ଭୁବନେଶ୍ବର: ଟେବୁଲ୍ ଟେନିସ୍ ଇତିହାସରେ ଓଡ଼ିଶା ପ୍ରଥମ ଜାତୀୟ ସ୍ତରୀୟ ପଦକ ଗତ ଜାନୁଆରିରେ ପାଇଛି। ମଧ୍ୟପ୍ରଦେଶରେ ଆୟୋଜିତ ୮୫ତମ ଜାତୀୟ ଉପ କନିଷ୍ଠ ଓ କ୍ୟାଡେଟ୍ ପ୍ରତିଯୋଗିତାରେ ଓଡ଼ିଶା କାଂସ୍ୟ ପଦକ ଜିତି ଇତିହାସ ରଚିଥିଲା। ଏହି ଦଳଗତ ପ୍ରତିଯୋଗିତାରେ ଓଡ଼ିଶାକୁ ପଦକ ଆଣି ଦେବାରେ ସବୁଠୁ ବଡ଼ ଭୂମିକା ନେଇଥିଲେ କଟକର ଜିଜ୍ଞାସୁ ସାହୁ। ଏହି ଦଳରେ ଜିଜ୍ଞାସୁଙ୍କ ସହ ତକମିଲ ମହମ୍ମଦ, ଜିଜ୍ଞାସୁ ସାଇ କିରଣ ପ୍ରଧାନ, ଅନିନ୍ଦ୍ୟ ଅନୁପମ ଦାସ ସାମିଲ ଥିଲେ। କିନ୍ତୁ ଜିଜ୍ଞାସୁ (ସାହୁ) ଏକାକି ଗୋଟିଏ ପରେ ଗୋଟିଏ ମ୍ୟାଚ୍ ଜିତି ଓଡ଼ିଶାକୁ ସେମିଫାଇନାଲ୍ରେ ପହଞ୍ଚାଇଥିଲେ। ଏହି ପ୍ରତିଯୋଗିତାରେ ଓଡ଼ିଶା ଏକକ ଓ ଯୁଗଳରେ ମୋଟ ୨୨ ମ୍ୟାଚ୍ ଖେଳିଥିଲା ବେଳେ ଜିଜ୍ଞାସୁ ୧୮ ମ୍ୟାଚ୍ରେ ଲଢ଼େଇ କରିଥିଲେ। ସେଥିମଧ୍ୟରୁ ୪ ମ୍ୟାଚ୍ରେ ସେ ପରାସ୍ତ ହୋଇଥିଲେ। ତାଙ୍କ ଖେଳ ଦେଖିବା ପରେ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବୋଲି ଅନେକ ତାଙ୍କୁ କହିବା ସହ ସାବାସୀ ଦେଇଥିଲେ।
ଜିଜ୍ଞାସୁଙ୍କ ସ୍ବାସ୍ଥ୍ୟାବସ୍ଥା ପିଲାଦିନରୁ ଭଲ ରହୁନଥିଲା। ବିଭିନ୍ନ ଲୋକଙ୍କଠୁ ପରାମର୍ଶ ନେବା ପରେ ସେ ସୁସ୍ଥ ରହିବା ପାଇଁ ପ୍ରଶିକ୍ଷକ ରାଜ୍ ସୁବ୍ରମଣ୍ୟମଙ୍କ ପାଖରେ ଟେବୁଲ୍ ଟେନିସ୍ ଖେଳିବା ଆରମ୍ଭ କରିଥିଲେ। ପାଖାପାଖି ୨୧ ଜାତୀୟ ପ୍ରତିଯୋଗିତାରେ ଖେଳିସାରିଥିବା ସିଡିଏସ୍ଥିତ ଡିଏଭି ସ୍କୁଲ୍ ନବମ ଶ୍ରେଣୀର ଛାତ୍ର ଜିଜ୍ଞାସୁ ସବୁବେଳେ ଭାରତକୁ ପ୍ରତିନିଧିତ୍ବ କରିବାକୁ ସ୍ବପ୍ନ ଦେଖି ଆସୁଛନ୍ତି। ଦିନେନା ଦିନେ ବିଶ୍ବର ୧ ନମ୍ବର ଖେଳାଳି ହେବେ ବୋଲି ଆଶା ରଖିଛନ୍ତି। ଜାତୀୟ ପଦକ ଜିତିବା ପରେ ତାଙ୍କର ଆତ୍ମବିଶ୍ବାସ ବଢିଛି। ତେଣୁ ଆଗକୁ ପ୍ରତ୍ୟେକ ପ୍ରତିଯୋଗିତାରେ ବିଜେତା