୍ଷିଣ ଆଫ୍ରିକା ବିଜୟ ପାଇଁ ଆବଶ୍ୟକ ୪୧ ରନ୍କୁ ୧ ୱିକେଟ୍ ବିନିମୟରେ ଅତିକ୍ରମ କରିଯାଇଥିଲା। ଟବି ଡି ବ୍ରୁଇନଙ୍କ ୱିକେଟ୍ ମହମ୍ମଦ ଆବାସ ନେଇଥିଲେ। ହାସିମ୍ ଆମଲା କିନ୍ତୁ ମହମ୍ମଦ ଆମିରଙ୍କ ବଲରେ ଆଘାତପ୍ରାପ୍ତ ହେବାରୁ ରିଟାର୍ଡ ହର୍ଟ ହୋଇ ଫେରିଥିଲେ। ଜୋହାନେସବର୍ଗରେ ଶୁକ୍ରବାରଠାରୁ ଖେଳାଯିବାକୁ ଥିବା ତୃତୀୟ ତଥା ଶେଷ ଟେଷ୍ଟ୍ ଲାଗି ଆମଲା କିନ୍ତୁ ଆଶଙ୍କାରେ ରହିଛନ୍ତି। ପ୍ରଥମ ପାଳିରେ ଶତକ ହାସଲ କରିଥିବା ଅଧିନାୟକ ଫାପ୍ ଡୁ’ପ୍ଲେସିସ୍ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।
ସଂକ୍ଷିପ୍ତ ସ୍କୋର: ପାକିସ୍ତାନ: ୧୭୭ (ସର୍ଫରାଜ ଅହମ୍ମଦ-୫୬, ଡୁଆନ୍ ଓଲିଭର-୪/୪୮, ଡେଲ୍ ଷ୍ଟେନ୍-୩/୪୮, କାଗିସୋ ରବାଦା-୨/୩୫)। ଏବଂ ୨୯୪ (ଅସଦ ସଫିକ-୮୮, ବାବର ଆଜମ-୭୨, ସାନ୍ ମାସୁଦ୍-୬୧, କାଗିସୋ ରାବାଦା-୪/୬୧, ଡେଲ୍ ଷ୍ଟେନ୍-୪/୮୫)। ଦକ୍ଷିଣ ଆଫ୍ରିକା : ୪୩୧ (ଫାପ୍ ଡୁ ପ୍ଲେସିସ୍-୧୦୩, ଐଦେନ ମର୍କରାମ-୭୮, ତେମ୍ବା ବାଭୁମା-୭୫, କ୍ବିଣ୍ଟନ୍ ଡି’କକ୍-୫୯, ମହମ୍ମଦ ଆମିର-୪/୮୮, ସାହିନ୍ ସାହା ଅଫ୍ରିଦି-୪/୧୨୩) ଏବଂ ୪୩/୧ (ଡିନ୍ ଏଲଗାର-୨୪*, ଫାପ୍ ଡୁ’ପ୍ଲେସିସ୍-୩*, ମହମ୍ମଦ ଆବାସ-୧/୧୪)।