ଶ୍ରୀଲଙ୍କାକୁ ଭେଟିବ ଦକ୍ଷିଣ ଆଫ୍ରିକା; ଡି’କକ୍‌ଙ୍କ ଉପରେ ନଜର

ସାରଜା : ଚଳିତ ଟି-୨୦ ବିଶ୍ବକପ୍‌ ସୁପର-୧୨ର ଶନିବାର ପ୍ରଥମ ମ୍ୟାଚ୍‌ରେ ଅସ୍ଥିର ଶ୍ରୀଲଙ୍କାକୁ ଭେଟିବ ଦକ୍ଷିଣ ଆଫ୍ରିକା। ବ୍ଲାକ୍ ଲାଇଫ୍ ମ୍ୟାଟର୍‌ (ବିଏଲ୍‌ଏମ୍) ଅଭିଯାନ ସମର୍ଥନରେ ଆଣ୍ଠୁ ମାଡ଼ି ବସିବାକୁ ମନା କରି ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ମ୍ୟାଚ୍‌ରୁ ଓହରି ଯାଇଥିବା ଦକ୍ଷିଣ ଆଫ୍ରିକାର ତାରକା ୱିକେଟ୍‌ରକ୍ଷକ ବ୍ୟାଟର୍ କ୍ବିଣ୍ଟନ୍ ଡି’କକ୍ କ୍ଷମା ମାଗିବା ସହ ଏପରି କରିବାକୁ ରାଜି ହୋଇଛନ୍ତି। ତେଣୁ ସେ ଏହି ମ୍ୟାଚ୍‌ରେ ଫେରିବା ନିଶ୍ଚିତ ହୋଇଛି। ଫଳରେ ସମସ୍ତଙ୍କ ନଜର ତା’ଙ୍କ ଉପରେ ରହିବ। ସେ ଦଳରେ ନଥିବା ସତ୍ତ୍ବେ ତେମ୍ବା ବାଭୁମାଙ୍କ ଦଳ ୮ ୱିକେଟ୍‌ରେ ୱେଷ୍ଟଇଣ୍ଡିଜ୍‌କୁ ପରାସ୍ତ କରିଥିଲା। ଡି’କକ୍‌ଙ୍କ ଅନୁପସ୍ଥିତି ଦଳ ଉପରେ ସେଭଳି ପ୍ରଭାବ ପକାଇନଥିଲା। ହେଲେ ଅଧିନାୟକ ବାଭୁମା ଗତ ଦୁଇ ମ୍ୟାଚ୍‌ରେ ‌୧୨ ଓ ୨ ରନ୍‌ କରି ବିଫଳ ହୋଇଥିଲା ବେଳେ ଡି’କକ୍‌ ଫେରିବା ଭଲ ସଙ୍କେତ। ରିଜା ହେଣ୍ଡ୍ରିକ୍ସ, ରାଶି ଭାନ୍‌ ଡର ଦୁସେନ, ଏ‌ଦିନ ମାର୍କରାମ ଓ ଡେଭିଡ ମିଲରଙ୍କ ଭଳି ବିସ୍ଫୋରକ ବ୍ୟାଟର୍‌ଙ୍କୁ ନେଇ ଦଳ ଦୃଢ଼ ରହିଛି। ଶ୍ରୀଲଙ୍କା ବିପକ୍ଷରେ ଏମାନଙ୍କ ନିକଟରୁ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିପାରେ। ହେଲେ ଏହି ବ୍ୟାଟର୍‌ମାନଙ୍କୁ ଶ୍ରୀଲଙ୍କାର ଚତୁର ସ୍ପିନ୍‌ ଯୋଡ଼ି ୱାନିନ୍ଦୁ ହସରଙ୍ଗା ଓ ମହେଶ ଥିକସନାଙ୍କ ପ୍ରତି ସତର୍କ ରହିବାକୁ ପଡ଼ିବ। ଏହି ସ୍ପିନ୍‌ ଯୋଡ଼ି ପ୍ରତିପକ୍ଷ ବ୍ୟାଟର୍‌ଙ୍କୁ ପୂର୍ବରୁ ଅଡ଼ୁଆରେ ପକାଇଛନ୍ତି। ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ବୋଲର ସଫଳ ହୋଇଥିଲେ। ଡାହାଣହାତୀ ମଧ୍ୟମଗତି ବୋଲର ଡ୍ବାନେ ‌ପ୍ରିଟୋରିଅସ୍‌ ୩ ୱିକେଟ୍‌ ନେଇଥିଲା ବେଳେ ଡେଥ୍‌ ଓଭରରେ କାଗିସୋ ରବାଦା ଓ ଅନ୍‌ରିକ୍‌ ନର୍ଖିଆଙ୍କ ପ୍ରଦର୍ଶନ ଭଲ ରହିଥିଲା। ଶନିବାରର ଏହି ଅପରାହ୍ଣ ମ୍ୟାଚ୍‌ରେ ଏମାନଙ୍କ ଉପରେ ବଡ଼ ଦାୟିତ୍ବ ରହିବ। ସ୍ପିନର କେଶବ ମହାରାଜ ଓ ତାବ୍ରିଜ ସାମସିଙ୍କୁ ମଧ୍ୟ ଶ୍ରୀଲଙ୍କା ବ୍ୟାଟର୍‌ଙ୍କ ବିପକ୍ଷରେ ଭଲ କରିବାକୁ ପଡ଼ିବ।

