ଭାରତ ପହଞ୍ଚିଲା ଦକ୍ଷିଣ ଆଫ୍ରିକା, ୧୫ରୁ ଟ୍ବେଣ୍ଟି-୨୦ ଶୃଙ୍ଖଳା

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଦଳ ଶନିବାର ଭାରତ ପହଞ୍ଚିଛି। ଦ୍ରୁତ ବୋଲର କାଗିସୋ ରବାଦା ଟ୍ବିଟ୍ କରି ଏହି ସୂଚନା ଦେଇଛନ୍ତି। ଭାରତ ଫେରି ମୁଁ ବହୁତ ଉତ୍ସାହିତ, ଏଠାରେ ପୁଣି ଥରେ କ୍ରିକେଟ୍ ଖେଳିବାକୁ ଚାହିଁ ବସିଛି ବୋଲି ସେ ଏଥିରେ ଲେଖିଛନ୍ତି। ଦକ୍ଷିଣ ଆଫ୍ରିକା ଦଳ ସୋମବାର ନୂଆଦିଲ୍ଲୀରେ ନିଜ ଦେଶର ରାଷ୍ଟ୍ରଦୂତଙ୍କୁ ଭେଟିବା ପରେ ଧର୍ମଶାଳା ଯିବ। ସେଠାରେ ୧୫ ତାରିଖରେ ପ୍ରଥମ ଟ୍ବେଣ୍ଟି-୨୦ ପୂର୍ବରୁ ୫ ଦିନ ଅଭ୍ୟାସ କରିବ। ଶନିବାର କ୍ବିଣ୍ଟନ୍ ଡି’ କକ୍‌ଙ୍କ ନେତୃତ୍ବାଧୀନ ଦକ୍ଷିଣ ଆଫ୍ରିକା ଦଳ ପହଞ୍ଚିଛି। ଟେଷ୍ଟ୍‌ ଶୃଙ୍ଖଳା ଲାଗି ଆଉ କିଛି ଦକ୍ଷିଣ ଆଫ୍ରିକା ଖେଳାଳି ପରେ ନିଜ ଦଳ ସହ ଯୋଗଦେବେ। ମୁଖ୍ୟ ପ୍ରଶିକ୍ଷକ ଓଟିସ୍ ଗିବସନଙ୍କ ଚୁକ୍ତିକୁ ଦକ୍ଷିଣ ଆଫ୍ରିକା କ୍ରିକେଟ୍ ବୋର୍ଡ ନବୀକରଣ କରି ନଥିବାରୁ ଦକ୍ଷିଣ ଆଫ୍ରିକା ଦଳୀୟ ନିର୍ଦେଶକ ଏନୋକ ଏନକ୍ବି’ଙ୍କ ମାର୍ଗଦର୍ଶନରେ ଏହି ଶୃଙ୍ଖଳା ଖେଳିବ। ଦକ୍ଷିଣ ଆଫ୍ରିକା ଚଳିତ ମାସ ୧୮ ଏବଂ ୨୨ରେ ‌ମୋହଲି ଓ ବେଙ୍ଗାଲୁରୁରେ ଦ୍ବିତୀୟ ଏବଂ ତୃତୀୟ ତଥା ଶେଷ ଟ୍ବେଣ୍ଟି-୨୦ ଖେଳିବ। ତିନି ଟିକିଆ ଟେଷ୍ଟ୍‌ ଶୃଙ୍ଖଳା ବିଶାଖାପାଟଣା (ଅକ୍ଟୋବର ୨-୬), ପୁନେ (ଅକ୍ଟୋବର ୧୦-୧୪) ଓ ରାଞ୍ଚି (ଅକ୍ଟୋବର ୧୯-୨୩)ରେ ଖେଳାଯିବ। ଦକ୍ଷିଣ ଆଫ୍ରିକା ମଧ୍ୟ ଏହି ଶୃଙ୍ଖଳାରୁ ଆଇସିସି ବିଶ୍ବ ଟେଷ୍ଟ୍‌ ଚାମ୍ପିଅନସିପ୍ ଅଭିଯାନ ଆରମ୍ଭ କରିବ।

ସମ୍ବନ୍ଧିତ ଖବର