କୋଲ୍କାତା: ଭାରତରେ ପ୍ରଥମ ଥର ଲାଗି ଆୟୋଜିତ ହେଉଥିବା ୧୭ ବର୍ଷରୁ କମ୍ ଫିଫା ବିଶ୍ୱକପ୍ର ଫାଇନାଲ୍ ମ୍ୟାଚ୍ କୋଲ୍କାତାର ବିବେକାନନ୍ଦ ଯୁବ ଭାରତୀ କ୍ରୀଡ଼ାଙ୍ଗନ ଷ୍ଟାଡିୟମରେ ଶନିବାର ଖେଳାଯିବ। ବିଶ୍ୱ ବିଜେତାର ମୁକୁଟ ପିନ୍ଧିବା ପାଇଁ ଏଥର ଦୁଇ ୟୁରୋପୀୟ ଦେଶ ଇଂଲଣ୍ଡ ଓ ସ୍ପେନ୍ ମଧ୍ୟରେ ଲଢ଼େଇ ହେବ। ପ୍ରତୀକ୍ଷିତ ଫାଇନାଲ୍ ପୂର୍ବରୁ କାଂସ୍ୟ ପଦକ ପାଇଁ ଏଠାରେ ତିନି ଥର ବିଜେତା ବ୍ରାଜିଲ୍ ଏବଂ ଗତ ସଂସ୍କରଣର ଉପବିଜେତା ମାଲି ମଧ୍ୟରେ ମୁକାବିଲା ହେବ। ବ୍ରାଜିଲ୍କୁ ୩-୧ ଗୋଲ୍ରେ ହରାଇ ଇଂଲଣ୍ଡ ପ୍ରଥମ ଥର ଲାଗି ଫାଇନାଲ୍ରେ ପ୍ରବେଶ କରିଛି। ଅନ୍ୟ ପକ୍ଷରେ ମାଲି’କୁ ୩-୧ ଗୋଲ୍ରେ ପରାସ୍ତ କରି ସ୍ପେନ୍ ଚତୁର୍ଥ ଥର ଲାଗି ଫାଇନାଲ୍ରେ ପହଞ୍ଚିଛି।
ଏଥର ନୂଆ ବିଜେତା
ସ୍ପେନ୍ ପୂର୍ବରୁ ୩ ଥର ଫାଇନାଲ୍ରେ ପହଞ୍ଚିଥିଲେ ମଧ୍ୟ କେବେ ହେଲେ ବି ଟ୍ରଫି ଜିତିବାରେ ସଫଳ ହୋଇନାହିଁ। ଇଂଲଣ୍ଡ ମଧ୍ୟ ପ୍ରଥମ ଥର ପାଇଁ ଟ୍ରଫି ଲଢ଼େଇରେ ଅବତୀର୍ଣ୍ଣ ହେବ। ଏଣୁ ଶନିବାର ଲଢ଼େଇରେ ଯିଏ ବିଜେତା ହେଉ ନା କାହିଁକି ବିଶ୍ୱ ଫୁଟବଲ୍ ୧୭ ବର୍ଷରୁ କମ୍ ବର୍ଗରେ ନୂଆ ବିଜେତା ପାଇବ। ସ୍ପେନ୍ ତା’ର ପୂର୍ବ ବିଫଳତା ସୁଧାରି ଭାରତରେ ନିଜ ବିଜୟ ବାନା ଉଡ଼ାଇବାକୁ ଚେଷ୍ଟା କରିବ। ସେପଟେ ଇଂଲଣ୍ଡ ପଦାର୍ପଣ ଫାଇନାଲ୍ରେ ଟ୍ରଫି କରାୟତ କରି ଏହାକୁ ସ୍ମରଣୀୟ କରିବା ସହ ୟୁରୋପୀୟ ପ୍ରତିଯୋଗିତା ଫାଇନାଲ୍ର ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିବ।
ଇଂଲଣ୍ଡ ଓ ସ୍ପେନ୍ ୟୁରୋପୀୟ ୧୭ ବର୍ଷରୁ କମ୍ ପ୍ରତିଯୋଗିତାର ଫାଇନାଲ୍ରେ ୩ ଥର ଭେଟ ଭେଟି ହୋଇଛନ୍ତି। ସେଥିମଧ୍ୟରୁ ସ୍ପେନ୍ ଦୁଇଥର (୨୦୦୭ , ୨୦୧୭) ଏବଂ ଇଂଲଣ୍ଡ ଥରେ (୨୦୧୦) ବିଜୟୀ ହୋଇଛି। ଫଳରେ ୧୭ ବର୍ଷରୁ କମ୍ ଫୁଟବଲର