ଆଇପିଏଲ୍‌ରେ ନୋ-ବଲ୍‌ ପାଇଁ ସ୍ବତନ୍ତ୍ର ଅମ୍ପାୟାର, ଡିସେମ୍ବରରେ କୋଲ୍‌କାତାରେ ଖେଳାଳି ନିଲାମ

ଡିସେମ୍ବରରେ କୋଲ୍‌କାତାରେ ଖେଳାଳି ନିଲାମ

କୋଲ୍‌କାତା: ମଙ୍ଗଳବାର ଆଇପିଏଲ୍‌ ପରିଚାଳନା ପରିଷଦ ବୈଠକରେ ଦୁଇଟି ବଡ଼ ନିଷ୍ପତ୍ତି ନିଆଯାଇଛି। ବିଶେଷକରି ଏହି ଟ୍ବେଣ୍ଟି-୨୦ ଲିଗ୍‌ରେ ନୋ-ବଲ୍‌ ଯାଞ୍ଚ କରିବାରେ ତ୍ରୁଟି ରହୁଥିବାରୁ ଗତ କିଛି ସଂସ୍କରଣରେ ବିବାଦ ଉପୁଜିଥିଲା। ନୋ-ବଲ୍‌ ନେଇ ଅମ୍ପାୟାର ଏସ୍‌ ରବିଙ୍କ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଯୋଗୁଁ ତାଙ୍କ ଦଳ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମୁମ୍ବାଇ ଇଣ୍ଡିଆନ୍‌ସ ବିପକ୍ଷ ଏକ ମ୍ୟାଚ୍‌ ହାରିଯାଇଥିଲା ବେଳେ ବିରାଟ କୋହଲି ଅଭିଯୋଗ ବାଢ଼ିଥିଲେ। ସିଂହଳୀ ଦ୍ରୁତ ବୋଲର ଲସିତ୍‌ ମାଲିଙ୍ଗାଙ୍କ ନୋ-ବଲ୍‌କୁ ରବି ଠିକ୍‌ ଭା‌ବେ ଠଉରାଇ ପାରିନଥିଲେ। ତେଣୁ ଆଗକୁ ଏପରି ସ୍ଥିତିକୁ ଏଡାଇବା ପାଇଁ ଆଇପିଏଲ୍‌ ପରିଚାଳନା ପରିଷଦ ନିୟମିତ ଅମ୍ପାୟାରଙ୍କ ବ୍ୟତୀତ ଜଣେ ସ୍ବତନ୍ତ୍ର ଅମ୍ପାୟାରଙ୍କୁ ନିଯୁକ୍ତି ଦେବ। ସେ ହିଁ କେବଳ ମ୍ୟାଚ୍‌ରେ ସବୁ ନୋ-ବଲ୍‌ (ପାଦ ଆଗକୁ ପଡ଼ିବା ଓ ଉଚ୍ଚା)ର ଯାଞ୍ଚ କରିବେ। ସେ ତୃତୀୟ କିମ୍ବା ଚତୁର୍ଥ ଅମ୍ପାୟାର ମଧ୍ୟ ହେ‌ବେ ନାହିଁ। ତେବେ ଆଇପିଏଲ୍‌ରେ ଗେମ୍‌ ଚେଞ୍ଜର (ପାୱାର ପ୍ଲେୟାର) ବ୍ୟବସ୍ଥା ସାମୟିକ ଭାବେ ଲାଗୁ ହେବନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି।