ଅନ୍ୟପକ୍ଷରେ ଅଷ୍ଟ୍ରେଲିଆଠୁ ଗତ ମ୍ୟାଚ୍‌ରେ ୭ ୱିକେଟ୍‌ରେ ହାରିଥିବା ଶ୍ରୀଲଙ୍କାକୁ ଏହା ଭୁଲି ନୂଆ ଆରମ୍ଭ କରିବାକୁ ପଡ଼ିବ। ଚରିଥ ଆସଲଙ୍କା ଫର୍ମକୁ ଫେରିବା ଶ୍ରୀଲଙ୍କା ପାଇଁ ସକାରାତ୍ମକ ଖବର। ଅଷ୍ଟ୍ରେଲିଆ ବିପକ୍ଷରେ ଭଲ ଆରମ୍ଭ କରିଥିବା ୱିକେଟ୍‌ରକ୍ଷକ କୁସାଲ ପେରେରାଙ୍କଠାରୁ ଏହି ମ୍ୟାଚ୍‌ରେ ଏଭଳି ପ୍ରଦର୍ଶନ ଆଶା ରଖିଛି ଦଳ। ତେବେ ପ୍ରାରମ୍ଭିକ ବ୍ୟାଟର୍‌ ପଥୁମ ନିସାଙ୍କ ଓ ଅଭିସ୍କା ଫର୍ଣ୍ଣାଣ୍ଡୋଙ୍କ ବିଫଳତା ଦଳ ପାଇଁ ବଡ଼ ଚିନ୍ତା। ଭାନୁକା ରାଜପାକ୍ସ ଓ ହସରଙ୍ଗା ଯୋଗୁଁ ଅଷ୍ଟ୍ରେଲିଆ ସମ୍ମୁଖରେ ବଡ଼ ସ୍କୋର୍‌ର ଲକ୍ଷ୍ୟ ରଖିଥିଲା ଶ୍ରୀଲଙ୍କା। ଅଷ୍ଟ୍ରେଲିଆ ବିପକ୍ଷରେ ଚମକ ଦେଖାଇ ପାରିନଥିବା ‌ପେସ୍‌ ତ୍ରିମୂର୍ତ୍ତି ଚାମିକା କରୁଣାରତ୍ନେ, ଦୁଷ୍ମନ୍ତ ଚାମିରା ଓ ଲାହିରୁ କୁମାରା ସଠିକ୍‌ ଦିଶାରେ ବଲ୍‌ ପକାଇଲେ ଦକ୍ଷିଣ ଆଫ୍ରିକା ବ୍ୟାଟର୍‌ ଅଡ଼ୁଆରେ ପଡ଼ିପାରନ୍ତି। ଯଦି ଶନିବାର କାକରର କିଛି ପ୍ରଭାବ ନପଡ଼େ ତେବେ ସେମିଫାଇନାଲ୍‌ ସ୍ଥାନ ପାଇଁ ଉଭୟ ଦଳ ମଧ୍ୟରେ ବଡ଼ ସଘର୍ଷ ଦେଖିବାକୁ ମିଳିବ।

ସମ୍ବନ୍ଧିତ ଖବର