ସାୟାହ୍ନରେ ପହଞ୍ଚିଥିବା ‘ସତର’ ଜାତୀୟ ତଥା ଅନ୍ତର୍ଜାତୀୟ କ୍ରୀଡ଼ା କାନ୍ଭାସରେ ଅନେକ ସ୍ମୃତିଭରା ପଦଚିହ୍ନ ଛାଡ଼ିଛି। ଏ ବର୍ଷ ଖେଳ ଦୁନିଆରେ ଅନେକ ବୈପ୍ଳବିକ ପରିବର୍ତନ ଆସିଛି। ଏହି ପରିବର୍ତନ ସୁଅରେ ସାମିଲ ହୋଇଛନ୍ତି ବହୁ ଖେଳ ଓ ଖେଳାଳି। ଭାରତରେ ପ୍ରଥମ ଥର ପାଇଁ ୧୭ ବର୍ଷରୁ କମ୍ ଫୁଟ୍ବଲ୍ ବିଶ୍ୱକପ୍ ଆୟୋଜନଠାରୁ ଭୁବନେଶ୍ୱରରେ ଏସୀୟ ଦୌଡ଼କୁଦ ଓ ହକି ବିଶ୍ୱ ଲିଗ୍ ଫାଇନାଲର ସଫଳ ପଦାର୍ପଣ ପର୍ଯ୍ୟନ୍ତ ଜାତୀୟ କ୍ରୀଡ଼ା ଇତିହାସରେ ଯୋଡ଼ି ହୋଇଛି ଏକାଧିକ ନୂଆ ଫର୍ଦ। ସେହିଭଳି ବିସିସିଆଇ ମହାସଂସ୍କାର, ଧୋନିଙ୍କ ନେତୃତ୍ୱ ଯୁଗର ଅବସାନ ସହ କୋହଲି ଯୁଗର ଶୁଭାରମ୍ଭ ହୋଇଥିଲା ୨୦୧୭ରେ । ଅନ୍ତର୍ଜାତୀୟ ଦୃଶ୍ୟପଟ୍ଟରୁ ମହାନ ଧାବକ ଉସେନ ବୋଲ୍ଟଙ୍କ ବିଦାୟ ପାଇଁ ଦୌଡ଼କୁଦ ଦୁନିଆରେ ସ୍ୱର୍ଣ୍ଣିମ ଅଧ୍ୟାୟରେ ଜବନିକା ପଡ଼ିଥିଲା। ୧୭’ର ସେହି ସବୁ ଅଭୁଲା କ୍ରୀଡ଼ା କଥନକୁ ନେଇ ‘ସମ୍ବାଦ’ର ସ୍ୱତନ୍ତ୍ର ସଂଗ୍ରହ
ସ୍ମରଣୀୟ ସତର…
ସବୁଠି କୋହଲି
ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ପାଇଁ ୧୭ ସର୍ବଦା ସ୍ମରଣୀୟ ହୋଇ ରହିବ। ଚଳିତ ବର୍ଷ ଉଭୟ ପେସଦାର ଓ ବ୍ୟକ୍ତିଗତ ଜୀବନରେ ସେ ସଫଳତାର ନୂଆ ସ୍ତର ଛୁଇଁଥିଲେ। ଅଧିନାୟକ ଭାବେ ଭାରତକୁ କୋହଲି ଉଭୟ ଟେଷ୍ଟ୍ ଏବଂ ଦିନିକିଆରେ ଆଶାତୀତ ସଫଳତା ଦେଇଥିଲେ। ବ୍ୟକ୍ତିଗତ ଭାବେ କୋହଲି ମଧ୍ୟ ଏକାଧିକ ବିଶ୍ୱ କୀତ୍ତିମାନ ସ୍ଥାପନ କରିଥିଲେ। ୨୦୧୭ରେ କୋହଲି ୧୦ ଟେଷ୍ଟ୍ ଖେଳି ୫ ଶତକ ଏବଂ ଗୋଟିଏ ଅର୍ଧଶତକ ସହ ୧୦୫୯ ରନ୍ କରିଥିଲେ। ୨୪୩ ରନ୍ ଥିଲା ତାଙ୍କ ସର୍ବାଧିକ ସ୍କୋର। ସେହିଭଳି ଏ ବର୍ଷ ୨୬ ଦିନିକିଆ ଖେଳି କୋହଲି ୬ ଶତକ ଏବଂ ୭ ଅର୍ଧଶତକ ବଳରେ ୧୪୬୦ ରନ୍ କରିଥିଲେ। ଏଥିରେ ତାଙ୍କ ରନ୍ ସଂଗ୍ରହ ହାର ଥିଲା ୭୬.୮୪। ୧୩୧ ରନ୍ ଥିଲା କୋହଲିଙ୍କ ବ୍ୟକ୍ତିଗତ ସର୍ବାଧିକ ରନ୍ । ସେହିଭଳି ବର୍ଷ ଶେଷ ଆଡ଼କୁ ବ୍ୟକ୍ତିଗତ ଜୀବନରେ ସେ ଏକ ବଡ଼ ଛକା ମାରିଥିଲେ। ବଲିଉଡ୍ ଅଭିନେତ୍ରୀ ତଥା ପ୍ରେମିକା ଅନୁଷ୍କା ଶର୍ମାଙ୍କୁ ଜୀବନ ସାଥୀ ଭାବେ ବାଛି ନୂଆ ପାଳି ଆରମ୍ଭ କରିଥିଲେ।