ହେବାକୁ ଲକ୍ଷ୍ୟ ରଖିଛନ୍ତି। ଭାରତୀୟ କିଂବଦନ୍ତି ଶରତ କମଲଙ୍କ ଖେଳ ତାଙ୍କୁ ଅଧିକ ପ୍ରଭାବିତ କରିଛି। ତାଙ୍କ ସହିତ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍ ବେଳେ ଦେଖା ହୋଇଥିଲା। ଆଗକୁ ଶରତଙ୍କ ସହିତ ସେ ମ୍ୟାଚ୍ ଖେଳିବାକୁ ଚାହାନ୍ତି ବୋଲି ଜିଜ୍ଞାସୁ ଆଶା ପ୍ରକଟ କରିଛନ୍ତି। ସବୁଠୁ ବଡ଼ କଥା ହେଉଛି ପରିବାରର ସମର୍ଥନ ବିନା ସେ ଏତେ ବାଟ ଆସିପାରି ନଥାନ୍ତେ। ବାପା ଜ୍ଞାନେନ୍ଦ୍ର ସାହୁ ଓ ମା’ ପ୍ରତିମା ସାହୁ ତାଙ୍କୁ କେବେ ଖେଳଠୁ ଦୂରେଇ ରଖି ନାହାନ୍ତି ବୋଲି ଜିଜ୍ଞାସୁ କହିଛନ୍ତି।
କୋଭିଡ୍ ସମୟ ତାଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆଣିଥିଲା। ସ୍କୁଲ୍ ଛୁଟି ଥିବାରୁ ସେ ସଚିନ ତେନ୍ଦୁଲକର ଇନ୍ଡୋର ହଲ୍ରେ ଥିବା ଟେବୁଲ ଟେନିସ୍ ପ୍ରଶିକ୍ଷଣ କେନ୍ଦ୍ରରେ ଦିନକୁ ପାଖାପାଖି ୫ ଘଣ୍ଟା ଅଭ୍ୟାସ କରୁଥିଲେ। ଏବେ ତାହାର ପରିଣାମ ମ୍ୟାଚ୍ରେ ଦେଖିବାକୁ ମିଳୁଛି ବୋଲି ପ୍ରଶିକ୍ଷକ ରାଜ୍ କହିଛନ୍ତି। ଗତ ଜାତୀୟ ପ୍ରତିଯୋଗିତାର ରାଉଣ୍ଡ-୩୨ ବେଳେ ତାଙ୍କ ଗୋଡ଼ରେ ଆଘାତ ଲାଗିଥିଲେ ମଧ୍ୟ ସେ ଖେଳିବାକୁ ଜିଦ୍ ଧରିଥିଲେ ଓ ଓଡ଼ିଶାକୁ କାଂସ୍ୟ ଜିତାଇବାରେ ବଡ଼ ଭୂମିକା ନେଇଥିଲେ। ଜିଜ୍ଞାସୁ ବହୁତ ପରିଶ୍ରମୀ, ନିଷ୍ଠାବାନ୍ ଖେଳାଳି। ଅଭ୍ୟାସ ବେଳେ ସେ ସମସ୍ତଙ୍କ ଆଗରୁ ଆସି ପହଞ୍ଚିଥିବେ। ଦିନର ଯେଉଁ ସମୟରେ ଅଭ୍ୟାସ କରିବାକୁ ଯୋଜନା କରାଗଲେ ମଧ୍ୟ ଜିଜ୍ଞାସୁ ସବୁବେଳେ ପ୍ରସ୍ତୁତ ରୁହନ୍ତି। ଅଧିକରୁ ଅଧିକ ଅଭ୍ୟାସ କଲେ ଓ ବାହାରେ ବରିଷ୍ଠ ଖେଳାଳିଙ୍କ ସହ ଅଭ୍ୟାସ କଲେ ସେ ନିଶ୍ଚୟ ବରିଷ୍ଠ ସ୍ତରରେ ପଦକ ଜିତିପାରିବେ। ଜିଜ୍ଞାସୁଙ୍କ ବ୍ୟାଚ୍ର ସବୁ ପିଲା ଭଲ ଖେଳୁଛନ୍ତି। ଏହି ପିଲାଙ୍କଠୁ ହିଁ ପଦକ ଆଶା କରାଯାଇପାରେ ବୋଲି ରାଜ୍ କହିଛନ୍ତି।