ମୁମ୍ବାଇ: ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ଦ୍ବାରା ପରିଚାଳିତ ଚଳିତ ଦିନିକିଆ ବିଶ୍ବକପ୍‌ର ୨୩ତମ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଉଭୟ ବ୍ୟାଟିଂ ଓ ବୋଲିଂରେ ଦମଦାର ପ୍ରଦର୍ଶନ କରିଛି। ୩୮୩ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ବାଂଲାଦେଶକୁ ୨୩୩ ରନ୍‌ରେ ଅଲ୍‌ଆଉଟ ହୋଇଛି। ବାଂଲାଦେଶ ଟିମ୍‌ ୪୬.୪ ଓଭର ପର୍ଯ୍ୟନ୍ତ ମ୍ୟାଚ୍‌ ଖେଳିପାରିଛି। ଫଳରେ ଦକ୍ଷିଣ ଆଫ୍ରିକା ଠାରୁ ୧୪୯ ରନ୍‌ରେ ପରାସ୍ତ ହୋଇଛି। ଏଥି ସହିତ ଦକ୍ଷିଣ ଆଫ୍ରିକା ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନକୁ ଉନ୍ନୀତ ହୋଇଛି। ପ୍ରଥମରେ ଭାରତ ଥିବା ବେଳେ ତୃତୀୟ ଓ ଚତୁର୍ଥରେ ଯଥାକ୍ରମେ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ଅଛନ୍ତି।

Advertisment

ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ମଙ୍ଗଳବାର ଆରମ୍ଭରୁ ବାଂଲାଦେଶର ବ୍ୟାଟିଂ ବିପର୍ଯ୍ୟୟ ହୋଇଥିଲା। ମହମ୍ମଦୁଲ୍ଲା ଏକମାତ୍ର ବ୍ୟାଟର ଯିଏକି ଦଳ ପାଇଁ ବ୍ୟକ୍ତିଗତ ଭାବେ ଶତକ ହାସଲ କରିଥିଲେ। ଆଗ ଓ ପଛଧାଡ଼ିର ବ୍ୟାଟରମାନେ ଜଣଙ୍କ ପରେ ଜଣେ ଆଉଟ୍‌ ହୋଇ ପାଭଲିନ ଫେରି ଯାଉଥିବା ବେଳେ ମହମ୍ମଦୁଲ୍ଲା ସ୍ଥିର ଓ ଉପସ୍ଥିତ ବୁଦ୍ଧି ଲଗାଇ ବ୍ୟାଟିଂ ଜାରି ରଖିଥିଲେ। ସେ ୧୧୧ଟି ବଲ୍‌ ଖେଲି ୧୧ଟି ଚୌକା ଓ ୪ଟି ଛକା ମାରି ସ୍କୋର ୧୧୧ ରନ୍‌ କରିଥିଲେ।

ସ୍କୋର ୪୨ ରନ୍‌ ବେଳକୁ ବାଂଲାଦେଶର ଆଗଧାଡ଼ିର ୪ ଜଣ ଖେଳାଳି ଆଉଟ୍‌ ହୋଇସାରିଥିଲେ। ପ୍ରାରମ୍ଭିକ ବ୍ୟାଟର ତନଜିତ୍‌ ହାସନ ୧୭ଟି ବଲ୍‌ ଖେଳି ଗୋଟିଏ ଚୌକା ବଳରେ ୧୨ ରନ୍‌ ସଂଗ୍ରହ କରିଥିଲେ। ଲିଟନ୍‌ ଦାସ ବ୍ୟକ୍ତିଗତ ଭାବେ ୨୨ ରନ୍‌ ଯୋଡ଼ିଥିଲେ। ସେ ୩ଟି ଚୌକା ସହିତ ଗୋଟିଏ ଛକା ମାରିଥିଲେ। ନଜମୁଲ ହୁସେନ୍‌ ସାଣ୍ଟୋ ଖାତା ଖୋଲିପାରି ନଥିବା ବେଳେ ସାକିବ୍‌ ଅଲ୍‌ ହାସନ୍‌ ୧ ରନ୍‌ ଓ ମୁସ୍‌ଫିକ୍ୟୁର ରହିମ୍‌ ୮ ରନ୍‌ ସଂଗ୍ରହ କରିପାରିଥିଲେ। ମେହେନ୍ଦୀ ହାସନ ୧୧ ରନ୍‌, ନୁସମ ଅହମଦ ୧୯ ରନ୍‌, ହାସନ ମହମ୍ମଦ ୧୫ ରନ୍‌ ସଂଗ୍ରହ କରିଥିଲେ।