ଆଇପିଏଲ୍ରେ ମୁମ୍ବାଇ
ବିଶ୍ୱର ସବୁଠାରୁ ଧନୀ କ୍ରିକେଟ୍ ଲିଗ୍ ଆଇପିଏଲ୍ର ଦଶମ ସଂସ୍କରଣକୁ ମୁମ୍ବାଇ ଇଣ୍ଡିଆନ୍ସ ଜିତିନେଲା। ଫାଇନାଲରେ ରାଇଜିଂ ପୁନେ ସୁପରଜିଆଣ୍ଟକୁ ପରାସ୍ତ କରି ମୁମ୍ବାଇ ତୃତୀୟ ଥର ପାଇଁ ଏହି ଟ୍ରଫି ଜିତିଲା। ଏହି ପ୍ରତିଯୋଗିତା ଏପ୍ରିଲ୍ ୫ରୁ ମେ ୧୪ ପର୍ଯ୍ୟନ୍ତ ଚାଲିଥିଲା।
ଫୁଟ୍ବଲ୍ ଜ୍ୱର
୧୩୦ କୋଟିରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଭାରତବର୍ଷ ବିଶ୍ୱର ସବୁଠାରୁ ଲୋକପ୍ରିୟ ଖେଳ ଫୁଟ୍ବଲ୍ରେ ଛୋଟ ଛୋଟ ଦେଶଠାରୁ ମଧ୍ୟ ବହୁ ପଛରେ। ସେଥିପାଇଁ ବିଶ୍ୱକପ୍ ଖେଳିବା ଭାରତ ପାଇଁ ସ୍ୱପ୍ନ। ହେଲେ ୨୦୧୭ରେ ଏହି ଧାରାରେ ନୂଆ ମୋଡ଼ ଆସିଥିଲା। ଆୟୋଜକ ଦେଶ ଭାବେ ଭାରତ ୧୭ ବର୍ଷରୁ କମ୍ ବିଶ୍ୱକପ୍ ଖେଳିବାର ସୁବର୍ଣ୍ଣ ସୁଯୋଗ ଲାଭ କରିଥିଲା। ଅକ୍ଟୋବର ୬ରୁ ୨୮ ତାରିଖ ପର୍ଯ୍ୟନ୍ତ ୬ ସହରରେ ଖେଳା ଯାଇଥିବା ଏହି ବିଶ୍ୱକପ୍ ବେଳେ ସମଗ୍ର ଦେଶକୁ ଫୁଟ୍ବଲ୍ ଜ୍ୱର ଗ୍ରାସ କରିଥିଲା। ଭାରତ ଅବଶ୍ୟ ନକ୍ଆଉଟ୍କୁ ଯାଇ ପାରି ନଥିଲା। ହେଲେ ୨୪ ଦଳୀୟ ପ୍ରତିଯୋଗିତାର ସବୁଠାରୁ ଅନଭିଜ୍ଞ ଦଳ ହୋଇଥିଲେ ମଧ୍ୟ ନିଜ ଲଢ଼ୁଆ ଖେଳରେ ଘରୋଇ ଫୁଟବଲ୍ ପ୍ରେମୀଙ୍କ ମନ ଜିତି ନେଇଥିଲା। ତା’ ସହ ଭାରତୀୟ ଫୁଟବଲ୍ ଇତିହାସରେ ବିଶ୍ୱକପର ବିରଳ ଫର୍ଦ ଯୋଡ଼ି ହୋଇ ଯାଇଥିଲା। ସ୍ପେନ୍କୁ ହରାଇ ଇଂଲଣ୍ଡ ପ୍ରଥମ ଥର ପାଇଁ ବିଜେତା ହେବା ସହ ବ୍ରାଜିଲ ତୃତୀୟ ଏବଂ ମାଲି ଚତୁର୍ଥ ସ୍ଥାନରେ ରହିଥିଲା। ଭାରତ ସଂସ୍କରଣ ମଧ୍ୟ ଦର୍ଶକ ସଂଖ୍ୟାରେ ପୂର୍ବର ସବୁ ସଂସ୍କରଣକୁ ଟପି ଯାଇଥିଲା। ବରିଷ୍ଠ ବର୍ଗରେ ଭାରତୀୟ ଫୁଟ୍ବଲ୍ ଦଳ ମଧ୍ୟ ଚଳିତ ବର୍ଷ ପ୍ରଶଂସନୀୟ ପ୍ରଦର୍ଶନ କରିଥିଲା। ବିଶ୍ୱ ମାନ୍ୟତାର ୧୨୯ତମ ସ୍ଥାନରେ ବର୍ଷ ଆରମ୍ଭ କରିଥିଲା ବେଳେ ୧୦୫ତମ ସ୍ଥାନରେ ଶେଷ କରିଥିଲା।
