ସ୍ପେନ୍‌ ଗସ୍ତ ପାଇଁ ୨୧ ବର୍ଷରୁ କମ୍‌ ଭାରତୀୟ ହକି ଦଳ:ଓଡ଼ିଶାରୁ ସୁମନ, ସୁଦୀପ, ପ୍ରତାପ

ମନ୍‌ଦୀପ୍‌ ଅଧିନାୟକ, ସୁମନ ଉପଅଧିନାୟକ

ନୂଆଦିଲ୍ଲୀ: ସ୍ପେନ୍‌ ରାଜଧାନୀ ମାଦ୍ରିଦ୍‌ରେ ଜୁନ୍‌ ୧୦ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ୮ ‌ଦେଶୀୟ ୨୧ ବର୍ଷରୁ କମ୍‌ ହକି ପ୍ରତିଯୋଗିତା ଲାଗି ଭାରତୀୟ ଦଳ ଘୋଷିତ ହୋଇଛି। ମଙ୍ଗଳବାର ଘୋଷିତ ୧୮ ଜଣିଆ ଦଳରେ ଓଡ଼ିଶାରୁ ୩ ଜଣ ସ୍ଥାନ ପାଇଛନ୍ତି। ସେମାନେ ହେଲେ ଡିଫେଣ୍ଡର ସୁମନ ବେକ୍‌ ଓ ପ୍ରତାପ ଲାକ୍ରା ଏବଂ ଫରୱାର୍ଡ ସୁଦୀପ ଚିର୍ମାକୋ। ସୁମନ ଭାରତୀୟ ଦଳର ଉପଅଧିନାୟକ ମନୋନୀତ ହୋଇଥିଲା ବେଳେ ମନ୍‌ଦୀପ୍‌ ମୋର୍‌ଙ୍କୁ ନେତୃତ୍ବ ମିଳିଛି। ଗତକାଲିଠୁ ବେଙ୍ଗାଲୁରୁସ୍ଥିତ ସାଇ (ଭାରତୀୟ କ୍ରୀଡ଼ା ପ୍ରାଧିକରଣ) କ୍ୟାମ୍ପସ୍‌ରେ ସମ୍ଭାବ୍ୟ ୩୩ ଜଣ ଖେଳାଳିଙ୍କୁ ନେଇ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଥିଲା ବେଳେ ମଙ୍ଗଳବାର ସ୍ପେନ୍‌ ଗସ୍ତ ପାଇଁ ଚୂଡାନ୍ତ ୧୮ ଜଣିଆ ଦଳ ଘୋଷିତ ହୋଇଛି। ଶିବିରରେ ୫ ଜଣ ଓଡ଼ିଆ ସ୍ଥାନ ପାଇଥିଲା ବେଳେ ସେମାନଙ୍କ ମଧ୍ୟରୁ ଡିଫେଣ୍ଡର ନବିନ କୁଜୁର ଓ ମିଡ୍‌ଫିଲ୍‌ଡର ଗ୍ରିଗୋରି ଖେସ୍‌ ସ୍ପେନ୍ ଗସ୍ତ ପାଇଁ ସୁଯୋଗ ପାଇନାହାନ୍ତି। ଆଗାମୀ ୮ ଦେଶୀୟ ପ୍ରତିଯୋଗିତାରେ ଭାରତ ବ୍ୟତୀତ ବେଲ୍‌ଜିୟମ୍‌, ଜର୍ମାନି, ବ୍ରିଟେନ୍‌, ଆର୍ଜେଣ୍ଟିନା, ଅଷ୍ଟ୍ରିଆ, ନେଦରଲାଣ୍ଡ୍‌ ଓ ଆୟୋଜକ ସ୍ପେନ୍‌ ପ୍ରତିଦ୍ବନ୍ଦ୍ବିତା କରିବେ। ଏହି ପ୍ରତିଯୋଗିତା ଆଗାମୀ ୨୦୨୧ କନିଷ୍ଠ ବିଶ୍ବକପ୍‌ ପାଇଁ ଆମର ପ୍ରସ୍ତୁତି ସଦୃଶ ହେବ ବୋଲି ଭାରତୀୟ ଦଳର ହାଇପର୍ଫମାନ୍‌ସ ଡାଇରେକ୍ଟର ଡେଭିଡ୍‌ ଜନ୍‌ କହିଛନ୍ତି।
୮ ଦେଶୀୟ ପ୍ରତିଯୋଗିତାରେ ପୁଲ୍‌-ବିରେ ସାମିଲ ଥିବା ଭାରତ ୧୦ ତାରିଖ ଦିନ ଅଷ୍ଟ୍ରେଲିଆ ସହ ଖେଳି ଅଭିଯାନ ଆରମ୍ଭ କରିବ। ଏହାପରେ ୧୧ରେ ନେଦରଲାଣ୍ଡ୍‌ ଓ ୧୩ରେ ସ୍ପେନ୍‌ ସହ ଖେଳି ପୁଲ୍‌ ପର୍ଯ୍ୟାୟ ଶେଷ କରିବ। ୧୫ ତାରିଖ ସେମିଫାଇନାଲ୍‌ ଏବଂ ୧୬ ତାରିଖ ଫାଇନାଲ୍‌ ସହ ପ୍ରତିଯୋଗିତା ଉଦ୍‌ଯାପିତ ହେବ।
୧୮ ଜଣିଆ ଦଳ: ପ୍ରସାନ୍ତ କୁମାର ଚୌହାନ ଓ ପୱନ୍‌ (ଗୋଲ୍‌ରକ୍ଷକ), ମନ୍‌ଦୀପ୍‌ ମୋର୍‌-ଅଧିନାୟକ, ପ୍ରତାପ ଲାକ୍ରା, ସଞ୍ଜୟ, ଆକାଶଦୀପ୍‌ ସିଂହ ଜୁନିୟର, ସୁମନ ବେକ୍‌-ଉପଅଧିନାୟକ, ପରମ୍‌ପ୍ରୀତ୍‌ ସିଂହ (ଡି‌ଫେଣ୍ଡର), ୟାଶ୍‌ଦୀପ୍‌ ସିୱାଚ୍‌, ବିଷ୍ଣୁକାନ୍ତ ସିଂହ, ରବିଚନ୍ଦ୍ର ସିଂହ ମୋଇରାଙ୍ଗ୍‌ଥେମ୍‌, ମନିନ୍ଦର ସିଂହ, ବିଶାଲ ଅଣ୍ଟିଲ (ମିଡ୍‌ଫିଲ୍‌ଡର), ଅମନଦୀପ୍‌ ସିଂହ, ରାହୁଲ କୁମାର ରାଜ୍‌ଭର, ଶିବମ ଆନନ୍ଦ, ସୁଦୀପ ଚିର୍ମାକୋ, ପ୍ରଭ୍‌ଜୋତ୍‌ ସିଂହ (ଫରଓ୍‌ବାର୍ଡ)।

ସମ୍ବନ୍ଧିତ ଖବର