ଆତ୍ମଘାତୀ ଗୋଲ୍‌ରେ ଇରାନ୍‌ ବିଜୟୀ

ସେଣ୍ଟ୍‌ ପିଟର୍ସବର୍ଗ: ଫିଫା ବିଶ୍ୱକପ୍‌ର ଏକ ଗ୍ରୁପ୍‌ ‘ବି’ ମ୍ୟାଚ୍‌ରେ ଏସୀୟ ଦେଶ ଇରାନ୍‌ ୧-୦ ଗୋଲ୍‌ରେ ମରକ୍କୋକୁ ଅପ୍ରତ୍ୟାଶିତ ଭାବେ ହରାଇ ଦେଇଛି। ମରକ୍କୋ ଖେଳାଳି ଅଜିଜ୍‌ ବୌହାଦୋଜଙ୍କ ଆତ୍ମଘାତୀ ଗୋଲ୍‌ ବଳରେ ଇରାନ୍‌ ଏକ ସ୍ମରଣୀୟ ବିଜୟ ହାସଲ କରି ନେଇଛି। ଫଳରେ ପବିତ୍ର ରମ୍‌ଜାନ୍‌ ମାସର ଶେଷାନ୍ତରେ ଇରାନ୍‌ ସମ୍ପୂର୍ଣ୍ଣ ୩ ପଏଣ୍ଟ୍‌ ନେଇ ଅଭିଯାନ ଆରମ୍ଭ କରିଛି। ଶୁକ୍ରବାର ପ୍ରଥମ ଥର ଲଗାତାର ବିଶ୍ୱକପ୍‌ ଖେଳିଥିବା ଏସୀୟ ଦେଶ ଇରାନ୍‌ ପଏଣ୍ଟ୍‌ ଖାତା ଖୋଲି ରୁଷିଆ ବିଶ୍ୱକପ୍‌ ଅଭିଯାନ ଆରମ୍ଭ କରିବା ଲାଗି ଶେଷ ପର୍ଯ୍ୟନ୍ତ ଲଢ଼ିଥିଲା। ଅନ୍ୟପକ୍ଷରେ ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟରେ ୮ ମ୍ୟାଚ୍‌ ଖେଳି ମାତ୍ର ଗୋଟିଏ ଗୋଲ୍‌ ବରଣ କରିଥିବା ମରକ୍କୋ ମଧ୍ୟ ଆଉ ଏକ କ୍ଲିନ୍‌ ସିଟ୍‌ (ଗୋଲ୍‌ ବରଣ ନକରିବା) ଲକ୍ଷ୍ୟରେ ରହିଥିଲା। ଶେଷରେ ଏହି ଧାରାକୁ ବଞ୍ଚାଇପାରିନଥିଲା। ୯୫ତମ ମିନିଟ୍‌ରେ ଇରାନ୍‌ର ଏହସାନ୍‌ ହାଜି ସଫିଙ୍କ ସଟ୍‌କୁ ରୋକିବାକୁ ଯାଇ ମରକ୍କୋ ରକ୍ଷଣଭାଗ ଖେଳାଳି ଅଜିଜ୍‌ ବୌହାଦୋଜ୍‌ ନିଜ ମୁଣ୍ଡରେ ନିଜ ନେଟ୍‌ ଭିତରକୁ ବଲ୍‌କୁ ପଠାଇ ନିରାଶ ହୋଇଥିଲେ। ଏପରିକି ଗୋଲମୁହଁ ଆଖପାଖରେ କୌଣସି ଇରାନ ଖେଳାଳି ନ ଥିଲେ। କିନ୍ତୁ ଗୋଲ୍‌ ଦେବା ଭଳି ଖୁସି ଇରାନ୍‌କୁ ମିଳିଥିଲା। ବିଶ୍ୱକପ୍‌ ଜିତିଯିବା ଭଳି ଆନନ୍ଦରେ ଏହି ଏସୀୟ ଦଳ ବିଜୟ ଉତ୍ସବ ପାଳିଥିଲେ। ସମ୍ପୂର୍ଣ୍ଣ ମ୍ୟାଚ୍‌ରେ ମରକ୍କୋ ଖେଳାଳି ଭଲ ଖେଳିଥିଲେ ଏବଂ ୬୩ ପ୍ରତିଶତ ବଲ୍‌କୁ ନିୟନ୍ତ୍ରଣରେ ରଖିଥିଲେ। ଏହି ମ୍ୟାଚ୍‌ରେ ମଧ୍ୟ ୩ ହଳଦିଆ କାର୍ଡ ଦେଖିବାକୁ ମିଳିଥିଲା। ସେଥିରୁ ମରକ୍କୋକୁ ଗୋଟିଏ ଏବଂ ଇରାନ୍‌କୁ ୨ଟି ମିଳିଥିଲା। ଅନେକ କିଛି ଇରାନ୍‌ ବିପକ୍ଷରେ ଥିଲେ ମଧ୍ୟ ଶେଷକୁ ଭାଗ୍ୟ ସାଥିରେ ରହିଥିଲା।

