ଅଫେରା ଅଠର: ଆୟୋଜକ, ପ୍ରାୟୋଜକ, ପାରଙ୍ଗମ

ଓଡ଼ିଶା କ୍ରୀଡ଼ାର ୨୦୧୮ ଦୃଶ୍ୟପଟ୍ଟକୁ ଦେଖିଲେ ହକି, ହକି ଆଉ ହକି। ପ୍ରଶଂସା ନୁହେଁ ପରାକାଷ୍ଠା, ପ୍ରଦର୍ଶନ ନୁହେଁ ପାରଙ୍ଗମ, ଦେଖାଣିଆ ନୁହେଁ ଦକ୍ଷତା, ଇତିହାସ ନୁହେଁ ଈଚ୍ଛାଶକ୍ତି ବଳରେ ହିଁ ଓଡ଼ିଶା ବିଶ୍ବବାସୀଙ୍କୁ ଦେଖାଇ ଦେଇଛି ‘ଭୁବନେଶ୍ବର ଖେଳ ଓ ଖେଳାଳିଙ୍କ ଭୂସ୍ବର୍ଗ’। ଭାରତୀୟ ହକିର ୫ ବର୍ଷିଆ ପ୍ରାୟୋଜକ କଥା କୁହନ୍ତୁ ଅବା ଓଡ଼ିଶା ହକି ବିଶ୍ବକପ୍‌ ଆୟୋଜନର ସ୍ତର, ସବୁକିଛି ଛିଡ଼ା କରିଛି ନୂଆ ମାନଦଣ୍ଡ। କଳିଙ୍ଗର ବିଶ୍ବସ୍ତରୀୟ ଭିତ୍ତିଭୂମି ଏବଂ ଓଡ଼ିଆଙ୍କ ହୃଦୟଖୋଲା ଭଲ ପାଇବା ବିଶ୍ବ କ୍ରୀଡ଼ା ପାଇଁ ଖୋଲି ଦେଇଛି ଏକ ନୂଆ ଗବାକ୍ଷ। ବ୍ୟକ୍ତିଗତ ପ୍ରଦର୍ଶନକୁ ଆସିଲେ ନିଶ୍ଚିତ ଦୂତି ଚାନ୍ଦଙ୍କ ନାମ ଆସିବ। ଏସୀୟ କ୍ରୀଡ଼ାରେ ଦୁଇ ଦୁଇଟି ରୌପ୍ୟ ପଦକ ଜିତି ରଚିଥିଲେ ଭାରତୀୟ ଦୌଡ଼କୁଦ ଦୁନିଆରେ ଇତିହାସ। ସୁନୀତା ଲାକ୍ରା ଭାରତୀୟ ହକି ଦଳର ନେତୃତ୍ବ ନେବା ନୂଆ ଦିଶା ଦେଖାଇଥିଲା। ଋତୁପର୍ଣ୍ଣା ପଣ୍ଡା କିନ୍ତୁ ପାଲଟିଥିଲେ ଓଡ଼ିଶା ବ୍ୟାଡମିଣ୍ଟନ୍ ଦୁନିଆର ଉଦିତ ସୂର୍ଯ୍ୟ। ଦୃଷ୍ଟିହୀନ କ୍ରିକେଟ୍‌ ବିଶ୍ବକପ୍ ହାତେଇ ସଫଳତାର ଶିଖରକୁ ପୁଣି ଚଢ଼ିଥିଲେ ମହମ୍ମଦ ଜାଫର ଇକ୍‌ବାଲ ଏବଂ ପଙ୍କଜ ଭୁଏ। ଦଳଗତ କ୍ରୀଡ଼ାରେ ଓଡ଼ିଶା ମହିଳା କ୍ରିକେଟ୍‌ ଦଳ, ବାଳକ ଫୁଟ୍‌ବଲ୍‌ ଦଳର ସଫଳତା ଆମକୁ ନିଶ୍ଚିତ ନୂଆ ବର୍ଷ ଲାଗି ନୂଆ ସମ୍ଭାବନାର ସ୍ବପ୍ନ ଦେଖାଇଛି।

ଅଂଶୁ ଆଶା
ଟେନିସ୍‌ରେ ବିଦେଶ ସର୍କିଟରେ ଖେଳି ଅଂଶୁ ଭୂୟାଁ କେବଳ ଦେଖାଇଛନ୍ତି ଆଶା। ଚିନ୍ମୟ କୁମାର ପ୍ରଧାନ ନାହାନ୍ତି ପଛରେ। ଋପୁପର୍ଣ୍ଣା ଚୌଧୁରୀ, ଅନମ ଅଲମାସ, ରବିନାରାୟଣ ସାହୁ, କବିର ହଂସ ବି ଦେଖାଇଛନ୍ତି ଆଶାର ଆଲୋକ।

