ବାର୍ସିଲୋନା : ଚଳିତ ଫିଫା ବିଶ୍ବକପ୍ରେ କ୍ବାର୍ଟର ଫାଇନାଲ୍ ପୂର୍ବରୁ ସ୍ପେନ୍ ଦଳର ବିଦାୟ ପରେ ଏହାର ଅଧିନାୟକ ସର୍ଗିଓ ବସ୍କ୍ବେଟ୍ସ ଶୁକ୍ରବାର ଆନ୍ତର୍ଜାତିକ ଅବସର ଘୋଷଣା କରିଦେଇଛନ୍ତି। ତାଙ୍କ ଦଳ ପ୍ରିକ୍ବାର୍ଟର ଫାଇନାଲ୍ରେ ପେନାଲ୍ଟି ସୁଟ୍ଆଉଟ୍ ଗୋଲ୍ରେ ମରକ୍କୋଠାରୁ ହାରି ବିଦାୟ ନେଇଥିଲା। ଏହି ସ୍ପାନିସ୍ ମିଡ୍ଫିଲ୍ଡର ଏବଂ ୨୦୧୦ ବିଶ୍ବକପ୍ ବିଜେତା ବସ୍କ୍ବେଟ୍ସ ଶୁକ୍ରବାର ନିଜ ସାମାଜିକ ଗଣମାଧ୍ୟମ ପ୍ଲାଟ୍ଫର୍ମରେ ଆନ୍ତର୍ଜାତିକ ଫୁଟ୍ବଲ୍ରୁ ଅବସର ଘୋଷଣା କରିଛନ୍ତି।
ପାଖାପାଖି ୧୫ ବର୍ଷ ଏବଂ ୧୪୩ ମ୍ୟାଚ୍ ଖେଳିବା ପରେ ମୁଁ ଜାତୀୟ ଦଳରୁ ବିଦାୟ ନେବାକୁ ନିଷ୍ପତ୍ତି ନେଇଛି ବୋଲି କହିଛନ୍ତି ୩୪ ବର୍ଷ ବୟସ୍କ ବାର୍ସିଲୋନା ମହାନ୍ ବସ୍କ୍ବେଟ୍ସ। ତେବେ ଆନ୍ତର୍ଜାତିକ ଫୁଟ୍ବଲ୍କୁ ଅଲ୍ବିଦା ଜଣାଇବାରେ ବସ୍କ୍ବେଟ୍ସ ହେଉଛନ୍ତି ୨୦୧୦ ବିଶ୍ବ ବିଜେତା ସ୍ପେନ୍ ଦଳର ଶେଷ ସଦସ୍ୟ। ସେ ମଧ୍ୟ ୨୦୧୨ ୟୁରୋପୀୟ ଟ୍ରଫି ଜିତିଥିବା ଦଳର ସଦସ୍ୟ ଥିଲେ। ତାଙ୍କ ୨୦୧୦ ଦଳୀୟ ସାଥୀ କାସିଲାସ୍ (୧୬୭) ଏବଂ ସର୍ଗିଓ ରାମୋସ୍ (୧୮୦) ହିଁ ସ୍ପେନ୍ ପାଇଁ ବସ୍କ୍ବେଟସ (୧୪୩)ଙ୍କଠୁ ଅଧିକ ଆନ୍ତର୍ଜାତିକ ମ୍ୟାଚ୍ରେ ପ୍ରତିନିଧିତ୍ବ କରିଥିଲେ।