ତ୍ରୟୋଦଶ ଦକ୍ଷିଣ ଏସୀୟ କ୍ରୀଡ଼ା: ଅମିୟଙ୍କୁ ରୌପ୍ୟ, ଭାରତ ଶତକ ସ୍ବର୍ଣ୍ଣର ନିକଟବର୍ତୀ

କାଠମାଣ୍ଡୁ (ନେପାଳ): ଚଳିତ ତ୍ରୟୋଦଶ ଦକ୍ଷିଣ ଏସୀୟ କ୍ରୀଡ଼ା (ସାଗ୍‌) ଶୁକ୍ରବାର ଓଡ଼ିଆ ଧାବକ ଅମିୟ ମଲ୍ଲିକ ରୌପ୍ୟ ଜିତି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ‌ସେ ୪ଗୁଣା ୧୦୦ ‌ମିଟର ରିଲେରେ ଏହି ପଦକ ପାଇଥିଲେ। ଅମିୟ, ହର୍ଜିତ ସିଂହ, ପ୍ରଣବ କଲାପ୍ପୁର ଓ ଗୁରିନ୍ଦବୀର ସିଂହ ନେଇ ଗଠିତ ଭାରତୀୟ ରିଲେ ଦଳ ୩୯.୯୭ ସେକେଣ୍ଡ୍‌ ସମୟ ନେଇ ‌ଶ୍ରୀଲଙ୍କା (୩୯.୧୪ ସେକେଣ୍ଡ)ର ପଛକୁ ଦ୍ବିତୀୟ ସ୍ଥାନରେ ରହିଥିଲା। ପାକିସ୍ତାନ ତୃତୀୟରେ ରହି କାଂସ୍ୟ ଜିତିଥିଲା।

ଭାରତର ଆଧିପତ୍ୟ ଜାରି
ଏହି ପ୍ରତିଯୋଗିତା ଶୁକ୍ରବାର ପଞ୍ଚମ ଦିନରେ ପହଞ୍ଚିଛି। ଏହି ୫ ଦିନରେ ଭାରତ ସ୍ବର୍ଣ୍ଣ ପଦକରେ ଶତକ ଅର୍ଜନ କରିବାର ନିକଟବର୍ତୀ ହୋଇଛି। ଏ ପର୍ଯ୍ୟନ୍ତ ଭାରତ ୮୯ ସ୍ବର୍ଣ୍ଣ, ୬୧ ରୌପ୍ୟ ଓ ୨୭ କାଂସ୍ୟ ସହ ମୋଟ ୧୭୭ ପଦକ ଅମଳ କରି ତାଲିକାର ଶୀର୍ଷସ୍ଥାନକୁ ଆହୁରି ଦୃଢ଼ କରି ନେଇଛି। ସାଗ୍ କ୍ରୀଡ଼ା ଇତିହାସରେ ଭାରତର ଏହା ଶ୍ରେଷ୍ଠ ପ୍ରଦର୍ଶନ।

