ଦକ୍ଷିଣ ଆଫ୍ରିକା ୧୧୮ ରନ୍‌ରେ ପରାସ୍ତ:ବିବାଦ ଘେରିଲା, ଲିଅନ୍‌ ଦଣ୍ଡିତ

ଡର୍ବାନ୍‌: କିଙ୍ଗ୍‌ସମିଡ୍‌ରେ ଚାଲିିଥିବା ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ୍‍ରେ ଘରୋଇ ଦକ୍ଷିଣ ଆଫ୍ରିକା ୧୧୮ ରନ୍‌ର ବଡ଼ ବ୍ୟବଧାନରେ ପରାସ୍ତ ହୋଇଛି। ଚତୁର୍ଥ ଦିନରୁ ଏହି ଫଳାଫଳ ପ୍ରାୟ ନିଶ୍ଚିତ ଥିବାବେଳେ ସୋମବାର ୩.୪ ଓଭର ଖେଳର ଔପଚାରିକତା ଭିତରେ ଏହା ଶେଷ ହୋଇଥିଲା। ଲଢ଼ୁଆ ପାଳି ଖେଳିଥିବା କ୍ୱିଣ୍ଟନ୍‌୍‌ ଡି’କକ୍‌ (୮୩, ୧୪୯ ବଲ୍‌, ୧୧ ଚୌକା)ଙ୍କୁ ଜୋସ୍‌ ହାଜେଲଉଡ୍‌ ଲେଗ୍‌ବିଫୋର୍‌ କରାଇ ନେବାରୁ ଦକ୍ଷିଣ ଆଫ୍ରିକା ପାଳିର ସମାପ୍ତି ଘଟିଥିଲା। ମ୍ୟାଚ୍‌ରେ ମୋଟ ୯ ଓ୍ଵିକେଟ୍‌ ନେଇଥିବା ଦ୍ରୁତ ବୋଲର ମିଚେଲ ଷ୍ଟାର୍କ (୫/୩୪ ଏବଂ ୪/୭୫) ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଏହି ବିଜୟ ସହିତ ଅଷ୍ଟ୍ରେଲିଆ ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‍ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଛି। ଶୃଙ୍ଖଳାର ଦ୍ୱିତୀୟ ଟେଷ୍ଟ୍‍ ଶୁକ୍ରବାର (ମାର୍ଚ ୯)ଠାରୁ ପୋର୍ଟ ଏଲିଜାବେଥ୍‌ରେ ଖେଳାଯିବ।
ସଂକ୍ଷିପ୍ତ ସ୍କୋର: ଅଷ୍ଟ୍ରେଲିଆ ପ୍ରଥମ ପାଳି: ୩୫୧। ଦକ୍ଷିଣ ଆଫ୍ରିକା ପ୍ରଥମ ପାଳି: ୧୬୨। ଅଷ୍ଟ୍ରେଲିଆ ଦ୍ୱିତୀୟ ପାଳି: ୨୨୭। (କାମେରନ୍‌ ବନ୍‌କ୍ରଫ୍ଟ-୫୩, କେଶବ ମହାରାଜ-୪/୧୦୨, ମର୍ନି ମର୍କେଲ୍‌-୩/୪୭, କାଗିସୋ ରାବାଦା-୨/୨୮, ଡିନ୍‌ ଏଲଗାର-୧/୧୦)। ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ପାଳି: ୯୨.୪ ଓଭରରେ ୨୯୮ (ମର୍କରାମ-୧୪୩, କ୍ୱିଣ୍ଟନ ଡି’କକ୍‌-୮୩, ମିଚେ ଲ ଷ୍ଟାର୍କ-୪/୭୫, ହାଜେଲ୍‌ଉଡ୍‌-୩/୬୧, ମିଚେଲ୍‌ ମାର୍ସ-୧/୨୧, ପ୍ୟାଟ୍‌ କମିନ୍‌ସ-୧/୪୭)।
କିଙ୍ଗ୍‌ସମିଡ୍‌ରେ ସୋମବାର ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ଟେଷ୍ଟ୍‍ ଶେଷ ହୋଇଥିଲେ ମଧ୍ୟ ଏହା ଦୁଇଟି ବିବାଦକୁ ନେଇ ଚର୍ଚିତ ହୋଇଛି। ପ୍ରଥମ ବିବାଦଟିରେ ଦକ୍ଷିଣ ଆଫ୍ରିକା ବ୍ୟାଟ୍‌ସମ୍ୟାନ୍‌ ଏବି ଡି’ଭିଲିୟର୍ସଙ୍କ ରନ୍‌ ଆଉଟ୍‌ ପରେ ତାଙ୍କ ଶରୀରକୁ ବଲ୍‌ ଫିଙ୍ଗିଥିବାରୁ ଅଷ୍ଟ୍ରେଲିଆ ଅଫ୍‌ ସ୍ପିନର୍‌ ନାଥନ୍‌ ଲିଅନ୍‌ଙ୍କୁ ଆଇସିସି ଦଣ୍ଡିତ କରିଛି। ସେ ମ୍ୟାଚ୍‌ ପାଉଣାର ୧୫ ପ୍ରତିଶତ ହରାଇବେ। ଡର୍ବାନ୍‌ ଟେଷ୍ଟ୍‍ର ଚତୁର୍ଥ ଦିନରେ ଏହି ଘଟଣା ଘଟିଥିଲା। ଦକ୍ଷିଣ ଆଫ୍ରିକା ପାଳିର ଦ୍ୱାଦଶ ଓଭରରୋ ନାଥନ୍‌ ଲିଅନ୍‌ ବୋଲିଂ କରୁଥିବାବେଳେ ଏବି ଡି’ଭିଲିୟର୍ସ ନନ୍‌ ଷ୍ଟ୍ରାଇକର ପାର୍ଶ୍ୱରେ ପହଞ୍ଚିବାରେ ବିଫଳ ହେବାରୁ ରନ୍‌ ଆଉଟ୍‌ ହୋଇଥିଲେ। ଓ୍ଵାର୍ନର ଏବଂ ଲିଅନ୍‌ ମିଳିତ ଭାବେ ଏହି ରନ୍‌ ଆଉଟ୍‌ କରିଥିଲେ। ଲିଅନ୍‌ କିନ୍ତୁ ଷ୍ଟମ୍ପ୍‌ସରୁ ବେଲ୍‌ ଖସାଇବା ପରେ ବଲ୍‌କୁ ଫିଙ୍ଗି ଦେବାରୁ ଏହା ଡାଇଭ୍‌ ମାରିଥିବା ଡି’ଭିଲିୟର୍ସଙ୍କ ଛାତି ତଳେ ରହିଯାଇଥିଲା। ଏହା ପରେ ମ୍ୟାଚ୍‌ ରେଫରି ଜେଫ୍‌ କ୍ରୋ ଘଟଣାର ଅନୁଧ୍ୟାନ କରି ଲିଅନ୍‌ଙ୍କ ନାମରେ ଆଇସିସି ଆଚରଣ ସଂହିତାର ଲେବୁଲ୍‌-୧ ଧାରା ଲାଗୁ କରିଥିଲେ। କ୍ରିକେଟ୍‌ ଅଷ୍ଟ୍ରେଲିଆର ମୁଖପାତ୍ରଙ୍କ ସୂଚନା ଅନୁସାରେ ଲିଅନ୍‌ ଏଥି ପାଇଁ ଡି’ଭିଲିୟର୍ସଙ୍କୁ କ୍ଷମା ମାଗି ନେବା ସହିତ ଉଦ୍ଦେଶ୍ୟମୂଳକ ଭାବେ ଏଭଳି କରିନଥିବା ଜଣାଇଥିଲେ। ଦକ୍ଷିଣ ଆଫ୍ରିକା ଅଧିନାୟକ ଫାପ୍‌ ଡୁ ପ୍ଲେସିସ୍‌ ଏହି ଘଟଣାକୁ ଗୌଣ ବିବେଚନା କରିଛନ୍ତି ଏବଂ ଏହା ସାଧାରଣ କଥା ବୋଲି କହି ଏଡ଼ାଇଯାଇଛନ୍ତି।
ସୂଚନାଯୋଗ୍ୟ, ଏହି ଟେଷ୍ଟ୍‍ରେ ପୂର୍ବରୁ ଡେଭିଡ୍‌ ଓ୍ଵାର୍ନର ଏବଂ କ୍ୱିଣ୍ଟନ୍‌ ଡି’କକ୍‌ଙ୍କ ବିବାଦ ମଧ୍ୟ ନଜରକୁ ଆସିଥିଲା। ସିସିଟିଭି ଫୁଟେଜ୍‌ରେ ଅଷ୍ଟ୍ରେଲିଆ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍‌ ଡେଭିଡ୍‌ ଓ୍ଵାର୍ନର ଦକ୍ଷିଣ ଆଫ୍ରିକା ଓ୍ଵିକେଟରକ୍ଷକ କ୍ୱିଣ୍ଟନ୍‌ ଡି’କକ୍‌ଙ୍କ ସହ ଉତ୍ତେଜକ ବାକ୍ୟବିନିମୟ କରୁଥିଲେ। ଚା’ପାନ ବିରତି ସମୟରେ ଖେଳାଳିମାନେ ଡ୍ରେସିଂ ରୁମ୍‌କୁ ଯାଉଥିବାବେଳେ ଏହି ଘଟଣା ଘଟିଥିଲା। ଓ୍ଵାର୍ନରଙ୍କ ପତ୍ନୀ କାଣ୍ଡିସ୍‌ଙ୍କ ଉଦ୍ଦେଶ୍ୟରେ କ୍ୱିଣ୍ଟନ୍‌ କିଛି କହିଥିବାରୁ ସେ ଉତ୍ତେଜିତ ହୋଇଥିବା କୁହାଯାଇଛି। ଉଭୟ ଖେଳାଳିଙ୍କୁ ମ୍ୟାଚ୍‌ ରେଫରି ଚେତାବନି ସହ ଛାଡ଼ି ଦେଇଛନ୍ତି।

ସମ୍ବନ୍ଧିତ ଖବର