ବାରବାଟୀ ପାଇଁ ସ୍ବତନ୍ତ୍ର ‘ମୋ ବସ୍‌’: ଦିନ ୧୨ଟାରୁ ଖେଳ ଶେଷ ଯାଏ ଚାଲିବ

ଭୁବନେଶ୍ୱର: ବାରବାଟୀରେ ଅନ୍ତର୍ଜାତୀୟ କ୍ରିକେଟ୍‌ ମ୍ୟାଚ୍‌ ପାଇଁ କ୍ରୁଟ୍‌ ପକ୍ଷରୁ ଭୁବନେଶ୍ବରରୁ କଟକକୁ ସ୍ବତନ୍ତ୍ର ବସ୍‌ ଚଳାଚଳର ସମୟ ଧାର୍ଯ୍ୟ ହୋଇଛି। ମାଷ୍ଟରକ୍ୟାଣ୍ଟିନ୍‌ରୁ ରସୁଲଗଡ଼ ଦେଇ ଯାଉଥିବା ବସ୍‌ ଆସନ୍ତାକାଲି ମଧ୍ୟାହ୍ନ ୧୨ଟା ବେଳେ ମାଷ୍ଟରକ୍ୟାଣ୍ଟିନ୍‌ରୁ ବାହାରିବ। ଏହା ପରେ ପ୍ରତି ୧୫ ମିନିଟ୍‌ରେ ଗୋଟିଏ ଲେଖାଏ ବସ୍‌ ଚାଲିବ। ସେହିଭଳି ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ପଟିଆ ରୋଡ୍‌ ଦେଇ ବସ୍‌ଗୁଡ଼ିକ ମଧ୍ୟ ମଧ୍ୟାହ୍ନ ୧୨ଟାରେ ବାହାରିବ। ସେଠାରୁ ମଧ୍ୟ ପ୍ରତି ୧୫ ମିନିଟ୍‌ରେ ବସ୍‌ ମିଳିବ। ପ୍ରତ୍ୟେକ ବସ୍‌ ସିଧା ବାରବାଟୀ ଷ୍ଟାଡିୟମ୍ ଯିବ। ମଧ୍ୟାହ୍ନ ୧୨ଟାରୁ ଅପରାହ୍‌ଣ ୪ଟା ୪୫ ମିନିଟ୍‌ ପର୍ଯ୍ୟନ୍ତ ଏହି ଉଭୟ ରୁଟ୍‌ରେ ବସ୍‌ ମିଳିବ।

ସେହିଭଳି ବାରବାଟୀ ଷ୍ଟାଡିୟମ୍‌ରୁ ଭୁବନେଶ୍ବର ଅଭିମୁଖେ ପ୍ରଥମ ବସ୍‌ ଗୋଟାଏ ୨୫ ମିନିଟ୍‌ରେ ଛାଡ଼ିବ। ଷ୍ଟାଡିୟମରୁ ପଟିଆ ଦେଇ ବାରମୁଣ୍ଡା ଓ ରସୁଲଗଡ଼ ଦେଇ ମାଷ୍ଟର କ୍ୟାଣ୍ଟିନ୍‌ ଉଭୟ ରୁଟ୍‌ରେ ପ୍ରତି ୧୫ ମିନିଟ୍‌ରେ ଭୁବନେଶ୍ବରକୁ ବସ୍‌ ମିଳିବ। ଯଦିଓ ରାତି ୧୧ଟା ୩୦ ଯାଏ ବସ୍‌ ମିଳିବ ବୋଲି ଧାର୍ଯ୍ୟ କରାଯାଇଛି ତେବେ ଖେଳ ସରିବା ପର୍ଯ୍ୟନ୍ତ ବସ୍‌ ଉପଲବ୍ଧ ହେବ ବୋଲି କ୍ରୁଟ୍‌ ପକ୍ଷରୁ କୁହାଯାଇଛି। ଖେଳ ସରିବା ପରେ ଦର୍ଶକ ବାହାରିବାରେ ବିଳମ୍ବ ହୋଇଥାଏ। ଏଣୁ ଦର୍ଶକ ବାହାରିବା ପର୍ଯ୍ୟନ୍ତ ଏହି ସେବା ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଛି। ଫଳରେ ଏଠାରୁ କଟକ ଯାଇ ଖେଳ ଦେଖି ଫେରିବାରେ ଖେଳପ୍ରେମୀଙ୍କ ପାଇଁ ଯେଭଳି ସମସ୍ୟା ହେବ ନାହିଁ ସେଥିପ୍ରତି କ୍ରୁଟ୍‌ ଯତ୍ନବାନ୍‌ ଥିବା କହିଛି। ଉଭୟ ରୁଟ୍‌ରେ ଯିବା ଓ ଆସିବା ପାଇଁ ବସ୍‌ ଭଡ଼ା ୪୦ ଟଙ୍କା ଲେଖାଏ ଧାର୍ଯ୍ୟ କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ ଭୁବନେଶ୍ବର ସମେତ ପୁରୀ ଖୋର୍ଦ୍ଧା, ନୟାଗଡ଼, ବ୍ରହ୍ମପୁର ପ୍ରଭୃତି ଅଞ୍ଚଳରୁ ଖେଳପ୍ରେମୀମାନେ ଭୁବନେଶ୍ଵର ଦେଇ କଟକ ଯିବେ। ଏଣୁ ନିଜ ନିଜ ଗାଡ଼ି ବ୍ୟବହାର କଲେ ଖର୍ଚ୍ଚାନ୍ତ ହେବା ସହ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେବା ଆଶଙ୍କା ରହିଛି। ଏଣୁ ଖେଳ ଦେଖିବା ପାଇଁ ନିଜ ଗାଡ଼ି ବ୍ୟବହାର ନ କରି ଏହି ସାଧାରଣ ପରିବହନ ବ୍ୟବସ୍ଥା ‘ମୋ ବସ୍‌’ ବ୍ୟବହାର କରିବାପାଇଁ କ୍ରୁଟ୍‌ ପରାମର୍ଶ ଦେଇଛି।

ସମ୍ବନ୍ଧିତ ଖବର