ପୁଣି ହାମିଲଟନ
ଫର୍ମୁଲା ଓ୍ଵାନ୍ ସର୍କିଟ୍ରେ ଏବର୍ଷ ମଧ୍ୟ ବ୍ରିଟିସ୍ କାର୍ ଚାଳକ ଲୁଇସ୍ ହାମିଲଟନଙ୍କ ଯାଦୁ ଦେଖିବାକୁ ମିଳିଥିଲା। ଚଳିତ ବର୍ଷ ସେ ନିଜର ଚତୁର୍ଥ ଫର୍ମୁଲା ଓ୍ଵାନ୍ ଟ୍ରଫି ଜିତିଥିଲେ। ଏହା କରି ସେ ଜୁଆନ ମାନୁଏଲ ଫାଙ୍ଗିଓ, ମାଇକେଲ ସୁମାକର, ଆଲାନ ପ୍ରଷ୍ଟ ଓ ସେବାସ୍ତିଆନ୍ ଭେଟେଲଙ୍କ କ୍ଲବରେ ସାମିଲ ହୋଇଥିଲେ।
ସର୍ଦାର-ଦେବେନ୍ଦ୍ର ରତ୍ନ
ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ସର୍ଦାର ସିଂହ ଏବଂ ପାରାଲିମ୍ପିକ୍ସର ଯୁଗଳ ସ୍ୱର୍ଣ୍ଣ ବିଜେତା ଦେବେନ୍ଦ୍ର ଝାଝରିଆଙ୍କ ପାଇଁ ମଧ୍ୟ ୨୦୧୭ ରହିଥିଲା ସ୍ମରଣୀୟ। ବିଶ୍ୱ ସ୍ତରରେ ନିଜ ପ୍ରଦର୍ଶନ ପାଇଁ ଏହି ଦୁଇ ଖେଳାଳି ଯୁଗ୍ମ ଭାବେ ଭାରତୀୟ କ୍ରୀଡ଼ାର ସର୍ବୋଚ୍ଚ ସମ୍ମାନ ‘ରାଜୀବ ଗାନ୍ଧୀ ଖେଳ ରତ୍ନ’ ପୁରସ୍କାର ଲାଭ କରିଥିଲେ। ୨୦୦୪ ଏଥେନ୍ସ ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିଥିବା ଦେବେନ୍ଦ୍ର ୨୦୧୬ ରିଓ ଅଲିମ୍ପିକ୍ସରେ ଏହି ସଫଳତାକୁ ଦୋହରାଇଥିଲେ। ୭୬.୯୭ ମିଟର ଦୂରତାକୁ ଜାଭେଲିନ୍ ଫିଙ୍ଗି ନିଜ କୀର୍ତ୍ତିମାନ ଭାଙ୍ଗିଥିଲେ। ଖେଳ ରତ୍ନ ପୁରସ୍କାର ପାଇବାରେ ସେ ପ୍ରଥମ ଭିନ୍ନକ୍ଷମ ଖେଳାଳି ହୋଇଥିଲେ। ସର୍ଦାରଙ୍କ ଅଧୀନରେ ଭାରତ ୨୦୧୪ ଏସୀୟ କ୍ରୀଡ଼ା, ୨୦୧୫ ହକି ବିଶ୍ୱ ଲିଗରେ କାଂସ୍ୟ ଜିତିଥିଲା। ଏମାନଙ୍କ ସହ ୬ ଜଣଙ୍କୁ ଦ୍ରୋଣାଚାର୍ଯ୍ୟ ଏବଂ ୨୯ ଜଣକୁ ଅର୍ଜୁନ ପୁରସ୍କାର ମିଳିଥିଲା।
ସିନ୍ଧୁ ଚମକ