ଉଭୟ ଦେଶ ଶୁକ୍ରବାରର ଏହି ମୁକାବିଲାରେ ସଂଘର୍ଷ କରିଥିଲେ ମଧ୍ୟ ଉଭୟାର୍ଧରେ ଗୋଲ୍‌ ଦେବାରେ ସକ୍ଷମ ହୋଇନଥିଲେ। ଶେଷକୁ ଆହତ ସମୟରେ ବହୁ ପ୍ରତକ୍ଷିତ ଗୋଲ୍‌ ଦେବାରେ ଇରାନ ସକ୍ଷମ ହୋଇଥିଲା। ମ୍ୟାଚ୍‌ର ପ୍ରଥମ ୨୦ ମିନିଟ୍‌ ମରକ୍କୋ ମାରାତ୍ମକ ରହିଥିଲେ ମଧ୍ୟ ଇରାନ ପ୍ରତି ଆକ୍ରମଣ କରି ଏହାକୁ ପ୍ରତିହତ କରିନେଇଥିଲା। ୯୪ତମ ମିନିଟ୍‌ରେ ଆତ୍ମଘାତୀ ଗୋଲ୍‌ ପାଇଁ ମରକ୍କୋର ବୌହାଦୋଜ୍‌ ମଧ୍ୟ ଖଳ ନାୟକ ସାଜିଥିଲେ। ୧୨ ବର୍ଷ ପରେ ଜଣେ ବଦଳ ଖେଳାଳି ଭାବେ ଆତ୍ମଘାତୀ ଗୋଲ୍‌ ଦେଇଥିଲେ ବୌହାଦୋଜ୍‌। ଶେଷ ଥର ପାଇଁ ୨୦୦୬ ମସିହାରେ ଜର୍ମାନି ବିପକ୍ଷରେ ପର୍ତୁଗାଲ୍‌ର ପେତିତ୍‌ ଆତ୍ମଘାତୀ ଗୋଲ୍‌ ଦେଇଥିଲେ ବଦଳ ଖେଳାଳି ଭାବେ ଆସି। ଅନ୍ୟପକ୍ଷରେ ଇରାନ୍‌ ନିଜର ବିଶ୍ୱକପ୍‌ ଇତିହାସରେ ଦ୍ୱିତୀୟ ବିଜୟ ପାଇଗଲା ଶୁକ୍ରବାର। ସେହିଭଳି ୧୬ ମ୍ୟାଚ୍‌ ବିଜୟଶୂନ୍ୟ ରହିବା ପରେ ଏକ ଏସୀୟ ଦେଶକୁ ବିଶ୍ୱକପ୍‌ ମଇଦାନରେ ବିଜୟ ମିଳିଛି। ବିଗତ ୧୬ ମ୍ୟାଚ୍‌ରେ ଏସୀୟ ଦେଶକୁ ୪ ଅମୀମାଂସିତ ଏବଂ ୧୨ ପରାଜୟ ମିଳିଥିଲା। ୮ ବର୍ଷ ପରେ ମଧ୍ୟ ଏସୀୟ ଦେଶକୁ ବିଜୟ ମିଳିଛି। ଶେଷ ଥର ପାଇଁ ୨୦୧୦ ମସିହାରେ ଜାପାନ ୩-୧ ଗୋଲ୍‌ରେ ଡେନ୍‌ମାର୍କକୁ ହରାଇ ସମସ୍ତଙ୍କୁ ଚକିତ କରି ଦେଇଥିଲା।

୧୯୯୮ର ପୁନରାବୃତ୍ତି
ଉଭୟ ଉତ୍ତର ଆଫ୍ରିକୀୟ ଦେଶ ମରକ୍କୋ ଏବଂ ଏସୀୟ ଇରାନ୍‌ ଶୁକ୍ରବାରର ଫଳାଫଳ ସହିତ ୧୯୯୮ ବିଶ୍ୱକପ୍‌ ପ୍ରଦର୍ଶନର ପୁନରାବୃତ୍ତି କରିଥିଲେ। ସେଥର ଫ୍ରାନ୍‌ସ ସଂସ୍କରଣରେ ଇରାନ୍‌ ୨-୧ ଗୋଲ୍‌ରେ ଆମେରିକାକୁ ହରାଇ ଦେଇଥିଲା। ଏହା ଥିଲା ବିଶ୍ୱକପ୍‌ ଇତିହାସରେ ଇରାନ୍‌ର ସର୍ବପ୍ରଥମ ବିଜୟ। ଶୁକ୍ରବାର ଦେଶ ଦ୍ୱିତୀୟ ବିଜୟ ପାଇଛି। ଅନ୍ୟପକ୍ଷରେ ସେହି ସଂସ୍କରଣରେ ମଧ୍ୟ ମରକ୍କୋ ଖେଳାଳି ୟୁସୋଫ୍‌ ଚିପ୍ପୋ ପ୍ରଥମ ଥର ଆତ୍ମଘାତୀ ଗୋଲ୍‌ ଦେଇଥିଲେ। ଏବେ ବୌହାଦୋଜ୍‌ ମରକ୍କୋର ଦ୍ୱିତୀୟ ଖେଳାଳି ଭାବେ ଆତ୍ମଘାତୀ ଗୋଲ୍‌ ଦେଇଥିଲେ।

ସମ୍ବନ୍ଧିତ ଖବର