ସ୍ପିନ୍‌ କଳା ଚିରକାଳ ରହିବ: ନୀଲେଶ କୁଲକର୍ଣ୍ଣି

ଭୁବନେଶ୍ୱର (ସୁରେଶ ସ୍ୱାଇଁ): ସ୍ପିନ୍‌ ବୋଲିଂ କଳା ପାଇଁ ଭାରତୀୟ କ୍ରିକେଟ୍‌ ବେଶ ସମୃଦ୍ଧ। ବିଶ୍ୱ କ୍ରିକେଟ୍‌ରେ ଭାରତକୁ ସ୍ପିନ୍‌ ବୋଲିଂର ଅଗ୍ରଜ କହିଲେ ବି ଅତୁ୍ୟୁକ୍ତ ହୁଏ ନାହିଁ। ଦେଶ ଯେଉଁ କେତେଜଣ ସ୍ପିନ୍‌ ବୋଲରଙ୍କୁ ସଫଳତାର ସୋପାନ ଚଢ଼ିଥିବା ଦେଖିଛି ସେମାନଙ୍କ ମଧ୍ୟରେ ନିଶ୍ଚିତ ଆଗଧାଡ଼ିରେ ରହିବେ ନୀଲେଶ କୁଲକର୍ଣି। ଦେଶର ଅନ୍ୟତମ ସଫଳ ବାମହାତୀ ସ୍ପିନରଙ୍କ ମଧ୍ୟରେ କୁଲକର୍ଣି ପ୍ରଥମ ଶ୍ରେଣୀ କ୍ରିକେଟରେ ୩୫୭ ଓ୍ଵିକେଟ୍‌ ନେଇଛନ୍ତି। ଟେଷ୍ଟ କ୍ରିକେଟ୍‌ରେ ନିଜର ପ୍ରଥମ ବଲ୍‌ରେ ଓ୍ଵିକେଟ୍‌ ନେବାରେ (ମାର୍ବଣ ଆଟାପାଟ୍ଟୁ, କଲମ୍ବୋ, ୧୯୯୭-୯୮) ବିଶ୍ୱର ଦ୍ୱାଦଶ ଖେଳାଳି ହୋଇଥିଲେ। ଭାରତ ପାଇଁ ୩ ଟେଷ୍ଟ୍‍ ଏବଂ ୧୦ ଦିନିକିଆ ଅନ୍ତର୍ଜାତୀୟ ଖେଳିଥିବା ଏହି ଲମ୍ବା ଚେହେରା (୬ ଫୁଟ୍‌ ୪ ଇଞ୍ଚ) ବୋଲର ଏବେ ଚୟନକର୍ତା ଭାବେ ଓଡ଼ିଶା-ମୁମ୍ବାଇ ରଣଜୀ ମ୍ୟାଚ୍‌ ଉପରେ ନଜର ପକାଇବାକୁ ଭୁବନେଶ୍ୱରରେ ଡେରା ପକାଇଛନ୍ତି। ଗୁୁରୁବାର ‘ସମ୍ବାଦ’ ଭେଟିଥିଲା ୪୪ ବର୍ଷୀୟ ଏହି ବିଗତ ଦିନର ତାରକା ସ୍ପିନରଙ୍କୁ।

ସ୍ପିନ୍‌ ବୋଲିଂର ଗୁରୁତ୍ୱ ବଢ଼ିଛି

ଟେଷ୍ଟ୍‍ କ୍ରିକେଟ୍‌କୁ ସଙ୍କଟରେ ପକାଇ ଟେ୍ଵଣ୍ଟି-୨୦ କ୍ରିକେଟ୍‌ ଲୋକପ୍ରିୟତା ଅର୍ଜନ କରିଛି। ଟେ୍ଵଣ୍ଟି-୨୦ ଯେତେ ବ୍ୟାଟିଂ ପ୍ରାଧାନ୍ୟ ରହିଲେ ବି ସ୍ପିନ୍‌ ବୋଲିଂର ଚାହିଦା, ଗୁରୁତ୍ୱ, ସ୍ଥିତି ଓ ଭବିଷ୍ୟତ ପ୍ରତି କୌଣସି ବିପଦ ଆସି ନାହିଁ। ଏହି କଳା ଛିଡ଼ିିବା ଅପେକ୍ଷା ବଢ଼ିଛି। ଏହି କଳାର ପ୍ରାଧାନ୍ୟ ଚିରକାଳ ରହିବ। ସବୁ ଦଳରେ ଏବେ ସ୍ପିନର୍‌ ରହୁଛନ୍ତି। ସ୍ଥିର ପ୍ରଦର୍ଶନ ଦେଉଛନ୍ତି। ଏହା ଉତ୍ସାହଜନକ କଥା। ଜଣେ ସ୍ପିନର୍‌ ଯେତେ ଅଧିକ ଖେଳିବ ସେତେ ପରିପକ୍ୱ ହେବ ଏବଂ ଅଭିଜ୍ଞତା ପାଇବ। ଟେ୍ଵଣ୍ଟି-୨୦ କ୍ରିକେଟ୍‌ ଆସିବା ପରେ ବି ବାମହାତୀ ସ୍ପିନରଙ୍କ ପାଇଁ କୌଣସି ବିପଦ ଆସିନାହିଁ। ଏବେ ପ୍ରଥମ ୬ ଓଭରରେ ହିଁ ସ୍ପିନରଙ୍କୁ ବୋଲିଂ କରିବା ସୁଯୋଗ ମିଳୁଛି। ରନ୍‌ ବ୍ୟୟ କରିବାକୁ ପଡ଼ିପାରେ କିନ୍ତୁ ଓ୍ଵିକେଟ୍‌ ମିଳିବାର ସୁଯୋଗ ବି ରହୁଛି। ଭଲ ଲାଇନ୍‌ ଲେନ୍‌ଥ ରଖିଲେ ସଫଳତା ନିଶ୍ଚିତ ମିଳିଥାଏ। ଡାନିଏଲ୍‌ ଭିଟ୍ଟୋରୀ ଏହାକୁ ପ୍ରୟୋଗ କରି ସଫଳତାର ଧାରା ଦେଖାଇଛନ୍ତି।