ବ୍ୟାଡ୍‌ମିଣ୍ଟନରେ ୧୦ ପଦକ
ଭାରତୀୟ ବ୍ୟାଡ୍‌ମିଣ୍ଟନ ଖେଳାଳିମାନେ ଚଳିତ ‘ସାଗ୍‌’ କ୍ରୀଡ଼ାରେ ଚମତ୍କାର ପ୍ରଦର୍ଶନ ଜାରି ରଖି ୧୦ (୪ ସ୍ବର୍ଣ୍ଣ, ୨ ରୌପ୍ୟ, ୨ କାଂସ୍ୟ) ପଦକ କରାୟତ କରିଛନ୍ତି। ଶୁକ୍ରବାର ପୁରୁଷ ଓ ମହିଳା ଏକକରେ ଭାରତକୁ ଉଭୟ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ମିଳିଥିଲା। ମହିଳା ଫାଇନାଲ୍‌ରେ ଅସ୍ମିତା ଚଲିହା ୨୧-୧୮, ୨୫-୨୩ରେ ଗାୟତ୍ରୀ ଗୋପୀଚାନ୍ଦଙ୍କୁ ଏବଂ ପୁରୁଷ ଫାଇନାଲ୍‌ରେ ସିରିଲ୍‌ ବର୍ମା ୧୭-୨୧, ୨୩-୨୧, ୨୧-୧୩ରେ ଆର୍ଯ୍ୟମନ ଟଣ୍ଡନଙ୍କୁ ହରାଇ ସ୍ବର୍ଣ୍ଣ ହାସଲ କରିଥିଲେ। ଗାୟତ୍ରୀ ଓ ଆର୍ଯ୍ୟମନ ରୌପ୍ୟ ପାଇଥିଲେ। ଭାରତୀୟ ତାରକା ଧ୍ରୁବ କପିଳ ମିଶ୍ରିତ ଯୁଗଳ ଓ ପୁରୁଷ ଯୁଗଳରେ ଭାରତକୁ ୨ଟି ସ୍ବର୍ଣ୍ଣ ଭେଟି ଦେଇଥିଲେ। ପୁରୁଷ ଯୁଗଳ ଫାଇନାଲ୍‌ରେ ଧ୍ରୁବ ଓ କୃଷ୍ଣ ପ୍ରସାଦ ଗରାଗା ୨୧-୧୯, ୧୯-୨୧, ୨୧-୧୮ରେ ଶ୍ରୀଲଙ୍କାର ସଚିନ ଦିଆସ ଓ ବୁୱାନୋକ ଗୁଣାଥିଲାକେଙ୍କୁ ହରାଇଥିଲେ। ‌ସେହିପରି ମିଶ୍ରିତ ‌ଯୁଗଳ ଫାଇନାଲ୍‌ରେ ମେଘନା ଜାକ୍କମ୍ପୁଡ଼ିଙ୍କୁ ସାଥୀ କରି ଧ୍ରୁବ ୨୧-୧୬, ୨୧-୧୪ରେ ଶ୍ରୀଲଙ୍କାର ସଚିନ ଓ ଥିଲିନି ପ୍ରମୋଦିକାଙ୍କୁ ହରାଇଥିଲେ। ତେବେ ଗୁରୁବାର ମହିଳା ଯୁଗଳରୁ ଭାରତକୁ ଦୁଇଟି କାଂସ୍ୟ ପଦକ ମିଳିଥିଲା

ଟିଟି ଏକକରେ ଭାରତକୁ ୨ ସ୍ବର୍ଣ୍ଣ, ୨ ରୌପ୍ୟ
ପୁରୁଷ ଓ ମହିଳା ଟିଟି ଏକକରେ ଭାରତକୁ ଉଭୟ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ମିଳିଛି। ଶୁକ୍ରବାର ପୁରୁଷ ଫାଇନାଲ୍‌ରେ ଆଣ୍ଟୋନୀ ଅମଲରାଜ ୬-୧୧, ୯-୧୧, ୧୦-୧୨, ୧୧-୭, ୧୧-୪, ୧୧-୯, ୧୧-୭ରେ ହରମୀତ ଦେଶାଇଙ୍କୁ ଏବଂ ମହିଳାରେ ସୁତୀର୍ଥ ମୁଖାର୍ଜୀ ୮-୧୧, ୧୧-୮, ୬-୧୧, ୧୧-୪, ୧୩-୧୧, ୧୧-୮ରେ ଆହିକା ମୁଖାର୍ଜୀଙ୍କୁ ହରାଇଥି‌ଲେ।

ଅସିଚାଳନରେ ୩ ସ୍ବର୍ଣ୍ଣ
ଭାରତ ଅସିଚାଳନରେ ମଧ୍ୟ ଆଧିପତ୍ୟ ବିସ୍ତାର କରିଛି। ଶୁକ୍ରବାର ଏହି ଇଭେଣ୍ଟ୍‌ରୁ ଭାରତ ୩ ସ୍ବର୍ଣ୍ଣ ଅମଳ କରିଛି। ପୁରୁଷ ଇପିରେ ସୁନୀଲ କୁମାର ଓ ସବେରରେ କରଣ ସିଂହ ଏବଂ ମହିଳା ଫଏଲ୍‌ରେ ଥେଇବି ଦେବୀ ୱାଙ୍ଗେଲବାମ୍‌ ଏହି ୩ ସ୍ବର୍ଣ୍ଣ ଜିତିଥିଲେ।

ସମ୍ବନ୍ଧିତ ଖବର