ଅଲିମ୍ପିକ୍‌ ସମିତି ନିୟନ୍ତ୍ରଣକୁ ଗଲା ଦକ୍ଷିଣ ଆଫ୍ରିକା କ୍ରିକେଟ୍‌

ଜୋହାନ୍ସବର୍ଗ : କ୍ରିକେଟ୍‌ ଦକ୍ଷିଣ ଆଫ୍ରିକା (ସିଏସ୍‌ଏ)ରେ ଲାଗି ରହିଥିବା ବିଭେଦ, ଅନିୟମିତତା ଓ କୁପରିଚାଳନା କାରଣରୁ ଏହାକୁ ନିଜ ନିୟନ୍ତ୍ରଣକୁ ନେଇଛି ଦକ୍ଷିଣ ଆଫ୍ରିକା କ୍ରୀଡ଼ା ମହାସଂଘ ଓ ଅଲିମ୍ପିକ୍ ସମିତି (ଏସ୍ଏ‌ଏସ୍‌ସିଓସି)। ଫଳରେ ଆଇସିସି ନିୟମ ଅନୁସାରେ କୌଣସି ଜାତୀୟ କ୍ରିକେଟ୍ ସଂଘରେ ସରକାରୀ ହସ୍ତକ୍ଷେପ କାରଣରୁ ସମ୍ପୃକ୍ତ ଦେଶର ଜାତୀୟ ଦଳକୁ ଅନ୍ତର୍ଜାତୀୟ ସ୍ତରରୁ ବିତାଡ଼ିତ କରାଯିବାର ଆଶଙ୍କା ଜାତ ହୋଇଛି। ୨୦୧୯ ମସିହାରୁ ସିଏସ୍‌ଏରେ ଦୁର୍ନୀତି ଓ କୁପରିଚାଳନା ନେଇ ଲାଗି ରହିଥିବା ଅଭିଯୋଗର ତଦନ୍ତ ଶେଷ ହେବା ପରେ ଏସଏଏସ୍‌ସିଓସି ଏଭଳି ନିଷ୍ପତ୍ତି ନେଇଛି। ସିଏସ୍‌ର ସମସ୍ତ ପୂର୍ଣ୍ଣ ଦରମାପ୍ରାପ୍ତ କର୍ମଚାରୀଙ୍କୁ ପଦ ତ୍ୟାଗ ପାଇଁ ନିର୍ଦେଶ ଦିଆଯାଇଛି। ଏହି ନିଷ୍ପତ୍ତି ପରେ କ୍ରିକେଟ୍ ଦକ୍ଷିଣ ଆଫ୍ରିକାର ସମସ୍ତ ସଦସ୍ୟ, ଜାତୀୟ ଦଳର ବର୍ତମାନର ସଦସ୍ୟ ଓ ପୂର୍ବତନ ସଦସ୍ୟ, ସମସ୍ତ ଅଂଶୀଦାର, ପ୍ରା‌‌‌ୟୋଜକ ଏବଂ କ୍ରିକେଟ୍‌ପ୍ରେମୀମାନେ ଚିନ୍ତାରେ ପଡ଼ିଯାଇଛନ୍ତି। ଦକ୍ଷିଣ ଆଫ୍ରିକା କ୍ରିକେଟର୍ସ ସଂଘ (ଏସ୍‌ଏସିଏ) ମଧ୍ୟ ଏଭଳି ପରିସ୍ଥିତି ଦେଶର କ୍ରିକେଟ୍‌ ଲାଗି କୁଖ୍ୟାତି ଆଣିଛି ବୋଲି ପ୍ରକାଶ କରିଛି। ଅଲିମ୍ପିକ୍ ସଂଘ ପକ୍ଷରୁ ସିଏସଏ ବୋର୍ଡ ସହ ବାରମ୍ବାର ଆଲୋଚନା ବିଫଳ ହେବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଦକ୍ଷିଣ ଆଫ୍ରିକାର ସମସ୍ତ ଜାତୀୟ କ୍ରୀଡ଼ା ସଂଘଗୁଡିକ ଏସ୍‌ଏଏସ୍‌ସିଓସି ଅଧୀନରେ ରହିଥିବା ‌ବେଳେ ସିଏସ୍‌ଏ ମଧ୍ୟ ଏହାର ପରିଚାଳନା ଅଧୀନ ରହିଛି। ଏବେ ଅଲିମ୍ପିକ୍ ସମିତି ଏକ ଟାକ୍ସଫୋର୍ସ ଗଠନ କରି ଅଧିକ ତଦନ୍ତ କରିବ। ଅନ୍ୟପକ୍ଷରେ ଆଇସିସି ଏ ସମ୍ପର୍କରେ ସ୍ପଷ୍ଟୀକରଣ ମାଗିବା ସହ ଆଇନଗତ ପରାମର୍ଶ ନେବାକୁ ଯାଉଛି।

ସମ୍ବନ୍ଧିତ ଖବର