ପ୍ରଥମ ଦିନିକିଆ: ଭାରତକୁ ୯ ରନରେ ପରାସ୍ତ କଲା ଦକ୍ଷିଣ ଆଫ୍ରିକା

ଲକ୍ଷ୍ନୌ : ଲକ୍ଷ୍ନୌଠାରେ ଖେଳାଯାଉଥିବା ପ୍ରଥମ ଦିନିକିଆ ମ୍ୟାଚରେ ଭାରତକୁ ୯ ରନରେ ପରାସ୍ତ କଲା ଦକ୍ଷିଣ ଆଫ୍ରିକା । ଦ୍ବିତୀୟ ପାଳିରେ ଭାରତ ୨୫୦ ରନ୍‌ର ଲକ୍ଷ୍ୟକୁ ପିଛା କରି ନିର୍ଦ୍ଧାରିତ ଓଭରରେ ୮ ୱିକେଟ ହରାଇ ୨୪୦ ରନ୍‌ କରି ପରାସ୍ତ ହୋଇଛି । ଭାରତ ପକ୍ଷରୁ ସଞ୍ଜୁ ସାମସନ୍‌ଙ୍କ ଲଢୁ୍ଆ ବ୍ୟାଟିଂ ଦେଖିବାକୁ ମିଳିଥିଲା ସେ ୬୩ ବଲରେ ୮୬ ରନ୍‌ କରିଥିଲେ କିନ୍ତୁ ଭାରତକୁ ବିଜୟ ଦେବାରେ ସକ୍ଷମ ହୋଇନଥିଲେ । ସେହିପରି ଶ୍ରେୟସ୍ ଆୟର ୫୦ ରନ୍‌ ଓ ଶାର୍ଦ୍ଦୁଲ ଠାକୁର ୩୩ ରନ୍‌ କରିଥିଲେ । ଅନ୍ୟପଟେ ଦକ୍ଷିଣ ଆଫ୍ରିକା ପକ୍ଷରୁ ରବଡା ୨ ୱିକେଟ, ଲୁଙ୍ଗି ନିଗିଡି ୩ ୱିକେଟ ନେଇଥିବା ବେଳେ ୱେନ ପାର୍ନେଲ, କେଶବ ମହାରାଜ, ତାବ୍ରାଇଜ୍ ଶାମସି ୧-୧ ୱିକେଟ ନେଇ ଦକ୍ଷିଣ ଆଫ୍ରିକାକୁ ବିଜୟ ଦେଇଥିଲେ ।

ପ୍ରଥମ ପାଳିରେ ଖେଳକୁ ବର୍ଷା ଯୋଗୁଁ  ୪୦ ଓଭରକୁ କମାଯାଇଥିବା ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୪୦ ଓଭରରେ ୪ ଓ୍ବିକେଟ୍ ହରାଇ ୨୪୯ ରନ କରିଥିଲା । ଦଳର ଦୁଇ ଓପନର ଜାନେମନ ମଲାନ ଓ କ୍ବିଣ୍ଟନ ଡି’କକ୍ ଦଳ ପାଇଁ ଏକ ଭଲ ମୂଳଦୁଆ ପକାଇଥିଲେ । ଉଭୟ ପ୍ରଥମ ଓ୍ବିକେଟ୍ ଯୋଡ଼ିରେ ୪୯ ରନ କରିଥିଲେ ।

ତେବେ ମଲାନ ୨୨ ରନ ଓ ଡିକକ୍ ୪୮ ରନ କରି ଆଉଟ ହେବା ପରେ ଅଧିନାୟକ ବାଭୁମା ଓ ଆଇଡେନ ମାର୍କରାମ ଶସ୍ତାରେ ଆଉଟ ହୋଇ ଦଳ ପାଇଁ ଚାପ ସୃଷ୍ଟି କରିଥିଲେ । କିନ୍ତୁ ଡେଭିଡ୍ ମିଲର ଓ ହେନେରିକ କ୍ଲାସେନ ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ ଓ ଏକ ବଡ଼ ସ୍କୋର ଛିଡ଼ା କରିଥିଲେ । ମିଲର ୬୩ ବଲରୁ ୭୫ ରନ ଓ କ୍ଲାସେନ ୬୫ ବଲରୁ ୭୪ ରନ କରିଥିଲେ । ଭାରତ ପକ୍ଷରୁ ଶାର୍ଦ୍ଦୁଳ ଠାକୁର ୨ଟି ଓ୍ବିକେଟ ନେଇଥିବାବେଳେ ରବି ବିଷ୍ଣୋଇ ଓ କୁଳଦୀର ଯାଦବ ଗୋଟିଏ ଲେଖାଏଁ ଓ୍ବିକେଟ୍ ନେଇଥିଲେ ।

ସମ୍ବନ୍ଧିତ ଖବର