ଭାରତୀୟ ଦ୍ରୁତ ବୋଲିଂ ଆକ୍ରମଣ ଏବେ ବି ବିଶ୍ବସ୍ତରର। କିଛିଟା ଆହତ ସମସ୍ୟା ସାଙ୍ଗକୁ ଟସ୍ ହାରିବା ଯୋଗୁଁ ଭାରତ ୱେଲିଂଟନ୍ ଟେଷ୍ଟ୍ରେ ନ୍ୟୁଜିଲାଣ୍ଡ ନିକଟରୁ ହାରିଗଲା। ହେଲେ ଏବେ ବି ମୋର ଭାରତୀୟ ଦ୍ରୁତ ବୋଲରଙ୍କ ଉପରେ ବିଶ୍ବାସ ରହିଛି। ସେମାନଙ୍କୁ ହେୟ ମଣିହେବ ନାହିଁ।
ଗ୍ଲେନ୍ ମ୍ୟାକ୍ଗ୍ରା, ଅଷ୍ଟ୍ରେଲିଆର କିଂବଦନ୍ତୀ ଦ୍ରୁତ ବୋଲର
ଯୁବ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ପୃଥ୍ବୀ ସ ଚମତ୍କାର ଖେଳାଳି। ଯଦିଓ ଟିମ୍ ସାଉଦି ଓ ଟ୍ରେଣ୍ଟ୍ ବୋଲ୍ଟ ୱେଲିଂଟନ୍ ଟେଷ୍ଟ୍ରେ ତାଙ୍କ ଦୁର୍ବଳତା ପଦାରେ ପକାଇ ଦେଇଛନ୍ତି ତଥାପି ମୋର ତାଙ୍କ ଉପରେ ଭରସା ରହିଛି। ବିଦେଶରେ ତାଙ୍କ ବିଫଳତାକୁ ଏତେ ଶୀଘ୍ର ମାନିନେଇହେବନି। ଥରେ ଯଦି ସେ ଅନୁଭବୀ ହୋଇଯିବେ, ତାହାଲେ ଦମ୍ଦାର ବ୍ୟାଟିଂ କରି ଦେଖାଇଦେବେ। ଏପରିକି ସେ ଜଣେ ବିଧ୍ବଂସୀ ବ୍ୟାଟ୍ସମ୍ୟାନ୍ ହୋଇପାରିବେ।
ବିରାଟ କୋହଲି, ଭାରତୀୟ ଅଧିନାୟକ
ନ୍ୟୁଜିଲାଣ୍ଡ ଗସ୍ତରେ ଥିବା ଭାରତୀୟ ଦଳ ଏବେ ପର୍ଯ୍ୟଟନସ୍ଥଳୀ ବୁଲୁଥିବା ଭଳି ଲାଗୁଛି। ପ୍ରଥମେ ଉତ୍ସାହର ସହ ଖେଳି ଟ୍ବେଣ୍ଟି-୨୦ ଶୃଙ୍ଖଳା ଜିତିବା ପରେ କ୍ଲାନ୍ତ ହୋଇପଡ଼ି ଦିନିକିଆ ଓ ପ୍ରଥମ ଟେଷ୍ଟ୍ ହାରିସାରିଲାଣି। ଗସ୍ତ ଆରମ୍ଭର ଉତ୍ସାହ ଯେମିତି ଭାରତୀୟ ଦଳ ପାଖରେ ନଥିବା ଜଣାପଡ଼ିଛି। ଫଳରେ ଖ୍ରିଷ୍ଟଚର୍ଚ୍ଚ ଟେଷ୍ଟ୍ରେ ମଧ୍ୟ ଦଳ ପାଇଁ ଅଡୁଆ ଆହୁରି ବଢ଼ିବ।
ବ୍ରାଡ୍ ହଗ୍, ଅଷ୍ଟ୍ରେଲିଆର ପୂର୍ବତନ ସ୍ପିନର
ମହେନ୍ଦ୍ର ସିଂହ ଧୋନି ଜଣେ ବୋଲରଙ୍କ ଅଧିନାୟକ। ଜଣେ ବୋଲରଙ୍କ ଆବଶ୍ୟକତାକୁ ସେ ହୃଦୟଙ୍ଗମ କରିପାରନ୍ତି। ଡ୍ରେସିଂ ରୁମରେ ମଧ୍ୟ ଧୋନି ବୋଲରମାନଙ୍କୁ ଖୁବ୍ ସମ୍ମାନ ଦେଇଥାନ୍ତି। ବିଶେଷକରି ବୋଲରଙ୍କୁ ବୁଝି ପାରୁଥିଲା ଭଳି ଜଣେ ଅଧିନାୟକ ହେଉଛନ୍ତି ଧୋନି। ସେଥିପାଇଁ ସଂଖ୍ୟାଧିକ ବୋଲର ହିଁ ଧୋନିଙ୍କ ପ୍ରଶଂସା କରନ୍ତି। ମୋର ମଧ୍ୟ ବ୍ୟକ୍ତିଗତ ଭାବେ ଧୋନିଙ୍କ ପାଇଁ ସମ୍ମାନ ରହିଛି।
ପ୍ରଜ୍ଞାନ ଓଝା, ନିକଟରେ ଅବସର ନେଇଥିବା ଭାରତୀୟ ସ୍ପିନର
ସଚିନ୍ଙ୍କ ଭଳି ଜଣେ କ୍ରିକେଟର୍ ମୁଁ କେବେ ବି ଦେଖିନି। ଯିଏକି ପ୍ରଥମ କ୍ରିକେଟର୍ ଭାବେ ଦିନିକିଆ ଆନ୍ତର୍ଜାତିକରେ ଦ୍ବିଶତକ ହାସଲ କରିଥିଲେ। ମୋ ମତରେ ୪ଟି କାରଣ ହିଁ ତାଙ୍କୁ ଜଣେ ମହାନ୍ କ୍ରିକେଟର୍ କରିଥିଲା। ତାହା ହେଉଛି ତାଙ୍କ ପ୍ରାରମ୍ଭିକ ଖେଳ ଜୀବନ ସମୟରେ ସେ ଶ୍ରେଷ୍ଠ ବୋଲରମାନଙ୍କୁ ଦକ୍ଷତାର ସହ ଖେଳୁଥିଲେ। ଦ୍ବିତୀୟ ହେଲା କୀର୍ତିମାନ ରଚିବାରେ ତାଙ୍କ ସାମର୍ଥ୍ୟ। ତୃତୀୟ ହେଲା ତାଙ୍କ ମାନସିକ ଶକ୍ତି ଏବଂ ଚତୁର୍ଥରେ ତାଙ୍କ ବୋଲିଂ ସାମର୍ଥ୍ୟ।
ଇଞ୍ଜାମମ୍ ଉଲ୍ ହକ୍, ପୂର୍ବତନ ପାକିସ୍ତାନ ବ୍ୟାଟ୍ସମ୍ୟାନ୍