ଡିସେମ୍ବରରେ କୋଲ୍‌କାତାରେ ଖେଳାଳି ନିଲାମ
ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ପରବର୍ତୀ ସଂସ୍କରଣ ପାଇଁ ଖେଳାଳି ନିଲାମ ଆସନ୍ତା ଡିସେମ୍ବର ୧୯ ତାରିଖରେ କୋଲ୍‌କାତାରେ ହେବ। ପ୍ରତିବର୍ଷ ଏଫ୍ରିଲ-ମେ ମାସରେ ଏହି ଲୋଭନୀୟ ଟ୍ବେଣ୍ଟି-୨୦ ଲିଗ୍‌ ଆୟୋଜନ ହେଉଥିଲା ବେଳେ ପ୍ରଥମ ଥର ପାଇଁ କୋଲ୍‌କାତାରେ ନିଲାମ ପ୍ରକ୍ରିୟା ଆୟୋଜିତ ହେବ। ଭାରତର ଏହି ପୂର୍ବାଞ୍ଚଳ ସହର ମୁଖ୍ୟତଃ ବଲିଉଡ୍‌ ତାରକା ଶାହରୁଖ ଖାନ୍‌ଙ୍କ ମାଲିକାନାରେ ପରିଚାଳିତ ଫ୍ରାଞ୍ଚାଇଜ୍ କୋଲ୍‌କାତା ନାଇଟ୍‌ ରାଇଡର୍ସ (କେକେଆର୍‌)ର ଘରୋଇ ପଡ଼ିଆ। ପୂର୍ବରୁ ପାରମ୍ପରିକ ଭାବେ ଖେଳାଳି ନିଲାମ ବେଙ୍ଗାଲୁରୁରେ ହିଁ ହେଉଥିଲା। ଏଥର ସେଠାରୁ ବିଦାୟ ନେଇ କୋଲ୍‌କାତା ଆସିବ ବୋଲି ମଙ୍ଗଳବାର ଆଇପିଏଲ୍‌ ପରିଚାଳନା ପରିଷଦର ବୈଠକ ଶେଷରେ ଜଣେ ସଦସ୍ୟ କହିଛନ୍ତି।

୨୦୧୯ରେ ଖେଳାଳି ନିଲାମ ନିମନ୍ତେ ପ୍ରତ୍ୟେକ ଫ୍ରାଞ୍ଚାଇଜ୍‌କୁ ୮୨ କୋଟି ଟଙ୍କାର ପାଣ୍ଠି ମଞ୍ଜୁର କରାଯାଇଥିଲା ବେଳେ ଆଗାମୀ ୨୦୨୦ ନିଲାମ ପାଇଁ ଏହି ପରିମାଣକୁ ୮୫ କୋଟିକୁ ବୃଦ୍ଧି କରାଯାଇଛି। ସେମାନଙ୍କ ମଧ୍ୟରୁ ଦିଲ୍ଲୀ କ୍ୟାପିଟାଲ୍‌ସ ହାତରେ ସବୁଠୁ ଅଧିକ (୮.୨ କୋଟି) ପାଣ୍ଠି ବଳକା ରହିଛି। ଏହା ପଛକୁ ରାଜସ୍ଥାନ ରୟାଲ୍‌ସ ୭.୧୫, କୋଲ୍‌କାତା ନାଇଟ୍‌ ରାଇଡର୍ସ ୬.୦୫ କୋଟି, ସନ୍‌ ରାଇଜର୍ସ ହାଇଦ୍ରାବାଦ ୫.୩୦ କୋଟି, କିଙ୍ଗ୍‌ସ ଇଲେଭେନ୍‌ ପଞ୍ଜାବ ୩.୭୦ କୋଟି, ମୁମ୍ବାଇ ଇଣ୍ଡିଆନ୍‌ସ ୩.୫୫ କୋଟି, ‌ଚେନ୍ନାଇ ସୁପର କିଙ୍ଗ୍‌ସ ୩.୨୦ କୋଟି, ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୧.୮୦ କୋଟି ବଳକା ପାଣ୍ଠି ରଖିଛନ୍ତି। ଏଠାରେ ସୂଚନାଯାଗ୍ୟ, ଚଳିତ ବର୍ଷର ନିଲାମ ହିଁ ଫ୍ରାଞ୍ଚାଇଜ୍‌ମାନଙ୍କ ପାଇଁ ଶେଷ। ଏହାପରେ ଫ୍ରାଞ୍ଚାଇଜ୍‌ଗୁଡ଼ିକ ୨୦୨୧ରୁ ନୂଆ ଦଳ ଗଠନ ପାଇଁ ପ୍ରସ୍ତୁତ ରହିବେ।

ସମ୍ବନ୍ଧିତ ଖବର