ଶୃଙ୍ଖଳା ଜିତିଲା ଦକ୍ଷିଣ ଆଫ୍ରିକା

ପାକିସ୍ତାନ ୭ ୱିକେଟ୍‌ରେ ପରାସ୍ତ

କେପ୍‌ଟାଉନ୍‌ : ପାକିସ୍ତାନ ବିପକ୍ଷ ଦିନିକିଆ ଶୃଙ୍ଖଳାକୁ ଦକ୍ଷିଣ ଆଫ୍ରିକା ୩-୨ରେ ଜିତି ନେଇଛି। ପ୍ରଥମ ମ୍ୟଚ୍‌ରେ ଦକ୍ଷିଣ ଆଫ୍ରିକା ହାରିଥିଲା ବେଳେ ଦ୍ବିତୀୟ ଓ ତୃତୀୟ ଜିତିଥିଲା। ହେଲେ ଚତୁର୍ଥ ମ୍ୟାଚ୍‌କୁ ଜିତି ପାକିସ୍ତାନ ଶୃଙ୍ଖଳାକୁ ୨-୨ କରି ଦେଇଥିଲା। ‌୫ ଟିକିଆ ଶୃଙ୍ଖଳାର ବୁଧବାର ଅନୁଷ୍ଠିତ ପଞ୍ଚମ ତଥା ନିର୍ଣ୍ଣାୟକ ‌ଶେଷ ଦିନିକିଆକୁ ଦକ୍ଷିଣ ଆଫ୍ରିକା ୭ ୱିକେଟ୍‌ ଜିତି ନେଇଛି। ଟସ୍‌ ହାରି ପାକିସ୍ତାନ ଫକର ଜାମନ (୭୦)ଙ୍କ ଅର୍ଧଶତକ ଏବଂ ଇମାଦ ୱାସିମ୍‌ଙ୍କ ଅପରାଜିତ ୪୭ ରନ୍‌ ବଳରେ ନିର୍ଧାରିତ ୫୦ ଓଭରରେ ୮ ୱିକେଟ୍‌ ହରାଇ ୨୪୦ ରନ୍‌ କରିଥିଲା। ଦକ୍ଷିଣ ଆଫ୍ରିକା ପକ୍ଷରୁ ଆନ୍ଦିଲ ଫେଲୁକ୍ବାଓ ଏବଂ ଡ୍ବାନେ ପ୍ରି‌ଟୋରିଅସ୍‌ ୨ ଲେଖାଏଁ ୱିକେଟ୍‌ ପାଇଥିଲେ। ଜବାବରେ ଦକ୍ଷିଣ ଆଫ୍ରିକା ୪୦ ଓଭରରେ ୩ ୱିକେଟ୍‌ ହରାଇ ମ୍ୟାଚ୍‌ ଜିତି ନେଇଥିଲା। କ୍ବିଣ୍ଟନ୍‌ ଡି’କକ୍‌ (୮୩, ୫୮ ବଲ୍‌, ୧୧ ଚୌକା, ୩ ଛକା) ଧୁଆଁଧାର ଅର୍ଧଶତକ ହାସଲ କରିଥିଲା ବେଳେ ହାସିମ ଆମ୍‌ଲା ୧୪ ଏବଂ ରିଜା ହେଣ୍ଡ୍ରିକ୍ସ ୩୪ ରନ୍‌ରେ ଆଉଟ୍‌ ହୋଇଥିଲେ। ଅଧିନାୟକ ଫାଫ୍‌ ଡୁ’ପ୍ଲେସିସ୍‌ (୫୦*) ଏବଂ ରସି ଭାନ୍‌ ଡର୍‌ ଦସେନ୍‌ (୫୦*) ଅପରାଜିତ ରହି ନିଜ ନିଜର ଅର୍ଧଶତକ ପୂରଣ କରିବା ସହ ଦଳକୁ ବିଜୟ ଭେଟି ଦେଇଥିଲେ।

ସଂକ୍ଷିପ୍ତ ‌ସ୍କୋର: ପାକିସ୍ତାନ ୨୪୦/୮ (ଫକର ଜମନ ୭୦, ଇମାଦ ୱାସିମ୍‌ ୪୧*, ସୋଏବ ମଲ୍ଲିକ ୩୧, ଆନ୍ଦିଲ ଫେଲୁକ୍ବାଓ ୨/୪୨, ଡ୍ବାନେ ପ୍ରି‌ଟୋରିଅସ୍‌ ୨/୪୬)। ଦକ୍ଷିଣ ଆଫ୍ରିକା ୪୦ ଓଭରରେ ୨୪୧/୩ (କ୍ବିଣ୍ଟନ୍‌ ଡି’କକ୍‌ ୮୩, ଫାଫ୍ ଡୁ’ ପ୍ଲେସିସ୍ ୫୦*, ରସି ଭାନ୍‌ ଡର୍‌ ଦସେନ୍‌ ୫୦*, ଉସମାନ ସିନୱାରୀ ୧/୪୩, ସା‌ହିନ ଆଫ୍ରିଦି ୧/୩୪, ମହମ୍ମଦ ଆମିର ୧/୪୦)।

ସମ୍ବନ୍ଧିତ ଖବର