ଇରାନକୁ ହରାଇଲା ସ୍ପେନ୍‌

କାଜାନ : ପର୍ତୁଗାଲ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ସୁଯୋଗ ହାତଛଡ଼ା କରିଥିବା ସ୍ପେନ୍‌ ଶେଷରେ ବିଜୟର ସ୍ୱାଦ ଚାଖିଛି। ବୁଧବାର ବିଳମ୍ବିତ ରାତିରେ ଖେଳିଥିବା ଇରାନ ବିପକ୍ଷ ଦ୍ୱିତୀୟ ମୁକାବିଲାକୁ ଏହି ପୂର୍ବ ବିଜେତା ଦଳ ୧-୦ ଗୋଲ୍‌ରେ ଜିତି ନେଇଛି। ତା’ ସହ ଚଳିତ ଫିଫା ବିଶ୍ୱକପ୍‌ରେ ଦୁଇଟି ମ୍ୟାଚ୍‌ରୁ ଗୋଟିଏ ଡ୍ର’ ଏବଂ ଗୋଟିଏ ବିଜୟ ପାଇ ମୋଟ ଚାରି ପଏଣ୍ଟ ଅର୍ଜନ କରି ପ୍ରି-କ୍ୱାର୍ଟର ଯିବା ଆଶାକୁ ଉଜ୍ଜୀବିତ ରଖିଛି। ଆଜି ମ୍ୟାଚ୍‌ର ଏକମାତ୍ର ଗୋଲ୍‌ ଡିଏଗୋ କୋଷ୍ଟା ଦେଇଥିଲେ। ଅନ୍ୟ ପକ୍ଷରେ ନିଜ ପ୍ରଥମ ମ୍ୟାଚ୍‌ରେ ମରକ୍କୋକୁ ହରାଇଥିବା ଇରାନ ପ୍ରଥମ ପରାଜୟ ବରଣ କରି ପଏଣ୍ଟ୍‌ ତାଲିକାର ତୃତୀୟକୁ ଖସିଛି।

ସ୍ପେନ୍‌ ଏବଂ ଇରାନ ପ୍ରଥମ ଥର ପାଇଁ ମୁହାଁ ମୁହିଁ ହୋଇଥିଲେ। ଅଭିଜ୍ଞ ସ୍ପେନ୍‌ ପ୍ରଥମାର୍ଧରେ ତୁଳନାତ୍ମକ ଭାବେ ଅଧିକ ଆକ୍ରମଣ କରିଥିଲା। ଇରାନ ଏହି କ୍ଷେତ୍ରରେ ଢେର ପଛୁଆ ରହିଥିଲା। ହେଲେ ଏହି ଦଳର ଦକ୍ଷ ରକ୍ଷଣଭାଗ ସ୍ପେନ୍‌ର ପ୍ରତି ଆକ୍ରମଣକୁ ସଫଳତାର ସହ ପ୍ରତିହତ କରିଥିଲା। ଫଳରେ ପ୍ରଥମ ୪୫ ମିିନଟ୍‌ ଖେଳରେ ଉଭୟ ଦଳ କେହି କାହାରିକୁ ଗୋଲ୍‌ ଦେଇ ପାରି ନଥିଲେ। ଶୃଙ୍ଖଳିତ ଖେଳ ପାଇଁ ଏହି ଅର୍ଧରେ କୌଣସି ଖେଳାଳି ହଳଦିଆ କିମ୍ବା ଲାଲ୍‌ କାର୍ଡ ପାଇ ନଥିଲେ। ଦ୍ୱିତୀୟାର୍ଧ ପ୍ରାରମ୍ଭରେ କିନ୍ତୁ ସ୍ପେନ୍‌ ଏହି ଗତିରୋଧ ଦୂର କରିବାକୁ ସକ୍ଷମ ହୋଇଥିଲା। ୫୪ ମିନିଟ୍‌ରେ ଆନ୍ଦ୍ରେସ୍‌ ଇନିଏସ୍ତାଙ୍କଠାରୁ ପାଇଥିବା ପାସ୍‌କୁ ଚତୁରତାର ସହ ଗୋଲ୍‌ ପୋଷ୍ଟ୍‌ ଭିତରକୁ ପଠାଇ ଡିଏଗୋ କୋଷ୍ଟା ନିଜ ଦଳକୁ ଆଗୁଆ କରି ଦେଇଥିଲେ। ମସ୍କୋ ବିଶ୍ୱକପ୍‌ରେ ଏହା ମଧ୍ୟ ତାଙ୍କର ବ୍ୟକ୍ତିଗତ ତୃତୀୟ ଗୋଲ୍‌ ଥିଲା। ୮ ମିିନଟ୍‌ ଭିତରେ ଇରାନ ଫ୍ରି-କିକ୍‌ ଜରିଆରେ ଏହି ଗୋଲ୍‌ଟିକୁ ଶୁଝି ଥିଲା। ହେଲେ ପରବର୍ତୀ ମିନିଟ୍‌ରେ ରେଫରି ଭାର୍‌ ସହାୟତାରେ ନାଟକୀୟ ଭାବେ ଏହି ଗୋଲ୍‌ଟିକୁ ନାକଚ କରି ଦେଇଥିଲେ। ଗୋଲଟି ଅଫ୍‌ ସାଇଡ୍‌ ଥିବା ଭାର୍‌ ଜ୍ଞାନ କୌଶଳରୁ ଜଣା ପଡ଼ିବା ପରେ ସ୍ପେନ୍‌ ଶାନ୍ତିର ନିଶ୍ୱାସ ମାରିଥିଲା। ହେଲେ ଇରାନ ପାଇଁ ଏହା ହତାଶାର ଖବର ଥିଲା। ଏହା ପରେ ଇରାନ ଏକପ୍ରକାର ଆତ୍ମବିଶ୍ୱାସ ହରାଇ ବସିଥିଲା। ଶେଷ ପର୍ଯ୍ୟନ୍ତ ଚେଷ୍ଟା କରି ମଧ୍ୟ ଗୋଲ୍‌ ଖାତା ଖୋଲିବାକୁ ସକ୍ଷମ ହୋଇ ନଥିଲା। ଫଳରେ ପ୍ରଥମ ମ୍ୟାଚ୍‌ରେ ପର୍ତୁଗାଲ ସହ ପଏଣ୍ଟ ବାଣ୍ଟିଥିବା ସ୍ପେନ୍‌ ଚଳିତ ବିଶ୍ୱକପ୍‌ରେ ପ୍ରଥମ ବିଜୟ ହାସଲ କରିଥିଲା।

ସମ୍ବନ୍ଧିତ ଖବର