ଦକ୍ଷିଣ ଆଫ୍ରିକାର ହ୍ୟାଟ୍ରିକ୍‌ ବିଜୟ

ଆବୁଧାବି: ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ନିଜ ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ନିକଟରୁ ପରାଜୟ ବରଣ କରିଥିବା ଦକ୍ଷିଣ ଆଫ୍ରିକା ଏବେ କ୍ରମାଗତ ତୃତୀୟ ବିଜୟ ସହ ହ୍ୟାଟ୍ରିକ୍ ଅର୍ଜନ କରିଛି। ଏଥିସହ ଦଳର ସେମିଫାଇନାଲ୍ ସୁଯୋଗ ବଢ଼ିଯାଇଛି। ଗ୍ରୁପ୍‌ ଅଫ୍‌ ଡେଥ୍‌ କୁହାଯାଉଥିବା ଗ୍ରୁପ୍‌-୧ରେ ମଙ୍ଗଳବାର ଦକ୍ଷିଣ ଆଫ୍ରିକା ଶୋଚନୀୟ ଭାବେ ବାଂଲାଦେଶକୁ ୬ ୱିକେଟ୍‌ରେ ପରାସ୍ତ କରିଥିଲା। ଦକ୍ଷିଣ ଆଫ୍ରିକାର ପେସ୍‌ ଓ ସ୍ପିନ୍‌ ଆକ୍ରମଣରେ ବାଂଲାଦେଶ ସମ୍ପୂର୍ଣ୍ଣ ୨୦ ଓଭର ଖେଳିନପାରି ମାତ୍ର ୮୪ ରନ୍‌ କରିଥିଲା। ଯାହାକୁ ତେମ୍ବା ବଭୁମାଙ୍କ ଦଳ ୩୯ ବଲ୍ ପୂର୍ବରୁ ୪ ୱିକେଟ୍ ହରାଇ ହାସଲ କରିନେଇଥିଲା। ଘାତକ ବୋଲିଂ କରି ବାଂଲାଦେଶର ପ୍ରଥମ ୩ ୱିକେଟ୍ ଅକ୍ତିଆର କରିଥିବା କାଗିସୋ ରବାଦା (୪-୦-୨୦-୩) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ଆବୁଧାବିର ସେଖ୍ ଜାୟଦ ଷ୍ଟାଡିୟମ୍‌ରେ ମଙ୍ଗଳବାର ଅପରାହ୍ଣରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଟସ୍ ଜିତି ଦକ୍ଷିଣ ଆଫ୍ରିକା ‌କ୍ଷେତ୍ରରକ୍ଷଣ କରିବାକୁ ନିଷ୍ପତ୍ତି‌ ନେଇଥିଲା। ଏହାକୁ ତୁରନ୍ତ ଯଥାର୍ଥ ସାବ୍ୟସ୍ତ କରିଥିଲେ କାଗିସୋ ରବାଦା। ମହମ୍ମଦ ନଇମ୍‌, ସୌମ୍ୟ ସରକାର ଏବଂ ମୁସଫିକର୍ ରହିମଙ୍କୁ ପାୱାର ପ୍ଲେ ଭିତରେ ଏକା ବିଦାୟ ରାସ୍ତା ଦେଖାଇଥିଲେ ରବାଦା। ଏକଦା ହ୍ୟାଟ୍ରିକ୍ ସୁଯୋଗ ମଧ୍ୟ ସୃଷ୍ଟି କରିଥିଲେ। ରବାଦାଙ୍କ ସ୍ପେଲ୍ ପରେ ସାଥି ଦ୍ରୁତ ବୋଲର ଅନରିକ୍‌ ନର୍ଖିୟା (୩.୨-୦-୮-୩) ଏବଂ ସ୍ପିନର୍‌ ତାବ୍ରାଇଜ୍ ସାମସୀ (୪-୦-୨୧-୨) ବାଂଲାଦେଶ ପାଳିକୁ ଅସ୍ଥିର ରଖିଥିଲେ। ୪ ଜଣ ବାଂଲା ବ୍ୟାଟର୍‌ ଖାତା ‌ଖୋଲି ପାରିନଥିଲେ।

ଜବାବରେ ଦକ୍ଷିଣ ଆଫ୍ରିକା ମଧ୍ୟ ପାୱାର ପ୍ଲେ ୬ ଓଭର ଭିତରେ ୩ ୱିକେଟ୍ ହରାଇ ମାତ୍ର ୩୩ ରନ୍‌ କରିଥିଲା। ତେବେ ରାଶି ଭାନ୍ ‌ଡର୍‌ ଦସେନ୍‌ (୨୨) ଏବଂ ତେମ୍ବା ବଭୁମା (୩୧*, ୨୮ ବଲ୍‌) ମ୍ୟାଚ୍‌ ହାତଛଡ଼ା ହେବାକୁ ଦେଇନଥିଲେ। ଦକ୍ଷିଣ ଆଫ୍ରିକା ୧୩.୩ ଓଭରରେ ୪ ୱିକେଟ୍ ହରାଇ ୮୬ ରନ୍‌ ସଂଗ୍ରହ କରିନେଇଥିଲା। ଅଷ୍ଟ୍ରେଲିଆା ନିକଟରୁ ପ୍ରଥମ ମ୍ୟାଚ୍‌ ହାରିବା ପରେ ଦକ୍ଷିଣ ଆଫ୍ରିକା ଏବେ ଲଗାତାର ଭାବେ ୱେଷ୍ଟଇଣ୍ଡିଜ୍, ଶ୍ରୀଲଙ୍କା ଓ ବାଂଲାଦେଶକୁ ହରାଇ ସେମିଫାଇନାଲ୍ ପଥକୁ ସୁଗମ କରିଛି।

ସମ୍ବନ୍ଧିତ ଖବର