ଆବୁଧାବି: ଚଳିତ ବିଶ୍ବକପ୍ର ୩୦ତମ ମ୍ୟାଚ୍ରେ ବାଂଲାଦେଶକୁ ମଙ୍ଗଳବାର ଭେଟିବ ଦକ୍ଷିଣ ଅଫ୍ରିକା। ଉଭୟ ଦଳ ସୁପର-୧୨ ଗ୍ରୁପ୍-୧ରେ ୩ ଲେଖାଏଁ ମ୍ୟାଚ୍ ଖେଳିଥିଲା ବେଳେ ବାଂଲାଦେଶ ବିଜୟ ସ୍ବାଦ ଚାଖିନଥିଲା ବେଳେ ଦକ୍ଷିଣ ଆଫ୍ରିକା ୨ଟିରେ ଜିତିଛି। ୩ ପରାଜୟ ବରଣ କରୁଥିବାରୁ ବାଂଲାଦେଶ ଆପତତଃ ସେମିଫାଇନାଲ୍ ଦୌଡ଼ରୁ ବାଦ ପଡ଼ିଛି। ଏଣୁ ଏହି ଦଳ କେବଳ ସମ୍ମାନ ରଖିବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ। ଅନ୍ୟପକ୍ଷରେ ଲଗାତାର ୨ ବିଜୟ ପାଇଥିବା ଦକ୍ଷିଣ ଆଫ୍ରିକା ଲାଗି ସେମିଫାଇନାଲ୍ ଆଶା ଉଜ୍ଜୀବିତ ରଖିବା ପାଇଁ ଏହି ମ୍ୟାଚ୍ ଗୁରୁତ୍ବପୂର୍ଣ୍ଣ। ସଂପ୍ରତି ଅଷ୍ଟ୍ରେଲିଆ ସହ ସମାନ ୪ ପଏଣ୍ଟ ପାଇଥିଲେ ମଧ୍ୟ ଦକ୍ଷିଣ ଆଫ୍ରିକା ରନ୍ ରେଟ୍ରେ ଆଗରେ ରହିଛି। ଇଂଲଣ୍ଡ (୬ ପଏଣ୍ଟ୍) ପଛକୁ ଦ୍ବିତୀୟ ରହିଛି।
ଦକ୍ଷିଣ ଆଫ୍ରିକା ନିକଟରେ କାଗିସୋ ରବାଦା, ଅନରିକ ନର୍ଖିୟା, ତାବ୍ରାଇଜ ସାମସି ଓ କେଶବ ମହାରାଜଙ୍କ ଭଳି ବିଶ୍ବସ୍ତରୀୟ ବୋଲର ଅଛନ୍ତି। ଏମାନଙ୍କ ସଫଳତା ବଳରେ ଏହି ଦଳ ଶ୍ରୀଲଙ୍କାକୁ ୪ ୱିକେଟ୍ରେ ପରାସ୍ତ କରିବାକୁ ସକ୍ଷମ ହୋଇଥିଲା। ଯଦି ଦକ୍ଷିଣ ଆଫ୍ରିକା ବୋଲରଙ୍କ ଯୋଜନା ଠିକ୍ ରହେ ଯେକୌଣସି ବ୍ୟାଟିଂ ଲାଇନ୍କୁ ଧ୍ବଂସ କରିପାରିବେ। ଟି-୨୦ର ଶୀର୍ଷ ମାନ୍ୟତା ବୋଲର ସାମସିଙ୍କ ସହ ନର୍ଖିୟା ଓ ଡ୍ବାନେ ପ୍ରିଟୋରିୟସଙ୍କଠୁ ଭଲ ଆଶା ରଖିବ ଦଳ। ଏଥିସହ ବ୍ୟାଟିଂରେ ଅଧିନାୟକ ତେମ୍ବା ବାଭୁମା ଏବଂ ଇନ୍ଫର୍ମ ଏଦିନ ମର୍କରାମଙ୍କଠୁ ବଡ଼ ଭାଗୀଦାରି ଆବଶ୍ୟକ। ସେହିପରି ଗତ ମ୍ୟାଚ୍ରେ ଲଗାତାର ୨ଟି ଛକା ମାରି ବିଜୟ ଭେଟି ଦେଇଥିବା ଡେଭିଡ ମିଲର ଫର୍ମକୁ ଫେରିବାର ସଙ୍କେତ ଦେଇଛନ୍ତି। ବାଭୁମା, କ୍ବିଣ୍ଟନ ଡି’କକ୍, ମର୍କରାମ, ରାଶି ଭାନ୍ ଡର ଦସନ ଓ ରିଜା ହେଣ୍ଡ୍ରିକ୍ସଙ୍କୁ ନେଇ ଦଳର ବ୍ୟାଟିଂ ଲାଇନ୍ ଦୃଢ଼ ରହିଛି। ଏହି ସବୁକୁ ନେଇ ଦକ୍ଷିଣ ଆଫ୍ରିକା ଆଗରେ ରହିଛି।
