ଗୁଆଁଝୁରେ ଭାରତ ଗର୍ଜନ

ରାଜ୍ୟଗୋଷ୍ଠୀ ରୋମାଞ୍ଚ, କନିଷ୍ଠ କ୍ରିକେଟ୍‌ରେ ଭାରତର କମାଲ

ଚଳିତ ବର୍ଷର ଏସୀୟ କ୍ରୀଡ଼ା ଚୀନର ଗୁଆଁଝୁଠାରେ ଆୟୋଜିତ ହୋଇଥିଲା। ଏଥିରେ ୪୫ ଦେଶର ୧୧୭୨୦ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ୪୦ କ୍ରୀଡ଼ାର ୪୬୫ ବର୍ଗରେ ପ୍ରତିଦ୍ବନ୍ଦ୍ବିତା ହୋଇଥିଲା। ଆଶାଜନକ ଭାବେ ଚୀନ (୧୩୨ ସ୍ବର୍ଣ୍ଣ, ୯୨ ରୌପ୍ୟ, ୬୫ କାଂସ୍ୟ) ପ୍ରଥମ ସ୍ଥାନରେ ରହିଥିଲା ବେଳେ ଜାପାନ (୭୫ ସ୍ବର୍ଣ୍ଣ, ୫୬ ରୌପ୍ୟ, ୭୪ କାଂସ୍ୟ) ଓ ଦକ୍ଷିଣ କୋରିଆ (୪୯ ସ୍ବର୍ଣ୍ଣ, ୫୮ ରୌପ୍ୟ, ୭୦ କାଂସ୍ୟ) ଦ୍ବିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଭାରତ (୧୫ ସ୍ବର୍ଣ୍ଣ, ୨୪ ରୌପ୍ୟ, ୩୦ କାଂସ୍ୟ) ଅଷ୍ଟମ ସ୍ଥାନରେ ରହିଥିଲା। ଏଠାରେ ମଧ୍ୟ କେତେକ ଭାରତୀୟ ପ୍ରତିଯୋଗୀ ଐତିହାସିକ ସଫଳତା ଲାଭ କରିଥିଲେ। ମହିଳା ୨୦୦ ଏବଂ ୧୦୦ ମିଟରରେ ରୌପ୍ୟ ପଦକ ଜିତି ଧାବିକା ଧୂତି ଚାନ୍ଦ ଓଡ଼ିଆ ଛାପ ଛାଡ଼ିଥିଲେ। ବୀନେଶ ଫୋଗଟ ମହିଳା କୁସ୍ତିରେ ଦେଶ ପାଇଁ ସ୍ମରଣୀୟ ସ୍ବର୍ଣ୍ଣ ହାସଲ କରିଥିଲେ। ଜାଭେଲିନ୍ ତାରକା ନୀରଜ ଚୋପ୍ରା ଜାତୀୟ କୀର୍ତ୍ତିମାନ ଭାଙ୍ଗିବା ସହ ସ୍ବର୍ଣ୍ଣ ପଦକ କବ୍‌ଜା କରି ନେଇଥିଲେ। ଭାରତ ୨୦୧୦ ଏସୀୟ କ୍ରୀଡ଼ାର ପଦକ ସଂଖ୍ୟାକୁ ଗୁଆଁଝୁରେ ଟପିଥିଲା।

ରାଜ୍ୟଗୋଷ୍ଠୀ ରୋମାଞ୍ଚ

ଅଷ୍ଟ୍ରେଲିଆର ଗୋଲ୍ଡକୋଷ୍ଟଠାରେ ଆୟୋଜିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ପ୍ରତିଯୋଗୀମାନେ ଅନେକ ଅଜଣା ଇଲାକାରେ ତିରଙ୍ଗା ଉଡ଼ାଇଥିଲେ। ଭାରତ ୨୬ ସ୍ବର୍ଣ୍ଣ, ୨୦ ରୌପ୍ୟ ଓ ୨୦ କାଂସ୍ୟ ପଦକ ଜିତି ତୃତୀୟ ସ୍ଥାନରେ ରହିଥିଲା। ତେବେ ୨୦୧୦ ନୂଆଦିଲ୍ଲୀ କ୍ରୀଡ଼ା ପରେ ଏହା ଭାରତର ଶ୍ରେଷ୍ଠ ସଫଳତା ଥିଲା। ଟେବୁଲ ଟେନିସ୍, ବ୍ୟାଡମିଣ୍ଟନ, କୁସ୍ତି, ପୁରୁଷ ଜାଭେଲିନ ଭଳି ଖେଳରେ ଭାରତ ସଫଳତାର ନୂଆ ଅଧ୍ୟାୟ ଯୋଡ଼ିଥିଲା। ଆୟୋଜକ ଅଷ୍ଟ୍ରେଲିଆ (୮୦ ସ୍ବର୍ଣ୍ଣ, ୫୯ ରୌପ୍ୟ ଓ ୫୯ କାଂସ୍ୟ) ପ୍ରଥମ ସ୍ଥାନରେ ରହିଥିଲା ବେଳେ ଇଂଲଣ୍ଡ (୪୫ ସ୍ବର୍ଣ୍ଣ, ୪୫ ରୌପ୍ୟ ଓ ୪୬ କାଂସ୍ୟ) ଦ୍ବିତୀୟ ସ୍ଥାନ ଅଧିକାର କରିଥିଲା। ଏପ୍ରିଲ ୪ରୁ ୧୫ ପର୍ଯ୍ୟନ୍ତ ଖେଳା ଯାଇଥିବା ଏହି ପ୍ରତିଯୋଗିତାରେ ୭୧ ଦେଶର ୪୪୨୬ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ସେହି ଅଷ୍ଟ୍ରେଲିଆରେ ମହାନ ଧାବକ ଉସେନ ବୋଲ୍ଟ ଫୁଟବଲ୍ ଖେଳିବା ଖବର ମଧ୍ୟ ଧୁମ୍ ମଚାଇଥିଲା।

କନିଷ୍ଠ କ୍ରିକେଟ୍‌ରେ ଭାରତର କମାଲ

କନିଷ୍ଠ ବିଶ୍ବକପ୍ (୧୯ ବର୍ଷରୁ କମ୍)ରେ ଏଥର ଭାରତ କମାଲ କରିଥିଲା। ନ୍ୟୁଜିଲାଣ୍ଡରେ ଆୟୋଜିତ ଏହି ପ୍ରତିଯୋଗିତାରେ ଅଷ୍ଟ୍ରେଲିଆକୁ ୮ ୱିକେଟ୍‌ ହରାଇ ଭାରତ ଚତୁର୍ଥ ଥର ପାଇଁ ବିଶ୍ବ ବିଜେତା ହୋଇଥିଲା। ୧୯ ବର୍ଷରୁ କମ୍ ବିଶ୍ବକପ୍ ଇତିହାସର ସଫଳତମ ଦଳର ମାନ୍ୟତା ଲାଭ କରିଥିଲା। ବରିଷ୍ଠ ଦଳର ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡଙ୍କ ପ୍ରଶିକ୍ଷଣରେ ଭାରତ ଏହି ସଫଳତା ଲାଭ କରିଥିଲା। ଏହି ପ୍ରତିଯୋଗିତାରେ ୧୬ ଦଳ ଅଂଶ ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର