ଦକ୍ଷିଣ ଆଫ୍ରିକା ଯୁବ ଟେଷ୍ଟ୍‌ : ଭାରତ ପାଳି ଓ ୩୦ ରନ୍‌ରେ ବିଜୟୀ

ବେଙ୍ଗାଲୁରୁ: ଭାରତ ଗସ୍ତରେ ଥିବା ଦକ୍ଷିଣ ଆଫ୍ରିକା-ଏ ଦଳ ପ୍ରଥମ ଯୁବ ଟେଷ୍ଟ୍‍ରେ ପାଳି ପରାଜୟ ବରଣ କରିଛି। ଭାରତ ଏହି ୪ ଦିନିଆ ଟେଷ୍ଟ୍‌ର ମଙ୍ଗଳବାର ଅନ୍ତିମ ଦିବସରେ ଚମତ୍କାର ବୋଲିଂ ପ୍ରଦର୍ଶନ କରି ଏକ ପାଳି ଓ ୩୦ ରନ୍‌ରେ ବିଜୟୀ ହୋଇଛି। ଉଭୟ ପାଳିରେ ୫ ଲେଖାଏଁ ଓ୍ଵିକେଟ୍‌ ଅକ୍ତିଆର କରି ମହମ୍ମଦ ସିରାଜ୍‌ ଭାରତ ବିଜୟକୁ ସହଜ କରିଦେଇଥିଲେ। ଏଥି ସହିତ ୨ ଟେଷ୍ଟ ବିଶିଷ୍ଟ ଶୃଙ୍ଖଳାରେ ୧-୦ର ଅଗ୍ରଣ ମଧ୍ୟ ପାଇଛି।
ଦକ୍ଷିଣ ଆଫ୍ରିକାର ପ୍ରଥମ ପାଳିର ସ୍କୋର୍‌ ୨୪୬ ଜବାବରେ ଭାରତ ୮ ଓ୍ଵିକେଟ୍‌ ବିନିମୟରେ ୫୮୪ ରନ୍‌ କରି ଘୋଷଣା କରିଥିଲା। ମୟଙ୍କ ଅଗ୍ରଓ୍ଵାଲ୍‌ ଦ୍ୱିଶତକ (୨୨୦), ପୃଥ୍ଵୀ ସ (୧୩୬) ଶତକ ଜମାଇଥିଲେ। ଫଳରେ ଭାରତ-ଏ ୩୩୮ ରନ୍‌ରେ ଆଗୁଆ ରହିଥିଲା। ଦମ୍‌ଦାର ବ୍ୟାଟିଂ ପରେ ଭାରତୀୟ ବୋଲର ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ପାଳିକୁ ୩୦୮ ରନ୍‌ରେ ସଫା କରିଦେଇଥିଲେ। ପ୍ରଥମ ପାଳିରେ ୫୬ ରନ୍‌ରେ ୫ ଓ୍ଵିକେଟ୍‌ ଦଖଲ କରିଥିବା ସିରାଜ୍‌ ଦ୍ୱିତୀୟ ପାଳିରେ ୭୩ ରନ୍‌ ଦେଇ ୫ ଓ୍ଵିକେଟ୍‌ ଅକ୍ତିଆର କରିଥିଲେ। ରଜନୀଶ ଗୁର୍‌ବାନୀ ୨, ଅକ୍ଷର ପଟେଲ, ୟୁଜ୍‌ବେନ୍ଦ୍ର ଚହଲ୍‌ ଓ ନଭ୍‌ନୀତ୍‌ ସାଇନି ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ। ଫଳରେ ତୃତୀୟ ଦିବସ ଶେଷରେ ୯୯/୪ କରିଥିବା ଦକ୍ଷିଣ ଆଫ୍ରିକା ମଙ୍ଗଳବାର ଚତୁର୍ଥ ତଥା ଶେଷ ଦିନ ଅନ୍ତିମ ଓଭର ସୁଦ୍ଧା ସମସ୍ତ ଓ୍ଵିକେଟ୍‌ ହରାଇଥିଲା। ପୂରା ଦଳ ୩୦୮ ରନ୍‌ରେ ସଫା ହୋଇଗଲା। ରୁଦି ସେକେଣ୍ଡ୍‌ (୯୪) ମାତ୍ର ୬ ରନ୍‌ ପାଇଁ ଶତକରୁ ବଞ୍ଚିତ ହୋଇଥିଲା ବେଳେ ଜୁବିର୍‌ ହମ୍‌ଜା (୬୩), ଭନ୍‌ ବର୍ଗ (୫୦)ଙ୍କ ଅର୍ଧଶତକ କରିଥିଲେ।

ସମ୍ବନ୍ଧିତ ଖବର