ପ୍ରଥମ ପାଳିରେ ଅଭିଜ୍ଞ ବ୍ୟାଟର କ୍ବିଣ୍ଟନ୍‌ ଡି’ କକ୍‌ଙ୍କ ଶତକ ଓ ଐଦେନ ମାରକ୍ରମ‌ଙ୍କ ଅର୍ଦ୍ଧଶତକ ବଳରେ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୫ଟି ୱିକେଟ୍‌ ହରାଇ ୩୮୨ ରନ୍‌ ସଂଗ୍ରହ କରିଥିଲା। ଦଳର ପାଳି ଆରମ୍ଭ କରିଥିଲେ କ୍ବିଣ୍ଟନ୍‌ ଡି’ କକ୍‌ ଓ ରେଜା ହେଣ୍ଡରିକ୍‌। ବାଂଲାଦେଶ ବିପକ୍ଷରେ ଡି’କକ୍‌ ବିସ୍ଫୋରକ ବ୍ୟାଟିଂ କରିଥିଲେ। ସେ ୧୫ଟି ଚୌକା ଓ ୭ଟି ଛକା ମାରିଥିଲେ। ସେ ୧୪୦ଟି ବଲ୍‌ ଖେଳି ସର୍ବାଧିକ ବ୍ୟକ୍ତିଗତ ସ୍କୋର ୧୭୪ ରନ୍‌ କରିଥିଲେ। ସେ ବାଂଲାଦେଶର ଚତୁର୍ଥ ଶିକାର ହୋଇଥିଲେ।

ପୂର୍ବରୁ ଦଳୀୟ ସ୍କୋର ୩୩ ରନ୍‌ ଥିବା ବେଳେ ହେଣ୍ଡରିକ୍‌ (୧୨ରନ୍‌) ଆଉଟ୍‌ ହୋଇଥିଲେ। ରାଶି ଭନ୍‌ ଡେର ଦ‌ସେନ ମଧ୍ୟ ବାଂଲାଦେଶର ବୋଲରଙ୍କୁ ସାମ୍ନା କରିପାରି ନଥିଲେ। ସେ ୭ଟି ବଲ୍‌ ଖେଳି ମାତ୍ର ୧ ରନ୍‌ ସଂଗ୍ରହ କରି ପାଭଲିଅନକୁ ଫେରି ଯାଇଥିଲେ। ଫଳରେ ଦକ୍ଷିଣ ଆଫ୍ରିକା ୩୬ ରନ୍‌ ବେଳକୁ ୨ଟି ମୂଲ୍ୟବାନ ୱିକେଟ୍‌ ହରାଇ ସାରିଥିଲା। କିନ୍ତୁ ତୃତୀୟ ୱିକେଟ୍‌ ପାଇଁ କ୍ବିଣ୍ଟନ୍‌ ଡି’ କକ୍‌ ଓ ଅଧିନାୟକ ଐଦେନ ମାରକ୍ରମ‌ ୧୩୧ ରନ୍‌ର ଭାଗିଦାରୀ ହୋଇପାରିଥିଲେ। ବାଂଲାଦେଶର ତୃତୀୟ ଶିକାର ହୋଇଥିଲେ ମାରକ୍ରମ‌ । କିନ୍ତୁ ସେ ଆଉଟ୍‌ ହେବା ପୂର୍ବରୁ ୬୯ଟି ବଲ୍‌ ଖେଳି ବ୍ୟକ୍ତିଗତ ଭାବେ ୬୦ ରନ୍‌ ସଂଗ୍ରହ କରିଥିଲେ।

ସେହିପରି ଦକ୍ଷିଣ ଆଫ୍ରିକାର ଭଲ ସ୍କୋର ପାଇଁ ହେନରିକ କ୍ଲାସେଁଙ୍କର ମଧ୍ୟ ବଡ଼ ଯୋଗଦାନ ଥିଲା। ସେ ୧୮୩ ଷ୍ଟ୍ରାଇକ୍‌ ରେଟ୍‌ରେ ୯୦ ରନ୍‌ ସଂଗ୍ରହ କରିଥିଲେ। ୪୯ଟି ବଲ୍‌ ଖେଳି ୨ଟି ଚୌକା ଓ ୮ଟି ଛକା ମାରିଥିଲେ। ସେହିପରି ଡେଭିଡ ମିଲରଙ୍କ ବ୍ୟାଟରୁ ୨୮ ରନ୍‌ ଅମଳ ହୋଇଥିଲା। ମିଲର ୧୨ଟି ବଲ୍‌ ଖେଳି ଗୋଟିଏ ଚୌକା ଓ ୩ଟି ଛକା ମାରିଥିଲେ।