କଟକ: ଟିମ୍ ଇଣ୍ଡିଆ ପୁଣି ଭାରତୀୟ ପ୍ରଶଂସକଙ୍କୁ ନିରାଶ କରିଛି। ସ୍ଥାନୀୟ ବାରବାଟୀ ଷ୍ଟାଡିୟମରେ ରବିବାର ଭାରତକୁ ଦକ୍ଷିଣ ଆଫ୍ରିକା ୪ ୱିକେଟ୍ରେ ପରାସ୍ତ କରିଛି। ଚଳିତ ଟି-୨୦ ଶୃଙ୍ଖଳାର ୨ୟ ମୁକାବିଲାରେ ଦକ୍ଷିଣ ଆଫ୍ରିକା ୧୪୯ ରନ୍ର ବିଜୟ ଲକ୍ଷ୍ୟକୁ ୫ଟି ୱିକେଟ ହରାଇ ୧୮.୨ ଓଭରରେ ପୂରା କରିଛି। ଦକ୍ଷିଣ ଆଫ୍ରିକାର ବିଜୟରେ ହେନ୍ରିଚ୍ କାଲସେନ ହିରୋ ସାଜିଥିଲେ। ସେ ୪୬ଟି ବଲ୍ ସାମ୍ନା କିର ୭ଟି ଚୌକା ଓ ୫ଟି ଛକା ବଳରେ ୮୧ ରନ୍ ସଂଗ୍ରହ କରିଥିଲେ। ଏଥି ସହିତ ଦକ୍ଷିଣ ଆଫ୍ରିକା ଚଳିତ ଟି-୨୦ ଶୃଙ୍ଖଳାରେ ୨-୦ରେ ଅଗ୍ରଣୀ ରହିଛି।
ଦକ୍ଷିଣ ଆଫ୍ରିକାର ଅଧିନାୟକ ତେମ୍ବା ବଭୂମା ୩୫ ରନ୍, ରିଜା ହେଣ୍ଡରିକ୍ ୪ ରନ୍, ଡ୍ବାଇନ୍ ପ୍ରିଟୋରିୟସ ୪ ରନ୍, ଭାନ୍ ଡେର ଦୁସାନ ୧ ରନ୍, ଡେଭିଡ ମିଲର ଅପରାଜିତ ୨୦ ରନ୍, ୱେନ ପର୍ନେଲ ୧ ରନ୍ କରିଥିଲେ। ଭାରତ ପାଇଁ ଭୁବନେଶ୍ବର କୁମାର ୪ଟି ୱିକେଟ ନେଇଥିଲା ବେଳେ ୟୁଜବେନ୍ଦ୍ର ଚହଲ ଓ ହର୍ଷଲ ପଟେଲଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଥିଲା।
ଭାରତ ପରାସ୍ତ ହୋଇଥିଲେ ବି ବାରବାଟୀ ଷ୍ଟାଡିୟମ୍ରେ ଭୁବନେଶ୍ବର କୁମାର ପ୍ରଶଂସନୀୟ ବୋଲିଂ କରିଥିଲେ। ଭୁବନେଶ୍ବର କୁମାର ୪ ଓଭର ବୋଲିଂ କରିଥିଲେ। ସେ ମାତ୍ର ୧୩ ରନ ଖର୍ଚ୍ଚ କରିଥିଲେ। ଏଥିରେ କମ ସମୟ ମଧ୍ୟରେ ୩ଟି ୱିକେଟ ସାମିଲ ଥିଲା, ଯାହା ଦ୍ବାରା କି ସେ ଦର୍ଶକଙ୍କର ହୃଦୟ ଜିତିଛନ୍ତି। ତାଙ୍କର ପାଖରେ ଥିବା ଅଭିଜ୍ଞତାକୁ ଆଜି ବାରବାଟୀରେ ପ୍ରମାଣିତ କରିଛନ୍ତି। ଭୁବନେଶ୍ବର କୁମାର ଦକ୍ଷିଣ ଆଫ୍ରିକାର ପ୍ରାରମ୍ଭିକ ବ୍ୟାଟର ରିଜା ହେଣ୍ଡରିକ୍ସଙ୍କୁ ୪ ରନ୍ରେ ଆଉଟ କରିଥିଲେ। ରିଜା ୪ ରନ୍ ସଂଗ୍ରହ କରି ଭୁବନେଶ୍ବରଙ୍କ ବଲରେ କ୍ଲିନ ବୋଲ୍ଡ ହୋଇଯାଇଥିଲେ। ପ୍ରିଟୋରିୟସଙ୍କୁ ଆଉଟ୍ କରି ୨ୟ ସଫଳତା ଆଣିଥିଲେ। ଭାନ୍ ଡେର ଦୁସାନଙ୍କୁ ଭୁବନେଶ୍ବର କୁମାର ୧ ରନ୍ରେ ବୋଲ୍ଡ କରିଥିଲେ।
ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ରବିବାର ଟି-୨୦ କ୍ରିକେଟ୍ ମ୍ୟାଚ୍ ଖେଳାଯାଇଛି। ବାରବାଟୀରେ ହୋଇଥିବା ଶୃଙ୍ଖଳାର ୨ୟ ମ୍ୟାଚରେ ଅତିଥି ଟିମ୍ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଅଧିନାୟକ ତେମ୍ବା ବଭୂମା ଭାରତକୁ ବ୍ୟାଟିଂ କରିବା ପାଇଁ ଆମନ୍ତ୍ରଣ କରିଥିଲେ। ଦକ୍ଷିଣ ଆଫ୍ରିକା ସଫଳ ରଣନୀତି କରି ଆୟୋଜକ ଭାରତକୁ ୧୪୮ ରନ୍ରେ ଅଟକାଇ ଦେଇଥିଲା। ଭାରତର ବ୍ୟାଟିଂ ବିପର୍ଯ୍ୟୟ ଦେଖିବାକୁ ମିଳିଥିଲା। ପୂରା ଟିମ୍ ନର୍ଦ୍ଧାରିତ ୨୦ ଓଭରରେ ୬ଟି ୱିକେଟ ହରାଇ ଏହି ରନ୍ କରିଥିଲା। ଦକ୍ଷିଣ ଆଫ୍ରିକାର ବୋଲରମାନେ ଭାରତୀୟ ବ୍ୟାଟରଙ୍କୁ ଭଲ ସ୍କୋର କରିବାକୁ ସୁଯୋଗ ଦେଇ ନଥିଲେ। ଈଶାନ କିଶନ ଓ ଶ୍ରେୟସ ଆୟରଙ୍କ ବ୍ୟତୀତ ଅନ୍ୟ ବ୍ୟାଟରଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ଥିଲା।
ଭାରତର ପାଳି ଆରମ୍ଭ କରିଥିଲେ ଋତୁରାଜ ଗାଏକ୍ବାର୍ଡ ଓ ଈଶାନ କିଶନ। ତେବେ ଆରମ୍ଭରୁ ହିଁ ଟିମ୍ ଇଣ୍ଡିଆକୁ ଝଟକା ଲାଗିଥିଲା। ସ୍କୋର ୩ ରନ୍ ଥିବା ବେଳେ ଋତୁରାଜ ମାତ୍ର ଏକ ରନ୍ ସଂଗ୍ରହ କରି ପାଭଲିଅନ ଫେରିଯାଇଥିଲେ। ସେ କାଗିସୋ ରାବାଡାଙ୍କ ବଲ୍ କେଶବ ମହାରାଜଙ୍କୁ କ୍ୟାଚ୍ ଦେଇ ଆଉଟ୍ ହୋଇଥିଲେ। ଦ୍ବିତୀୟ ଶିକାର ହୋଇଥିଲେ ଈଶାନ। ସେ ୨୧ଟି ବଲ୍ ଖେଳି ୩୪ ରନ୍ ସଂଗ୍ରହ କରିଥିଲେ। ଏଥିରେ ୨ଟି ଚୌକା ଓ ୩ଟି ଛକା ସାମିଲ ଥିଲା।
ଭାରତ ୬୮ ରନ୍ରେ ୩ୟ (ଋଷଭ ପନ୍ତ), ୯୦ ରନ୍ରେ ୪ର୍ଥ (ହାର୍ଦ୍ଦିକ ପାଣ୍ଡ୍ୟା), ୯୮ ରନ୍ରେ ୫ମ (ଶ୍ରେୟସ ଆୟର), ୧୧୨ ରନ୍ରେ ୬ଷ୍ଠ (ଅକ୍ଷର ପଟେଲ) ୱିକେଟ ପଡ଼ିଥିଲା।
ଶ୍ରେୟସ ଆୟର ଭାରତ ପାଇଁ ସର୍ବାଧିକ ୪୦ ରନ୍ ସଂଗ୍ରହ କରିଥିଲେ। ସେ ୩୫ଟି ବଲ୍ ଖେଳି ୨ଟି ଚୌକା ଓ ୨ଟି ଛକା ମାରିଥିଲେ। ଋଷଭ ପନ୍ତ ୫ ରନ୍, ହାର୍ଦ୍ଦିକ ପାଣ୍ଡ୍ୟା ୯ ରନ୍, ଅକ୍ଷର ପଟେଲ ୧୦ ରନ୍, ଦିନେଶ କାର୍ତ୍ତିକ ଅପରାଜିତ ୩୦ ରନ୍ ଓ ହର୍ଷଲ ପଟେଲ ଅପରାଜିତ ୧୨ ରନ୍ ସଂଗ୍ରହ କରିଥିଲେ। ଦକ୍ଷିଣ ଆଫ୍ରିକା ପାଇଁ ଅନରିକ୍ ନର୍ଖିୟା ସର୍ବାଧିକ ୨ ୱିକେଟ୍ ନେଇଥିଲା ବେଳେ କାଗିସୋ ରାବଡ଼ା, ୱେନ୍ ପାର୍ନେଲ, ଡ୍ବାଇନ୍ ପ୍ରିଟୋରିୟସ ଓ କେଶବ ମହାରାଜ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।