କଳିଙ୍ଗରେ ବିଶ୍ବବିଜୟ
ଓଡ଼ିଶା ହକି ବିଶ୍ବକପ୍ କେବଳ କଳିଙ୍ଗ ପଦାର୍ପଣ କରିନଥିଲା, ବିଶ୍ବ ହକିକୁ ମଧ୍ୟ ନୂଆ ବିଜେତା ‌ଦେଇଥିଲା। ୬ ପ୍ରୟାସ ପରେ ପ୍ରଥମ ଥର ବିଜେତା ହୋଇଛି ୟୁରୋପୀୟ ଦେଶ ବେଲ୍‌ଜିୟମ୍‌। କେବଳ ଏହି ଗୋଟିଏ ବିଶ୍ବକପ୍ ନୁହେଁ କଳିଙ୍ଗ ଷ୍ଟାଡିୟମ୍‌ରେ ବିଦାୟୀ ବର୍ଷକ ଭିତରେ ଆଇଟିଏଫ୍ ଫ୍ୟୁଚର୍ସ, ଏସୀୟ ରଗ୍‌ବି ପ୍ରତିଯୋଗିତା, ଆଇଏସ୍‌ଏଲ୍ ମ୍ୟାଚ୍‌, ସୁପର୍ କପ୍ ଫୁଟ୍‌ବଲ୍‌ ପ୍ରତିଯୋଗିତା, ଜାତୀୟ ଓପନ୍ ଦୌଡ଼କୁଦ ଭଳି ପ୍ରତିଯୋଗିତା ସଫଳତାର ସହ ସମାପିତ ହେବା ମୁକସାକ୍ଷୀ ଛାଡ଼ିଯାଇଛି।

ଦେବାଶିଷ ଓ ରାଜେଶ ଚର୍ଚାରେ

ଓଡ଼ିଶା କ୍ରିକେଟ୍ ଦଳଗତ ଭାବେ ପ୍ରଭାବୀ ରହିନଥିଲେ ବି ବ୍ୟକ୍ତିଗତ ଭାବେ ଅନେକ ନୂଆ ସଫଳତା ଆଣିଥିଲା। ଦେବାଶିଷ ମହାନ୍ତି ଜାତୀୟ କନିଷ୍ଠ ଚୟନକର୍ତା ହେବା ଏବଂ ରାଜେଶ ମହାନ୍ତି ଭାରତୀୟ କନିଷ୍ଠ ଦଳରେ ସୁଯୋଗ ପାଇ ଏସିଆ କପ୍ ଜିତିବା ଭଳି ବଡ଼ ଉପଲବଧି ଆସିଥିଲା।‌ ଦେବାଶିଷଙ୍କ ବଦଳରେ ରଶ୍ମିରଂଜନ ପରିଡ଼ା ଓଡ଼ିଶା ରଣଜୀ ଦଳର ପ୍ରଶିକ୍ଷକ ହୋଇଥିଲେ। ଶିବସୁନ୍ଦର ଦାସ ସମ୍ଭାଳିଥିଲେ ମଣିପୁର ପ୍ରଶିକ୍ଷକ ଦାୟିତ୍ବ। ଅଂଶୁମାନ ରଥ ହଂକଂ ପାଇଁ ଭାରତ ବିପକ୍ଷରେ ଏସିଆ କପ୍ ଖେଳିବା, ପ୍ରୀତମ ଅଭିଷେକ ନେଦରଲାଣ୍ଡ୍‌ରେ ଖେଳିବା, ପ୍ରଜ୍ଞାନ ଓଝା ଆଇପିଏଲ୍ ଭାଷ୍ୟକାର ଦାୟିତ୍ବ ନେବା, ପପୁ ରାୟ ଇଣ୍ଡିଆ ‘ସି’ ପାଇଁ ଦେଓଧର ଟ୍ରଫି ଜିତିବା ଭଳି ଖବର ଆତ୍ମସେନ୍ତାଷ ଦେଇଥିଲା। ବିଏସ୍‌ଏନ୍‌ଏଲ୍ କ୍ରିକେଟ୍‌ ଏବଂ ଲେଗ୍‌ କ୍ରିକେଟ୍‌ରେ ବି ଓଡ଼ିଶା ପୁଣି ତୋଳି ଧରିଥିଲା ମୁକୁଟ।

ସମ୍ବନ୍ଧିତ ଖବର