ଅରୁଣ ଜେଟ୍‌ଲିଙ୍କୁ କ୍ରୀଡ଼ା ଜଗତର ଶ୍ରଦ୍ଧାଞ୍ଜଳି: ଦକ୍ଷ କ୍ରିକେଟ୍ ସଂଗଠକ, ଉତ୍ସାହୀ କ୍ରୀଡ଼ାପ୍ରେମୀ

ନିଜ ଘରେ ଆୟୋଜନ କରିଥିଲେ ସେହବାଗଙ୍କ ବିବାହ

ନୂଆଦିଲ୍ଲୀ: ପୂର୍ବତନ ଅର୍ଥମନ୍ତ୍ରୀ ତଥା ବିଜେପିର ଚାଣକ୍ୟ, ଅରୁଣ ଜେଟ୍‌ଲିଙ୍କ ନିଧନ ଭାରତୀୟ ରାଜନୀତି ପାଇଁ ଏକ ଅପୂରଣୀୟ କ୍ଷତି। ଭାରତୀୟ କ୍ରୀଡ଼ା ଜଗତ ମଧ୍ୟ ତାଙ୍କ ରୂପରେ ଜଣେ ବଳିଷ୍ଠ କ୍ରୀଡ଼ା ସଂଗଠକ ଓ ଦୃଢ଼ ସମର୍ଥକଙ୍କୁ ହରାଇଛି। ୨୨ ବର୍ଷ ଧରି ଓକିଲାତି କରିବା ପରେ ରାଜନୀତିକୁ ପୂର୍ଣ୍ଣକାଳୀନ ପେସା ଭାବେ ଗ୍ରହଣ କରିଥିବା ଜେଟ୍‌ଲିଙ୍କ ହୃଦୟରେ କ୍ରୀଡ଼ାପ୍ରତି ଥିଲା ସ୍ବତନ୍ତ୍ର ସ୍ଥାନ। ବିଶେଷ କରି ‘କ୍ରିକେଟ୍’ ପ୍ରତି ତାଙ୍କର ଥିଲା ଅହେତୁକ ଦୁର୍ବଳତା। ସେଥିପାଇଁ ଜେଟ୍‌ଲି ରାଜନୀତି ସହ କ୍ରିକେଟ୍ ପରିଚାଳନାରେ ମଧ୍ୟ ‌ବେଶ୍ ସକ୍ରିୟ ଥିଲେ। ଅନ୍ୟ ଖେଳ ଓ ଖେଳାଳିଙ୍କୁ ମଧ୍ୟ ନିୟମିତ ଭାବେ ସେ ସମର୍ଥନ ଦେଇ ଆସୁଥିଲେ। ସମ୍ଭବତଃ ଏହି କାରଣରୁ ବରିଷ୍ଠ ସାମ୍ବାଦିକ ରାଜଦୀପ ସର୍ଦେଶାଇ ତାଙ୍କୁ ଅନେକ ସମୟରେ ବିଜେପିର କପିଳ ଦେବ ବୋଲି ସମ୍ବୋଧନ କରୁଥିଲେ। ଅରୁଣ ଶନିବାର ଅସ୍ତମିତ ହେବା ସହ ଭାରତୀୟ କ୍ରୀଡ଼ା ଜଗତରେ ମଧ୍ୟ ଶୋକର ଛାୟା ଖେଳି ଯାଇଛି।