ଅନ୍ୟପକ୍ଷରେ ହ୍ୟାଟ୍ରିକ୍ ପରାଜୟ ବରଣ କରିଥିବା ବାଂଲାଦେଶକୁ ତୁରନ୍ତ ଏକାଠି ହେବାକୁ ପଡ଼ିବ। ଏହି ଦଳ କିନ୍ତୁ ଆହତ ଯୋଗୁଁ ବାଦ୍ ପଡ଼ିଥିବା ତାରକା ଅଲ୍ରାଉଣ୍ଡର ସକିବ ଅଲ୍ ହାସନଙ୍କ ବିନା ପ୍ରତିଯୋଗିତାର ଅବଶିଷ୍ଟ ମ୍ୟାଚ୍ ଖେଳିବ। ଏହା ଦଳ ଲାଗି ବଡ଼ ଝଟ୍କା। ଏଥିସହ ୱେଷ୍ଟ୍ଇଣ୍ଡିଜ୍ ବିପକ୍ଷ ପରାଜୟ ମହମୁଦୁଲ୍ଲାଙ୍କ ନେତୃତ୍ବାଧୀନ ଦଳକୁ ବଡ଼ କଷ୍ଟ ଦେଇଛି। ଚଳିତ ବିଶ୍ବକପ୍ରେ ଦଳର ଅସ୍ଥିର ପ୍ରଦର୍ଶନ ରହିଥିଲା ବେଳେ ବ୍ୟାଟର୍ମାନେ ମଧ୍ୟ ବିଫଳ ହୋଇଛନ୍ତି। ସେହିପରି ବୋଲରମାନେ ଶୃଙ୍ଖଳିତ ନଥିବା ବେଳେ କ୍ଷେତ୍ରରକ୍ଷଣ ବି ନିମ୍ନମାନର ରହିଛି। ଯଦି ମଙ୍ଗଳବାର ଏହି ତିନିଟିରେ ସୁଧାର ଆଣେ ଦଳ ଲାଗି ବିଜୟ ପାଇବା କଷ୍ଟକର ହେବନି।
ଦକ୍ଷିଣ ଆଫ୍ରିକ ଦଳ: ତେମ୍ବା ବାଭୁମା (ଅଧିନାୟକ), କେଶବ ମହାରାଜ, କ୍ବିଣ୍ଟନ ଡି’କକ୍, ଜର୍ନ ଫର୍ତୁଇନ, ରିଜା ହେଣ୍ଡ୍ରିକ୍ସ, ହେନ୍ରିକ କ୍ଲାସେନ, ଏଦିନ ମର୍କରାମ, ଡେଭଡ ମିଲର, ଡବ୍ଲୁ ମୁଲଡର, ଲୁଙ୍ଗି ଏନ୍ଗିଡି, ଅନରିକ୍ ନର୍ଖିୟା, ଡ୍ବାନେ ପ୍ରିଟୋରିୟସ, କାଗିସୋ ରବାଦା, ତାବ୍ରାଇଜ ସାମସି, ରାଶି ଭାନ ଡର ଦସେନ।
ବାଂଲାଦେଶ ଦଳ: ମହମୁଦୁଲ୍ଲା (ଅଧିନାୟକ), ଲିଟନ ଦାସ, ମହମ୍ମଦ ନଇମ, ମହେଦି ହାସନ, ସକିବ ଅଲ୍ ହାସନ, ସୌମ୍ୟ ସରକାର, ମୁସଫିକର ରହିମ, ନୁରୁଲ ହାସନ, ଅଫିଫ ହୁସେନ, ନସୁମ ଅହମଦ, ତସ୍କିନ ଅହମଦ, ସମିମ ହୁସେନ, ମୁସ୍ତାଫିଜୁର ରହମାନ, ମହମ୍ମଦ ସାଇଫୁଦ୍ଦିନ, ସୋରିଫୁଲ ଇସ୍ଲାମ।