ଅତ୍ୟାଧୁନିକ ଭିତ୍ତିଭୂମିର ଜ୍ବଳନ୍ତ ନିଦର୍ଶନ ‘ବିର୍ସା ମୁଣ୍ଡା ଷ୍ଟାଡିୟମ’

ରାଉରକେଲାରେ ହକି ବିଶ୍ବକପ୍‌ର ପରିକଳ୍ପନା, ହକି ବିଶ୍ବକପ୍‌ ପାଇଁ ପ୍ରଥମ ଆନୁଷ୍ଠାନିକ ଗସ୍ତ

ରାଉରକେଲା: ଜାନୁଆରି ୫ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ନବନିର୍ମିତ ବିର୍ସା ମୁଣ୍ଡା ଷ୍ଟାଡିୟମ ଉଦ୍‌ଘାଟିତ ହୋଇଥିଲା। ସେହିଦିନ ସମଗ୍ର ବିଶ୍ବ ରାଉରକେଲାର ଏହି ନୂତନ କରିସ୍ମା ବିଷୟରେ ଅବଗତ ହୋଇଥିଲା। ରାତି ପାହିଲେ ଏହି ଷ୍ଟାଡିୟମରେ ଖେଳାଯିବ ପୁରୁଷ ହକି ବିଶ୍ବକପ୍‌ର ପ୍ରଥମ ମ୍ୟାଚ୍‌। ସ୍ବଳ୍ପ ସମୟ ଭିତରେ ନିର୍ମିତ ଏହି ଷ୍ଟାଡିୟମରେ ଉପଲବ୍ଧ ଖେଳାଳି ଅନୁକୁଳ ଅତ୍ୟାଧୁନିକ ବ୍ୟବସ୍ଥା ଯୋଗୁଁ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ତେବେ ଏହି ଷ୍ଟାଡିୟମ ପରିକଳ୍ପନା ବେଳେ କେବଳ ସ୍ଥାନୀୟ ଜନସାଧାରଣ ନୁହନ୍ତି, ବରଂ କ୍ରୀଡ଼ା ବିଶେଷଜ୍ଞ ମଧ୍ୟ ଦ୍ବନ୍ଦ୍ବରେ ଥିଲେ। ଘୋଷଣା ବାସ୍ତବତାରେ ପରିଣତ ହେବ ନା ନାହିଁ, ସେନେଇ ସମସ୍ତଙ୍କ ମନରେ ସନ୍ଦେହ ଜାତ ହୋଇଥିଲା। ତେବେ ମାତ୍ର ୧୫ ମାସ ସମୟସୀମା ଭିତରେ ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ସଂପନ୍ନ କରି ସବୁ ଆଶଙ୍କାକୁ ଭୁଲ୍‌ ପ୍ରମାଣିତ କରି ଆଜି ଦଣ୍ଡାୟମାନ ହୋଇଛି ଦେଶର ଏହି ଅନ୍ୟତମ ବୃହତ୍ତମ ତଥା ଅତ୍ୟାଧୁନିକ ଷ୍ଟାଡିୟମ।

ରାଉରକେଲାରେ ହକି ବିଶ୍ବକପ୍‌ର ପରିକଳ୍ପନା
୨୦୧୯ ନଭେମ୍ବର ୨୭ ତାରିଖ। ଭୁବନେଶ୍ବରସ୍ଥ କଳିଙ୍ଗ ଷ୍ଟାଡିୟମରେ ଏକ ଉତ୍ସବ ଆୟୋଜିତ ହୋଇଥିଲା। ସେଥିରେ ବିଶ୍ବକପ୍‌ ୨୦୧୮ ସଂସ୍କରଣର ସଫଳ ଆୟୋଜନ ପରେ ୨୦୨୩ ପୁରୁଷ ବିଶ୍ବକପ୍‌ ମଧ୍ୟ ଓଡ଼ିଶାରେ ଅନୁଷ୍ଠିତ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ତେବେ ଏଥର କେବଳ ଭୁବନେଶ୍ବରସ୍ଥ କଳିଙ୍ଗ ଷ୍ଟାଡିୟମ ନୁହେଁ; ବରଂ ହକିର ଅନ୍ତୁଡ଼ିଶାଳ ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲାରେ ମଧ୍ୟ ବିଶ୍ବକପ୍‌ ଆୟୋଜନ କରାଯିବ ବୋଲି କହିଥିଲେ। ଉକ୍ତ ଉତ୍ସବରେ ହକି ଇଣ୍ଡିଆର ତତ୍କାଳୀନ ସଭାପତି ନରିନ୍ଦର ବାତ୍ରା, ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, ଅନ୍ତର୍ଜାତୀୟ ହକି ମହାସଂଘର ପ୍ରତିନିଧି ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପରେ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲା ଉତ୍ସବମୁଖର ହୋଇ ଉଠିଥିଲା। ଏହି ଖବର ଆବାଳବୃଦ୍ଧବନୀତାଙ୍କ ମନରେ ଖୁସି ଭରିଦେଇଥିଲା।

ହକି ବିଶ୍ବକପ୍‌ ପାଇଁ ପ୍ରଥମ ଆନୁଷ୍ଠାନିକ ଗସ୍ତ
୨୦୧୯ ମସିହା ନଭେମ୍ବର ୨୭ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ତତ୍ପର ହୋଇ ଉଠିଥିଲା ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ। ଘୋଷଣାର ପ୍ରାୟ ଦୁଇ ସପ୍ତାହ ପରେ, ଅର୍ଥାତ୍‌ ୨୦୧୯ ମସିହା ଡିସେମ୍ବର ୧୩ ତାରିଖରେ ହକି ଇଣ୍ଡିଆ ଓ ରାଜ୍ୟ କ୍ରୀଡ଼ା ବିଭାଗର ବରିଷ୍ଠ ପ୍ରତିନିଧି ଦଳର ପାଦ ପଡ଼ିଥିଲା ରାଉରକେଲାରେ। ସେଦିନ ଏହି ପ୍ରତିନିଧି ଦଳରେ ହକି ଇଣ୍ଡିଆ ନିର୍ଦ୍ଦେଶକ (ହାଇ ପର୍‌ଫରର୍ମାନ୍ସ) ଡେଭିଡ୍‌ ଜନ୍‌, ସିନିଅର ମ୍ୟାନେଜର (କମ୍ପିଟିସନ୍‌ସ ଓ ଡେଭେଲପ୍‌ମେଣ୍ଟ୍‌) ବିକ୍ରମ ପାଲ, ମ୍ୟାନେଜର (କୋଅର୍ଡିନେସନ୍‌) ମହମ୍ମଦ ଆହାଦ ଅଜିମ୍‌ ଓ ପଲ୍ଲବୀ ପ୍ରକାଶ, ରାଜ୍ୟ କ୍ରୀଡ଼ା ବିଭାଗର ଭିତ୍ତିଭୂମି ବିଶେଷଜ୍ଞ ସ୍ବାଗତ ସିଂହ ଏବଂ ଅପରେସନ୍ ବିଶେଷଜ୍ଞ ଶେଖ୍‌ ଅବଦୁଲ୍ ରବ୍‌ ପ୍ରମୁଖ ସାମିଲ ଥିଲେ। ଏହି ପ୍ରତିନିଧି ଦଳ ରାଉରକେଲାରେ ଉପଲବ୍ଧ ଭିତ୍ତିଭୂମି ଓ ଗମନାଗମନ ସୁବିଧା ସୁଯୋଗ ପରଖିଥିଲେ। ପ୍ରତିନିଧି ଦଳ ସେଲ୍‌ ପରିଚାଳିତ ଇସ୍ପାତ ଜେନେରାଲ୍‌ ହସ୍‌ପିଟାଲ (ଆଇଜିଏଚ୍‌)ରେ ପହଞ୍ଚି ସେଠାକାର ବିଭିନ୍ନ ସେବା ଓ ଜରୁରୀକାଳୀନ ସ୍ବାସ୍ଥ୍ୟସେବା ପ୍ରଦାନକାରୀ ଅତ୍ୟାଧୁନିକ ଯନ୍ତ୍ରପାତି ଆଦି ବିଷୟରେ ପଚାରି ବୁଝିଥିଲେ। ପରେ ଅଧିକାରୀମାନେ ସେଲ୍‌ ପରିଚାଳିତ ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମ ପରିଦର୍ଶନ କରିଥିଲେ। ଷ୍ଟାଡିୟମରେ ଥିବା ସିଟ୍‌ ସଂଖ୍ୟା, ପଡ଼ିଆ ଓ ଗମନାଗମନ ବ୍ୟବସ୍ଥା ଆଦି ବୁଲି ଦେଖିଥିଲେ। ଏହାପରେ କର୍ମକର୍ତ୍ତା ଏୟାର୍‌ଷ୍ଟ୍ରିପ୍‌, ପାନପୋଷ କ୍ରୀଡ଼ା ଛାତ୍ରାବାସ ପରିଦର୍ଶନ କରିଥିଲେ।

ଷ୍ଟାଡିୟମରେ ଲାଗିଥିବା ସାମଗ୍ରୀ
୩୬୦୦ ଟନ୍‌ ଷ୍ଟ୍ରକ୍‌ଚରାଲା ଇସ୍ପାତ
୩୫,୦୦୦ କ୍ୟୁବିକ୍‌ ମିଟର କଂକ୍ରିଟ୍‌
୪୦୦୦ ଟନ୍‌ ଟିଏମ୍‌ଟି ଷ୍ଟିଲ୍‌
୨ କିଲୋମିଟର ରାସ୍ତା ନିର୍ମାଣ
୨୦ ହଜାର ସ୍କୋୟାର ମିଟର୍‌ ଷ୍ଟେସନ୍‌ କଂକ୍ରିଟ୍‌
୧୨ ହଜାର ସ୍କୋୟାରମିଟର୍‌ ଆଇପିଏସ୍‌ (ଇଣ୍ଡିଆନ ପେଟେଣ୍ଟ୍‌ ଷ୍ଟୋନ୍‌) ଫ୍ଲୋରିଂ
୨୦,୩୯୩ ଚୌକି

ପ୍ରଥମ ପସନ୍ଦ ଥିଲା ‌ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମ
ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମର ନିର୍ମାଣ ନିଷ୍ପତ୍ତି ଢେର୍‌ ବିଳମ୍ବରେ ନିଆଯାଇଥିଲା। ପ୍ରଥମେ ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି) ପରିଚାଳିତ ସେକ୍ଟର-୫ରେ ଥିବା ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମରେ ବିଶ୍ବକପ୍‌ ମ୍ୟାଚ୍‌ ଆୟୋଜନ ପାଇଁ ଯୋଜନା