ସ୍ପିନ୍‌ କଳା ଭାରତକୁ ଅଦ୍ୱିତୀୟ କରିଛି: ଆଦାମ୍‌ସ

ଜୋହାନେସ୍‌ବର୍ଗ: ଭାରତ ଆଗରୁ ବ୍ୟାଟିଂ ଶକ୍ତିରେ ଖେଳୁଥିଲା। କିନ୍ତୁ ବିଦେଶରେ ସଫଳ ହେଉନଥିଲା। ଦକ୍ଷିଣ ଆଫ୍ରିକା ମାଟିରେ ପ୍ରଥମ ଦିନିକିଆ ଶୃଙ୍ଖଳା ବିଜୟ ପରେ କିନ୍ତୁ ବୋଲିଂ ସାମର୍ଥ୍ୟ ଚର୍ଚାକୁ ଆସିଛି। ଏଥି ପାଇଁ ଦକ୍ଷିଣ ଆଫ୍ରିକାର ପୂର୍ବତନ ଚାଇନାମ୍ୟାନ୍‌ ବୋଲର ପଲ୍‌ ଆଦାମ୍‌ସ କହିଛନ୍ତି ଯେଉଁ ସମୟରେ ଅନ୍ୟ ଦେଶଗୁଡ଼ିକ ସଂଘର୍ଷ କରୁଛନ୍ତି ଭାରତ ଏହାର ଚୂଡାନ୍ତ ଏକାଦଶରେ ଦୁଇ ଜଣ କଳାତ୍ମକ ସ୍ପିନରଙ୍କୁ ଖେଳାଇ ସୁବିଧାଜନକ ସ୍ଥିତିରେ ରହୁଛି। ୟୁଜବେନ୍ଦ୍ର ଚହଲ ଏବଂ କୁଲଦୀପ ଯାଦବଙ୍କ ସ୍ପିନ୍‌ ଯୋଡ଼ି ଦିନିକିଆ ଶୃଙ୍ଖଳାରେ ମିଳିତ ଭାବେ ୩୩ ଓ୍ଵିକେଟ୍‌ ନେବାରୁ ଭାରତ ଐତିହାସିକ ଶୃଙ୍ଖଳା ବିଜୟ ପାଇଛି। ଏବେ ଦିନିକିଆ ଏବଂ ଟେ୍ଵଣ୍ଟି-୨୦ କୌଶଳ କଳାତ୍ମକ ସ୍ପିନରଙ୍କ ଆଡ଼କୁ ଗତି କରୁଥିବାରୁ ଭାରତ ନିୟମିତ ଭାବେ ଏହି ଯୋଡ଼ିଙ୍କୁ ଖେଳାଇଲେ ଏମିତି ଫାଇଦାରେ ରହିବ ବୋଲି ଆଦାମ୍‌ସ ବିଶ୍ୱାସ କରିଛନ୍ତି। ସେମାନେ ରିଷ୍ଟ ସ୍ପିନର୍‌, କିନ୍ତୁ ସେମାନଙ୍କ ଆଙ୍ଗେଲ୍‌, ବିବିଧତା ବ୍ୟାଟସମ୍ୟାନ୍‌ଙ୍କଠାରୁ ବଲ୍‌କୁ ଦୂରେଇ ନେଉଛି।

ଉଭୟ ଦକ୍ଷ ବୋଲର। ଦକ୍ଷିଣ ଆଫ୍ରିକା ସାଧାରଣତଃ ୨ ଜଣ ସ୍ପିନରଙ୍କୁ ସୀମିତ ଓଭରରେ ଖେଳାଏ ନାହିଁ। ଜୋହାନେସ୍‌ବର୍ଗର ଭଲ ବ୍ୟାଟିଂ ଟ୍ରାକ୍‌ରେ ଘରୋଇ ଦଳ ଜଣେ ହେଲେ ସ୍ପିନରଙ୍କୁ ନେଇ ନ ଥିବାବେଳେ ଭାରତ ୨ ଜଣଙ୍କୁ ଖେଳାଇଥିଲା। ଏହା ଭାରତକୁ ଅଦ୍ୱିତୀୟ ସ୍ଥିତିରେ ପହଞ୍ଚାଇଛି। ୨୦୧୯ରେ ହେବାକୁ ଥିବା ବିଶ୍ୱକପ୍‌କୁ ନଜରରେ ରଖି ଭାରତ ଗତ ଅଗଷ୍ଟରେ ଚହଲ ଓ କୁଲଦୀପଙ୍କୁ ଗୁରୁତ୍ୱ ଦେଇଥିଲା। ଏପରିକି ଭାରତର ସୀମିତ ଓଭର ଯୋଜନାରୁ ଏହାର ଦୁଇ ଅଭିଜ୍ଞ ଖେଳାଳି ଆର୍‌ ଅଶ୍ୱିନ୍‌ ଓ ରବୀନ୍ଦ୍ର ଜାଦେଜା ଏକ ପ୍ରକାର ବାଦ୍‌ ପଡ଼ିଛନ୍ତି। ଦକ୍ଷିିଣ ଆଫ୍ରିକାରେ ସେମାନେ ଖେଳିବାର ଅଭିଜ୍ଞତା ନ ଥିଲେ ମଧ୍ୟ କେଉଁଠି ପକାଇବେ ବୁଝିଗଲେ ଏବଂ ମନ୍ଥର ଗତିରେ ପକାଇ ସଫଳ ହୋଇଛନ୍ତି। ପାଗ ପ୍ରଭାବିତ ଗୋଟିଏ ମ୍ୟାଚ୍‌କୁ ଛାଡ଼ିଦେଲେ ତାଙ୍କୁ ଖେଳିବା ଅସମ୍ଭବ ହୋଇପଡ଼ିଛି ବୋଲି ଆଦାମ୍‌ସ କହିଛନ୍ତି। ଦକ୍ଷିଣ ଆଫ୍ରିକା ପାଇଁ ସ୍ପିନ୍‌କୁ ଖେଳି ନ ପାରିବା ସମସ୍ୟା ନୁହେଁ, ପିଚ୍‌ରେ ନ ତିଷ୍ଠିବା ସମସ୍ୟା ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର