ଇତି ଊଣେଇଶ (ଖେଳ) : ଦୂତି ରାଜୁତି, ପ୍ରମୋଦ ଅର୍ଜୁନ
ଦୂତି ଚାନ୍ଦଙ୍କ ପାଇଁ ଓଡ଼ିଶା ଦୌଡ଼କୁଦ ଦୁନିଆ ଊଣେଇଶ ବର୍ଷ ସାରା ଦୌଡ଼ିଥିଲା। ଖେଳ ପଡ଼ିଆ ଭିତରେ ଓ ବାହାରେ ଚର୍ଚ୍ଚା, ପ୍ରଶଂସା, ସମ୍ମାନ ଓ ବିବାଦ ଘେରରେ ବି ରହିଥିଲେ। ସଫଳତା ଭିତରେ ଥିଲା ଏସୀୟ ଦୌଡ଼କୁଦ କାଂସ୍ୟ, ବିଶ୍ବ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ପତାକାଧାରୀ ହେବା ସହ ସ୍ବର୍ଣ୍ଣ, ଇଣ୍ଡିଆନ୍ ଗ୍ରାଁ ପ୍ରି ସ୍ବର୍ଣ୍ଣ, ଫେଡେରେସନ୍ କପ୍ ଓ ଜାତୀୟ ଓପନ୍ରେ ଦ୍ବିମୁକୁଟ (୧୦୦ ଓ ୨୦୦ ମିଟର୍) ସହିତ ଶ୍ରେଷ୍ଠ ମହିଳା କ୍ରୀଡ଼ାବିତ୍ ଏବଂ ବର୍ଷ ଶେଷକୁ ଦେଶର ଏକ ନମ୍ବର ମାନ୍ୟତାପ୍ରାପ୍ତ ଧାବିକାର ଗୌରବ। ଟ୍ରାକ୍ ବାହାରେ ବି ଦୂତି ନିଜକୁ ଦବଙ୍ଗ ସାବ୍ୟସ୍ତ କରିଥିଲେ। ଲୋକପ୍ରିୟ ଟିଭି କାର୍ଯ୍ୟକ୍ରମ କେବିସି ଏବଂ କପିଲ ଶର୍ମା ସୋ’ରେ ନିଜ ଜଲୱା ଦେଖାଇଥିଲେ। ଟାଇମ୍, ଭଗ୍ସ, ଆପଲ୍, ଫର୍ବସ ଭଳି ବିଶ୍ବବିଦିତ ମାଗାଜିନ୍ ପ୍ରଚ୍ଛଦ ପୃଷ୍ଠାରେ ରହିବା ସହିତ ଇଣ୍ଡିଆ ଟୁଡେର ଶୀର୍ଷ ୫୦ ପ୍ରଭାବଶାଳୀ ତାଲିକାରେ ବି ସ୍ଥାନ ପାଇଥିଲେ। ବଲିଉଡ୍ ସିନେମାର ପରିକଳ୍ପନା ବି ହୋଇଛି, ଦୂତିଙ୍କ ନାମରେ କିଟ୍ରେ ବି ଟ୍ରାକ୍ ନାମିତ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଆୟୋଜନ ଅବ୍ୟାହତ
ଖେଳାଳିଙ୍କ ସଫଳତା ତୁଳନାରେ ଓଡ଼ିଶା ମଧ୍ୟ ଲଗାତାର ତୃତୀୟ ବର୍ଷ ପାଇଁ ଆୟୋଜନ ଦକ୍ଷତାକୁ ନେଇ ଅଧିକ ଚର୍ଚ୍ଚିତ ହୋଇଥିଲା। ୨୦୧୭ରେ ଏସୀୟ ଦୌଡ଼କୁଦ, ୨୦୧୮ରେ ପୁରୁଷ ହକି ବିଶ୍ବକପ୍ର ଚର୍ଚ୍ଚା ଥମିନଥିଲା। ଊଣେଇଶରେ ବି ଆୟୋଜନ ପାରିବା ପଣିଆ ପୁଣି ଓଡ଼ିଶାକୁ ଗୌରବାନ୍ବିତ କରିଥିଲା। ଆଇ ଲିଗ୍ରେ ଇଣ୍ଡିଆନ୍ ଆରୋଜ୍ ମ୍ୟାଚ୍ରୁ ବର୍ଷ ଆରମ୍ଭ ହୋଇଥିଲା। ଏହା ପରେ ଏଫ୍ଆଇଏଚ୍ ସିରିଜ୍ ଫାଇନାଲ୍ସ, ଜାତୀୟ ଟିଟି, ରାଜ୍ୟଗୋଷ୍ଠୀ ଟିଟି, ଏଫ୍ଆଇଏଚ୍ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ, ଚତୁଃରାଷ୍ଟ୍ରୀୟ ଗୋଲ୍ଡ କପ୍ ମହିଳା ଫୁଟ୍ବଲ୍, ସୁପର୍ କପ୍ ଫୁଟ୍ବଲ୍, ଜାତୀୟ ଉପକନିଷ୍ଠ ବ୍ୟାଡ୍ମିଣ୍ଟନ୍, ଜାତୀୟ ବରିଷ୍ଠ ଭଲିବଲ୍ ପ୍ରତିଯୋଗିତା ଓଡ଼ିଶାରେ ହୋଇଥିଲା। ଡିସେମ୍ବର ୨୨ ସବୁଠୁ ବଡ଼ ଦିନ ଥିଲା, ସେଦିନ ବାରବାଟୀରେ ବଡ଼ ବିଜୟ ସହିତ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଦଶନ୍ଧିର ଶେଷ କ୍ରିକେଟ୍ ଶୃଙ୍ଖଳା ଜିତିଥିଲା ଭାରତ। କୋହଲି ବାରବାଟୀରେ ରଖିଗଲେ ମଧୁର ଅନୁଭବ। ୨୦୨୦ରେ ୧୭ ବର୍ଷରୁ କମ୍ ମହିଳା ବିଶ୍ବକପ୍, ହକି ପ୍ରୋ ଲିଗ୍ ଭଳି ବଡ଼ ପ୍ରତିଯୋଗିତା ହେବ। ୨୦୨୩ରେ ପୁରୁଷ ହକି ବିଶ୍ବକପ୍ ପୁଣି ଓଡ଼ିଶାରେ ଖେଳାଯିବାର ବଡ଼ ଘୋଷଣା ବି ହୋଇଛି।
ହକି ହୁଗୁଳା
ଓଡ଼ିଶାରେ ଏଫ୍ଆଇଏଚ୍ ସିରିଜ୍ ଫାଇନାଲ୍ସ ଏବଂ ଅଲିମ୍ପିକ୍ ଯୋଗ୍ୟତା ପର୍ଯ୍ୟାୟ ସଫଳତା ସହ ଆୟୋଜିତ ହୋଇଥିଲା। ଭାରତୀୟ ପୁରୁଷ ଓ ମହିଳା ଦଳ ଟୋକିଓ ଟିକେଟ୍ ପାଇ ଖୁସିକୁ ଦ୍ବିଗୁଣିତ କରିଥିଲା। କିନ୍ତୁ ଓଡ଼ିଶା ହକି ଜାତୀୟ ପ୍ରତିଯୋଗିତା ପ୍ରଦର୍ଶନ ସୀମିତ ରହିଯାଇଥିଲା। ବରଂ ପୂର୍ବ ତୁଳନାରେ ତଳକୁ ଖସିଯାଇଛି। ସୁନୀତା ଲାକ୍ରା ୧୫୦ ଅନ୍ତର୍ଜାତୀୟ ମାଇଲ ଖୁଣ୍ଟ ମ୍ୟାଚ୍ ଖେଳିଥିଲେ। ଅଲିମ୍ପିକ୍ ଯୋଗ୍ୟତା ପର୍ଯ୍ୟାୟରେ ଖେଳି ଦୀପ୍ଗ୍ରେସ୍ ଏକ୍କା, ଲିଲିମା ମିଞ୍ଜ୍, ନମିତା ଟପ୍ପୋ, ଅମିତ ରୋହିଦାସ ଏବଂ ବୀରେନ୍ଦ୍ର ଲାକ୍ରା ଗୌରବ ବଢ଼ାଇଥିଲେ।
ବ୍ୟାଡ୍ମିଣ୍ଟନ୍ରେ ପଣ୍ଡା ଭଉଣୀ
ପ୍ରମୋଦ ଭଗତଙ୍କ ଏକକାଳୀନ ବିଶ୍ବ ବିଜୟ ଏବଂ ଅର୍ଜୁନ ସମ୍ମାନ ଓଡ଼ିଶା କ୍ରୀଡ଼ାରେ ନୂଆ ଅଧ୍ୟାୟ ସଂଯୋଗ କରିଥିଲା। ବର୍ଷକ ଭିତରେ ୧୨ ସ୍ବର୍ଣ୍ଣ ସହ ୨୧ ଅନ୍ତର୍ଜାତୀୟ ପଦକ ହାସଲ କରିଥିଲେ ଏହି ବରଗଡ଼ ବଡ଼ ପ୍ରତିଭା। ବ୍ୟାଡ୍ମିଣ୍ଟନ୍ ଭଉଣୀ ଋତୁପର୍ଣ୍ଣା ଓ ଶ୍ବେତପର୍ଣ୍ଣା ପଣ୍ଡାଙ୍କ କୃତିତ୍ବ ଓଡ଼ିଶାକୁ ଏହି