ଅଶ୍ୱିନ-ଜାଦେଜା ଶ୍ରେଷ୍ଠ

ଭାରତ ଅନେକ ସ୍ପିନରଙ୍କୁ ଦେଖିଛି। ଅନୀଲ କୁମ୍ବଲେଙ୍କ ଭଳି ମହାନଙ୍କୁ ପାଇଛି। ତେବେ ଅଫସ୍ପିନର୍‌ ଆର୍‌ ଅଶ୍ୱିନ୍‌ ଏବଂ ବାମହାତୀ ରବୀନ୍ଦ୍ର ଜାଦେଜାଙ୍କୁ ସାମ୍ପ୍ରତିକ ସମୟର ଶ୍ରେଷ୍ଠ କୁହାଯିବ। ଭାରତକୁ ଏକାଧିକ ଟେଷ୍ଟ୍‍ ମ୍ୟାଚ୍‌ରେ ବିଜୟ ଦେବାରେ ଏହି ଯୋଡ଼ିଙ୍କ ଅବଦାନ ରହିଛି। ଏହା ବଡ଼ ସନ୍ତୋଷଜନକ ପ୍ରଦର୍ଶନ। ସେମାନଙ୍କୁ ଦିନିକିଆରେ ନିଆ ନଯିବା ସମ୍ପର୍କରେ ମୁଁ କିଛି କହି ପାରିବି ନାହିଁ। ଜାତୀୟ ଚୟନକର୍ତା ଏହାର ଉତ୍ତର ରଖିପାରିବେ। କିନ୍ତୁ ଆଇସିସି ମାନ୍ୟତାରେ ଏହି ଦୁଇ ଜଣ ଶୀର୍ଷ ୫ ଭିତରେ ରହିବା ସବୁଠାରୁ ଉଲ୍ଲେଖନୀୟ କଥା।

ଧୋନି-କୋହଲି ନେତୃତ୍ୱ ଭିନ୍ନ

ଭାରତୀୟ ଦଳର ନେତୃତ୍ୱ ନେବାରେ ବିରାଟ କୋହଲି ସଫଳତାର ଅନେକ ସିଡ଼ି ଚଢ଼ିଛନ୍ତି। ବ୍ୟକ୍ତିଗତ ପ୍ରଦର୍ଶନ ପ୍ରଶଂସନୀୟ ରହିଛି। ଭାରତକୁ ଟେଷ୍ଟ୍‍ ଓ ଦିନିକିଆରେ ଏକ ନମ୍ବର କରାଇ ପାରିିଛନ୍ତି। ଏହାଠାରୁ ଅଧିକ କିଛି ଆଶା କରାଇ ନପାରେ। ମହେନ୍ଦ୍ର ସିଂହ ଧୋନି ଏବଂ ବିରାଟ କୋହଲିଙ୍କ ଖେଳ ଶୈଳୀ ହେଉ କି ନେତୃତ୍ୱ ଢ଼ଙ୍ଗ କୌଣସି ଥିରେ ତୁଳନା କରିବାର ଆବଶ୍ୟକତା ନାହିଁ। ଭିନ୍ନତା ଥିଲେ ବି ଉଭୟ ସଫଳତା ପାଇଛନ୍ତି। ଧୋନି ଭାରତକୁ ଏକ ନମ୍ବର କରାଇଥିଲେ, କୋହଲି ବି ଏକ ନମ୍ବର କରାଉଛନ୍ତି।

ଅଷ୍ଟ୍ରେଲିଆ ଶୃଙ୍ଖଳା ସ୍ମରଣୀୟ

୨୦୦୧ ମସିହାର ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ୍‍ ଶୃଙ୍ଖଳାକୁ ମୁଁ ସବୁଠାରୁ ସ୍ମରଣୀୟ କହିବି। ଶିବ ସୁନ୍ଦର ଦାସ ବି ସେ ଶୃଙ୍ଖଳାରେ ଖେଳିଥିଲେ। ଏହାକୁ ମୁଁ ସାମ୍ପ୍ରତିକ ସମୟରେ ସବୁଠାରୁ ଭଲ ଲଢ଼େଇର ଶୃଙ୍ଖଳା ଆଖ୍ୟା ଦେବି। ଭାରତୀୟ କ୍ରିକେଟ୍‌ରେ ଏହିଠାରୁ ବିପ୍ଳବ ଆସିଥିଲା। ବିଶ୍ୱ କ୍ରିକେଟରେ ଆମ ପ୍ରଧାନ୍ୟର ଅୟମାରମ୍ଭ ହୋଇଥିଲା। ୦-୧ରେ ପଛରେ ପଡ଼ିଯିବା ପରେ କୋଲ୍‌କାତା ଟେଷ୍ଟ୍‍ରେ ଲକ୍ଷ୍ମଣ-ଦ୍ରାବିଡ଼ଙ୍କ ଭାଗୀଦାରି ଏବଂ ହରଭଜନ ସିଂହଙ୍କ ଚମତ୍କାର ବୋଲିଂ ହିଁ ଫଲୋଅନ୍‌ ଡାକରା ପାଇଥିବା ଭାରତକୁ ସେଠାରେ ବିଜୟୀ କରାଇଥିଲା। ପରେ ଭାରତ ଶୃଙ୍ଖଳା ବି ଜିତିଥିଲା।

କ୍ରିକେଟ୍‌ ସବୁ ଦେଇଛି

କ୍ରିକେଟ୍‌ ଜୀବନକୁ ନେଇ ମୋର କୌଣସି ଅନୁତାପ ନାହିଁ। ମୋତେ ଅନେକ ସନ୍ତୋଷଜନକ ମୁହୂର୍ତ ଦେଇଛି, ସ୍ମରଣୀୟ ଅନୂଭୂତି ରଖିଛି। କହିବାକୁ ଗଲେ କ୍ରିକେଟ୍‌ ସବୁ ଦେଇଛି। ଭାରତୀୟ ଦଳରୁ ଖେଳିବା ପାଇଁ ମନୋନୀତ ହେବା ମୋ ପାଇଁ ସବୁଠାରୁ ସ୍ମରଣୀୟ ମୁହୂର୍ତ ହୋଇ ରହିଛି।

ଓଡ଼ିଶାକୁ ଶୁଭେଚ୍ଛା

ଓଡ଼ିଶାରେ ମୋ ବହୁ କ୍ରିକେଟ୍‌ ବଂଧୁ ରହିଛନ୍ତି। ରଂଜୀବ ବିଶ୍ୱାଳ, ଦେବାଶିଷ ମହାନ୍ତି, ଶିବ ସୁନ୍ଦର ଦାସଙ୍କ ସହିତ ଖେଳିଛି ଏବଂ ସେମାନଙ୍କ ବିପକ୍ଷରେ ଖେଳିଛି। ଦେବାଶିଷ ଓ ଶିବସୁନ୍ଦରଙ୍କ ସହିତ ଏକାଠି ଭାରତୀୟ ଦଳରୁ ମଧ୍ୟ ଖେଳିଛୁ। ଦାସ (ଶିବସୁନ୍ଦର)ସହିତ ମୁଁ ଇଂଲଣ୍ଡରେ ବି କ୍ଲବ୍‌ କ୍ରିକେଟ୍‌ ଖେଳିଛି। ସେମାନେ ମୋ ଭଲ ବଂଧୁ ମଧ୍ୟ ରହିଛନ୍ତି। ଓଡ଼ିଶା ଏତେ ଭଲ କ୍ରିକେଟର୍‌ ଗଢ଼ି ପାରିଛି। ଆଶା କରିବି ଏହି ଧାରା ଆଗକୁ ବଢ଼ୁ ଏବଂ ଅଧିକରୁ ଅଧିକ ଓଡ଼ିଶା ଖେଳାଳି ଜାତୀୟ ଦଳରେ ଆସନ୍ତୁ ବୋଲି ମୁଁ ଶୁଭେଚ୍ଛା ଦେବି। ଏବେ କ୍ରିକେଟ୍‌ ପ୍ରଶାସନରେ ଖେଳାଳିଙ୍କ ପ୍ରବେଶ ଆସୁଥିବାରୁ ଆଶା କରିବି ଏହା ସମ୍ଭବ ହେବ।

ସମ୍ବନ୍ଧିତ ଖବର