ଭୁବନେଶ୍ବର: ଚଳିତ ଆଇଏସ୍‌ଏଲ୍‌ର ପ୍ଲେ ଅଫ୍‌ ପହଞ୍ଚିବା ଲାଗି ଭୁବନେଶ୍ବର ଭିତ୍ତିକ ଦଳ ଓଡ଼ିଶା ଏଫ୍‌ସିକୁ ଆଉ ଗୋଟିଏ ପଏଣ୍ଟ ଆବଶ୍ୟକ। ଏହି ଏକ ପଏଣ୍ଟ ଲାଗି ଓଡ଼ିଶା ଏଫ୍‌ସି ବୁଧବାର ନିଜର ଶେଷ ଲିଗ୍‌ ମ୍ୟାଚ୍‌ରେ ଜାମସେଦପୁର ଏଫ୍‌ସିକୁ ନିଜ ଘରୋଇ ପଡ଼ିଆ କଳିଙ୍ଗ ଷ୍ଟାଡିୟମରେ ଭେଟିବ। ଜଗରନଟ୍ସ ଭାବେ ପରିଚିତ ଓଡ଼ିଶା ଏଫ୍‌ସି (୩୦ ପଏଣ୍ଟ) ସଂପ୍ରତି ଟେବୁଲର ଷଷ୍ଠ ସ୍ଥାନରେ ରହିଛି। ସପ୍ତମ ସ୍ଥାନରେ ଥିବା ‌ଏଫ୍‌ସି ଗୋଆ (୨୭ ପଏଣ୍ଟ) ଆଉ ଗୋଟିଏ ମ୍ୟାଚ୍‌ ଖେଳିବାକୁ ଥିବାରୁ ଏହାର ୩୦ ପଏଣ୍ଟ ହେବାର ଅଶା ରହିଛି। ତେଣୁ ଏହି ଦଳ ଜଗରନଟ୍ସର ମୁଖ୍ୟ ପ୍ରତିଦ୍ବଦ୍ବୀ ରହିଛି। ହେଲେ ଓଡ଼ିଶା କେବଳ ଜାମସେଦପୁର ବିପକ୍ଷରେ ପରାଜୟକୁ ଟାଳିଦେଲେ ପ୍ରଥମ ଥର ପ୍ଲେ ଅଫ୍‌ରେ ପହଞ୍ଚିବାରେ ଇତିହାସ ରଚିବ। ୨ ଦଳ ଲିଗ୍‌ ବିଜେତା ମୁମ୍ବାଇ ସିଟି ଏଫ୍‌ସି ଓ ଦ୍ବିତୀୟ ସ୍ଥାନରେ ଥିବା ହାଇଦ୍ରାବାଦ ଏଫ୍‌ସି ସିଧାସଳଖ ସେମିଫାଇନାଲ୍‌ରେ ପହଞ୍ଚିସାରିଛନ୍ତି। ଅନ୍ୟ ଦୁଇ ସେମିଫାଇନାଲ୍‌ ସ୍ଥାନ ପାଇଁ ୩ରୁ ୬ ସ୍ଥାନ ମଧ୍ୟରେ ଥିବା ଦଳ ମଧ୍ୟରେ ଗୋଟିଏ ଲେଖ‌ାଏଁ ପ୍ଲେ ଅଫ୍‌ ମ୍ୟାଚ୍‌ ଖେଳାଯିବ। ବିଜେତା ଦଳ ସେମିଫାଇନାଲ୍‌ରେ ପହଞ୍ଚିବ। ଏଟିକେ ମୋହନ ବାଗାନ, ବେଙ୍ଗାଲୁରୁ ଏଫ୍‌ସି ଓ କେରଳ ବ୍ଲାଷ୍ଟର୍ସ ସମାନ ୩୧ ଲେଖାଏଁ ପଏଣ୍ଟ ପାଇ ପ୍ଲେ ଅଫ୍‌ ସ୍ଥାନ ପକ୍କା କରିସାରିଛନ୍ତି।

Advertisment

ପ୍ରତିଯୋଗିତାର ପ୍ରଥମାର୍ଦ୍ଧରେ ଓଡ଼ିଶା ଏଫ୍‌ସି ଚମତ୍କାର ଖେଳିଥିଲା। ୧୦ ମ୍ୟାଚ୍‌ରୁ ୬ ଜିତିଥିଲା ବେଳେ ୩ଟିରେ ହାରିଥିଲା। ହେଲେ ଦ୍ବିତୀୟାର୍ଦ୍ଧରେ ୯ ମ୍ୟାଚ୍‌ ଖେଳି କେବଳ ୩ ବିଜୟ ପାଇଥିଲା ବେଳେ ୪ଟି ହାରିଥିଲା ଏବଂ ଅନ୍ୟ ଦୁଇଟିରେ ପଏଣ୍ଟ ଭାଗ କରିଥିଲା। ଗତ ଦୁଇ ମ୍ୟାଚ୍‌ରେ ହାଇଦ୍ରାବାଦ ଏଫ୍‌ସି ଓ ନର୍ଥ ଇଷ୍ଟ ୟୁନାଇଟେଡ୍‌କୁ ହରାଇ ଓଏଫ୍‌ସି ଲୟକୁ ଫେରିଛି। ତେଣୁ ବୁଧବାର ଏହି ଦଳ ଜାମସେଦପୁରକୁ ହରାଇ ପ୍ଲେ ଅଫ୍‌ରେ ପହଞ୍ଚିବା ଲକ୍ଷ୍ୟରେ ରହିଛି। ଦଳର ଷ୍ଟ୍ରାଇକର୍‌ ଡିଏଗୋ ମୌରିସିଓ (୧୨ ଗୋଲ୍‌) ଚଳିତ ଆଇଏସ୍‌ଏଲ୍‌ରେ ସର୍ବୋଚ୍ଚ ଗୋଲ୍‌ ସ୍କୋରର୍‌ ତାଲିକାରେ‌ ସ୍ଲେଇଟନ ସିଲ୍‌ଭାଙ୍କ ସହ ଯୁଗ୍ମ ଶୀର୍ଷ ସ୍ଥାନ ଦଖଲ କରିଛନ୍ତି। ଓଡ଼ିଶା ଏଫ୍‌ସି ନିଜର ପ୍ରଥମ ମ୍ୟାଚ୍‌ରେ ଜାମ‌ସେଦପୁର ଏଫ୍‌ସିକୁ ହରାଇ ଆଇଏସ୍‌ଏଲ୍‌ ଅଭିଯାନ ଆରମ୍ଭ କରିଥିଲା। ସେହି ଦଳ ବିପକ୍ଷରେ ବିଜୟ ସହ ଲିଗ୍‌ ପର୍ଯ୍ୟାୟ ଶେ‌ଷ କରିବାକୁ ଚାହିଁବ ଜଗରନଟ୍ସ। ଅନ୍ୟପକ୍ଷରେ ପ୍ଲେ ଅଫ୍‌ ଦୌଡ଼ରୁ ବାଦ୍‌ ପଡ଼ିସାରିଥିବା ଜାମସେଦପୁର (୧୬ ପଏଣ୍ଟ, ଦଶମ) କିନ୍ତୁ ନିଜର ଶେ‌ଷ ୩ ମ୍ୟାଚ୍‌ରେ ୨ ବିଜୟ ଓ ଗୋଟିଏ ଅମୀମାଂସିତ ରଖି ‌ଫର୍ମକୁ ଫେରିବା ସଙ୍କେତ ଦେଇଛି। ତେଣୁ ବୁଧବାରର ମ୍ୟାଚ୍‌ ଜିତି ପ୍ରଥମ ପରାଜୟର ମଧୁର ପ୍ରତିଶୋଧ ନେବା ଏବଂ ବିଜୟ ସହ ଅଭିଯାନ ଶେଷ କରିବାକୁ ଲକ୍ଷ୍ୟ ରଖିଛି। ଉଭୟ ଦଳ ଆଇଏସ୍‌ଏଲ୍‌ରେ ୭ ଥର ମୁହାଁମୁହିଁ ହୋଇଥିଲା ବେଳେ ଓଡ଼ିଶା ୨ ଓ ଜାମସେଦପୁର ୪ ଥର ଜିତିଥିଲା ବେଳେ ଅନ୍ୟଟି ଅମୀମାଂସିତ ରହିଥିଲା।

