ସ୍ପିନ୍ ବିକଳ୍ପ କଥା ଚିନ୍ତା କରିନଥିଲୁ: କୋହଲି

ପର୍ଥ: ପରୋକ୍ଷରେ ହେଲେ ବି ଭାରତୀୟ ଅଧିନାୟକ ବିରାଟ କୋହଲି ପର୍ଥ ଟେଷ୍ଟ୍‌ରେ ଜଣେ ସ୍ପେଶାଲିଷ୍ଟ୍ ସ୍ପିନରଙ୍କ ଅଭାବକୁ ଅନୁଭବ କରିଥିବା ସ୍ବୀକାର କରିଛନ୍ତି। କିନ୍ତୁ ପିଚ୍‌ ଦେଖିବା‌ ବେଳେ ଏଭଳି ବିକଳ୍ପ କଥା ଚିନ୍ତା କରିନଥିଲି ଏବଂ ଆବଶ୍ୟକତା ଅନୁଭବ କରିନଥିଲି ବୋଲି କହିଛନ୍ତି। ଫଳରେ ପିଚ୍‌କୁ ଠିକଣା ଭାବେ ପଢ଼ିବାରେ କୋହଲି ଯେ ଭୁଲ୍ କରିଛନ୍ତି ଏହା ସ୍ପଷ୍ଟ ହୋଇଛି। ଭାରତ ବିନା ସ୍ପିନରଙ୍କୁ ନେଇ ଖେଳିଥିବା ବେଳେ ଘରୋଇ ଦଳର ନାଥନ୍ ଲାୟନ୍ ଲଗାତାର ଟେଷ୍ଟ୍‌ରେ ୮ ୱିକେଟ୍‌ ନେଇଥିଲେ। ପର୍ଥରେ ବି ସେ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି। ‘ଆମେ ଯେତେବେଳେ ପିଚ୍‌ ଦେଖିଥିଲୁ, ସେତେବେଳେ ରବୀନ୍ଦ୍ର ଜାଦେଜା ବିକଳ୍ପ କଥା ଚିନ୍ତା କରିନଥିଲୁ।

୪ ଜଣ ପେସ୍‌ ବୋଲର ନେଇ ଖେଳିବା ଯଥେଷ୍ଟ ହେବ’ ବୋଲି କୋହଲି କହିଛନ୍ତି। ନାଥନ୍ ଲାୟନ କିନ୍ତୁ ଭଲ ବୋଲିଂ କରିଥିଲେ। ନିଜର ୧୨୩ ରନ୍ ପାଳି ସମ୍ପର୍କରେ କୋହଲି କହିଥିଲେ, ‘ଆମକୁ ଆଶା ମୁତାବକ ଫଳ ମିଳିନଥିବାରୁ ବ୍ୟକ୍ତିଗତ ପ୍ରଦର୍ଶନର କିଛି ମୂଲ୍ୟ ନାହିଁ। ମୁଁ ଏବେ ପରବର୍ତୀ ମ୍ୟାଚ୍ ଉପରେ ନଜର ପକାଉଛି ଏବଂ ଦଳର ବିଜୟରେ ଅବଦାନ ଦେବାକୁ ଆଶାବାଦୀ ରହିଛି’। ୩୦୦ ପାଖାପାଖି ବିଜୟ ଲକ୍ଷ୍ୟ ଏଭଳି ପିଚ୍‌ରେ ବହୁତ ବଡ଼ ସ୍କୋର ଥିଲା ବୋଲି ମଧ୍ୟ କୋହଲି କହିଥିଲେ। ଅଷ୍ଟ୍ରେଲିଆ ଅଧିନାୟକ ଟିମ୍ ପେନ୍‌ ଆଶ୍ବସ୍ତ ହୋଇଛନ୍ତି। ପ୍ରଥମ ପାଳିରେ ଆରୋନ୍‌ ଫିଞ୍ଚ୍‌ ଏବଂ ମାର୍କସ ହାରିସଙ୍କ ଶତକୀୟ ପ୍ରାରମ୍ଭିକ ଭାଗୀଦାରି ବଡ଼ ଫରକ ପକାଇଥିଲା ବୋଲି ପେନ୍ କହିଛନ୍ତି। ଅଧିନାୟକ ଭାବେ ମଧ୍ୟ ପେନ୍‌ଙ୍କ ଏହା ପ୍ରଥମ‌ ଟେଷ୍ଟ୍ ବିଜୟ। ପର୍ଥରେ ଅଷ୍ଟ୍ରେଲିଆ ଭଲ ଖେଳି ଜିତିଲା ଏବଂ ବ୍ୟକ୍ତିଗତ ବିବାଦରେ ଆମେ କୌଣସି ସୀମା ଟପି ନାହୁଁ ବୋଲି ମଧ୍ୟ କୋହଲି ସ୍ପଷ୍ଟ କରି ଦେଇ ଟିମ୍ ପେନ୍‌ଙ୍କ ସହ କଥା କଟାକଟି ବିବାଦରେ ଶେଷ ରେଖା ଟାଣି‌ ଦେଇଛନ୍ତି।

ସମ୍ବନ୍ଧିତ ଖବର