ସ୍ପୋର୍ଟିଂ ଜିତିଲା ପର୍ତୁଗୀଜ୍‌ ଟ୍ରଫି

ଲିସ୍‌ବନ: ପାଖାପାଖି ଦୁଇ ଦଶନ୍ଦି (୧୯ ବର୍ଷ) ପରେ ପ୍ରଥମ ଥର ପାଇଁ ସ୍ପୋର୍ଟିଂ କ୍ଲବ୍‌ ପର୍ତୁଗୀଜ୍‌ ବିଜେତା ହୋଇଛି। ମଙ୍ଗଳବାର ସ୍ପୋର୍ଟିଂ ଷ୍ଟାଡିୟମ୍‌ରେ ଏହି ଦଳ ୧-୦ ଗୋଲ୍‌ରେ ବୋଭିସ୍ତାକୁ ପରାସ୍ତ କରି ପର୍ତୁଗୀଜ୍‌ ପ୍ରିମିୟର ଲିଗ୍‌ ଜିତି ନେଇଛି। ଷ୍ଟ୍ରାଇକର ପୌଲିନୋ ୩୬ ମିନିଟ୍‌ରେ ମ୍ୟାଚ୍‌ର ଏକମାତ୍ର ଗୋଲ୍‌ଟି ସ୍କୋର୍‌ କରିଥିଲେ। ଏଥି ସହିତ ଖେଳାଳିମାନେ କ୍ଲବ୍‌ର ମୁଖ୍ୟ ପ୍ରଶିକ୍ଷକ ରୁବେନ ଆମୋରିମ୍‌ଙ୍କୁ ତୋଳି ଧରି ବିଜୟ ଉଲ୍ଲାସରେ ମାତି ଯାଇଥିଲେ। ଏହା ମଧ୍ୟ କ୍ଲବ୍‌ର ମୋଟ ଉପରେ ୧୯ତମ ଲିଗ୍‌ ଟ୍ରଫି। କେବଳ ୧୯ ବର୍ଷ ପରେ ପ୍ରଥମ ଥର ସ୍ପୋର୍ଟିଂ ପର୍ତୁଗୀଜ୍‌ ବିଜେତା ହୋଇନଥିଲା, ବରଂ ଏହାର ପ୍ରତିଦ୍ବନ୍ଦ୍ବୀ ପୋର୍ତୋ ଓ ବେନ୍‌ଫିକାର ୧୯ ବର୍ଷ ଧରି ରାଜୁତିର ଅନ୍ତ ଘଟାଇଥିଲା।

ବୋଭିସ୍ତା ବିପକ୍ଷ ମ୍ୟାଚ୍‌ ଜିତିବାର ଗୋଟିଏ ମିନିଟ ପରେ ହଜାର ହଜାର ସ୍ପୋର୍ଟିଂ କ୍ଲବ୍‌ ପ୍ରଶଂସକ ଲମ୍ବା ଧାଡିରେ କାର୍‌ ଧରି ମଙ୍ଗଳବାର ସଂଧ୍ୟାରେ ଷ୍ଟାଡିୟମ୍‌ ସମ୍ମୁଖରେ ପତାକା ଉଡାଇ ଓ ନାରାବାଜି ଦେଇ ବିଜୟ ଉତ୍ସବ ମନାଇଥିଲେ। ତେବେ କରୋନା ମହାମାରୀ ଯୋଗୁଁ କୌଣସି ପ୍ରଶଂସକଙ୍କୁ ଷ୍ଟାଡିୟମ୍‌ ଭିତରକୁ ପ୍ରବେଶ ଅନୁମତି ମିଳିନଥିଲା। ହେଲେ ଷ୍ଟାଡିୟମ୍‌ ବାହାରେ ପ୍ରଶଂସକ ମୁହଁରେ ମାସ୍କ ପିନ୍ଧି, ସାମାଜିକ ଦୂରତା ବଜାୟ ରଖି ଉତ୍ସବ ମନାଇଥିଲେ।

ମଙ୍ଗଳବାର ବିଜୟ ସହ ସ୍ପୋର୍ଟିଂ ଆଉ ୨ ମ୍ୟାଚ୍‌ ବାକି ଥିଲାବେଳେ ଅପରାଜେୟ ରହିଛି। ଏହି କ୍ଲବ୍‌ ୩୨ ମ୍ୟାଚ୍‌ ଖେଳିସାରିବା ପରେ ସର୍ବାଧିକ ୮୨ ପଏଣ୍ଟ କରାୟତ୍ତ କରିଥିଲା ବେଳେ ନିକଟତମ ପ୍ରତିଦ୍ବନ୍ଦ୍ବୀ ତଥା ଦ୍ବିତୀୟ ସ୍ଥାନରେ ଥିବା ପୋର୍ତୋଠାରୁ ୮ ପଏଣ୍ଟ୍‌ ଆଗରେ ରହିଛି। ଏଥର ୨ ମ୍ୟାଚ୍‌ ପୂର୍ବରୁ ବିଜେତା ଆଖ୍ୟା ହାତେଇ ନେଇଥିବା ଏହି କ୍ଲବ୍‌ ଗତ ଋତୁରେ ଚତୁର୍ଥ ସ୍ଥାନରେ ଅଭିଯାନ ଶେଷ କରିଥିଲା।

ସମ୍ବନ୍ଧିତ ଖବର