କରାଯାଇଥିଲା। ଯଦିଓ ରାଜ୍ୟ ସରକାର ଏନେଇ ଖୋଲାଖୋଲି ଭାବେ ଘୋଷଣା କରିନଥିଲେ; ତେବେ ବାରମ୍ବାର ଆର୍‌ଏସ୍‌ପିର ଭିତ୍ତିଭୂମି ପରଖିବା, ଆର୍‌ଏସ୍‌ପି କର୍ତ୍ତୃପକ୍ଷଙ୍କ ସହ ରୁଦ୍ଧଦ୍ବାର ଆଲୋଚନା ପ୍ରକାରାନ୍ତରେ ଏହି ବାର୍ତ୍ତା ଦେଇଥିଲା। ତେବେ ଏଥିରେ ପୂର୍ଣ୍ଣଚ୍ଛେଦ ଟାଣିଥିଲା ୨୦୨୦ ମସିହା ଡିସେମ୍ବର ୧୧ ତାରିଖରେ ଅନୁଷ୍ଠିତ ବିଫଳ ବୈଠକ। ଉକ୍ତ ଦିନ ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, କ୍ରୀଡ଼ା ସଚିବ ବିଶାଳ କୁମାର ଦେବ, କ୍ରୀଡ଼ା ନିର୍ଦ୍ଦେଶକ ଭିନିଲ କ୍ରିଷ୍ଣା, ଇଡ୍‌କୋ ପରିଚାଳନା ନିର୍ଦ୍ଦେଶକ ସଞ୍ଜୟ କୁମାର ସିଂହଙ୍କ ସମେତ ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍‌) ସଭାପତି ନରିନ୍ଦର ବାତ୍ରା, ସିଇଓ ଏଲିନା ନର୍ମନ, ଯୁଗ୍ମ ନିର୍ଦ୍ଦେଶକ ବି.ଏନ୍‌. ଭୂଷଣ, ମ୍ୟାନେଜର କୋଅର୍ଡିନେଟର ଆହାଦ ଆଜମ୍‌, ସିନିଅର ମ୍ୟାନେଜର (କମ୍ପିଟିସନ) ବିକ୍ରମ ପାଲ ସିଂହ ପ୍ରମୁଖ ରାଉରକେଲାରେ ପହଞ୍ଚିଥିଲେ। ୫ଟି ସଚିବ ଭି.କେ. ପାଣ୍ଡିଆନ ମଧ୍ୟ ଭିଡିଓ କନ୍‌ଫେରେନ୍ସିଂ ମାଧ୍ୟମରେ ବୈଠକରେ ଯୋଡ଼ି ହୋଇଥିଲେ। ସମ୍ଭବତଃ ଷ୍ଟାଡିୟମ ନିର୍ମାଣ ନେଇ ସେଲ୍‌ ଓ ରାଜ୍ୟ ସରକାରଙ୍କ ଭାଗ ଛିଣ୍ଡିନଥିଲା। ଏନେଇ କିନ୍ତୁ ପ୍ରତିନିଧି ଦଳ କୌଣସି ସୂଚନା ଦେଇନଥିଲେ।

ନୂଆ ଷ୍ଟାଡିୟମ ପାଇଁ ଘୋଷଣା
ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମକୁ ବିକଶିତ କରି ବିଶ୍ବକପ୍‌ ଆୟୋଜନ କରାଯିବା ଏକ ପ୍ରକାର ଥୟ ବୋଲି ଚର୍ଚ୍ଚା ଜୋର୍‌ ଧରିଥିଲା। ତେବେ ୨୦୨୦ ମସିହା ଡିସେମ୍ବର ୨୪ ତାରିଖରେ ଏଥିରୁ ପରଦା ଉଠାଇଥିଲେ ମୁଖ୍ୟମନ୍ତ୍ରୀ। ବିଶ୍ବକପ୍‌ ପାଇଁ ରାଉରକେଲାରେ ୨୦ ହଜାର ସିଟ୍‌ ବିଶିଷ୍ଟ ନୂଆ ଷ୍ଟାଡିୟମ ନିର୍ମାଣ କରିବାକୁ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ଘୋଷଣା କରିଥିଲେ। କହିଥିଲେ, ଛେଣ୍ଡ୍‌ସ୍ଥ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ (ବିପିୟୁଟି)ର ୧୫ ଏକର ପରିମିତ ଅଞ୍ଚଳରେ ଷ୍ଟାଡିୟମ ନିର୍ମାଣ କରାଯିବ। ବିଶ୍ବ ହକିକୁ ସୁନ୍ଦରଗଡ଼ ମାଟିର ଅମୂଲ୍ୟ ଅବଦାନ ରହିଛି। ଏବେ ଏହି ଅବଦାନ ସ୍ମରଣୀୟ କରିବାକୁ ସୁନ୍ଦରଗଡ଼ ମାଟିର ରାଉରକେଲାରେ ଏହି ଷ୍ଟାଡିୟମ ନିର୍ମାଣ ହେବବୋଲି କହିଥିଲେ।

୨୦୨୧ ଫେବ୍ରୁଆରି ୧୬ରେ ଶିଳାନ୍ୟାସ
ଉକ୍ତ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଷ୍ଟାଡିୟମର ଶିଳାନ୍ୟାସ କରିଥିଲେ। ଏହି ଅବସରରେ ବୀର ବିର୍ସା ମୁଣ୍ଡାଙ୍କ ନାଁରେ ଷ୍ଟାଡିୟମକୁ ନାମିତ କରିବାକୁ ଘୋଷଣା କରିଥିଲେ। ଉଦ୍‌ବୋଧନରେ ମୁଖ୍ୟମନ୍ତ୍ରୀ କହିଲେ, ସୁନ୍ଦରଗଡ ଜିଲ୍ଲାର ହକି ଖେଳାଳି କେବଳ ଓଡ଼ିଶା ନୁହେଁ, ସାରା ଦେଶର ଗୌରବ ବୃଦ୍ଧି କରିଛନ୍ତି। ଦେଶ ପାଇଁ ସୁନାମ ଆଣିଛନ୍ତି। ସୁନ୍ଦରଗଡ ମାଟି, ପାଣି ଓ ପବନ ସବୁଠି ହକିର ବାସ୍ନା ରହିଛି। ଆଜି ସୁନ୍ଦରଗଡ ହକି ବିଶ୍ବ କ୍ରୀଡ଼ା ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ପାଇଛି। ହକି ହେଉଛି ସୁନ୍ଦରଗଡ଼ର ସବୁଠାରୁ ବଡ ପରିଚୟ। ବେଲ୍‌ଜିୟମ୍‌, ଅଷ୍ଟ୍ରେଲିଆ, ମାଲେସିଆ ଭଳି ଦେଶକୁ ପଛରେ ପକାଇ ଆମ ଦେଶ ଭାରତ ୨୦୨୩ ହକି ବିଶ୍ବ କପ୍‌ ଆୟୋଜନ ପାଇଁ ଯୋଗ୍ୟ ବିବେଚିତ ହୋଇଛି। ଯେତେବେଳେ ଓଡ଼ିଶାରେ ପୁଣିଥରେ ବିଶ୍ବ ହକି ଖେଳିବାର ପ୍ରସ୍ତାବ ଆସିଲା, ସେତେବେଳେ ମନକୁ ପ୍ରଥମେ ରାଉରକେଲାର ନାଁ ଆସିଥିଲା। ତେଣୁ ସୁନ୍ଦରଗଡ଼ ହକିପ୍ରେମୀଙ୍କ ପାଇଁ ଏହା ହେଉଛି ସବୁଠୁ ବଡ ଉପହାର ବୋଲି କହିଥିଲେ।

