ନୂଆଦିଲ୍ଲୀ : ଟୋକିଓ ପାରାଲିମ୍ପିକ୍ସରେ ଐତିହାସିକ ସଫଳତା ଅର୍ଜନ କରିଥିବା ଭାରତୀୟ ପାରାଲିମ୍ପିଆନ୍ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ସକାଳ ଜଳଖିଆରେ ଆପାୟିତ କରିଥିଲେ। ଏହି ଅବସରରେ ଭାରତୀୟ ପାରାଲିମ୍ପିଆନ୍ମାନେ ମୋଦୀଙ୍କୁ ସ୍ବତନ୍ତ୍ର ଉପହାର ଦେଇଥିଲେ। ଟୋକିଓ ପାରାଲିମ୍ପିକ୍ସରେ ପଦକ ଜିତିଥିବା ୧୭ ଜଣ ଭାରତୀୟ ଖେଳାଳିଙ୍କ ଦସ୍ତଖତ ଥିବା ଏକ ଷ୍ଟୋଲ୍ ସେମାନେ ମୋଦୀଙ୍କୁ ପିନ୍ଧାଇ କୃତଜ୍ଞତା ଜ୍ଞାପନ କରିଥିଲେ। ଟୋକିଓ ଯିବା ପୂର୍ବରୁ ମୋଦୀ ଏହି ଖେଳାଳିମାନଙ୍କ ମନୋବଳ ବଢ଼ାଇବା ସହ ପଦକ ଜିତିବା ପରେ ସେମାନଙ୍କ ସହ ଫୋନ୍ରେ କଥା ହୋଇ ବଧାଇ ଜଣାଇଥିଲେ। ଏହି ଅବସରରେ ମୋଦୀ ଦୀର୍ଘ ସମୟ ପର୍ଯ୍ୟନ୍ତ ଭାରତୀୟ ପଦକ ବିଜେତାଙ୍କ ସହ କଥାବାର୍ତ୍ତା ହୋଇଥିଲେ।
ସୂଚନାଯୋଗ୍ୟ ଯେ ଭାରତ ଏଥର ତାର ପାରାଲିମ୍ପିକ୍ସ ଇତିହାସର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ୫ ସ୍ବର୍ଣ୍ଣ, ୮ ରୌପ୍ୟ ଓ ୬ କାଂସ୍ୟ ସହ ମୋଟ ୧୯ ପଦକ ଜିତିଥିଲା। ତା ସହ ନିଜ ସର୍ବଶ୍ରେଷ୍ଠ ସ୍ଥାନ (୨୪ତମ) ମଧ୍ୟ ଅଧିକାର କରିଥିଲା। ପ୍ରଥମଥର ପାଇଁ ସାମିଲ ହୋଇଥିବା ବ୍ୟାଡମିଣ୍ଟନ୍ରୁ ଭାରତୀୟ ଦଳ ଚାରିଟି ପଦକ ଜିତିଥିଲା। ସେଥିମଧ୍ୟରେ ଥିଲେ ଏସ୍ଏଲ୍-୩ ବର୍ଗରେ ଥିବା ଓଡ଼ିଆ ତାରକା ପ୍ରମୋଦ ଭଗତ। ପ୍ରମୋଦ ନିଜ ବର୍ଗର ଏକକ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ଏହା ମଧ୍ୟ ପାରାଲିମ୍ପିକ୍ସରୁ ଓଡ଼ିଶାର ପ୍ରଥମ ପଦକ ଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/11.jpg)