ସ୍ବତନ୍ତ୍ର ଅଲିମ୍ପିକ୍ସ ଶିଖର ସମ୍ମିଳନୀରେ ବିଭା

ଭୁବନେଶ୍ବର: ଆବୁଧାବିର ଦୁବାଇଠାରେ ଚଳିତ ମାସ ୧୪ରୁ ୧୯ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ସ୍ବତନ୍ତ୍ର ଅଲିମ୍ପିକ୍ସ ବିଶ୍ବ ଯୁବ ଶିଖର ସମ୍ମିଳନୀ ଲାଗି ଓଡ଼ିଶାର ବିଭାରାଣୀ ପାତ୍ର ମନୋନୀତ ହୋଇଛନ୍ତି। ଏହି ସମ୍ମିଳନୀ ଲାଗି ବଛା ହୋଇଥିବା ୩ ଜଣିଆ ଭାରତୀୟ ଦଳରେ ବିଭାରାଣୀ ସ୍ଥାନ ପାଇଛନ୍ତି। ଗୌରବର ବିଷୟ ଯେ ଭାରତୀୟ ଦଳରେ ଥିବା ୩ ଜଣ ଯାକ ସଦସ୍ୟ ଓଡ଼ିଶାର। ବିଭାରାଣୀଙ୍କ ସହ ପୁରୀର ଇନ୍ଦ୍ରମଣୀ କାଣ୍ଡି ଆଥଲେଟ୍ ଲିଡର ଓ ମାର୍ଗଦର୍ଶକ ଭାବେ ବିବେକାନନ୍ଦ ମହାନ୍ତି ମଧ୍ୟ ଏହି ସମ୍ମିଳନୀରେ ଯୋଗଦେବେ। ଜାତୀୟସ୍ତରୀୟ ପର୍ବତାରୋହୀ, ସ୍ବେଚ୍ଛାସେବୀ ଓ କ୍ରୀଡ଼ାବିତ୍ ଭାବେ ନିଜ ପାଇଁ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରି ସାରିଥିବା ବିଭାରାଣୀ ଏଥିଲାଗି ୧୩ ତାରିଖରେ ଦୁବାଇ ଅଭିମୁଖେ ଯାତ୍ରା କରିବେ। ଏହି ସମ୍ମାନଜନକ ସମ୍ମିଳନୀରେ ୩୯ ଦେଶର ୧୫୯ ଯୁବକ ଯୁବତୀ ଅଂଶଗ୍ରହଣ କରିବେ। ୨୪ ବର୍ଷୀୟ ବିଭାରାଣୀ ବ୍ୟବସାୟୀ ବିଷ୍ଣୁପ୍ରସାଦ ପାତ୍ର ଏବଂ ବିଦ୍ୟୁତପ୍ରଭା ପାତ୍ରଙ୍କ ଝିଅ। ଏହି ସଫଳତା ଲାଗି ‌ସ୍ବତନ୍ତ୍ର ଅଲିମ୍ପିକ୍ସ, ଭାରତର ଆଞ୍ଚଳିକ ନିର୍ଦେଶକ ପ୍ରକାଶ କୁମାର ରଥ ଓ ପୁଲିସ୍ କମିସନର ସତ୍ୟଜିତ ମହାନ୍ତିଙ୍କ ସହ ବିଭିନ୍ନ ମହଲ ବିଭାରାଣୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ବିଭାରାଣୀ ସଂପ୍ରତି ଭାରତ ସରକାରଙ୍କ ନେହରୁ ଯୁବ ସଂଗଠନ କାର୍ଯ୍ୟାଳୟରେ ଜାତୀୟ ଯୁବ ସ୍ବେଚ୍ଛାସେବୀ ଭାବେ କାର୍ଯ୍ୟରତ ଅଛନ୍ତି।

ସମ୍ବନ୍ଧିତ ଖବର