ଭୁବନେଶ୍ବର: ଜୁନ ମାସରେ ଜର୍ମାନିରେ ସ୍ପେଶାଲ ଅଲିମ୍ପିକ୍ସ ୱାର୍ଲଡ ସମର୍ ଗେମ୍ସ ଅନୁଷ୍ଠିତ ହେବାକୁ ଯାଉଥିବା ବେ‌ଳେ ଭାରତୀୟ ଦଳର ଚୂଡାନ୍ତ ଶିବିରରୁ ଉଦୀୟମାନ ଅନ୍ତର୍ଜାତୀୟ ହ୍ୟାଣ୍ଡ୍‌ବଲ୍‌ ଖେଳାଳି ଆର୍ଯ୍ୟନ ବ୍ରାହ୍ମିନଙ୍କୁ ବାଦ୍‌ ଦିଆଯିବାକୁ ନେଇ ବିବାଦ ମୁଣ୍ଡ ଟେକିଛି। ଚଳିତ ମାସ ୨୪ରୁ ୨୯ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀଠାରେ ଚତୁର୍ଥ ତଥା ନିର୍ଣ୍ଣାୟକ ଜାତୀୟ ଶିବିର ଅନୁଷ୍ଠିତ ହେବ। ପୂର୍ବରୁ ଅନୁଷ୍ଠିତ ୩ ଶିବିରରେ ଆର୍ଯ୍ୟନ ବ୍ରାହ୍ମିନ୍‌ଙ୍କୁ ସାମିଲ କରାଯାଇଥିଲା। ହେଲେ ଚୂଡାନ୍ତ ଶିବିରରୁ ବାଦ୍‌ ଦିଆଯାଇଥିବାରୁ ଏବେ ୧୯ ବର୍ଷୀୟ ଆର୍ଯ୍ୟନଙ୍କ ସ୍ପେଶାଲ ଅଲିମ୍ପିକ୍ସ ଖେଳିବା ସପ୍ନ ଚୂରମାର୍ ହୋଇଯାଇଛି। ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ଆର୍ଯ୍ୟନ ଏହି ଚୟନକୁ ନେଇ ପ୍ରଶ୍ନ ଉଠାଇଛନ୍ତି।

Advertisment

ମୁଁ ନିର୍ଯାତିତ, ତଞ୍ଚକତା କରି ନାମ କଟାଯାଇଛି: ଆର୍ଯ୍ୟନ
ଖେଳାଳି ଚୟନରେ ଆମର କିଛି ଭୂମିକା ନାହିଁ: ପ୍ରକାଶ

‘‘ମୁଁ ପୂର୍ବରୁ ଭାଗ ନେଇଥିବା ୩ ଶିବିରରେ ଭଲ ପ୍ରଦର୍ଶନ କରିଛି। କିନ୍ତୁ ଚତୁର୍ଥ ଶିବିରରେ ସ୍ଥାନ ନପାଇବା ମାନସିକ ଆଘାତ ଦେଇଛି। ମୁଁ ଭାବୁଛି ତଞ୍ଚକତା କରି ମୋ ନାମକୁ କଟାଯାଇଛି। ପ୍ରଥମ ଶିବିର ଗତ ବର୍ଷ ଜୁଲାଇରେ ସରିବା ପରେ ଦ୍ବିତୀୟ ଶିବିର ଅକ୍ଟୋବର ୯ରୁ ୧୪ ପର୍ଯ୍ୟନ୍ତ ହରିୟାଣାରେ ଆୟୋଜିତ ହୋଇଥିଲା। ମୋତେ ୧୦ ତାରିଖର ବିମାନ ଟିକେଟ ମିଳିଥିଲା। ତେଣୁ ୯‌ରେ ନପହଞ୍ଚି ଗୋଟିଏ ଦିନ ବିଳମ୍ବ (୧୦ ତାରିଖ ରାତି)ରେ ପହଞ୍ଚିଥି‌ଲି। ବିଳମ୍ବ ହେବାରୁ ୩ ଜଣ ପ୍ରଶିକ୍ଷକ ମୋ ରୁମ୍‌କୁ ଆସି ଅସଭ୍ୟ ଭାଷାରେ ଗାଳି କରିଥିଲେ। ଏହା ପରଦିନ ମୋତେ ଶାରିରୀକ ଓ ମାନସିକ ନିର୍ଯାତନା ମଧ୍ୟ ଦେଇଥିଲେ। ଏଥିସହ ମୁଁ ନିଶାଦ୍ରବ୍ୟ ବ୍ୟବହାର କରୁଛି ବୋଲି ମିଛ ଅଭିଯୋଗ ବାଢ଼ିଥିଲେ। ଏପରିକି ବିଶ୍ବ ଗ୍ରୀଷ୍ମ କ୍ରୀଡ଼ା ଲାଗି ହେବାକୁ ଥିବା ଭାରତୀୟ ଦଳରେ ସ୍ଥାନ ଦେବେନି ବୋଲି ଧମକ ଦେଇଥିଲେ। ନିର୍ଯାତନା ପାଇବା ପରେ ମୋ ବାପା ତଥା ହ୍ୟାଣ୍ଡବଲ୍‌ ପ୍ରଶିକ୍ଷକ ଗୌରୀ ଶଙ୍କର ମିଶ୍ରଙ୍କୁ ଫୋନ୍‌ କରି ସବୁକଥା କହିଲି। ବାପା ଅକ୍ଟୋବର ୧୧ ତାରିଖରେ ସ୍ପେସାଲ ଅଲିମ୍ପିକ୍‌ ଭାରତ (ଏସ୍‌ଓବି) ଓଡ଼ିଶା କ୍ରୀଡ଼ା ନିର୍ଦେଶକ ପ୍ରକାଶ ରଥଙ୍କ ସହ ଏସ୍‌ଓବି ନିର୍ଦେଶକ ହରପ୍ରୀତ ଓ ବୀରେନ୍ଦ୍ରଙ୍କୁ ଏହି ବିଷୟରେ ଫୋନ୍‌ ମାଧ୍ୟମରେ ଜଣାଇବା ସହ ମେଲ୍‌ ମଧ୍ୟ କରିଥିଲେ। ଏସ୍‌ଓବି ଓଡ଼ିଶା କ୍ରୀଡ଼ା ନିର୍ଦେଶକ ଶ୍ରୀ ରଥ ମଧ୍ୟ ଆଗାମୀ ଦିନରେ ଏଭଳି ଅସୁବିଧା ଏବଂ ଚୟନରେ ପକ୍ଷପାତିତା ହେବନି ବୋଲି କହିଥିଲେ। ଏହାପରେ ଗୁଜରାଟରେ ଡିସେମ୍ବରରେ ହୋଇଥିବା ତୃତୀୟ ଶିବିରକୁ ମୋତେ ଡାକରା ଆସିଥିଲା। ସେଠାରେ କୌଣସି ଅସୁବିଧା ହୋଇନଥିଲା। କିନ୍ତୁ ମୁଁ ୩ଟି ଶିବିର ସଫଳତାର ସହ ଶେଷ କରିବା ପରେ ଏବେ କେଉଁ ଆଧାରରେ ସ୍ଥାନ ପାଇନି ବୋଲି ଦୁଃଖର ସହ ପ୍ରଶ୍ନ କରିଛନ୍ତି ଆର୍ଯ୍ୟନ।

