କାଠମାଣ୍ଡୁ (ନେପାଳ): ନେପାଳର ତିନିଟି ସ୍ଥାନରେ ଚାଲିଥିବା ତ୍ରୟୋଦଶ ଦକ୍ଷିଣ ଏସୀୟ କ୍ରୀଡ଼ା (ସାଗ୍)ରେ ଓଡ଼ିଶାକୁ ଆଉ ଏକ ପଦକ ମିଳିଛି। ବନ୍ଧୁକଚାଳନାରେ ଶ୍ରୀୟଙ୍କା ଷଡ଼ଙ୍ଗୀ ରୌପ୍ୟ ପଦକ ଜିତିବା ପରେ ଭାରୋତ୍ତୋଳନରେ ଝିଲ୍ଲୀ ଦଳବେହେରା ରାଜ୍ୟ ପାଇଁ ପ୍ରଥମ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ନିକଟରେ ଏକଲବ୍ୟ ପୁରସ୍କାର ପାଇଁ ମେନାନୀତ ହୋଇଥିବା ଝିଲ୍ଲୀ ମହିଳା ୪୫ କିଲୋଗ୍ରାମ ବର୍ଗରେ ୧୫୧ କିଲୋଗ୍ରାମ (ସ୍ନାଚରେ ୬୬, କ୍ଲିନ୍ ଆଣ୍ଡ ଜର୍କରେ ୮୫ କିଲୋଗ୍ରାମ) ଭାର ଉଠାଇ ସ୍ବର୍ଣ୍ଣିମ ସଫଳତା ଲାଭ କରିଥିଲେ। ଚଳିତ ବର୍ଷ ପ୍ରାରମ୍ଭରେ ସେ ଏସୀୟ ପ୍ରତିଯୋଗିତାରେ ମଧ୍ୟ ଅନୁରୂପ ଭାବେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ।
ବ୍ୟାଡ୍ମିଣ୍ଟନ୍ରେ ଆଉ ୨ ସ୍ବର୍ଣ୍ଣ ପକ୍କା
ଭାରତୀୟ ବ୍ୟାଡ୍ମିଣ୍ଟନ ଖେଳାଳିମାନେ ଚଳିତ ‘ସାଗ୍’ କ୍ରୀଡ଼ାରେ ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି। ଗୁରୁବାର ଏଥିରୁ ଭାରତ ୨ ସ୍ବର୍ଣ୍ଣ ପଦକ ପକ୍କା କରିଛି। ମହିଳା ସେମିଫାଇନାଲ୍ରେ ଅସ୍ମିତା ଚଲିହା ଓ ଗାୟତ୍ରୀ ଗୋପୀଚାନ୍ଦ ଏବଂ ପୁରୁଷ ସେମିଫାଇନାଲ୍ରେ ଆର୍ଯ୍ୟମନ ଟଣ୍ଡନ ଓ ସିରିଲ୍ ବର୍ମା ନିଜ ନିଜର ବିଜୟ ସହ ଫାଇନାଲ୍ ପ୍ରବେଶ କରିଛନ୍ତି। ଉଭୟ ମହିଳା ଓ ପୁରୁଷ ବର୍ଗରେ ଦୁଇ ଭାରତୀୟଙ୍କ ମଧ୍ୟରେ ଫାଇନାଲ୍ ମୁକାବିଲା ହେବାକୁ ଥିବାରୁ ଭାରତ ପାଇଁ ୨ ସ୍ବର୍ଣ୍ଣ ନିଶ୍ଚିତ ହୋଇଯାଇଛି। ଅନ୍ୟପକ୍ଷରେ ମିଶ୍ରିତ ଯୁଗଳରେ ଭାରତୀୟ ଯୋଡ଼ି ଧ୍ରୁବ ଓ ମେଘନା ଫାଇନାଲ୍ ପ୍ରବେଶ କରିଥିବାରୁ ଆଉ ଏକ ସ୍ବର୍ଣ୍ଣ ଅମଳ କରିବା ସମ୍ଭାବନା ରହିଛି। ବ୍ୟାଡ୍ମିଣ୍ଟନର ସମସ୍ତ ଫାଇନାଲ୍ ଶୁକ୍ରବାର ଖେଳାଯିବ।
ଶ୍ରୀଲଙ୍କାକୁ ୬-୦ରେ ହରାଇଲା ଭାରତ
‘ସାଗ୍’ କ୍ରୀଡ଼ାର ଗୁରୁବାର ମହିଳା ଫୁଟ୍ବଲ୍ରେ ଭାରତ କ୍ରମାଗତ ଦ୍ବିତୀୟ ବିଜୟ ହାସଲ କରିଛି। ପୂର୍ବତନ ବିଜେତା ଭାରତୀୟ ମହିଳା ଦଳ ମଙ୍ଗଳବାର ମାଳଦୀପକୁ ୫-୦ ଗୋଲ୍ରେ ହରାଇଥିଲା ବେଳେ ଗୁରୁବାର ଶ୍ରୀଲଙ୍କାକୁ ୬-୦ ଗୋଲ୍ରେ ପରାସ୍ତ କରିଦେଇଛି। ଭାରତ ପକ୍ଷରୁ ସାନ୍ଧିୟା ରଙ୍ଗନାଥନ୍ (୧୦ ଓ ୨୫ ମିନିଟ୍) ଏବଂ ରତନବାଲା ଦେବୀ (୧୮ ଓ ୮୮ ମିନିଟ୍) ଦୁଇଟି ଲେଖାଏଁ ଗୋଲ୍ କରିଥିଲା ବେଳେ ଡାଙ୍ଗମେଇ ଗ୍ରେସ୍ (୭ ମିନିଟ୍) ଓ ବାଲା ଦେବୀ (୯୦+୧ ମିନିଟ୍) ଗୋଟିଏ ଲେଖାଏଁ ଗୋଲ୍ ଯୋଡ଼ିଥିଲେ।
ଶତକ ଟପିଲା ଭାରତ ପଦକ
ଚଳିତ ଭାରତ ଚାରି ଦିନରେ ୧୨୫ ପଦକ ଅମଳ କରିସାରିଲାଣି। ସେଥିରେ ୬୩ ସ୍ବର୍ଣ୍ଣ, ୪୧ ରୌପ୍ୟ ଓ ୨୧ କାଂସ୍ୟ ସାମିଲ ରହିଛି। ସାଗ୍ କ୍ରୀଡ଼ା ଇତିହାସରେ ଭାରତର ଏହା ଶ୍ରେଷ୍ଠ ପ୍ରଦର୍ଶନ। ସଂପ୍ରତି ଭାରତ ପଦକ ତାଲିକାର ପ୍ରଥମ ସ୍ଥାନରେ ସ୍ଥିତି ସୁଦୃଢ଼ କରି ନେଇଛି। ବିଶେଷକରି ବୁଧବାର ଭାରତ ୩୦ ସ୍ବର୍ଣ୍ଣ୧୮ ରୌପ୍ୟ ଓ ୮ କାଂସ୍ୟ ପଦକ ଜିତିଛି। ଗୁରୁବାର ଉଷୁରୁ ୭, ତାଏକୋଣ୍ଡୋରୁ ୩ ସ୍ବର୍ଣ୍ଣ ସହ ୬, ଟ୍ରାଇଥଲନ୍ରୁ ୨ ସ୍ବର୍ଣ୍ଣ ସହ ୫ ଏବଂ ଖୋଖୋରୁ ୨ ସ୍ବର୍ଣ୍ଣ ପଦକ ଅମଳ ହୋଇଥିଲା। ଫଳରେ ଆଥ୍ଲେଟିକ୍ସରୁ ଭାରତ ଦୁଇ ଦିନରେ ୨୦ ପଦକ ଜିତି ସାରିଲାଣି। ଅନ୍ୟପକ୍ଷରେ ଟେନିସ୍ରେ ଭାରତୀୟ ପୁରୁଷ ଦଳ ଫାଇନାଲ୍ରେ ପାକିସ୍ତାନକୁ ଏବଂ ମହିଳା ଦଳ ଫାଇନାଲ୍ରେ ଶ୍ରୀଲଙ୍କାକୁ ପରାସ୍ତ କରି ସ୍ବର୍ଣ୍ଣ ପଦକ କବ୍ଜା କରିନେଇଥିଲେ।