ସାଉଥହମ୍ପଟନ ଟେଷ୍ଟ : ଇଣ୍ଡିଜ ୩୧୮ ରନରେ ଅଲଆଉଟ, ଇଂଲାଣ୍ଡ ୨ୟ ଇନିଂସରେ ୬୩/୦*

ଲଣ୍ଡନ : ଇଂଲାଣ୍ଡର ସାଉଥହମ୍ପଟନଠାରେ ଥିବା ରୋଜ ବାଉଲ ଷ୍ଟାଡିୟମଠାରେ ଗତ ୮ ତାରିଖଠାରୁ ଆରମ୍ଭ ହୋଇଥିବା ଇଂଲାଣ୍ଡ-ୱେଷ୍ଟଇଣ୍ଡିଜ ପ୍ରଥମ ଟେଷ୍ଟର ଆଜି ହେଉଛି ୪ର୍ଥ ଦିନ । ଇଣ୍ଡିଜ ଦଳ ନିଜର ପ୍ରଥମ ଇନିଂସରେ ୩୧୮ ରନ କରି ଅଲଆଉଟ ହେବା ପରେ ଇଂଲାଣ୍ଡ ଦଳ ନିଜର ୨ୟ ଇନିଂସ ବ୍ୟାଟିଂ ସତର୍କତାର ସହ ଆରମ୍ଭ କରିଛି । ଶେଷ ଖବର ମିଳିବା ସୁଦ୍ଧା ଇଂଲାଣ୍ଡ କୌଣସି ୱିକେଟ ନ ହରାଇ ୬୩ ରନ ସଂଗ୍ରହ କରିଛି । ଦୁଇ ଓପନର ରୋରି ବର୍ନସ ଓ ଡୋମିନିକ ସିବଲି ସତର୍କତାର ସହ ଖେଳି ଯଥାକ୍ରମେ ୩୯ ଓ ୨୩ ରନରେ ଅପରାଜିତ ଅଛନ୍ତି ।

ନିଜର ପ୍ରଥମ ଇନିଂସରେ ଇଂଲାଣ୍ଡ ମାତ୍ର ୨୦୪ ରନ କରି ଅଲଆଉଟ ହୋଇଯାଇଥିଲା । ହୋଲଡର ମାତ୍ର ୪୨ ରନ ଦେଇ ୬ଟି ୱିକେଟ ନେଇଥିଲେ । ଏହାର ଜବାବରେ ଇଣ୍ଡିଜ ଦଳ ୩୧୮ ରନ କରି ଅଲଆଉଟ ହୋଇଯାଇଥିଲା । ଇଂଲାଣ୍ଡ ତରଫରୁ ଷ୍ଟୋକସ ୪ଟି ଓ ଆଣ୍ଡରସନ ୩ଟି ୱିକେଟ ନେଇଥିଲେ ।

ଏହି ଟେଷ୍ଟ ମ୍ୟାଚ ଉପରେ ସମଗ୍ର ବିଶ୍ବର କ୍ରିକେଟ ପ୍ରେମୀଙ୍କ ନଜର ରହିଛି । କାରଣ କରୋନା ମହାମାରୀ ଯୋଗୁଁ ଗତ କିଛିମାସ ଧରି କ୍ରିକେଟ ବନ୍ଦ ରହିବା ପରେ ଏହା ହେଉଛି ପ୍ରଥମ ମ୍ୟାଚ । କରୋନା ମହାମାରୀ କ୍ରିକେଟ ଜଗତକୁ ଏକ ବଡ଼ ଧକ୍କା ଦେଇଛି । କିନ୍ତୁ ଏହି ମ୍ୟାଚ ମାଧ୍ୟମରେ ନୂଆ ନିୟମ ଓ କଟକଣା ସହ କ୍ରିକେଟ ପୁଣି ଛିଡ଼ା ହେବାକୁ ଚେଷ୍ଟା କରୁଛି ।

ସମ୍ବନ୍ଧିତ ଖବର