ଫାଇନାଲ୍ରେ ସ୍ପେନ୍ର ପଲ୍ଲା ଭାରି ରହିଛି। ଚଳିତ ବିଶ୍ୱକପ୍ରେ ରିଆନ୍ ବ୍ରିଉଷ୍ଟର ଲଗାତାର କ୍ୱାର୍ଟର୍ ଏବଂ ସେମିଫାଇନାଲ୍ରେ ହ୍ୟାଟ୍ରିକ୍ ଗୋଲ୍ ସହ ଇଂଲଣ୍ଡକୁ ଫାଇନାଲ୍ ପହଞ୍ଚାଇବାରେ ପ୍ରମୁଖ ଭୂମିକା ତୁଲାଇଥିଲେ। ପୂର୍ବ ଦୁଇ ମ୍ୟାଚ୍ ପରି ଫାଇନାଲ୍ରେ ବ୍ରିଉଷ୍ଟରଙ୍କ ପାଦ ଚାଲେ ତେବେ ଇଂଲଣ୍ଡ ପାଇଁ ଟ୍ରଫି ଜିତିବା ସହଜ ହେବ। ବ୍ରିଉଷ୍ଟରଙ୍କ ୭ ଗୋଲ୍ ପଛକୁ ସ୍ପେନ୍ର ଅଧିନାୟକ ଆବେଲ ରୁଇଜ୍ ୬ ଗୋଲ୍ ଦ୍ୱିତୀୟ ସ୍ଥାନ ସହ ସ୍ୱର୍ଣ୍ଣ ଜୋତା ଦୌଡ଼ରେ ରହିଛନ୍ତି। ସେହିପରି କାଂସ୍ୟ ପାଇଁ ଖେଳିବାକୁ ଥିବା ମାଲିର ଲାସାନା ଦିୟାଏ (୬ ଗୋଲ୍) ମଧ୍ୟ ଏହି ଦୌଡ଼ରେ ନିଜକୁ ସମିଲ କରିଛନ୍ତି।
ଦର୍ଶକ ଗଢ଼ିବେ କୀର୍ତ୍ତିମାନ
ଫିଫା ୧୭ ବର୍ଷରୁ କମ୍ ବିଶ୍ୱକପର ଦର୍ଶକ ସଂଖ୍ୟାରେ ଭାରତ ପଡ଼ୋଶୀ ଚୀନକୁ ଟପିବ। ଚୀନରେ ଆୟୋଜିତ ହୋଇଥିବା ସଂସ୍କରଣକୁ ଦେଖିଥିବା ଦର୍ଶକ ସଂଖ୍ୟାଠାରୁ ଭାରତରେ ଆୟୋଜିତ ହେଉଥିବା ଚଳିତ ବିଶ୍ୱକପର ଦର୍ଶକ ସଂଖ୍ୟା ଏବେ ମାତ୍ର ୬,୦୦୦ କମ୍ ରହିଛି। ଏଣୁ ଭାରତରେ ସଂପ୍ରତି ଆୟୋଜିତ ହେଉଥିବା ବିଶ୍ୱକପ୍ ସର୍ବାଧିକ ଦର୍ଶକର କୀତ୍ତିମାନ କରିବା ଏକ ପ୍ରକାର ସ୍ପଷ୍ଟ ହୋଇ ଯାଇଛି। ମୁମ୍ବାଇର ଦିନ ଦୟାଲ ପାଟିଲ ଷ୍ଟାଡିୟମରେ ଖେଳା ଯାଇଥିବା ସ୍ପେନ୍-ମାଲି ଦ୍ୱିତୀୟ ସେମିଫାଇନାଲକୁ ୩୭,୪୮୭ ଦର୍ଶକ ଦେଖିବା ପରେ ଏହା ସ୍ପଷ୍ଟ ହୋଇ ଯାଇଛି। ସୂଚନା ଅନୁସାରେ ଦୁଇଟି ଯାକ ସେମିଫାଇନାଲ୍ର ଶେଷ ପର୍ଯ୍ୟନ୍ତ ଭାରତ ବିଶ୍ୱକପର ଦର୍ଶକ ସଂଖ୍ୟା ୧୨,୨୪,୦୨୭ରେ ପହଞ୍ଚି ଯାଇଛି।। ଯାହା ଚୀନରେ ୧୯୮୫ରେ ଆୟୋଜିତ ହୋଇଥିବା ୧୭ ବର୍ଷରୁ କମ୍ ବିଶ୍ୱକପର ମୋଟ ଦର୍ଶକ ସଂଖ୍ୟାଠାରୁ ମାତ୍ର ୬,୦୦୦ କମ୍। କୋଲକାତାର ସଲ୍ଟ ଲେକ୍ ଷ୍ଟାଡିୟମରେ ଶନିବାର ଖେଳା ଯିବାକୁ ଥିବା ଲଣ୍ଡନ-ସ୍ପେନ୍ ଫାଇନାଲକୁ ୬୬,୬୮୭ ଦର୍ଶକ ଦେଖିବାର ସମ୍ଭାବନା ରହିଛି। ଏଣୁ ଭାରତ ଏହି କ୍ଷେତ୍ରରେ ଚୀନକୁ ପ୍ରାୟ ୬୦୦୦୦ରୁ ଅଧିକ ଦର୍ଶକରେ ଟପିବା ଏକ ପ୍ରକାର ନିଶ୍ଚିତ ବୋଲି କୁହା ଯାଉଛି।
