ଭୁବନେଶ୍ବର : ଜର୍ମାନିର ବର୍ଲିନରେ ଚାଲିଥିବା ସ୍ବତନ୍ତ୍ର ଅଲିମ୍ପିକ୍ସ ବିଶ୍ବ କ୍ରୀଡ଼ାରେ ଦୁଇ ଓଡ଼ିଆ ଝିଅ ଶିବାନୀ ପ୍ରିୟଦର୍ଶିନୀ ଓ ମାମାଲି ନାଗ କାଂସ୍ୟ ପଦକ ଜିତିଛନ୍ତି। ଏହି ଦୁଇ କିଟ୍‌ ଛାତ୍ରୀ ଭାରତୀୟ ୟୁନିଫାଏଡ ବିଚ୍‌ ଭଲିବଲ୍‌ ଦଳର ସଦସ୍ୟ ରହିଥିଲେ। ଭାରତ ଶନିବାର କାଂସ୍ୟ ମୁକାବିଲାରେ କୋଷ୍ଟାରିକାକୁ ପରାସ୍ତ କରିଥିଲା। ଏହି ସଫଳତା ଲାଗି କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଉଭୟ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଉଭୟ ଖେଳାଳି ମଧ୍ୟ ଏହି ସଫଳତା ଲାଗି କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ଓଡ଼ିଶା ସରକାର ଏବଂ ସ୍ପେସାଲ ଅଲିମ୍ପିକ୍‌ ଭାରତ-ଓଡ଼ିଶାର ନିର୍ଦେଶକ ପ୍ରକାଶ ରଥଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Advertisment

ଶୁକ୍ରବାର ରୋଲର ସ୍କେଟିଂରେ ମହମ୍ମଦ ନିସାର (୩୦ ମିଟର ସ୍ଲାଲୋମ) ଏବଂ ଆର୍ଯ୍ୟନ ଓ ଅଭିଜିତ (୨ଗୁଣା ୧୦୦ ରିଲେ) ସ୍ବର୍ଣ୍ଣ ପଦକ ଜିତିଥିଲେ। ଜୁଡ଼ୋରେ ମୁସ୍କାନ ମହିଳା ଲେବଲ୍‌-୩ରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ଏହି ଇଭେଣ୍ଟ୍‌ର ପୁରୁଷ ଲେବଲ୍‌-୨ରେ ପ୍ରିନ୍‌ସ ସୋଲାଙ୍କି କାଂସ୍ୟ ପଦକ ଜିତିଥିଲେ। ମହିଳା ୟୁନିଫାଏଡ ଭଲିବଲ୍‌ ଦଳ ଫାଇନାଲ୍‌ରେ ପହଞ୍ଚି ଆଉ ଏକ ପଦକ ନିଶ୍ଚିତ କରିଛି। ସେମିଫାଇନାଲ୍‌ରେ ଏହି ଦଳ ୨୫-୧୨, ୨୫-୧୬ରେ କେନିଆକୁ ହରାଇଥିଲା।