ପୁଅ ଶିବିରରେ ସ୍ଥାନ ନପାଇବାରୁ ଆର୍ଯ୍ୟନଙ୍କ ବାପା ଗୌରୀ ଶଙ୍କର ଏସ୍‌ଓବି ଓଡ଼ିଶା କ୍ରୀଡ଼ା ନିର୍ଦେଶକ ଶ୍ରୀ ରଥଙ୍କୁ ପଚାରିଥିଲେ। ଶ୍ରୀ ରଥ କହିଥିଲେ, ଜାତୀୟ ସଂଘ ଆର୍ଯ୍ୟନଙ୍କ ନାଁ କାଟିଛି, ଆମର କିଛି ଏଥିରେ ହାତ ନାହିଁ। କିନ୍ତୁ ବିନା ଶିବିରରେ ଓଡ଼ିଶାରୁ ୨ ଜଣ ଝିଅ ଭଲିବଲ୍‌ ଖେଳାଳି ଭିଡିଓ କଲ୍‌ ମାଧ୍ୟମରେ କିପରି ଭାରତୀୟ ୟୁନିଫାଏଡ୍‌ ବିଶ୍ବ ବିଚ୍‌ ଭଲିବଲ୍‌ ଦଳରେ ସ୍ଥାନ ପାଇଲେ। ଏସ୍‌ଓବି ଓଡ଼ିଶା ଏଥିରେ ପାତରଅନ୍ତର କରୁଛି ବୋଲି ଗୌରୀ ଶଙ୍କର ଅଭିଯୋଗ କରିଛନ୍ତି। ‘ଆର୍ଯ୍ୟନଙ୍କ ନାଁ ଆମେ ପଠାଇଥିଲୁ। ଚୟନ ପକ୍ରିୟା ଚୟନ ସମିତିର କାମ। ଆମର ଏଥିରେ କୌଣସି ଭୂମିକା ନାହିଁ। ତଥାପି ମୁଁ ଜାତୀୟ ସଂଘ ସହ ଆର୍ଯ୍ୟନଙ୍କ ବିଷୟରେ କଥା ହୋଇଥିଲି। ସେମାନେ କହିଲେ ଆର୍ଯ୍ୟନଙ୍କୁ ସଂରକ୍ଷିତ ତାଲିକାରେ ରଖିଛୁ। ମୁଁ ବି ଗୌରୀ ବାବୁଙ୍କୁ କହିଛି ସବୁ ପ୍ରକାର ସହଯୋଗ କରିବି। ତାଙ୍କୁ ମଧ୍ୟ କହିଛି ଯାହା ପଦକ୍ଷେପ ନେବା କଥା ନିଅନ୍ତୁ ମୋର ସହଯୋଗ ରହିବ। ୨ ଓଡ଼ିଆ ଖେଳାଳିଙ୍କୁ ଜାତୀୟ ଚୟନ ସମିତି ଭିଡିଓ କଲ୍‌ରେ ସାକ୍ଷାତକାର ନେଇ ବିଚ୍‌ ଭଲିବଲ୍‌ ଦଳରେ ସ୍ଥାନ ଦେଇଛି। ମୁଁ ଖାଲି ପିଲାମାନଙ୍କ ନାଁ ଦେଇଥିଲି। ଆଉ ସବୁ ଚୟନ ସମିତି ‌କରିଛି’ ବୋଲି ଏସ୍‌ଓବି ଓଡ଼ିଶା ଆଞ୍ଚଳିକ ନି‌ର୍ଦେଶକ ପ୍ରକାଶ ରଥ ପ୍ରକାଶ କରିଛନ୍ତି।