୨୦୧୬ ଭଳି ୨୦୧୭ରେ ମଧ୍ୟ ବ୍ୟାଡ୍ମିଣ୍ଟନ୍ କୋର୍ଟରେ ହାଇଦ୍ରାବାଦୀ ଲଳନା ପିଭି ସିନ୍ଧୁଙ୍କ ସଫଳତା ଧାରା ଜାରି ରହିଥିଲା। ଗତବର୍ଷ ପ୍ରଥମ ଭାରତୀୟ ମହିଳା ଭାବେ ରିଓ ଅଲିମ୍ପିକ୍ସରେ ରୌପ୍ୟ ଜିିତିଥିବା ସିନ୍ଧୁ ଚଳିତ ବର୍ଷ ପ୍ରଥମ ଭାରତୀୟ ଭାବେ କୋରିଆ ଓପନ୍ ସୁପରସିରିଜ୍ ଟ୍ରଫି କରାୟତ କରିଥିଲେ। ସେ ମଧ୍ୟ ବିଡବ୍ଲ୍ୟୁଏଫ୍ ବିଶ୍ୱ ପ୍ରତିଯୋଗିତାରେ ରୌପ୍ୟ ପଦକ ହାସଲ କରି ସାରା ଭାରତକୁ ଗର୍ବିତ କରିଥିଲେ। ତା’ ସହ ସିନ୍ଧୁ ମଧ୍ୟ ଇଣ୍ଡିଆନ୍ ଓପନ୍ ସୁପର ସରିଜ୍ ପ୍ରତିଯୋଗିତାରେ ବିଜୟିନୀ ମୁକୁଟ ପିନ୍ଧିଥିଲେ। ବର୍ଷ ଶେଷ ଆଡ଼କୁ ଆୟୋଜିତ ବିଡବ୍ଲ୍ୟୁଏଫ୍ ସୁପର ସିରିଜ୍ର ଫାଇନାଲରେ ହାରି ରୌପ୍ୟ ପଦକ ହାସଲ କରିବା ତାଙ୍କ ସଫଳ ପ୍ରଦର୍ଶନର ଆଉ ଏକ ନମୁନା ଥିଲା।
କ୍ରିକେଟ୍-ବଲିଉଡ୍ ମହାସଂଗମ
କ୍ରିକେଟ୍ ଏବଂ ବଲିଉଡ୍ ମଧ୍ୟରେ ଥିବା ପୁରୁଣା ସଂପର୍କରେ ନୂଆ ଅଧ୍ୟାୟ ଯୋଡ଼ି ହୋଇଥିଲା ୨୦୧୭ରେ। ବିଶ୍ୱର ସବୁଠାରୁ ଲୋକପ୍ରିୟ ତଥା ଦାମୀ କ୍ରିକେଟର ବିରାଟ କୋହଲି ତାଙ୍କ ପ୍ରେମିକା ତଥା ସଫଳ ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ଜୀବନ ସାଥୀ ଭାବେ ବାଛିଥିଲେ। ଇଟାଲିର ଟସ୍କନିରେ ହୋଇଥିବା ଏହି ବିବାହ କ୍ରୀଡ଼ା ଦୁନଆର ଅନ୍ୟତମ ଚର୍ଚିତ ଘଟଣା ଥିଲା। ବର୍ଷର ପ୍ରାରମ୍ଭିକ ପର୍ଯ୍ୟାୟରେ ଭାରତୀୟ କ୍ରିକେଟ୍ ଦଳର ନିୟମିତ ଅଧିନାୟକ ଦାୟିତ୍ୱ ଗ୍ରହଣ କରିବା ସହ ଦ୍ୱି-ଶତକରେ ବିଶ୍ୱ କୀର୍ତ୍ତିମାନ ସହ ବର୍ଷ ଶେଷ ଆଡ଼କୁ ଅନୁଷ୍କାଙ୍କ ସହ ବିବାହ ପାଇଁ ୨୦୧୭ ବିରାଟଙ୍କ ପାଇଁ ଥିଲା ଖାସ୍ ଏବଂ ସ୍ୱତନ୍ତ୍ର। ସେହିଭଳି ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଜାହିର ଖାନ୍ ଏବଂ ଅନ୍ୟତମ ବଲିଉଡ୍ ତାରକା ସାଗରିକା ଘଟ୍କେଙ୍କ ସହ ଦ୍ରୁତ ବୋଲର ଭୁବନେଶ୍ୱର କୁମାର ଏବଂ ଭାରତୀୟ ଦଳର ଓଡ଼ିଆ ରକ୍ଷଣଭାଗ ଖେଳାଳି ବୀରେନ୍ଦ୍ର ଲାକ୍ରା ମଧ୍ୟ ହାତକୁ ଦିହାତ ହୋଇଥିଲେ। ବୀରେନ୍ଦ୍ର ବାହାଘର ସହ ବାପା ହେବାର ଯୁଗଳ ଖୁସି ଏବର୍ଷ ପାଇଥିଲେ।