ଜେଟ୍‌ଲି ପାଖାପାଖି ଦେଢ଼ ଦଶନ୍ଧି (୧୯୯୯-୨୦୧୩) ପର୍ଯ୍ୟନ୍ତ ଦିଲ୍ଲୀ କ୍ରିକେଟ୍ ସଂଘ (ଡିଡିସିଏ)ର ସଭାପତି ଥିଲେ। ସେ ଡିଡିସିଏର ସଭାପତି ଥିଲା ବେଳେ ଆକାଶ ଚୋପ୍ରାଙ୍କଠାରୁ ଆରମ୍ଭ କରି ଆଶିଷ ନେହରା, ଶିଖର ଧାୱନ, ଈଶାନ୍ତ ଶର୍ମା, ଗୌତମ ଗମ୍ଭୀର, ବିରାଟ କୋହଲିଙ୍କ ପର୍ଯ୍ୟନ୍ତ ଦିଲ୍ଲୀର ଅନେକ ଯୁବ କ୍ରିକେଟର ଭାରତୀୟ ଦଳରେ ଖେଳିବାର ସୁଯୋଗ ପାଇଥିଲେ। ୧୯ ବର୍ଷରୁ କମ୍ ଦଳରୁ ହିଁ ଜେଟ୍‌ଲି ଉଦୀୟମାନ ପ୍ରତିଭାଙ୍କୁ ଚିହ୍ନଟ କରି ସେମାନଙ୍କୁ ସମର୍ଥନ ଓ ସହଯୋଗ ଦେଇ ଆସୁଥିଲେ। ୧୯୯୭ ମସିହାରେ ସେ ଡିଡିସିଏର ସଦସ୍ୟତା ଗ୍ରହଣ କରିଥିଲେ। ଏହାର ମାତ୍ର ଦୁଇ ବର୍ଷ ପରେ ସଭାପତି ପଦ ଅଳଙ୍କୃତ କରିଥିଲେ। ଜେଟ୍‌ଲି ୨୦୧୩ ମସିହାରେ କିଛି ମାସ ପାଇଁ ବିସିସିଆଇର ଉପସଭାପତି ଥିଲେ। ସେ ମଧ୍ୟ ଏକଦା ଆଇପିଏଲ୍ ପରିଚାଳନା ପରିଷଦର ସଦସ୍ୟ ଥିଲେ। ଜେଟ୍‌ଲିଙ୍କ ବିରୋଧରେ ସାଥୀ ସାଂସଦ କୀର୍ତ୍ତି ଆଜାଦ ଓ ଆମ୍ ଆଦମି ପାର୍ଟି ପକ୍ଷରୁ ଭ୍ରଷ୍ଟାଚାର ଅଭିଯୋଗ ହୋଇଥିଲା। ହେଲେ ଜେଟ୍‌ଲି ଏହାକୁ ଦୃଢ଼ ହସ୍ତରେ ଖଣ୍ଡନ କରିଥିଲେ। ଅଭିଯୋଗକାରୀ କୌଣସି ପ୍ରମାଣ ମଧ୍ୟ ଦେଇ ପାରି ନଥିଲେ। ସମାନ୍ତରାଳ ଭାବେ ଜେଟ୍‌ଲି ଭାରତୀୟ ହକିର ବିକାଶ ଲାଗି କାର୍ଯ୍ୟ କରୁଥିଲେ। ଗତବର୍ଷ ସେ ‘ହକି ଆଣ୍ଡ ଡ୍ରିମ୍ସ; ଇନ୍ ଏ ଜେଷ୍ଟ ଟୁ ଡକୁମେଣ୍ଟ ଦି ଟ୍ରମ୍ପ୍ସ ଆଣ୍ଡ ଟିଅର୍ସ’ ନାମରେ ଏକ ହକି କଫି ଟେବୁଲ ପୁସ୍ତକର ଉନ୍ମୋଚନ କରିଥିଲେ।

