ବ୍ୟାଙ୍କକ୍/ମେଲବର୍ଣ୍ଣ : କ୍ରିକେଟ୍ ଜଗତର ମହାନ ବୋଲର୍, ଅଷ୍ଟ୍ରେଲୀୟ ସ୍ପିନ୍ କିଂବଦନ୍ତି ତଥା ପୂର୍ବତନ ଅଧିନାୟକ ସେନ୍ ୱର୍ଣ୍ଣ ଆଉ ନାହାନ୍ତି। ଥାଇଲାଣ୍ଡ ଗସ୍ତରେ ଥିବାବେଳେ ଶୁକ୍ରବାର ସନ୍ଦେହଜନକ ଭାବେ ହୃଦ୍ଘାତରେ ତାଙ୍କର ପରଲୋକ ଘଟିଛି। ତାଙ୍କୁ ମାତ୍ର ୫୨ ବର୍ଷ ହୋଇଥିଲା। ୱର୍ଣ୍ଣଙ୍କ ପରଲୋକ ଖବର ପ୍ରଥମେ ଫକ୍ସ ସ୍ପୋର୍ଟସ ପକ୍ଷରୁ ଏକ ସଂକ୍ଷିପ୍ତ ବିବୃତିରେ ଦିଆଯିବା ପରେ ବିଶ୍ବବ୍ୟାପୀ ପ୍ରଶଂସକ, କ୍ରିକେଟପ୍ରେମୀ, କ୍ରିକେଟର୍ ସ୍ତବ୍ଧ ହୋଇଯାଇଛନ୍ତି। ଏହା ବିଶ୍ବାସଯୋଗ୍ୟ ନୁହେଁ ବୋଲି ଅନେକ ଟ୍ବିଟ୍ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ଭିଲ୍ଲାରେ ୱର୍ଣ୍ଣ ଅଚେତ ଅବସ୍ଥାରେ ପଡ଼ିଥିଲେ। ଡାକ୍ତରଙ୍କର ସମସ୍ତ ଚେଷ୍ଟା ସତ୍ତ୍ବେ ତାଙ୍କର ଚେତା ଆଉ ଫେରିନଥିଲା। କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ଘଟିଲା, ତାହା ଜଣାପଡ଼ି ନହିଁ। ‘ପାରିବାରିକ ଗୋପନୀୟତା ବଜାୟ ରଖନ୍ତୁ, ଠିକଣା ସମୟରେ ବିସ୍ତୃତ ବିବରଣୀ ପ୍ରଦାନ କରାଯିବ’ ବୋଲି ତାଙ୍କ ପରିବାର ପକ୍ଷରୁ ଅନୁରୋଧ କରାଯାଇଛି। ସକାଳେ ଅନ୍ୟତମ ପୂର୍ବତନ ଅଷ୍ଟ୍ରେଲୀୟ ମହାନ କ୍ରିକେଟର୍ ରଡନି ମାର୍ଶଙ୍କ ଦେହାନ୍ତ ଘଟିଥିବା ବେଳେ ୱର୍ଣ୍ଣ ଏଥିରେ ମର୍ମାହତ ହୋଇ ଟ୍ବିଟ୍ କରି ଶୋକବାର୍ତା ଦେଇଥିଲେ। ଏହାର ୧୨ ଘଣ୍ଟା ପରେ ନିଜେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି।
ଅଷ୍ଟ୍ରେଲିଆ ପାଇଁ ଦୀର୍ଘ ୧୫ ବର୍ଷ ଧରି କ୍ରିକେଟ୍ ଖେଳିଥିବା ସେନ୍ ୱର୍ଣ୍ଣ ୧୪୫ ଟେଷ୍ଟ୍ରୁ ୭୦୮ ୱିକେଟ୍ ସହ ସିଂହଳୀ ସ୍ପନ୍ କିଂବଦନ୍ତି ମୁଥୟା ମୁରଲୀଧରନ (୮୦୦)ଙ୍କ ପରେ ଏବେ ବି ଦ୍ବିତୀୟ ସ୍ଥାନରେ ରହିଛନ୍ତି। ୧୯୪ ଦିନିକିଆରୁ ୨୯୩ ୱିକେଟ୍ ସଂଗ୍ରହ କରିଥିଲେ। ମୋଟ ଉପରେ ୧୦୦୦ରୁ ଊର୍ଧ୍ବ ଅନ୍ତର୍ଜାତୀୟ ୱିକେଟ୍ ନେବାର ବିରଳ ସଫଳତା ତାଙ୍କ ନାମରେ ରହିଛି। ଏ କ୍ଷେତ୍ରରେ ମଧ୍ୟ ମୁଥୟା ମୁରଲୀଧରନ (୧୩୪୭ ୱିକେଟ୍) ପ୍ରଥମ ସ୍ଥାନରେ ରହିଛନ୍ତି। ୧୯୯୨ରେ ଅନ୍ତର୍ଜାତୀୟ କ୍ରିକେଟ୍କୁ ଆସି ୨୦୦୭ରେ ଅବସର ନେଇଥିଲେ ମଧ୍ୟ ୨୦୦୮ରେ ଆରମ୍ଭ ହୋଇଥିବା ଆଇପିଏଲ୍ର ପ୍ରଥମ ସଂସ୍କରଣରେ ରାଜସ୍ଥାନ ରୟାଲ୍ସକୁ ବିଜେତା କରାଇଥିଲେ। ୩୦୦ରୁ ଊର୍ଧ୍ବ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବା ସହ ୱିଜଡେନ୍ର ଶତାବ୍ଦୀର ଶ୍ରେଷ୍ଠ ୫ କ୍ରିକେଟର୍ଙ୍କ ମଧ୍ୟରେ ସେ ସାମିଲ ଥିଲେ। ପଡ଼ିଆ ଭିତରେ ଏବଂ ବାହାରେ ଜଣେ ପ୍ରଭାବୀ ବ୍ୟକ୍ତିତ୍ବ ଥିବା ୱର୍ଣ୍ଣ ମଧ୍ୟ କ୍ରିକେଟ୍ ଭାଷ୍ୟକାର ଭାବେ ଖେଳର ଟିକିନିକି ସମୀକ୍ଷା କରି ଲୋକପ୍ରିୟତା ଅର୍ଜନ କରିଥିଲେ।
ସ୍ପିନ୍ କିଙ୍ଗ୍ ଭାବେ ପରିଚିତ ସେନ୍ ୱର୍ଣ୍ଣ ନିଜ ସମୟର ସମସ୍ତ ମହାନ ବ୍ୟାଟ୍ସମ୍ୟାନ୍ଙ୍କୁ ତାଙ୍କର ସ୍ପିନ ଯାଦୁରେ ଘାଏଲା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/shane-warne-ddd.jpg)