publive-image

‘‘ବୁଧବାର ମ୍ୟାଚ୍‌ ଆମ ପାଇଁ ଅଧିକ ଗୁରୁତ୍ବପୂର୍ଣ୍ଣ। କାରଣ ଭଲ ଫଳ ହେଲେ ପ୍ଲେ ଅଫ୍‌କୁ ଯିବୁ। ଏହା ଆମର ଚଳିତ ଋତୁର ଶେ‌ଷ ଘରୋଇ ମ୍ୟାଚ୍‌, ତେଣୁ ଆମେ ବିଜୟ ସହ ପୂରା ୩ ପଏଣ୍ଟ ପାଇବାକୁ ଚେଷ୍ଟା କରିବୁ। ଜାମ‌ସେଦପୁର ଏଫ୍‌ସି ଏକ ଭଲ ଦଳ। ନିଜର ଶେଷ ୩ ମ୍ୟାଚ୍‌ରେ ଏହି ଦଳ (୨ ବିଜୟ, ୧ ଡ୍ର) ଅପରାଜେୟ ରହିଛି। ଆମେ ଭୋକିଲା, ପ୍ରଥମ ଥର ଲାଗି ପ୍ଲେ ଅଫ୍‌ ଖେଳିବା ଲାଗି ଚାହୁଁ’’ ବୋଲି ମଙ୍ଗଳବାର ଆୟୋଜିତ ମ୍ୟାଚ୍‌ ପୂର୍ବ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ଏଫ୍‌ସିର ମୁଖ୍ୟ ପ୍ରଶିକ୍ଷକ ଯୋଶେପ ଗମ୍ବାଉ କହିଛନ୍ତି। ‘‘ଅକ୍ଟୋବରରେ ଆମେ ଦୁଇ ଦଳ ମୁହାଁମୁହିଁ ହୋଇଥିଲୁ। ଏହା ଭିତରେ ବହୁତ ଦିନ ହୋଇଗଲାଣି। ଶେଷ ମୁହୂର୍ତ୍ତ ଗୋଲ୍‌ରେ ଆମେ ପରାଜିତ ହୋଇଥିଲୁ। ଏହା ଆମକୁ ବହୁତ କଷ୍ଟ ଦେଇଥିଲା। ଓଡ଼ିଶା ଏକ ଭଲ ଦଳ ଏବଂ ଭଲ ଖେଳୁଛି ମଧ୍ୟ। ପ୍ଲେ ଅଫ୍‌ରୁ ବାଦ୍‌ ପଡ଼ିଥିବାରୁ ନିରାଶ ଅଛୁ କିନ୍ତୁ ଆମେ ଏଥିରେ ଖୁସି। କାରଣ ଗତ ୧୦ ମ୍ୟାଚ୍‌ ଦେଖିଲେ ଆମ ଫର୍ମରେ ଉନ୍ନତି ହୋଇଛି। ତେଣୁ ବିଜୟ ସହ ଅଭିଯାନ ଶେ‌ଷ କରିବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବୁ’’ ବୋଲି କହିଛନ୍ତି ଜାମସେଦପୁର ଏଫ୍‌ସିର ମୁଖ୍ୟ ପ୍ରଶିକ୍ଷକ ଏଦି ବୁଥରୟଡ।

ପ୍ରଶଂସକଙ୍କୁ ରାଜଙ୍କ ନିମନ୍ତ୍ରଣ
ଭୁବନେଶ୍ବର: ଓଡ଼ିଶା ଏଫ୍‌ସି ବୁଧବାର ନିଜର ଶେ‌ଷ ଲିଗ୍‌ ମ୍ୟାଚ୍‌ ଜାମ‌ସେଦପୁର ଏଫ୍‌ସି ବିପକ୍ଷରେ ନିଜ ଘରୋଇ ପଡ଼ିଆରେ ଖେଳିବାକୁ ଯାଉଛି। ଏହା ପୂର୍ବରୁ ଓଡ଼ିଶା ଏଫ୍‌ସିର ସଭାପତି ରାଜ ଅଠୱାଲ ଦଳର ମ‌ନୋବଳ ବଢ଼ାଇଛନ୍ତି। ‘‘ବୁଧବାର ମ୍ୟାଚ୍‌ ଆମର ଶେଷ ଲିଗ୍‌ ମ୍ୟାଚ୍‌। ଏହି ମ୍ୟାଚ୍‌ ଆମ ପାଇଁ ଗୁରୁତ୍ବପୂର୍ଣ୍ଣ। କାରଣ ଏହି ମ୍ୟାଚ୍‌ ଜିତିଲେ କିମ୍ବା ଅମୀମାଂସିତ ରଖିଲେ ପ୍ରଥମ ଥର ଲାଗି ଓଡ଼ିଶା ଏଫ୍‌ସି ପ୍ଲେ ଅଫ୍‌ ଖେଳିବାର ସୁଯୋଗ ପାଇବ। ଏହା ଆମ ପାଇଁ ଐତିହାସିକ ମୁହୂର୍ତ୍ତ ହେବ। ଏହି ମ୍ୟାଚ୍‌ ପୂର୍ବରୁ ସମସ୍ତ ଖେଳାଳିଙ୍କୁ ଶୁଭକାମନା ଜଣାଉଛି। ଏହି ସ୍ଥାନ ପର୍ଯ୍ୟନ୍ତ ଆସିବାରେ ଓଡ଼ିଶାର ଜନତା, ପ୍ରଶଂସକ ଏବଂ ସରକାରଙ୍କ ସହଯୋଗ ରହିଛି। ଓଡ଼ିଶା ସରକାର ଉନ୍ନତ ଭିତ୍ତିଭୂମି ସହ ସମସ୍ତ ସୁବିଧା ଯୋଗାଇଥିବାରୁ ଧନ୍ୟବାଦ। ବୁଧବାର ଅଧିକରୁ ଅଧିକ ଦର୍ଶକ ଷ୍ଟାଡିୟମକୁ ଆସି ଓଏଫ୍‌ସିର ଐତିହାସିକ ମୁହୂର୍ତ୍ତରେ ସାମିଲ ହେବାକୁ ଅନୁରୋଧ କରୁଛି। ‌ଆଇଏସ୍‌ଏଲ୍‌ ପରେ ଓଡ଼ିଶା ଏଫ୍‌ସି ସୁପର କପ୍‌ ଓ ଡୁରାଣ୍ଡ କପ୍‌ରେ ଭାଗନେବ। ଏପ୍ରିଲରେ ଓଡ଼ିଶା ଏଫ୍‌ସିର ମହିଳା ଦଳ ଆଇଡବ୍ଲୁଏଲ୍‌ରେ ଖେଳିବ। ମହିଳା ଦଳରେ ଓଡ଼ିଶାର ୬୦ ପ୍ରତିଶତ ଖେଳାଳି ରହିଛନ୍ତି। ଆଗାମୀ ଦି‌ନରେ ଆମେ ଦଳରେ ଅଧିକରୁ ଅଧିକ ଓଡ଼ିଆ ଖେଳାଳିଙ୍କୁ ନେବାକୁ ଚେଷ୍ଟା କରିବୁ। ସେଥିପାଇଁ ତୃଣମୂଳସସ୍ତରରେ ଆମର କାର୍ଯ୍ୟ ଜାରି ରହିଛି ବୋଲି ଅଠୱାଲ କହିଛନ୍ତି।