ମହାମାରୀ ବେଳେ ନିର୍ମାଣ ଆରମ୍ଭ
୨୦୨୧ ମସିହା ଅଗଷ୍ଟ ମାସରେ କରୋନା ମହାମାରୀ ଶୀର୍ଷରେ ପହଞ୍ଚିଥିଲା। ନିୟମିତ ଭାବେ ଆକ୍ରାନ୍ତଙ୍କ ଅକାଳ ବିୟୋଗ ଘଟିବା ସହ ଇସ୍ପାତସହରରେ ହାହାକାର ଖେଳିଯାଇଥିଲା। ଏସବୁକୁ ବେଖାତିର୍‌ କରି ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ କିନ୍ତୁ ଆରମ୍ଭ ହୋଇଯାଇଥିଲା। ଇଣ୍ଡଷ୍ଟ୍ରିଆଲ ଇନ୍‌ଫ୍ରାଷ୍ଟ୍ରକ୍‌ଚର ଡେଭେଲପ୍‌ମେଣ୍ଟ୍‌ କର୍ପୋରେସନ (ଇଡ୍‌କୋ) ତତ୍ବାବଧାନରେ ଦେଶର ଅନ୍ୟତମ ସର୍ବବୃହତ୍‌ ନିର୍ମାଣକାରୀ ସଂସ୍ଥା ଲାର୍ସନ୍‌ ଆଣ୍ଡ୍‌ ଟର୍ବୋ (ଏଲ୍‌ ଆଣ୍ଡ୍‌ ଟି) ନିର୍ମାଣ ଆରମ୍ଭ କରିଥିଲା। ସୂଚନା ଅନୁସାରେ, ୨୦୨୧ ମସିହା ଅଗଷ୍ଟ ୨୧ ତାରିଖରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ପାଖାପାଖି ୨୫୦ ଜଣ ଇଞ୍ଜିନିଅରଙ୍କ ତତ୍ବାବଧାନରେ ପ୍ରାୟ ଦେଢ଼ ହଜାର ଶ୍ରମିକ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ମୁଖ୍ୟତଃ ଓଡ଼ିଶା, ବିହାର, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ଶ୍ରମିକ ହିଁ କାମ କରିଥିଲେ। ସିଫ୍ଟ ଅନୁସାରେ ଦିନରାତି ସବୁବେଳେ ନିର୍ମାଣ କାର୍ଯ୍ୟରେ ମାତିଥିଲେ ଶ୍ରମିକ। ନିରବଚ୍ଛିନ୍ନ କାର୍ଯ୍ୟ ବଳରେ ନିର୍ଦ୍ଧାରିତ ସମୟରେ ନିର୍ମାଣକାର୍ଯ୍ୟ ସଂପନ୍ନ ହୋଇଥିଲା। ପରେ ଜାନୁଆରି ୫ ତାରିଖ ମୁଖ୍ୟମନ୍ତ୍ରୀ ଏହି ଷ୍ଟାଡିୟମକୁ ଉଦ୍‌ଘାଟନ କରିଥିଲେ।

ଅତ୍ୟାଧୁନିକ ଅନନ୍ୟ ‘ବିଶ୍ବକପ୍‌ ଗ୍ରାମ’