ସ୍ୱର୍ଣ୍ଣ ଜୋତା ଦୌଡ଼ରେ ବ୍ରିଉଷ୍ଟର, ରୁଇଜ୍, ଲସାନେ
ଶନିବାରର ଫାଇନାଲରେ ଇଂଲଣ୍ଡର ଅଗ୍ରଭାଗ ଖେଳାଳି ରିଆନ ବ୍ରିଉଷ୍ଟର ଏବଂ ସ୍ପେନ୍ ଅଧିନାୟକ ଆବେଲ୍ ରୁଇଜ୍ ବ୍ୟକ୍ତିଗତ ମୁକାବିଲାରେ ଅବତୀର୍ଣ୍ଣ ହେବେ। ଉଭୟ ସ୍ୱର୍ଣ୍ଣ ଜୋତା ଜିତିବାରେ ପରସ୍ପର ସହ ପ୍ରତିଦ୍ୱନ୍ଦ୍ୱିତା କରିବେ। ବ୍ରିଉଷ୍ଟର ବ୍ରାଜିଲ ବିପକ୍ଷ ସେମିଫାଇନାଲରେ ନିଜ ଦ୍ୱିତୀୟ ହ୍ୟାଟ୍ରିକ୍ ଅର୍ଜନ କରି ଇଂଲଣ୍ଡକୁ ଫାଇନାଲ୍ ନେଇଥିଲେ। ସେହିଭଳି ମାଲି ବିପକ୍ଷ ସେମିଫାଇନାଲରେ ରୁଇଜ୍ ଦୁଇଟି ଗୋଲ୍ ଦେଇଥିଲେ। ପ୍ରତିଯୋଗିତାରେ ବ୍ରିଉଷ୍ଟର ୭ ଏବଂ ରୁଇଜ୍ ୬ ଗୋଲ୍ ଦେଇ ସାରିଛନ୍ତି। ଏଣୁ ଶନିବାର ଯିଏ ଭଲ କରିବ ସିଏ ସ୍ୱର୍ଣ୍ଣ ଜୋତା ଜିତିବାର ହକଦାର ହେବ। ମାଲିର ଲସାନେ ଦିୟାଏ ମଧ୍ୟ ୬ ଗୋଲ୍ ଦେଇ ଏହି ଦୌଡ଼ରେ ରହିଛନ୍ତି। ମାଲି ଏବଂ ବ୍ରାଜିଲ ମଧ୍ୟରେ ଖେଳା ଯିବାକୁ ଥିବା କାଂସ୍ୟ ପଦକ ମ୍ୟାଚ୍ରେ ଭଲ ପ୍ରଦର୍ଶନ କଲେ ସେ ମଧ୍ୟ ସ୍ୱର୍ଣ୍ଣ ଜୋତା ଜିତିବାର ସମ୍ଭାବନା ରହିଛି।
ସର୍ବାଧିକ ଗୋଲ୍ ସମ୍ଭାବନା
ଭାରତରେ ଖେଳା ଯାଉଥିବା ୧୭ ବର୍ଷରୁ କମ୍ ବିଶ୍ୱକପ୍ରେ ଆଉ ଏକ କୀର୍ତ୍ତିମାନ ମଧ୍ୟ ଗଢ଼ା ହୋଇପାରେ। ଏବେସୁଦ୍ଧା ଖେଳା ଯାଇଥିବା ପ୍ରତିଯୋଗିତାର ୫୦ ମ୍ୟାଚ୍ରେ ୧୭୦ ଗୋଲ୍ ଦେଖିବାକୁ ମିଳିଛି। ଯାହା ୨୦୧୩ରେ ୟୁଏଇରେ ଖେଳା ଯାଇଥିବା ବିଶ୍ୱକପରେ ଦିଆଯାଇଥିବା ୧୭୨ ଗୋଲ୍ରୁ ମାତ୍ର ଦୁଇଟି ଗୋଲ୍ କମ୍। ଶନିବାରର ଫାଇନାଲରେ ଉଭୟ ଦଳ ମିଶି ଯଦି ତିନି ଗୋଲ୍ ଦେଇ ଦିଅନ୍ତି ତାହାଲେ ବିଶ୍ୱକପ୍ ଇତିହାସର ସର୍ବାଧିକ ଗୋଲ୍ ସଂସ୍କରଣର ମାନ୍ୟତା ମିଳିବ।