ବୋଲ୍ଟ ବିଦାୟ
ଦୌଡ଼କୁଦ ଜଗତର ମଉଡ଼ମଣୀ ଉସେନ ବୋଲ୍ଟ ୨୦୧୭ରେ ତାଙ୍କ ଜାଜ୍ଜୁଲ୍ୟମାନ ଖେଳ ଜୀବନରେ ପୂର୍ଣ୍ଣଛେଦ ଟାଣିଥିଲେ। ଆଠଟି ଅଲିମ୍ପିକ୍ସ ସ୍ୱର୍ଣ୍ଣ ସହ ଅସଂଖ୍ୟ କୀର୍ତ୍ତିମାନର ଅଧିକାରୀ ବୋଲ୍ଟ ଭାବବିହ୍ଵଳ ପରିବେଶରେ ଲଣ୍ଡନ ବିଶ୍ୱ ପ୍ରତିଯୋଗିତା ବେଳେ ଦୌଡ଼କୁଦକୁ ଅଲବିଦା କହିଥିଲେ। ୩୦ ବର୍ଷୀୟ ବୋଲ୍ଟ ଖେଳ ଛାଡ଼ିବା ସହ ବିଶ୍ୱ ଦୌଡ଼କୁଦରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟର ଅବସାନ ହୋଇଥିଲା। ନିଜ ଶେଷ ଦୌଡ଼ରେ କାଂସ୍ୟ (୪ଗୁଣା ୧୦୦ ରିଲେ) ଜିତିବା ପରେ ବୋଲ୍ଟ ନିଜେ କୋହ ଭରା କଣ୍ଠରେ ସମସ୍ତଙ୍କଠାରୁ ବିଦାୟ ନେଇଥିଲେ। ସାରା ବିଶ୍ୱରେ ଥିବା ତାଙ୍କର କୋଟି କୋଟି ପ୍ରଶଂସକଙ୍କ ହୃଦୟ ଭାଙ୍ଗି ଯାଇଥିଲା। ଆଧୁନିକ ଦୌଡ଼କୁଦର ଅପ୍ରତିଦ୍ୱନ୍ଦ୍ୱୀ ତାରକା ବୋଲ୍ଟ ନିଜ ବେଫିକର ଜୀବନ ଶୈଳୀ ପାଇଁ ଯେତିକି ପରିଚିତ ଥିଲେ ରନିଂ ଟ୍ରାକ୍ରେ ଆଧିପତ୍ୟ ପାଇଁ ସେତିକି ଚର୍ଚିତ ହୋଇଥିଲେ।
ପିଚ୍ ପରାକ୍ରମ ଓ କୁମ୍ବଲେ ଉପାଖ୍ୟାନ
ଟେଷ୍ଟ୍ରେ ଲଗାତାର ୯ ଏବଂ ଦିନିକିଆରେ ଲଗାତାର ୮ ଶୃଙ୍ଖଳା ବିଜୟର ଅନନ୍ୟ ସଫଳତା ଲାଭ କରିଥିଲା ଭାରତୀୟ କ୍ରିକେଟ୍ ଦଳ। ୨୯ ଦିନିକିଆ ଖେଳି ୨୧ଟିରେ ବିଜୟୀ ହୋଇଥିଲା। ମାତ୍ର ୭ ଦିନିକିଆରେ ପରାଜିତ ହୋଇଥିଲା। ଭାରତର ଜୟ/ପରାଜୟ ଅନୁପାତ ୩:୧ ଥିଲା। ଯାହା କୌଣସି କ୍ୟାଲେଣ୍ଡର ବର୍ଷରେ ଭାରତୀୟ କ୍ରିକେଟ୍ ଦଳର ଶ୍ରେଷ୍ଠ ପ୍ରଦର୍ଶନ ଥିଲା। ଟେଷ୍ଟ୍ରେ ଏକ ନମ୍ବର ସ୍ଥାନ ବଜାୟ ରଖିଥିଲା। ଦିନିକିଆରେ ଭାରତ ୧୧୯ ପଏଣ୍ଟ୍ ସହ ଦ୍ୱିତୀୟ ସ୍ଥାନରେ ବର୍ଷ ଶେଷ କରିଥିଲା। ଟେ୍ଵଣ୍ଟି-୨୦ରେ ବିରାଟ ବାହିନୀ ପଞ୍ଚମ ସ୍ଥାନରେ ରହିଥିଲା। ଏସବୁ ସଫଳତା ଭିତରେ ଲଣ୍ଡନରେ ଆୟୋଜିତ ଚାମ୍ପିଅନ୍ସ ଟ୍ରଫିର ଫାଇନାଲରେ ପାକିସ୍ତାନଠାରୁ ହାରିବା ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ଶକ୍ତ ଧକ୍କା ଥିଲା। ଅନ୍ୟ ପକ୍ଷରେ ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦେଶରେ ପ୍ରଶାସନିକ ସମିତି (ସିଓଏ) ବିସିସିଆଇର ପରିଚାଳନା ଭାର ନେବା ସହ ଭାରତୀୟ କ୍ରିକେଟ୍ରେ ନୂଆ ଯୁଗର ଆରମ୍ଭ ହୋଇଥିଲା। ସଫଳତା ସହ ସମାନ୍ତରାଳ ଭାବେ ବିବାଦ ବି ଭାରତୀୟ କ୍ରିକେଟ୍ ସହ ଯୋଡ଼ି ହୋଇଥିଲା। ବିବାଦୀୟ ପରିସ୍ଥିତିରେ ଅନୀଲ କୁମ୍ବଲେଙ୍କ ଇସ୍ତଫା ଏବଂ କୋହଲି ବାହିନୀ ସହ ତାଙ୍କ ଟଣାଓଟରା ଭାରତୀୟ କ୍ରିକେଟରେ ବେଶ୍ କିଛି ଦିନ ପାଇଁ ଆଲୋଡ଼ନ ସୃଷ୍ଟି କରିଥିଲା। ରବି ଶାସ୍ତ୍ରୀ ମୁଖ୍ୟ ପ୍ରଶିକ୍ଷକ ପଦ ଗ୍ରହଣ କରିବା ବେଳେ ବି କମ୍ ନାଟକ ହୋଇ ନଥିଲା।
ହକି ହସ
ଜାତୀୟ ଖେଳ ହକି ପାଇଁ ୨୦୧୭ ଥିଲା ବେଶ୍ ଶୁଭଙ୍କର। ଏସିଆ କପ୍ ବିଜୟ ସହ ଭାରତୀୟ ପୁରୁଷ ହକି ଦଳ ଭୁବନେଶ୍ୱରରେ ଆୟୋଜିତ ହକି ବିଶ୍ୱ ଲିଗ୍ରେ ମଧ୍ୟ କାଂସ୍ୟ ପଦକ ଜିତିଥିଲା। ହକି ଇଣ୍ଡିଆ ଅଚାନକ ରୋଲାଣ୍ଟ ଅଲଟମାନ୍ସଙ୍କୁ ହଟାଇ ଜୋଏଡ୍ ମାରିନଙ୍କୁ ପୁରୁଷ ଦଳ ମୁଖ୍ୟ ପ୍ରଶିକ୍ଷକ ପଦ ଦେବା ଅବଶ୍ୟ ହକି ପ୍ରେମୀଙ୍କୁ ବିସ୍ମିତ କରିଥିଲା। ପୁରୁଷଙ୍କ ଭଳି ମହିଳା ଦଳ ମଧ୍ୟ ଏସିଆ କପରେ ସ୍ୱର୍ଣ୍ଣ ଜିତି ଭାରତକୁ ଯୁଗଳ ଉପହାର ଦେଇଥିଲେ। ଭାରତୀୟ ହକି ଦଳ ପୁରୁଷରେ ଷଷ୍ଠ ଏବଂ ମହିଳାରେ ବିଶ୍ୱ ମାନ୍ୟତାର ଦଶମ ସ୍ଥାନରେ ରହି ବର୍ଷ ଶେଷ କରିଥିଲେ। ଭାରତ ଉଭୟ ବର୍ଗର ଶ୍ରେଷ୍ଠ ୧୦ ମଧ୍ୟରେ ରହିବା ଘରୋଇ ହକି ପ୍ରେମୀଙ୍କୁ ଆନନ୍ଦିତ କରିଥିଲା।
ରୋନାଲଡୋ ରୋମାଞ୍ଚ, ନେହରା ସନ୍ୟାସ, ଫେଡେରର୍ କୀର୍ତ୍ତିମାନ
ପର୍ତୁଗାଲ ଫୁଟବଲ୍ ତାରକା କ୍ରିଷ୍ଟିଆନୋ ରୋନାଲଡୋ ବିଶ୍ୱର ଶ୍ରେଷ୍ଠ ଫୁଟବଲର ଭାବେ ତୃତୀୟ ଥର ପାଇଁ ବାଲାନ ଡି’ଓର ପୁରସ୍କାର ଜିତିଲେ।
