ସ୍ପିଡ୍‌ ଚେସ୍‌: ପୂର୍ବ ବିଶ୍ବ ବିଜୟିନୀଙ୍କୁ ମାତ୍‌ ଦେଲେ ବୈଶାଳୀ

ନୂଆଦିଲ୍ଲୀ: ଫିଡେ ଚେସ୍‌ ଡଟ୍‌ କମ୍‌ ମହିଳା ସ୍ପିଡ୍‌ ଚେସ୍‌ ପ୍ରତିଯୋଗିତାର ପ୍ରଥମ ଚରଣରେ ଯୁବ ଭାରତୀୟ ଗ୍ରାଣ୍ଡମାଷ୍ଟର ଆର୍‌ ବୈଶାଳୀ ଚମକପ୍ରଦ ବିଜୟ ହାସଲ କରିଛନ୍ତି। ବୁଧବାର ଏକ ମୁକାବିଲାରେ ବୈଶାଳୀ ପୂର୍ବତନ ବିଶ୍ବ ବିଜୟିନୀ ଅଣ୍ଟାଓନେଟା ଷ୍ଟିଫାନୋଭାଙ୍କୁ ପରାସ୍ତ କରି ବୃହତ୍‌ ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି। ବୁଲ୍‌ଗେରିଆ ତାରକା ଷ୍ଟିଫାନୋଭାଙ୍କୁ ବୈଶାଳୀ ୬-୫ରେ ପରାସ୍ତ କରିଛନ୍ତି। ସେ ମଧ୍ୟ ଯୋଗ୍ୟତାପର୍ଯ୍ୟାୟରେ ଭାଲେଣ୍ଟିନା ଗୁନିନା ଏବଂ ଆଲିନାକାସ୍‌ଲିନ୍‌ସ୍କାୟାଙ୍କୁ ପରାସ୍ତ କରିଥିଲେ। ଫଳରେ ଷ୍ଟିଫାନୋଭାଙ୍କୁ ପରାସ୍ତ କରିବା ପରେ ବୈଶାଳୀ ମଧ୍ୟ କ୍ବାର୍ଟର ଫାଇନାଲ୍‌କୁ ଉନ୍ନୀତ ହୋଇଛନ୍ତି। କ୍ବାର୍ଟର ଫାଇନାଲ୍‌ରେ ଚେନ୍ନାଇ ଲଳନା ବୈଶାଳୀଙ୍କ ମୁକାବିଲା ମଙ୍ଗୋଲିଆର ଆନ୍ତର୍ଜାତିକ ମାଷ୍ଟର ମୁଙ୍ଖ୍‌ଜୁଲ୍‌ ତୁର୍ମୁଙ୍ଖ୍‌ଙ୍କ ସହ ଗୁରୁବାର ହେବ। ବୈଶାଳୀ ହେଉଛନ୍ତି ୨୦୧୭ ଏସୀୟ ବ୍ଲିଜ୍‌ ପ୍ରତିଯୋଗିତାର ବିଜେତା ତଥା ଚେସ୍‌ ବିସ୍ମୟ ଆର୍‌ ପ୍ରଜ୍ଞାନନ୍ଦଙ୍କ ଭଉଣୀ। ତେବେ ଦେଶର ପ୍ରମୁଖ ଖେଳାଳି କୋନେରୁ ହମ୍ପି ନିଜର ପ୍ରଥମ ମୁକାବିଲା ହାରିଯାଇଛନ୍ତି। ପୂର୍ବତନ ବିଶ୍ବ ରାପିଡ୍‌ ବିଜୟିନୀ ହମ୍ପି ପ୍ରଥମ ରାଉଣ୍ଡରେ ଭିଏତ୍‌ନାମ ପ୍ରତିଦ୍ବନ୍ଦ୍ବୀଙ୍କ ନିକଟରୁ ୪.୫-୫.୫ ପଏଣ୍ଟ୍‌ ବ୍ୟବଧାନରେ ପରାସ୍ତ ହୋଇଛନ୍ତି।

ସମ୍ବନ୍ଧିତ ଖବର