ବୀରେନ୍ଦ୍ର ସେହବାଗ ଏକ ଛୋଟ ଗାଁରୁ ଆସି ପ୍ରଥମେ ଦିଲ୍ଲୀ ରଣଜୀ ଦଳ ଏବଂ ତା’ ପରେ ଭାରତୀୟ କ୍ରିକେଟ୍ ଦଳର ପ୍ରତିନିଧିତ୍ବ କରିବାରେ ଜେଟ୍‌ଲିଙ୍କର ବଳିଷ୍ଠ ଭୂମିକା ଥିଲା। ବ୍ୟକ୍ତିଗତ ଭାବେ ସେହବାଗଙ୍କୁ ସେ ବହୁତ ଭଲ ପାଉଥିଲେ। ସେଥିପାଇଁ ସେହବାଗ ଯେତେବେଳେ ୨୨ ଏପ୍ରିଲ ୨୦୦୪ରେ ଆରତି ଆହଲୱାତଙ୍କୁ ବିବାହ କଲେ, ଜେଟ୍‌ଲି ନିଜ ବାସଭବନରେ ହିଁ ସେହବାଗଙ୍କ ବିବାହ ‌‌‌ଉତ୍ସବର ଆୟୋଜନ କରିଥିଲେ। ଖାସ୍ ସେହବାଗଙ୍କ ବିବାହ ପାଇଁ ଜେଟ୍‌ଲି ଦିଲ୍ଲୀର ୯ ଅଶୋକ ରୋଡରେ ଥିବା ନିଜ ବଙ୍ଗଳାର ନବୀକରଣ କରିଥିଲେ। ଅତିଥିଙ୍କ ପାଇଁ ସମସ୍ତ ଆୟୋଜନ ମଧ୍ୟ ସେ ହିଁ କରିଥିଲେ। ଶନିବାର ଜେଟ୍‌ଲିଙ୍କ ନିଧନ ପରେ ସେହବାଗ ସାମାଜିଜ ଗଣମାଧ୍ୟମରେ ଶୋକ ପ୍ରକାଶ କରିଛନ୍ତି। ଜେଟଲିଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଦେଇ ସେହବାଗ ଭାରତୀୟ କ୍ରିକେଟ୍ ପ୍ରତି ତାଙ୍କ ଅବଦାନର ସ୍ମୃତି ଚାରଣ କରିଛନ୍ତି।

ହକି ଇଣ୍ଡିଆର ‌‌ଶୋକ
‌ଜେଟ୍‌ଲିଙ୍କ ନିଧନରେ ବିଭିନ୍ନ କ୍ରୀଡ଼ା ସଂଗଠନ ସହ ହକି ଇଣ୍ଡିଆ ମଧ୍ୟ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛି। ସଂଘର ସଭାପତି ମୁସ୍ତାକ ଅହମ୍ମଦ ଏକ ଶୋକବାର୍ତ୍ତାରେ ଭାରତୀୟ କ୍ରୀଡ଼ା ପ୍ରତି ଜେଟ୍‌ଲିଙ୍କର ଅତୁଳନୀୟ ଅବଦାନ ରହିଥିଲା ବୋଲି ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି ଜେଟ୍‌ଲିଙ୍କ ଦୁଃଖଦ ବିୟୋଗରେ ମୁଁ ଅତ୍ୟନ୍ତ ମର୍ମାହତ। ଜଣେ ଶ୍ରେଷ୍ଠ ରାଜନେତା ସହ ଜେଟ୍‌ଲି ଭାରତୀୟ କ୍ରୀଡ଼ାର ଜଣେ ଦୃଢ଼ ସମର୍ଥକ ଥିଲେ। ଭାରତୀୟ ହକିକୁ ସେ ଅନେକ ସମୟରେ ସମର୍ଥନ ଦେଇ ଆସୁଥିଲେ। ତାଙ୍କ ଅମର ଆତ୍ମାର ସଦଗତି ଆମର ଏକାନ୍ତ କାମ୍ୟ।

କୋହଲି ବାହିନୀର କଳାପଟି ଶ୍ରଦ୍ଧାଞ୍ଜଳି
ଜେଟ୍‌ଲିଙ୍କୁ ବିସିସିଆଇ ଏବଂ ଭାରତୀୟ ଖେଳାଳି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ବିସିସିଆଇ ତା’ ଶୋକବାର୍ତାରେ କହିଛି ଯେ ଜେଟ୍‌ଲି ଜଣେ ଅସାଧାରଣ ରାଜନେତା ଏବଂ ସକ୍ଷମ ଓ ସମ୍ମାନିତ କ୍ରିକେଟ୍ ପ୍ରଶାସକ ଭାବେ ମନେ ରହିବେ। ତା’ ସହ ଭାରତୀୟ କ୍ରିକେଟ୍ ଦଳ ମଧ୍ୟ ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟର ତୃତୀୟ ଦିନରେ ବାହୁ କଳା ପଟି ପିନ୍ଧି ତାଙ୍କୁ ଶ୍ରଦ୍ଧା ସୁମନ ପ୍ରଦାନ କରିଛି।