ଟୁର ଡି’ ଫ୍ରାନ୍ସ ବିଜେତା ଇଂଲଣ୍ଡର କ୍ରିସ୍ ଫ୍ରୁମ ଡୋପ୍ ଟେଷ୍ଟରେ ବିଫଳ ହେବା ପରେ ବିଶ୍ୱ କ୍ରୀଡ଼ାରେ ଆଲୋଡ଼ନ।
ଫିଫା ବିଶକପ୍ ପାଇଁ ଯୋଗ୍ୟତା ହାସଲ କରି ପାରିଲାନି ଇଟାଲି।
ରୁଷିଆ ଅନ୍ତର୍ଜାତୀୟ ଅଲିମ୍ପିକ୍ସ ପରିଷଦ ଦ୍ୱାରା ବାସନ୍ଦ।
ପ୍ରଥମ କ୍ରିକେଟର ଭାବେ ରୋହିତ ଶର୍ମା ଦିନିକିଆରେ ତିନିଟି ଦ୍ୱିଶତକ ହାସଲ କଲେ।
ମାରାଡୋନାଙ୍କ ଭାରତ ଆଗମନ।
ଓ୍ଵିମ୍ବଲଡନ ଓପନକୁ ଅଷ୍ଟମ ଥର ଜିତି ସ୍ୱିଜରଲାଣ୍ଡ ତାରକା ରୋଜର ଫେଡେରର ଇତିହାସ ରଚିଥିଲେ। ଏହା କରି ସେ ସର୍ବାଧିକ ଥର ଓ୍ଵିମ୍ବଲଡନ୍ ଓପନ୍ ଜିତିବାରେ ପିଟ୍ ସାମ୍ପ୍ରାସ୍ (୭) ଏବଂ ଓ୍ଵିଲିୟମ୍ ରେନସ’ (୭)ଙ୍କୁ ଟିପିଥିଲେ।
ଭାରତୀୟ ଦ୍ରୁତ ବୋଲର ଆଶିଷ ନେହରା ୨୦୧୭ରେ ଅନ୍ତର୍ଜାତୀୟ କ୍ରିକେଟ୍ରୁ ସନ୍ୟାସ ନେଇଥିଲେ। ଘରୋଇ ସହର ଦିଲ୍ଲୀରେ ସେ ନିଜ ଉତଥାନ ପତନ ଭରା ଖେଳ ଜୀବନରେ ପୂର୍ଣ୍ଣଛେନ ଟାଣିଥିଲେ।
ସେରେନା ଓ୍ଵିଲିୟମ୍ସ ଓ ରେଡିଟ୍ ପ୍ରତିଷ୍ଠାତା ଆଲେକ୍ସି ଓହାନିୟନ୍ଙ୍କ ବିବାହ। ଏହା ପୂର୍ବରୁ କନ୍ୟା ସନ୍ତାନର ଜନ୍ମ।
ମହିଳା କ୍ରିକେଟରଙ୍କ ମହକ
ଭାରତୀୟ ମହିଳା କ୍ରିକେଟ୍ ଦଳର ମହକ ସାରା ବିଶ୍ୱରେ ବ୍ୟାପ୍ତ ହୋଇଥିଲା। ଲଣ୍ଡନ ଆୟୋଜିତ ବିଶ୍ୱକପ୍ରେ ସମସ୍ତଙ୍କୁ ଚକିତ କରି ଦେଇଥିଲା ମିତାଲି ରାଜଙ୍କ ବାହିନୀ। ଫାଇନାଲରେ ଆୟୋଜକ ଇଂଲଣ୍ଡଠାରୁ ମାତ୍ର ୯ ରନ୍ରେ ହାରି ଉପବିଜେତାରେ ସନ୍ତୁଷ୍ଟ ରହିଥିଲେ ମଧ୍ୟ ନିଜ ଲଢ଼ୁଆ ଖେଳରେ ଭାରତୀୟ ମହିଳା ଦଳ ସମସ୍ତଙ୍କ ମନ ଜିତି ନେଇଥିଲା। ସେମିଫାଇନାଲରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ହରାଇ ଫାଇନାଲ୍ ଯାଇଥିବା ଭାରତୀୟ ଦଳ କିନ୍ତୁ ଉଚ୍ଚ ପ୍ରଶଂସିତ ହୋଇଥିଲା।
ଦୃଷ୍ଟିହୀନଙ୍କ ଦ୍ୱିତୀୟ ବିଶ୍ୱ ମୁକୁଟ
