ମୁମ୍ବାଇ: ସୀମିତ ଓଭର କ୍ରିକେଟ୍ରେ ରନ୍ ସଂଗ୍ରହ ଧାରାକୁ ନୂଆ ପର୍ଯ୍ୟାୟକୁ ନେଇଥିବା ବ୍ୟାଟସମ୍ୟାନ୍ଙ୍କ ମଧ୍ୟରେ ଏବେ ଗଣାହେଲେଣି ରୋହିତ ଶର୍ମା। ଦିନିକିଆରେ ତିନି ତିନିଟି ଦ୍ୱିଶତକ ଅର୍ଜନ କରିବା ପରେ ଏବେ ସାଥୀ ଖେଳାଳିଙ୍କ ଗହଣରେ ‘ହିଟ୍ମ୍ୟାନ୍’ ଭାବେ ପରିଚିତ ହୋଇଛନ୍ତି ଏହି ମୁମ୍ବାଇକର୍। ବିଶ୍ୱ କ୍ରିକେଟ୍ ପାଇଁ ମଧ୍ୟ ନୂଆ ଉଚ୍ଚତା ଧାର୍ଯ୍ୟ କରିଥିବା ରୋହିତ ନିଶ୍ଚିତ ଅନ୍ୟ ଖେଳାଳିଙ୍କ ପାଇଁ ଅନୁକରଣୀୟ ରହିବେ। ଶୁକ୍ରବାରଠାରୁ ଆରମ୍ଭ ହେଉଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ୍ ଶୃଙ୍ଖଳା ପୂର୍ବରୁ ରୋହିତ କହିଥିଲେ ନିଜ ଅଭିଜ୍ଞତା ଓ ଅଭିଳାଷର କଥା।
ମୋ ସମ୍ପର୍କରେ ଯେଭଳି କୁହାଯାଉଛି ମୁଁ ସେଭଳି କେବେ ଚିନ୍ତା କରିନାହିଁ। ବାହାରୁ ଯେଭଳି ଦେଖାଯାଏ ବାସ୍ତବରେ ଖେଳିବା ସମୟରେ ଏହା କଷ୍ଟକର ଏବଂ ଠିକ୍ ବିପରିତ ପରିସ୍ଥିତି ଆସିଥାଏ। ମୁଁ ପଡ଼ିଆକୁ ଆସି କେବଳ ପ୍ରଚେଷ୍ଟା କରିଥାଏ। ଅନ୍ୟ କିଛି ନୁହେଁ। ମୁଁ ବଲ୍କୁ କେବେ ଜୋରଦାର ମାରି ନ ଥାଏ। କେବଳ ସୀମାରେଖା ଅଞ୍ଚଳକୁ ଖେଳିବାକୁ ଉଦ୍ୟମ କରେ। ମୋ ବ୍ୟାଟିଂର କେନ୍ଦ୍ରୀୟ କଥା ହେଉଛି ବଲ୍କୁ ପଡ଼ିଆ ବାହାରକୁ ପଠାଇବା। ଏଥିରେ କିଛି ବିଜ୍ଞାନ ନାହିଁ। ମୋ ବ୍ୟାଟିଂ ଢଙ୍ଗକୁ କ୍ରିସ୍ ଗେଲ୍ କିମ୍ବା କିରଣ ପୋଲାର୍ଡଙ୍କ ସହ ତୁଳନା କରିବାର ନାହିଁ। ସେମାନେ ବଲ୍ ପଡ଼ିବା ଆରମ୍ଭରୁ ହିଁ ବଡ଼ ସଟ୍ ଖେଳିପାରନ୍ତି ମୁଁ ନୁହେଁ। ୨୬୪ ହେଉ କି ୧୬୪ କିମ୍ବା ଖାଲି ୬୪..ବ୍ୟାଟିଂ ଶୈଳୀରେ ପରିବର୍ତନ ନ ଥାଏ। ମୋ ବ୍ୟାଟିଂର ଦର୍ଶନଶାସ୍ତ୍ର ସମାନ। ମୁଁ ଅତି ସାଧାରଣ ତତ୍ୱ ଅନୁସରଣ କରେ। ମୋ ଇଂଜିନ୍ ଧୀର ଗତିରୁ ଆରମ୍ଭ ହୁଏ, ନିର୍ଦ୍ଧିଷ୍ଟ ଦୂରତ୍ୱ ଯିବା ପରେ ଗରମ ହୋଇଯାଏ। ଏହା ପରେ ହିଁ ମୁଁ ହାତଖୋଲା ସଟ୍ ଖେଳେ ବୋଲି ରୋହିତ କହିଛନ୍ତି।
