ଇନ୍ଦୋର: ନନ୍କୁଲୁଲେକୋ ମଲାବାଙ୍କ ୪ ୱିକେଟ୍ ଏବଂ ଓପନର୍ ତାଜମିନ ବ୍ରିଟ୍ସଙ୍କ ଦ୍ରୁତ ଶତକ ବଳରେ ଚଳିତ ମହିଳା ବିଶ୍ବକପ୍ର ସୋମବାର ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ୬ ୱିକେଟ୍ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ନ୍ୟୁଜିଲାଣ୍ଡ ୨୩୨ ରନ୍ର ବିଜୟ ଲକ୍ଷ୍ୟ ଦେବା ପରେ ଦକ୍ଷିଣ ଆଫ୍ରିକା ୪୦.୫ ଓଭରରେ ଏହାକୁ ମାତ୍ର ୪ ୱିକେଟ୍ ହରାଇ ହାସଲ କରି ନେଇଥିଲା। ବ୍ରିଟ୍ସଙ୍କୁ ତାଙ୍କ ମ୍ୟାଚ୍ ବିଜୟୀ ପାଳି ପାଇଁ ଶ୍ରେଷ୍ଠ ଖେଳାଳି ବିବେଚିତ କରାଯାଇଥିଲା। ଦକ୍ଷିଣ ଆଫ୍ରିକା ମାତ୍ର ୨୬ ରନ୍ରେ ଅଧିନାୟିକା ଲୌରା ଓଲଭରଡାର୍ଟଙ୍କୁ ହରାଇଥିଲା। ତେବେ ଅନ୍ୟତମ ଓପନର୍ ତାଜମିନ ବ୍ରିଟ୍ସଙ୍କ ଶତକ ବଳରେ ଶେଷରେ ସହଜ ବିଜୟ ହାସଲ କରିଥିଲା। ସୁନେ ଲୁସ୍ ମଧ୍ୟ ୮୧ ରନ୍ର ମହତ୍ତ୍ବପୂର୍ଣ୍ଣ ଯୋଗଦାନ ରଖିଥିଲେ।
ବିଶ୍ବକପ୍ର ଏହି ସପ୍ତମ ମୁକାବିଲାରେ ନ୍ୟୁଜିଲାଣ୍ଡ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ପ୍ରଥମ ବଲ୍ରେ କିନ୍ତୁ ଓପନର୍ ତଥା ତାରକା ଖେଳାଳି ସୁଜି ବେଟ୍ସଙ୍କୁ ହରାଇ ଏକପ୍ରକାର ଆତ୍ମବିଶ୍ବାସ ହରାଇ ବସିଥିଲା। ଜର୍ଜିଆ ପ୍ଲିମର ଓ ଆମେଲିଆ କେର୍ ଦ୍ବିତୀୟ ୱିକେଟ୍ ଯୋଡ଼ିରେ ପ୍ରତିଶ୍ରୁତିଭରା ଭାଗୀଦାରି କରିବାର ସଙ୍କେତ ଦେଇଥିଲେ ମଧ୍ୟ ପ୍ଲିମର କେବଳ ୪୩ ରନ୍ ପରେ କେର୍ଙ୍କ ହାତଛାଡ଼ି ଦେଇଥିଲେ। କେର୍ ମଧ୍ୟ ବ୍ୟକ୍ତିଗତ ଭାବେ ମାତ୍ର ୨୩ ରନ୍ କରି ଆଉଟ୍ ହୋଇଯାଇଥିଲେ। ଘଡ଼ିସନ୍ଧି ମୁହୂର୍ତ୍ତରେ ଅଧିନାୟିକା ସୋଫି ଡିଭାଇନ୍ (୮୫) ଓ ବ୍ରୁକ୍ ହଲିଡେ (୪୫) ଦଳକୁ ବିପଦରୁ ରକ୍ଷା କରିଥିଲେ। ଉଭୟ ଚତୁର୍ଥ ୱିକେଟ୍ରେ ୮୬ ରନ୍ ଯୋଡ଼ି ନ୍ୟୁଜିଲାଣ୍ଡ ପାଳିକୁ ସଜାଡ଼ିବା ଆରମ୍ଭ କରିଥିଲେ। ତେବେ ହଲିଡେଙ୍କୁ ଅର୍ଦ୍ଧଶତକର ୫ ରନ୍ ପୂର୍ବରୁ ଆଉଟ୍ କରି ଦକ୍ଷିଣ ଆଫ୍ରିକାର ସଫଳତମ ବୋଲର୍ ନନକୁଲୁଲେକୋ ମଲାବା ଠିକଣା ସମୟରେ ନିଜ ଦଳକୁ ଆଶ୍ବସ୍ତ କରିଥିଲେ। ଡିଭାଇନ୍ ଗୋଟିଏ ପଟେ ସ୍ଥିର ରହିଥିଲା ବେଳେ ଅନ୍ୟପଟୁ କିନ୍ତୁ ନ୍ୟୁଜିଲାଣ୍ଡର ୱିକେଟ୍ ପତନ ଧାରା ଜାରି ରହିଥିଲା। ଡିଭାଇନ୍ ଶେଷରେ ଶତକର ୧୫ ରନ୍ ପୂର୍ବରୁ ମଲାବାଙ୍କ ଦ୍ବାରା କ୍ଲିନ୍ ବୋଲ୍ଡ ହୋଇଯାଇଥିଲେ। ଫଳରେ ନ୍ୟୁଜିଲାଣ୍ଡ ପାଳି ୧୩ ବଲ୍ ପୂର୍ବରୁ ମାତ୍ର ୨୩୧ ରନ୍ରେ ଶେଷ ହୋଇଯାଇଥିଲା। ମଲାବା ଘାତକ ବୋଲିଂ କରି ୪୦ ରନ୍ ବିନିମୟରେ ୪ଟି ୱିକେଟ୍ କରାୟତ୍ତ କରିବା ସହ ନ୍ୟୁଜିଲାଣ୍ଡ ବିପର୍ଯ୍ୟୟର ପ୍ରମୁଖ କାରଣ ପାଲଟି ଥିଲେ।
ସଂକ୍ଷିପ୍ତ ସ୍କୋର୍: ନ୍ୟୁଜିଲାଣ୍ଡ ୪୭.୫ ଓଭରରେ ୨୩୧ (ସୋଫି ଡିଭାଇନ୍ ୮୫, ବ୍ରୁକ୍ ହଲିଡେ ୪୫, ଜର୍ଜିୟା ପ୍ଲିମର ୩୧, ନନକୁଲୁଲେକୋ ମଲାବା ୪/୪୦)। ଦକ୍ଷିଣ ଆଫ୍ରିକା ୪୦.୫ ଓଭରରେ ୨୩୪/୪ (ତାଜମିନ ବ୍ରିଟ୍ସ ୧୦୧, ସୁନେ ଲୁସ୍ ୮୩*, ଆମେଲିଆ କେର୍ ୨/୬୨)।