ନ’ରୁ ଆଠ ମ୍ୟାଚ୍ ଜିତି ଫାଇନାଲ୍ ଯିବା ସହ ସେଠାରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ହରାଇ ଭାରତ ଦୃଷ୍ଟିହୀନ ଟେ୍ଵଣ୍ଟି-୨୦ ବିଶ୍ୱକପ୍ ଜିତିବା ଭାରତର ୨୦୧୭ କ୍ରୀଡ଼ା କ୍ୟାଲେଣ୍ଡରର ଅନ୍ୟତମ ବଡ଼ ସଫଳତା ଥିଲା। ଭାରତର ଏହା ଦ୍ୱିତୀୟ ବିଶ୍ୱକପ୍ ବିଜୟ ଥିଲା। ବେଙ୍ଗାଲୁରୁର ଏନ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ୧୦ ଦଳୀୟ ପ୍ରତିଯୋଗିତାର ଫାଇନାଲ୍କୁ ଦର୍ଶକ ବେଶ୍ ଭଲ ପାଇବା ଦେଇଥିଲେ। ଭାରତୀୟ ଦଳରେ ଦୁଇ ଜଣ ଓଡ଼ିଆ ମହମ୍ମଦ ଜାଫର ଇକବାଲ ଏବଂ ସୁଖରାମ ମାଝୀ ରହିବା ଏହି ବିଜୟକୁ ଆହୁରି ସ୍ୱତନ୍ତ୍ର କରିଥିଲା।
ବିଜେନ୍ଦରଙ୍କ ବିଜୟ ବାନା
ମୁଷ୍ଟିଯୋଦ୍ଧା ବିଜେନ୍ଦର ସିଂହ ଗତବର୍ଷ ଭଳି ଏ ବର୍ଷ ମଧ୍ୟ ଅପରାଜେୟ ରହିଥିଲେ। ୨୦୧୫ରେ ୩, ୨୦୧୬ରେ ୪ ଏବଂ ଚଳିତ ବର୍ଷ ଦୁଇଟି ଲଢ଼େଇ ଲଢ଼ିଥିବା ବିଜେନ୍ଦରଙ୍କ ଆଗରେ କୌଣସି ପ୍ରତିଦ୍ୱନ୍ଦ୍ୱୀ ତିଷ୍ଠି ପାରି ନଥିଲେ। ଅଗଷ୍ଟରେ ଚୀନର ଜୁଲପିକର ମାଇମାଇତିଆଲି ହରାଇ ସେ ନିଜ ଡବ୍ଲୁବିଓ ଏସିଆ ପାସିଫିକ୍ ଟାଇଟଲ ବଜାୟ ରଖିଥିଲେ।
ଓଡ଼ିଶାରେ ଏସିଆ
ଏସୀୟ ଦୌଡ଼କୁଦର ୨୨ତମ ସଂସ୍କରଣ ଓଡ଼ିଶାରେ ଆୟୋଜିତ ହେବା ଚଳିତ ବର୍ଷର ଅନ୍ୟତମ କ୍ରୀଡ଼ା କମାଲ ଥିଲା। ତୃତୀୟ ଭାରତୀୟ ସହର ଭାବେ ଭୁବନେଶ୍ୱର ଏହାକୁ ସଫଳତାର ସହ ଆୟୋଜନ କରିଥିଲା। ଭାରତୀୟ ଖେଳାଳିମାନେ ଜବରଦସ୍ତ ପ୍ରଦର୍ଶନ କରି ଚୀନ, କାଜାଖସ୍ଥାନ, କିର୍ଗିଜସ୍ତାନ ଭଳି କ୍ରୀଡ଼ା ମହାଶକ୍ତିକୁ ପଛରେ ପକାଇ ପ୍ରଥମ ଥର ପାଇଁ ଏସୀୟ ଦୌଡ଼କୁଦ ପଦକ ତାଲିକାର ପ୍ରଥମ ସ୍ଥାନରେ ରହିବା ଭଳି ବିରଳ କୀତ୍ତିମାନ ଭୁବନେଶ୍ୱରରେ ସ୍ଥାପିତ ହୋଇଥିଲା। ଭାରତ ସର୍ବାଧିକ ୧୨ ସ୍ୱର୍ଣ୍ଣ, ୫ରୌପ୍ୟ ଏବଂ ୧୨ କାଂସ୍ୟ ସହ ୨୯ ପଦକ ଜିତି ପ୍ରଥମ ସ୍ଥାନରେ ରହିଥିଲା। ଚୀନ (୮ ସ୍ୱର୍ଣ୍ଣ, ୭ ରୌପ୍ୟ, ୫ କାଂସ୍ୟ) ଦ୍ୱିତୀୟ ଏବଂ କାଜାଖସ୍ଥାନ (୪ ସ୍ୱର୍ଣ୍ଣ, ୨ ଚୌପ୍ୟ, ୨ କାଂସ୍ୟ) ତୃତୀୟ ସ୍ଥାନରେ ରହିଥିଲା।