ଦିନିକିଆ କ୍ରିକେଟ୍ ପାଳି ଗଢ଼ିବାର କଳା ମୋତେ ଜଣା ବୋଲି ଉଠିଥିବା ପ୍ରଶ୍ନର ଉତ୍ତରରେ ରୋହିତ କହିଥିଲେ ପ୍ରଥମତଃ ମୁଁ କହିବି ‘ସମୟ ମୋ ପାଇଁ ବଡ଼ ଗୁରୁ’। ବର୍ଷ ବର୍ଷ ଧରି ମୁଁ ବ୍ୟାଟିଂକୁ ଅଧିକ ଉତ୍କର୍ଷ କରିବାକୁ ଚାହିଁଛି। ନୂଆ ବଲ୍ରେ ମୁଁ ସଂଘର୍ଷ ନୁହେଁ, ସତର୍କତାର ସହ ଖେଳିଥାଏ। ନୂଆ ବଲ୍ ମୋ ଓ୍ଵିକେଟ୍ ନେବାର ଆଶଙ୍କା ରଖିଥିବାରୁ ମୁଁ କିଛି ସମୟ ନେଇଥାଏ। ପ୍ରଥମ ୧୦ ଓଭର ପରେ ମୁଁ ବାସ୍ତବତାକୁ ଅନୁଭବ କରି ଖେଳେ। ୨୦୦ ରନ୍ରୁ ଊର୍ଧ୍ୱ ପାଳି ଏକାଧିକ ଥର ଖେଳିବା ପରେ କିଛି ନୂତନତ୍ୱ ଅଛି ବୋଲି ପ୍ରଶ୍ନ ହୋଇଥିଲା। ରୋହିତ କହିଥିଲେ ମୁଁ ୨୬୪ ରନ୍ କରିବା ପରେ ପ୍ରଶ୍ନ ଆସିଥିଲା ୩୦୦ ରନ୍ କରିପାରିଥାନ୍ତେ କି? ଶତକ ହାସଲ ପରେ ଦ୍ୱିଶତକ କଥା ଆସେ। ମୁଁ କିନ୍ତୁ ସେମାନଙ୍କୁ କହିଥିଲି ୨୬୪ରୁ ୩୦୦ ରନ୍ ମାତ୍ର ୩୬ ରନ୍ର ଦୂରତା। କିଛି ବଡ଼ କଥା ନୁହେଁ। କିନ୍ତୁ ବ୍ୟକ୍ତିଗତ ଭାବେ ମୁଁ ଏଭଳି ଚିନ୍ତା କରିନାହିଁ। ସବୁବେଳେ ସାଧାରଣ ଭାବେ ଖେଳିବା ମୋ ମନ୍ତ୍ର। ସଂଘର୍ଷମୟ ସମୟରେ ମୁଁ ମଧ୍ୟ ନିଜର କିଛି ଶ୍ରେଷ୍ଠ ପାଳିକୁ ଦେଖିଥାଏ। ମଜା ପାଇଁ ବି ଦେଖିଥାଏ। ମୋହାଲି ଦ୍ୱିଶତକ କିନ୍ତୁ ଭିନ୍ନ ଥିଲା। ସତେ ଯେମିତି ପଡ଼ିଆ ମୋ ପାଇଁ ସଜା ଯାଇଥିଲା।
ଦକ୍ଷିଣ ଆଫ୍ରିକା ଗସ୍ତ ସମ୍ପର୍କରେ ରୋହିତ କହିଥିଲେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଦଳ ଘରୋଇ ମାଟିରେ ଭଲ ଖେଳିଥାନ୍ତି। କିନ୍ତୁ ଦକ୍ଷିଣ ଆଫ୍ରିକା ବୋଲିଂ ଆକ୍ରମଣ ବିଶ୍ୱରେ ଶ୍ରେଷ୍ଠ। ଏହା ଏକ ଦିଶାଭିତ୍ତିକ ନୁହେଁ। ସେମାନଙ୍କ ନିକଟରେ ବିବିଧତା, ଅଭିଜ୍ଞତା ଓ ଭିନ୍ନ ଦକ୍ଷତାର ସ୍ତର ରହିଛି। କାଗିସୋ ରାବାଦାଙ୍କ ଭଳି ଲମ୍ବା ଖେଳାଳି ଓ୍ଵିକେଟ୍କୁ ହିଟ୍ କରିପାରନ୍ତି। ମର୍ନି ମର୍କେଲ ମଧ୍ୟ ସମାନ ଧରଣର ଖେଳାଳି। ଡେଲ୍ ଷ୍ଟେନ୍ଙ୍କ ନିକଟରେ ଅଭିଜ୍ଞତା ଭରପୁର। ଘରୋଇ ପରିବେଶରେ ଭେର୍ନନ ଫିଲାଣ୍ଡର୍ ବିପଜ୍ଜନକ। ସେ କେବେ ସହଜରେ ଛାଡ଼ନ୍ତି ନାହିଁ।
‘ଦକ୍ଷିଣ ଆଫ୍ରିକା ବୋଲିଂ ବିଶ୍ୱର ଶ୍ରେଷ୍ଠ’:କୋହଲି ସେନାର ଆଫ୍ରିକା ଅଭିଯାନ
/sambad/media/post_attachments/wp-content/uploads/2018/01/bulbul.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)