‘ପିତୃତୁଲ୍ୟ ଜେଟଲିଙ୍କ ସହ ଶରୀରର ଏକ ଅଂଶ ଚାଲିଗଲା’
ଗୌତମ ଗମ୍ଭୀର: ବିଜେପି ସାଂସଦ ତଥା ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲିଙ୍କୁ ଆବେଗଭରା ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ନିଜ ଟ୍ବିଟର ପୃଷ୍ଠାରେ ସେ ଲେଖିଛନ୍ତି ପିତା ଆପଣଙ୍କୁ କଥା କହିବା ଏବଂ ଚାଲିବା ଶିଖାଇ ଥାଆନ୍ତି, ହେଲେ ପିତୃତୁଲ୍ୟ ବ୍ୟକ୍ତି ଆଗକୁ ବଢ଼ିବାର ବାଟ ଦେଖାଇ ଥାଆନ୍ତି। ପିତା ନାମକରଣ କରନ୍ତି, ହେଲେ ପିତୃତୁଲ୍ୟ ପରିଚୟ ପ୍ରଦାନ କରିନ୍ତି। ପିତୃତୁଲ୍ୟ ଅରୁଣ ଜେଟ୍‌ଲିଙ୍କ ସହ ମୋ ଶରୀରର ଏକ ଅଂଶ ଚାଲିଗଲା

ବିରାଟ କୋହଲି: ସ୍ତବ୍ଧ ଏବଂ ଦୁଃଖିତ। ଜେଟ୍‌ଲିଜୀ ସତରେ ଜଣେ ବହୁତ ଭଲ ଲୋକ ଥିଲେ। ଅନ୍ୟକୁ ସାହାଯ୍ୟ କରିବାକୁ ସେ ସବୁବେଳେ ପ୍ରସ୍ତୁତ ରହୁଥିଲେ। ୨୦୦୬ରେ ମୋ ପିତା ଚାଲିଗଲା ବେଳେ ଜେଟ୍‌ଲି ଆମ ଘରକୁ ବ୍ୟକ୍ତିଗତ ଭାବେ ଆସି ଶ୍ରଦ୍ଧାଞ୍ଜଳି ଦେଇଥିଲେ। ତାଙ୍କ ଅମର ଆତ୍ମାର ସଦଗତି ହେଉ।

ଶିଖର ଧାୱନ: ଅଶ୍ରୁଳ ଶ୍ରଦ୍ଧାଞ୍ଜଳି। ଶୋକସନ୍ତପ୍ତ ପରିବାରକୁ ମୋର ସମବେଦନା

ଆକାଶ ଚୋପ୍ରା: ଜେଟ୍‌ଲିଙ୍କ ନିଧନରେ ବହୁତ ଦୁଃଖୀ। ସେ ଜଣେ ଅସାଧାରଣ ବକ୍ତା ଏବଂ ସଚ୍ଚା କ୍ରିକେଟ୍‌ପ୍ରେମୀ ଥିଲେ। ୧୯ ବର୍ଷରୁ କମ୍ ଖେଳାଳିଙ୍କ ନାଁକୁ ମଧ୍ୟ ସେ ବ୍ୟକ୍ତିଗତ ଭାବେ ମନେ ରଖୁଥିଲେ। ଆପଣ ଚାଲିଗଲା ପରେ ବିଶ୍ବ ଆଜି କାଙ୍ଗାଳ।

ଭିଭିଏସ୍ ଲକ୍ଷ୍ମଣ: ଗଭୀର ଶ୍ରଦ୍ଧାଞ୍ଜଳି। ଶୋକ ସନ୍ତପ୍ତ ପରିବାର, ବନ୍ଧୁ ଓ ଶୁଭଚ୍ଛୁଙ୍କ ପ୍ରତି ମୋର ସମବେଦନା।

ଗୀତା ଫୋଗଟ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜେଟ୍‌ଲିଙ୍କ ଅକାଳ ବିୟୋଗରେ ମୁଁ ବହୁତ ଦୁଃଖୀ। ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ।

ସମ୍ବନ୍ଧିତ ଖବର