ଅଲିମ୍ପିକ୍ ସଫଳ ଖେଳରେ ବି ଆଗକୁ ନେଇଥିଲା। ଋତୁପର୍ଣ୍ଣା ବିଦାୟୀ ବର୍ଷରେ ସର୍ବଭାରତୀୟ ଦ୍ବିମୁକୁଟ, ନାଇଜେରିଆ ଓ ଘାନାରେ ବି ଦ୍ବିମୁକୁଟ ଅର୍ଜନ କରିଥିଲେ। ସାଥୀରେ ଥିଲେ ରୋହନ କାପୁର ଓ କେ ମନୀଷା। ନେପାଳ ଚାଲେଞ୍ଜରରେ ବି ରୌପ୍ୟ ଜିତିଥିଲେ ବଡ଼ ଭଉଣୀ ଋତୁପର୍ଣ୍ଣା। ଇମ୍ଫାଲରେ ସର୍ବଭାରତୀୟ ମିଶ୍ରିତ ଟ୍ରଫି ଜିତିବା ପରେ ଶ୍ବେତପର୍ଣ୍ଣା ଭୁବନେଶ୍ବରରେ ନିଜ ପ୍ରଥମ ଜାତୀୟ ପଦକ (ଉପକନିଷ୍ଠ, ମିଶ୍ରିତ ଯୁଗଳ ସ୍ବର୍ଣ୍ଣ) ହାସଲ କରିଥିଲେ। ଇଣ୍ଡୋନେସିଆରେ ଏସୀୟ କନିଷ୍ଠ ପ୍ରତିଯୋଗିତାରେ ଖେଳି ମଧ୍ୟ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ ଶ୍ବେତପର୍ଣ୍ଣା।
ଦୁଃସାହସୀ ଓଡ଼ିଆ
ଦୁଃସାହସିକ କ୍ରୀଡ଼ାରେ ଓଡ଼ିଶାର ଅଗ୍ରଗତି ବଢ଼ିଥିଲା। ଆଇରନ୍ମ୍ୟାନ୍ ତାଲିକାରେ ନିଜ ନାମକୁ ଯୋଡ଼ିଥିଲେ ସୌଭାଗ୍ୟ ରଥ, ସଂଗ୍ରାମ ଜେନା, ଅଭିଷେକ ପଟ୍ଟଯୋଶୀ। ପର୍ବତାରୋହଣ ଦୁନିଆରେ କୁସୁ ଅର୍ଲବ, ଲିପିକା ସେଟ୍ ବି ଆଗକୁ ବଢ଼ିଥିଲେ। ବିଜୁ ପଟ୍ଟନାୟକ ହିମାଳୟାନ ଅଭିଯାନ ବି ତୃତୀୟ ବର୍ଷ ସଫଳତାର ସହ ଷ୍ଟକ୍ କାଙ୍ଗ୍ରୀ ଅଭିଯାନ ଶେଷ କରିଥିଲା।
ଶକ୍ତିଖେଳରେ ଶକ୍ତି ବୃଦ୍ଧି
ଓଡ଼ିଶା ଖେଳାଳି ଶକ୍ତିଭିତ୍ତିକ ଖେଳ ଭାରୋତ୍ତୋଳନ ଏବଂ ଶକ୍ତିଉତ୍ତୋଳନରେ ନିଜ ଶକ୍ତିବୃଦ୍ଧି କରି ଚାଲିଛନ୍ତି। ଜାତୀୟସ୍ତରରେ କେ ରବିକୁମାର, ଅନିଲ କୁମାର ସାହୁ, କୁଲଦୀପ ସାହୁ, ମୁନା ନାୟକ, ମୋତି ଜାନି, ରାଜେଶ ଶତପଥୀ, ନାରାୟଣ ସେଠୀ, ସୂର୍ଯ୍ୟକାନ୍ତ ପ୍ରଧାନ ପ୍ରମୁଖ ଜିତିଥିଲେ ପଦକ। ଝିଲ୍ଲୀ ଦଳ ବେହେରା କିନ୍ତୁ ଏସୀୟ ରୌପ୍ୟ, ସାଗ୍ ସ୍ବର୍ଣ୍ଣ ହାସଲ କରିଥିଲେ। ସ୍ନେହା ସୋରେନ୍ ମଧ୍ୟ ସାଗ୍ ସ୍ବର୍ଣ୍ଣ ଗୌରବ ଆଣିଥିଲେ। ଦଳଗତ ଭାବେ ଓଡ଼ିଶା ଜାତୀୟ ଭାରୋତ୍ତୋଳନରେ ୨ ସ୍ବର୍ଣ୍ଣ ସହିତ ୭ ପଦକ ଏବଂ କ୍ଲାସିକ୍ ଶକ୍ତିଉତ୍ତୋଳନରେ ୧୧ ପଦକ ଅମଳ କରିବା ଥିଲା ଉଲ୍ଲେଖନୀୟ।