ପେନାଲ୍‌ଟିରେ ଜିତି ସ୍ପେନ୍ ସେମିରେ

ସେଣ୍ଟ୍ ପିଟର୍ସବର୍ଗ (ରୁଷିଆ) : ଚଳିତ ୟୁରୋ କପ୍‌ର ପ୍ରଥମ କ୍ବାର୍ଟରଫାଇନାଲ୍ରେ ପୂର୍ବତନ ବିଶ୍ବକପ୍‌ ବିଜେତା ସ୍ପେନ୍‌ ପେନାଲ୍ଟି ସୁଟ୍‌ ଆଉଟ୍‌ରେ ୩-୧ (୧-୧) ଗୋଲରେ ସ୍ବିଜରଲାଣ୍ଡକୁ ପରାସ୍ତ କରି ସେମିଫାଇନାଲରେ ସ୍ଥାନ ପକ୍କା କରି ନେଇଛି। ରୋମାଞ୍ଚଭରା ଏହି ମ୍ୟାଚ୍‌ର ୧୨୦ ମିନିଟ୍‌ ଖେଳ (ନିୟମିତ ଏବଂ ଅତିରକ୍ତି ସମୟ) ୧-୧ ଗୋଲରେ ଶେଷ ହୋଇଥିଲା। ପେନାଲ୍ଟି ସୁଟଆଉଟ୍ ବେଳକୁ କିନ୍ତୁ ସ୍ପେନ୍‌ ୩-୧ରେ ବାଜି ମାରି ନେଇଥିଲା।

କ୍ରେଷ୍ଟୋସ୍କି ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌ର ଅଷ୍ଟମ ମିନିଟରୁ ସ୍ପେନ୍‌କୁ ଅଗ୍ରଣୀ ମିଳିଯାଇଥିଲା। ଏକ କର୍ଣ୍ଣର କ୍ଲିକ୍‌ରୁ କୋକ୍‌ଙ୍କ ଆଉଟ୍‌ ସୁଇଙ୍ଗ୍‌ ବଲ୍‌କୁ ଡେନିସ୍ ଜାକାରିଆ ରୋକିବାକୁ ଚେଷ୍ଟା କରିଥିଲେ ମଧ୍ୟ ଏହ‌ା ଜୋର୍ଡି ଆଲବାଙ୍କ ଦେଇ ଗୋଲରକ୍ଷକଙ୍କ ପରାସ୍ତ କରିଥିଲା। ଫଳରେ ଜାକାରିଆଙ୍କ ଆତ୍ମଘାତୀ ଗୋଲ୍‌ କାରଣରୁ ସ୍ବିଜରଲାଣ୍ଡ୍ ପଛରେ ପଡ଼ିଯାଇଥିଲା। ପ୍ରଥମାର୍ଦ୍ଧ ସୁଦ୍ଧା ସ୍ପେନ୍‌ ୧-୦ରେ ଆଗୁଆ ରହିଥିଲା। ଦ୍ବିତୀୟାର୍ଦ୍ଧରେ କିନ୍ତୁ ସ୍ବିଜରଲାଣ୍ଡ୍ ଜବରଦସ୍ତ ଖେଳିଥିଲା। ୬୮ତମ ମିନିଟରେ ଫ୍ରିଉଲରଙ୍କ ପାସ୍‌ରୁ ଜର୍ଦାନ୍ ସାକିରି ଚମତ୍କାର ଗୋଲ୍‌ ଦେଇ ମ୍ୟାଚ୍‌କୁ ୧-୧ ସ୍ତରକୁ ନେଇ ଆସିଥିଲେ। ୭୭ତମ ମିନିଟରେ ଗେରାର୍ଡ ମାରିନୋଙ୍କୁ ଫାଉଲ୍ ମାରିବାରୁ ରେମୋ ଫ୍ରିଉଲର୍‌ ଲାଲ୍ କାର୍ଡ ପାଇବାରୁ ଅବଶିଷ୍ଟ ସମୟ ସ୍ବିଜରଲାଣ୍ଡ୍ ୧୦ ଜଣରେ ଖେଳିଥିଲା। ନିୟମିତ ୯୦ ମିନିଟ୍‌ରେ ମ୍ୟାଚ୍‌ ୧-୧ ‌ଗୋଲ୍‌ରେ ଶେଷ ହୋଇଥିଲା। ଅତିରିକ୍ତ ୩୦ ମିନିଟ୍‌ରେ ସ୍ପେନ୍‌ ପ୍ରାଧାନ୍ୟ ବିସ୍ତାର କରିଥିଲେ ମଧ୍ୟ ସୁଇସ୍‌ ଗୋଲି ୱାଇ ସୋମର୍‌ ପ୍ରତିଟି ପ୍ରୟାସକୁ ନିଷ୍ଫଳ କରି ଦେଇଥିଲେ। ତେବେ ସାଥି‌ ଖେଳାଳିଙ୍କଠାରୁ ଠିକଣା ସମର୍ଥନ ନ ପାଇ ଦଳ ପେନାଲଟି ସୁଟ୍‌ ଆଉଟ୍‌ରେ ସବୁ ପରିଶ୍ରମର ଶ୍ରେୟକୁ ସମର୍ପି ଦେଇଥିଲା। ଦୁଇ ଦେଶ ମଧ୍ୟରେ ହୋଇଥିବା ଧାରାକୁ ଆଗକୁ‌ ନେଇ ସ୍ପେନ୍‌ ମଧ୍ୟ ୨୩-୧ରେ ଆଗୁଆ ହୋଇଛି।

ଶୁକ୍ରବାର ବିଳମ୍ବିତ ରାତିରେ ଦ୍ବିତୀୟ କ୍ବାର୍ଟରଫାଇନାଲ୍‌ରେ‌ ବେଲଜିୟମ୍‌-ଇଟାଲି ମୁକାବିଲା ହେବ। ଶନିବାର ଶେଷ ଦୁଇ କ୍ବାର୍ଟରଫାଇନାଲରେ ଚେକ୍‌ ରିପବ୍ଲିକ୍‌-ଡେନମାର୍କ ଏବଂ ୟୁକ୍ରେନ୍‌-ଇଂଲଣ୍ଡ ମୁକାବିଲା ହେବ।

ସମ୍ବନ୍ଧିତ ଖବର