ନିଜର ପ୍ରଥମ ଅର୍ଧଶତକ କଥା କହିଲେ ଈଶାନ୍ତ, ଏଥିପାଇଁ ରାହୁଲଙ୍କ ଅବଦାନ ଥିଲା

ନୂଆଦିଲ୍ଲୀ: ଭାରତୀୟ ଦ୍ରୁତ ବୋଲର ଈଶାନ୍ତ ଶର୍ମା ଗତ ବର୍ଷ ୱେଷ୍ଟ୍‌ଇଣ୍ଡିଜ୍‌ ବିପକ୍ଷ ଦ୍ବିତୀୟ ଟେଷ୍ଟ୍‌‌ରେ ନିଜର ପ୍ରଥମ ଅର୍ଧଶତକ ହାସଲ କରିଥି‌ଲେ। ଏହି ମ୍ୟାଚ୍‌ରେ କେ‌ଏଲ୍‌ ରାହୁଲ ପ୍ରଥମ ପାଳିରେ ମାତ୍ର ୧୩ ରନ୍‌ କରି ଆଉଟ୍‌ ହୋଇଥିଲେ। ଆଉଟ୍‌ ହୋଇ ଫେରିବା ପରେ ସେ ଈଶାନ୍ତଙ୍କୁ କହିଥିଲେ ‌ତୁମେ ଏହି ରନ୍‌ ଯଦି ପାରି କରିଦେବ ମୁଁ ସବୁ କିଛି କରିପାରିବି। ରାହୁଲଙ୍କ ଏହି ଆହ୍ବାନ ହିଁ ଈଶାନ୍ତଙ୍କୁ ଅର୍ଧଶତକ ହାସଲ କରିବାକୁ ପ୍ରେରଣା ଦେଇଥିଲା। ସେ ଏହି ମ୍ୟାଚ୍‌ରେ ୮୦ ବଲ୍‌ରୁ ୫୭ ରନ୍‌ କରିଥିଲେ। ସୋମବାର ଏକ ଲାଇଭ୍‌ ଚାଟ୍‌ରେ ଈଶାନ୍ତଙ୍କୁ ମୟଙ୍କ ଅଗ୍ରୱାଲ ପଚାରି ଥିଲେ ତୁମେ ଅର୍ଧଶତକ ହାସଲ ପରେ ଅଧିନାୟକ ବିରାଟ କୋହଲିଙ୍କ ସହ ସମସ୍ତ ଦଳୀୟ ଖେଳାଳି କାହିଁକି ବାଲ୍‌କୋନିକୁ ଆସିଥିଲେ ଏବଂ ସେମାନଙ୍କ ପ୍ରତିକ୍ରିୟା କିପରି ଥିଲା?

ଏହାର ଉତ୍ତରରେ ପୁରୁଣା ସ୍ମୃତିକୁ ମନେ ପକାଇ ଈଶାନ୍ତ କହିଥିଲେ ମୁଁ ଅର୍ଧଶତକ ହାସଲ କରିବା ପରେ ପୁରା ଦଳ ମୋତ‌େ ସ୍ବାଗତ କରିବାକୁ ବାଲ୍‌କୋନିକୁ ଆସିଥିଲେ। ସମସ୍ତଙ୍କ ପ୍ରତିକ୍ରିୟା କଥା ଭୁଲିଯାଅ। ମୁଁ ସେତେବେଳେ ରାହୁଲଙ୍କୁ ପଚାରିଲି ମୋ ଅର୍ଧଶତକ କେମିତି ଲାଗିଲା। ସେ କହିଲେ ଆମ‌େ ଭାବୁଥିଲୁ ତୁମେ ଯଦି ୧୦୦ ମାରିବ ତେବେ ବାଲ୍‌କୋନିରୁ ତଳକୁ ଡେଇଁ ପଡ଼ିବୁ। ମୟଙ୍କ ପୁଣି ଈଶାନ୍ତଙ୍କୁ ଏହି ଚାଟ୍‌ରେ ପଚାରିଥିଲେ ରାହୁଲ କିଛି ତୁମକୁ ଆହ୍ବାନ ଦେଇଥିଲେ କି? ହଁ ସେ ୧୩ ରନ୍‌ କରି ଆଉଟ୍‌ ହୋଇ ଫେରିବା ପରେ ମୋତେ କହିଲେ ‘ପୁଅ ମୋ ସ୍କୋର୍‌ଠୁ ଅଧିକ କରିପାରିବ। ଯଦି କରିଦେବ ତୁମ ପାଇଁ ମୁଁ ସବୁ କରିଦେବି’। ଅର୍ଧଶତକ ହାସଲ କରିବା ପରେ ମୁଁ ରାହୁଲଙ୍କୁ କିଛି ବ୍ୟାଟିଂ ପରାମର୍ଶ ଦେଇଥି‌ଲି। ଏହାକୁ ପସନ୍ଦ କରିବା ‌ପରେ ସେ କହିଲେ ‘ଭାଇ ଏହା ବନ୍ଦ କର, ତୁମେ ଅର୍ଧଶତକ ହାସଲ କଲ, ଏବେ ମୋ ଜୀବନ କାହିଁକି ନେଉଛ’ବୋଲି ଈଶାନ୍ତ ପୁରୁଣା ସ୍ମୃତିକୁ ମନେ ପକାଇ କହିଛନ୍ତି। ସେହି ମ୍ୟାଚ୍‌ ମୋର ବ୍ୟାଟିଂ ଗ୍ଲୋବ୍ସ ଓଜନିଆ ହୋଇ ଯାଇଥିଲା ରାହୁଲ ମୋତେ ଗୋଟିଏ ଯୋଡ଼ି ନୂଆ ଗ୍ଲୋବ୍ସ ଦେଇଥି‌ଲେ। ମୁଁ ସେହି ଗ୍ଲୋବ୍ସରେ ବ୍ୟାଟିଂ କରି ଅର୍ଧଶତକ ହାସଲ କରିବା ତାଙ୍କର ଈଚ୍ଛା ଥିଲା ବୋଲି ଈଶାନ୍ତା କହିଛନ୍ତି।

ସମ୍ବନ୍ଧିତ ଖବର