ଷ୍ଟାଡିୟମ ସଂଲଗ୍ନ ‘ବିଶ୍ବକପ୍‌ ଗ୍ରାମରେ ସମସ୍ତ ଅତ୍ୟାବଶ୍ୟକ ବ୍ୟବସ୍ଥା ନିର୍ମାଣ ହୋଇଛି। ବିର୍ସା ମୁଣ୍ଡା ଷ୍ଟାଡିୟମ ଓ କଳିଙ୍ଗ ଷ୍ଟାଡିୟମର ଭିତ୍ତିଭୂମି ବିକାଶ ପାଇଁ ୮୭୫.୭୮ କୋଟି ବ୍ୟୟ ହୋଇଛି। ତେବେ ଏଥିମଧ୍ୟରୁ ପାଖାପାଖି ୫ ଶହ କୋଟି ବିର୍ସା ମୁଣ୍ଡା ଷ୍ଟାଡିୟମରେ ବ୍ୟୟ ହୋଇଛି। ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍‌ଏଫ୍‌) ପାଣ୍ଠିରୁ ୧୩୬.୮୨ କୋଟି, ସିଏସ୍‌ଆର୍‌ ଓ ଓଏସ୍‌ଡିଏଫ୍‌ରୁ ୧୭୬.୩୮ କୋଟି ଓ ରାଜ୍ୟ ରାଜକୋଷରୁ ୫୬୨.୫୮ କୋଟି ଅନୁମୋଦନ କରାଯାଇଛି। ତେବେ ବିର୍ସା ମୁଣ୍ଡା ଷ୍ଟାଡିୟମ ପାଇଁ ନିର୍ଦ୍ଦିଷ୍ଟ କେତେ ବ୍ୟୟ କରାଯାଇଛି; ସେନେଇ ସରକାରଙ୍କ ପକ୍ଷରୁ ଆନୁଷ୍ଠାନିକ ଭାବେ ସୂଚନା ଦିଆଯାଇନି। ଏତଦ୍‌ବ୍ୟତୀତ ପିଲାମାନଙ୍କ ରହଣି ପାଇଁ ୮୪.୦୪ କୋଟି ବ୍ୟୟରେ ଆକୋମୋଡେସନ ବିଲ୍‌ଡିଂ ନିର୍ମାଣ କରାଯାଇଛି। ଏହି ୪ ତାରକା ବିଶିଷ୍ଟ ବିଲ୍‌ଡିଂରେ ୨୨୫ଟି କୋଠରୀ ରହିଛି। ପ୍ରତ୍ୟେକ କୋଠରୀରେ ଦୁଇ ଜଣ ଖେଳାଳି ରହିପାରିବେ। ଏକା ସମୟରେ ମୋଟ୍‌ ୮ଟି ଦଳର ଖେଳାଳି, କୋଚ୍‌, ସପୋର୍ଟ‌୍ ଷ୍ଟାଫ୍‌ଙ୍କୁ ଏଠାରେ ରଖାଯାଇପାରିବ। ଏଠାକାର ଟର୍ଫ‌ ପାଇଁ ପାଖାପାଖି ୯ କୋଟି ବ୍ୟୟ ହୋଇଥିବା ବେଳେ ସ୍ବିମିଂ ପୁଲ୍‌ ପାଇଁ ବ୍ୟୟ ହୋଇଛି ୯ କୋଟି ୧୫ ଲକ୍ଷ। ଏତଦ୍‌ବ୍ୟତୀତ, ଅତ୍ୟାଧୁନିକ ଫିଟ୍‌ନେସ ସେଣ୍ଟର୍‌, ହାଇଡ୍ରୋଥେରାପି ପୁଲ୍‌, ବାଷ୍ପ ସ୍ନାନ ବ୍ୟବସ୍ଥା, ଷ୍ଟିମ୍‌, ଭିଡିଓ ବୋର୍ଡ ରୁମ୍‌, ଡ୍ରେସିଂ ରୁମ୍‌, ୮ଟି ଚେଞ୍ଜିଂ ରୁମ୍‌ (ପ୍ରତ୍ୟେକରେ ୧୮ଟି ଲେଖାଏଁ କ୍ୟାବିନେଟ୍‌) ସମେତ ଅତିରିକ୍ତ ଅଭ୍ୟାସ ପଡ଼ିଆ ଆଦି ଉପଲବ୍ଧ। ସେହିପରି ପାରିପାର୍ଶ୍ବିକ ବିକାଶ, ଯଥା ରାସ୍ତା, ସୌନ୍ଦର୍ଯ୍ୟୀକରଣ ଆଦି ପାଇଁ ୧୦ କୋଟି ୫୦ ଲକ୍ଷ ଏବଂ ବିଦ୍ୟୁତ ସଂଯୋଗ ହାଇମାଷ୍ଟ୍‌ ଲାଇଟ୍‌, ସୌନ୍ଦର୍ଯ୍ୟୀକରଣ ପାଇଁ ଆଲୋକବ୍ୟବସ୍ଥା ଆଦି ପ୍ରକଳ୍ପ ପାଇଁ ୧୩ କୋଟି ବ୍ୟୟ ହୋଇଛି।

ସମ୍ବନ୍ଧିତ ଖବର